ଅଣ୍ଡା ଶିଳ୍ପରେ ଘୋର ସଙ୍କଟ, ଏକାଠି ହେଲେ ରାଜ୍ୟର ଅଣ୍ଡା ବ୍ୟବସାୟୀ

0 1,496

ନୂତନ ରାଜ୍ୟ ସ୍ତରୀୟ ସଂଘ ଗଠିତ, ରାଜ୍ୟ ସରକାରଙ୍କୁ ସମସ୍ୟା ଜଣାଇବ

ଭୁବନେଶ୍ବର: ରାଜ୍ୟର ଅଣ୍ଡା ଶିଳ୍ପ ଘୋର ସଙ୍କଟ ଦେଇ ଗତି କରୁଛି। କୁକୁଡ଼ା ଖାଦ୍ୟ ଦାମ୍ ବହୁତ ବଢ଼ିଯାଇଥିବା ବେଳେ ସେହି ଅନୁପାତରେ ଅଣ୍ଡାର ଖୁଚୁରା ଦରରେ ବୃଦ୍ଧି ହୋଇନାହିଁ। ଗ୍ରାହକମାନେ ପୂର୍ବରୁ ଯେଉଁ ଦରରେ ଅଣ୍ଡା କିଣୁଥିଲେ ଏବେ ମଧ୍ୟ ସେହି ଦାମ୍ ଦେଇ ଅଣ୍ଡା କିଣୁଛନ୍ତି। କୁକୁଡ଼ା ଖାଦ୍ୟ ଦର ବୃଦ୍ଧି ଯୋଗୁ ଅଣ୍ଡାର ଉତ୍ପାଦନ ଖର୍ଚ ବଢ଼ିଯାଇଛି। ବାତ୍ୟା ଫନି ପରେ ସ୍ଥିତ ଆହୁରି ଜଟିଳ ହୋଇପଡ଼ିଛି। ଏହାର ପ୍ରଭାବରେ କୁକୁଡ଼ା ଚାଷୀମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଅଣ୍ଡା ଦର ନିର୍ଦ୍ଧାରଣ କରୁଥିବା ଏନ୍‌ଇସିସିର ନୀତି କୁକୁଡ଼ା ଚାଷୀଙ୍କ ପାଇଁ ସହାୟକ ହେବା ବଦଳରେ ଚାଷୀ ମାରଣ ନୀତିରେ ପରିଣତ ହୋଇଥିବା ଅଭିଯୋଗ କରାଯାଉଛି। ଉତ୍ପାଦିତ ଅଣ୍ଡାର ଉଚିତ ମୂଲ୍ୟ ମିଳୁନଥିବାରୁ ଅଣ୍ଡା ଚାଷୀମାନେ ଫାର୍ମ ବନ୍ଦ କରିବା ପାଇଁ ବିଚାର କରୁଛନ୍ତି। ଅନ୍ୟ କିଛି କୁକୁଡ଼ା ଚାଷୀ ଆତ୍ମହତ୍ୟା କରିବା ବିଷୟରେ ଚିନ୍ତା କରୁଥିବା କହିଛନ୍ତି। ଅଣ୍ଡା ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲାଗି ରାଜ୍ୟ ସରକାର ସବ୍‌ସିଡିର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏନ୍‌ଇସିସିର ଚାଷୀମାରଣ ନୀତି ଯୋଗୁ ରାଜ୍ୟର ଅଣ୍ଡା ଶିଳ୍ପ ବଡ଼ ଧରଣର କ୍ଷତି ସହୁଥିବା ଅଣ୍ଡା ଚାଷୀମାନେ ଅଭିଯୋଗ କରିଛନ୍ତି।

ଅଣ୍ଡା ଶିଳ୍ପ ସାମ୍ନା କରୁଥିବା ସମସ୍ୟାଗୁଡ଼ିକର ସମ୍ମିଳିତ ମୁକାବିଲା କରିବା ଲାଗି ରାଜଧାନୀରେ ସାରା ରାଜ୍ୟର ଅଣ୍ଡା ଚାଷୀମାନେ ଏକାଠି ହୋଇ ଏକ ରାଜ୍ୟ ସ୍ତରୀୟ ସଂଘ ଗଠନ କରିଛନ୍ତି। ସେହି ସଂଘର ନାମ ରଖାଯାଇଛି ‘ଅଲ୍‌ ‌ଓଡ଼ିଶା ଲୋୟାର୍‌ ଫାର୍ମର୍ସ ଆସୋସିଏସନ୍‌’। ଏହାର ଅଧ୍ୟକ୍ଷ ଭାବେ ମାନସ ମଙ୍ଗରାଜଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଛି। ବି ବି ଚୌଧୁରୀଙ୍କୁ ସଭାପତି, ଦେବଦ ବିଶ୍ବାଳ ଉପସଭାପତି, ଏଲ୍‌ ସରୋଜ କୁମାର ପାତ୍ର ସାଧାରଣ ସମ୍ପାଦକ, ଯୁଗ୍ମ ସଂପାଦକ ଭାବେ ବନ୍ଧନ ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ସନ୍ତୋଷ ପାତ୍ର ନିର୍ବାଚିତ ହୋଇଛନ୍ତି। ନୂତନ କର୍ମକର୍ତ୍ତା ନିର୍ବାଚନ ଲାଗି ଅନୁଷ୍ଠିତ ହୋଇଥିବା ବୈଠକରେ ରାଜ୍ୟର ୮୦ରୁ ଅଧିକ ଅଣ୍ଡା ଚାଷୀ ‌ଯୋଗ ଦେଇଥିଲେ। ବୈଠକରେ ଏନ୍‌ଇସିସିର ଅଧ୍ୟକ୍ଷାଙ୍କ ଚାଷୀମାରଣ ନୀତିକୁ ନିନ୍ଦା କରାଯାଇଥିଲା ଏବଂ ତାଙ୍କ କଂପାନିରୁ କୌଣସି ଚିଆଁ କିଣିବେ ନାହିଁ ବୋଲି ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି। ପ୍ରସନ୍ନ କୁମାର ବସ୍ତିଆ ଓ ମଦନ ମୋହନ ରାଉତ ସଂଘର ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଖୁବ୍‌ଶୀଘ୍ର ଏହି ନୂତନ ସଂଘ ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ସାକ୍ଷାତ କରି ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବ।

Leave A Reply

Your email address will not be published.

1 + four =