ଘରୋଇ ଅନ୍ତର୍ଜାତୀୟ ଶୃଙ୍ଖଳାର ଶୁଭାରମ୍ଭ: ଭିଭିଏସ୍ ଲକ୍ଷ୍ମଣ

0 1,461

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ‌ ଟ୍ବେଣ୍ଟି-୨୦ ସହିତ ଭାରତର ଘରୋଇ ଅନ୍ତର୍ଜାତୀୟ କ୍ରିକେଟ୍ ଋତୁ ଆରମ୍ଭ ହୋଇଯିବ। ଭାରତ ନିଶ୍ଚିତ ଭାବେ ଏହି ଶୃଙ୍ଖଳାକୁ ଆତ୍ମବିଶ୍ବାସ ଏବଂ ଆଶାବାଦୀ ଭାବେ ଖେଳିବ। ଦଳର ଶେଷ ଅଭିଯାନ ସଫଳ ରହିଥିଲା। ଘରଠୁ ବାହାରେ ଖେଳିଥିଲେ ମଧ୍ୟ ଭାରତ ଆମେରିକା ଏବଂ ପ୍ରଭିଡେନ୍ସରେ ବିଶ୍ବ ଟି-୨୦ ବିଜେତା ୱେଷ୍ଟଇଣ୍ଡିଜ୍‌କୁ ଅତି ସହଜରେ ହରାଇଥିଲା। ଏହା ଦଳର ବଡ଼ କୃତିତ୍ବ ଥିଲା। ମୁଁ ଆଶା କରୁଛି ଭାରତ ମଧ୍ୟ କ୍ବିଣ୍ଟନ୍ ଡି’କକ୍‌ଙ୍କ ଯୁବ ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ସମାନ ଧରଣର ଶକ୍ତି ପ୍ରଦର୍ଶନ ଦେଖାଇବ।
ଭାରତ ନିକଟରେ ଥିବା ଶକ୍ତିଶାଳୀ ତଥା ଅଭିଜ୍ଞ ବ୍ୟାଟିଂ ଲାଇନ୍‌ଅପ୍‌ ଘରୋଇ ଦଳକୁ ସିଧାସଳଖ ଫାଇଦାରେ ରଖିଛି। ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତନ ମଧ୍ୟ ଦଳର ବ୍ୟାଟିଂ ବିସ୍ଫୋରଣକୁ ସମ୍ପ୍ରସାରିତ କରିବା ସହ ସନ୍ତୁଳନ ଆଣିଛି। ପାଣ୍ଡ୍ୟା ନିଶ୍ଚିତ ଚୂଡାନ୍ତ ଏକାଦଶରେ ରହିବେ। କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସୁଯୋଗ ପାଇନଥିବା ମନୀଷ ପାଣ୍ଡେ ତାଙ୍କ ସ୍ଥାନ ବଜାୟ ରଖିବେ ବୋଲି ‌ମୁଁ ଆଶା କରୁଛି।

ପରବର୍ତୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବେ ଗୋଟିଏ ବର୍ଷ ଥିବାରୁ ଭାରତ ଏବେ ରୋହିତ ଶର୍ମାଙ୍କ ସହିତ ଶିଖର ଧାୱନଙ୍କୁ ପସନ୍ଦର ଯୋଡ଼ିଦାର ରଖିବ କି ନା ନିଷ୍ପତ୍ତି ନେବ। ଚଳିତ ବର୍ଷ ଖେଳିଥିବା ୭ ଟି-୨୦ରେ ଶିଖର ଧାୱନ ବିଫଳ ରହିଛନ୍ତି, ଥରେ ମାତ୍ର ୩୦ ରନ୍ କରିଛନ୍ତି। ରୋହିତ ଶର୍ମାଙ୍କ ସହିତ ଶୀର୍ଷକ୍ରମରେ ବଲ୍‌କୁ ଷ୍ଟ୍ରାଇକ୍ କରିବା ଲାଗି ବହୁ ଖେଳାଳି ଅଛନ୍ତି। ଦଳୀୟ ମ୍ୟାନେଜମେଣ୍ଟ୍ ଧାୱନଙ୍କ ସହ କେତେ ଦିନ ରହୁଛି ଦେଖିବାର ଅଛି। ବୋଲିଂରେ କିନ୍ତୁ ଭାରତ ଅନଭିଜ୍ଞ ଆକ୍ରମଣ ଦୃଷ୍ଟିରୁ ପରୀକ୍ଷାର ସମ୍ମୁଖୀନ ହେବ। ନଭଦୀପ ସଇନିଙ୍କୁ ଯତ୍ନର ସହ ନିଆଯିବା ଆବଶ୍ୟକ ଏବଂ ଅଧିକ ମ୍ୟାଚ୍‌ ଖେଳାଯିବା ଉଚିତ। ତାଙ୍କ ଗତି ଭିନ୍ନ ଥିବାରୁ ସେ ପ୍ରଭାବ ଛାଡ଼ିବା ସମ୍ଭାବନା ରହିଛି। ଦୀପକ ଚହର ମଧ୍ୟ ୱିକେଟ୍‌ ଦଖଲକାରୀ ଭାବେ ନିଜକୁ ପ୍ରମାଣିତ କରି ସାରିଛନ୍ତି। ବିଶେଷ କରି ପାୱାର ପ୍ଲେ’ରେ ସେ ୱିକେଟ୍‌ର ଉଭୟ ଦିଗକୁ ବଲ୍‌କୁ ଗତିଶୀଳ କରିପାରନ୍ତି। ହାର୍ଦିକଙ୍କ ଉପସ୍ଥିତି ମଧ୍ୟ ଭାରତକୁ ଚତୁର୍ଥ ସିମର କିମ୍ବା ତୃତୀୟ ସ୍ପିନର୍‌ ନେଇ ଖେଳିବାକୁ ସୁଯୋଗ ଆଣିଛି। ବ୍ୟାଟିଂ ବିକଳ୍ପରେ ସାଲିସ ନ କରି ଭାରତ ୬ ବୋଲିଂ ବିକଳ୍ପ ପାଇଯିବ। ନିଜର ଚଞ୍ଚଳତା ଓ ପ୍ରତିଭା ଦୃଷ୍ଟିରୁ ମୋ ପସନ୍ଦର ଚୂଡାନ୍ତ ଏକାଦଶରେ ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜାଙ୍କ ଭଳି ଖେଳାଳି ରହିବା କଥା।

ଅନ୍ୟପକ୍ଷରେ ଦଳ ଗଠନ ପ୍ରକ୍ରିୟାରେ ରହିଥିବା ଦକ୍ଷିଣ ଆଫ୍ରିକାକୁ କ୍ବିଣ୍ଟନ୍‌ ଡି’କକଙ୍କ ଦାୟିତ୍ବ ଉପରେ ନିର୍ଭର କରିବାକୁ ପଡ଼ିବ। ବିଶ୍ବକପ୍‌ ଦୃଷ୍ଟିରୁ ମଧ୍ୟ ବ୍ୟାଟିଂ ବିଭାଗକୁ ଦକ୍ଷିଣ ଆଫ୍ରିକା ସଜାଡ଼ିବା ଲକ୍ଷ୍ୟରେ ରହିବ। କୌଣସି ଦକ୍ଷିଣ ଆଫ୍ରିକୀୟ ଦଳ ସହଜରେ ମ୍ୟାଚ୍‌ ଛାଡ଼ିନଥାନ୍ତି। ବିରାଟ କୋହଲିଙ୍କ ଦଳ ନିଜ ଦକ୍ଷତା ମୁତାବକ‌ ଖେଳିଲେ ଦକ୍ଷିଣ ଆଫ୍ରିକା ପାଇଁ ସବୁକିଛି କଷ୍ଟକର ହୋଇଯିବ।

Leave A Reply

Your email address will not be published.

four × 2 =