ଗାନ୍ଧୀ ଆଶ୍ରମରୁ ଗାନ୍ଧୀ ଜୀବନ ଦର୍ଶନ

0 890

ଲଷ୍ମୀପ୍ରିୟା ଓଝା

ଗାନ୍ଧୀ ଆଶ୍ରମ କହିଲେ ବୁଝାଯାଏ ସାବରମତୀ ନଦୀ କୂଳରେ ଲମ୍ବା ଲମ୍ବା ଗଛ ଗହଳି ଭିତରେ କେତୋଟି ଛୋଟ ଛୋଟ ଟାଇଲି ଛପର ଘର | ଯେଉଁଠୁ ଗାନ୍ଧିଜୀ ଭାରତର ନବ ନିର୍ମାଣର ସ୍ଵପ୍ନ ଦେଖିଥିଲେ ଆଉ ଦେଖାଇଥିଲେ ଅନ୍ୟମାନଙ୍କୁ | ଖାଲି ଇଂରେଜ ମାନଙ୍କଠୁ ନୁହେଁ ସେ ସ୍ଵାଧୀନ କରିବାକୁ ଚାହୁଁଥିଲେ ଲୋକଙ୍କୁ ସେମାନଙ୍କ କୁସଂସ୍କାର, ଧର୍ମାନ୍ଧତା, ଜାତିଅଣାଭାବ, ଅସ୍ପୃଶ୍ୟତା, ଅସତ୍ୟ, ହିଂସା ଭିତରୁ | ସେ ମୁକ୍ତ କରିବାକୁ ଚାହୁଁଥିଲେ ଲୋକଙ୍କୁ ଅଶିକ୍ଷା, ହୀନମନ୍ୟତା, ଦାରିଦ୍ର୍ୟ ଆଦିରୁ | ଶିକ୍ଷା, ସ୍ଵାସ୍ଥ୍ୟ, ଆର୍ଥିକ, ସାମାଜିକ, ରାଜନୈତିକସ୍ଥରରେ ସ୍ଵାଧୀନ କରି ଏକ ସ୍ଵାଭିମାନର ଜୀବନ ବଂଚିବାକୁ ଦେଇଥିଲେ ଗୁରୁମନ୍ତ୍ର ଏଇଠୁ ଗାନ୍ଧିଜୀ |

ପୋଥିଗତ ବିଧ୍ୟା ହସଲା କରିବାପାଇଁ ଆମେ ଆଜିକାଲି ଜୀବନର ୨0ବର୍ଷ ସହ ଲକ୍ଷଧିକ ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ଗାନ୍ଧୀ ବୈଷୟିକ ଶିକ୍ଷାରେ ବିଶ୍ଵାସ କରୁଥିଲେ | ସୂତାକଟି ଲୁଗା ବୁଣିବା, ଗୋ ପାଳନ, ପରିବା ଚାଷ କରି ସ୍ଵାବଲମ୍ବୀ ହେବାସହ ପର ଉପରେ ନିର୍ଭର ନକରି ସ୍ଵାଭିମାନର ସହ ବଞ୍ଚିବା ଶିଖାଇଥିଲେ | ସାବରମତୀ ଆଶ୍ରମ ନଦୀକୂଳ ଅପନ୍ତରା ସ୍ଥାନରେ ଥିବା ଯୋଗୁ ଅନେକ ବିଷଧର ଜନ୍ତୁଜୁନ୍ତାଙ୍କର ଅବାଧ ପ୍ରବେଶ ଭୂମି ଥିଲା | ତଥାବି ସେମାନଙ୍କୁ ହତ୍ୟା କରିବାର ଅନୁମତି ନଥିଲା | ଆମେ ଏବେ ଗାଈ, ଗୋରୁ, ଛେଳି, କୁକୁଡ଼ା, ମାଛ କାଟି ଖାଇ ଅହିଂସା ପରମ ଧର୍ମର ସ୍ଲୋଗାନ ଦେଇ ବଡ ଧୁମଧାମରେ ଗାନ୍ଧୀଜୟନ୍ତୀ ପାଳନ କରୁଛେ | ଟିକେ ଟିକେ କଥାରେ ବାସ , ଟ୍ରେନ ଜାଳି, ଖଣ୍ଡା ବନ୍ଧୁକ ଦେଖାଇ ବିରୋଧ ପ୍ରଦର୍ଶନ କରୁଛେ |

ଏବେ ସ୍ଵଛତା ଏକ ଅଭିଯାନ | ଲକ୍ଷଧିକ ଟଙ୍କା ଖର୍ଚ୍ଚ ହେଉଛି | ଝାଡୁ ଧରି ସେଲ୍ଫି ନେଉଛେ ଆମେ | କିନ୍ତୁ ସ୍ଵଛତା ହିଁ ସ୍ଵାସ୍ଥ୍ୟର ସମ୍ପଦ, ବିନା ହୋ ହାଲ୍ଲା ରେ ଲୋକଙ୍କୁ ବୁଝାଉଥିଲେ ସେ | ବିନା ପଇସାରେ ଶ୍ରମଦାନ କରି ସଫା ରଖୁଥିଲେ ଆଶ୍ରମ ଆଉ ଆଶ୍ରମ ପାଖାପାଖି ଅଞ୍ଚଳମାନଙ୍କର |

ଏବେ ସ୍କୁଲ, କଲେଜଠୁ ନେଇ ଚାକିରୀ ଯାଏ ସବୁଠି ସବୁ ଜାତି, ଧର୍ମ ପାଇଁ ରିଜରର୍ଭେସନ | ଏବେ ମନ୍ଦିରଵାଲା ମସଜିଦକୁ, ମସଜିଦଵାଲା ଚର୍ଚ୍ଚକୁ ଯାନ୍ତି ନାହିଁ | କିନ୍ତୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏହି ଆଶ୍ରମରେ ଶହେ ବର୍ଷ ତଳେ ଜାତି ଧର୍ମ, ବର୍ଣ୍ଣ, ଧନୀ, ଗରିବ ନିର୍ବିଶେଷରେ ଆଶ୍ରମ ଥିଲା ସମସ୍ତଙ୍କ ପାଇଁ ମୁକ୍ତ | ସକାଳେ ସନ୍ଧ୍ୟାରେ ସର୍ବଧର୍ମ ପ୍ରାଥନା ହେଉଥିଲା ଏଠିକାର ପ୍ରାଥନା ଭୂମିରେ | ସେ ଲବଣ ସତ୍ୟାଗ୍ରହ ହେଉ କି ଅସହଯୋଗ ଆନ୍ଦୋଳନ ବା ସ୍ଵାଧୀନତା ସଂଗ୍ରାମ କୋଉ ଜାତିର, କେଉଁ ଧର୍ମର କେତେ ଲୋକ ଯୋଗ ଦେଇଥିଲେ ତାହାର ହିସାବ କେହି ରଖି ନଥିଲେ ସେତେବେଳେ |

କସ୍ତୁରବାଙ୍କ ଶୋଇବା ଘର ବାରଣ୍ଡାରେ ଘଡ଼ିଏ ବସିଲେ ଆତ୍ମମନ୍ଥନ କରିବାକୁ ମନହୁଏ | ଦେଶପାଇଁ ଲଢ଼ୁଥିବା ଅଡିଅଲ ଲୋକର ସ୍ତ୍ରୀ ହେଇ କେତେ ମାନସିକ, ଶାରୀରିକ ଯନ୍ତ୍ରଣା ଭୋଗି ନଥିବେ ସେ ! ମାନସିକ ବୈଷମ୍ୟତା ଥାଇ ମଧ୍ୟ ସେ ଛାଇ ପରି ରହିଥିଲେ ଗାନ୍ଧିଜୀଙ୍କ ସହ ! ଆଉ ଏବେ ତରକାରୀ ଅଲଣା ହେଲେ, ଅଫିସରୁ ଡେରିରେ ଫେରିଲେ, ମା ବାପାଙ୍କୁ ଟିକେ ସାହାଯ୍ୟ କରିଦେଲେ ଦାମ୍ପତ୍ୟ ଜୀବନ ଯାଇ ଠିଆ ହୁଏ କାଠଗଡ଼ାରେ | କଥା ପହୁଞ୍ଚେ ବିବାହ ବିଛେଦରେ |

ତେଣୁ ଗାନ୍ଧିଜୀଙ୍କର ଏହି ସାବରମତୀ ଆଶ୍ରମ ଖାଲି ଏକ ଆଶ୍ରମ ନୁହେଁ ବିଚାରଧାରାର ଏକ ସମୁଦ୍ର | ଯେଉଁଠି ବସି ଆତ୍ମମନ୍ଥନ କଲେ ବୁଝିହୁଏ ଗାନ୍ଧୀବାଦକୁ | ସରଳ ନିରାଡ଼ମ୍ବର ଜୀବନ ଶୈଳୀ ଭିତରେ ଥିବା ବଳିଷ୍ଠ ଜୀବନ ଦର୍ଶନକୁ |

ବରୋଦା, ଗୁଜରାଟ

Leave A Reply

Your email address will not be published.

one × two =