ଗାନ୍ଧୀଙ୍କୁ ଆରଏସଏସର ଶ୍ରଦ୍ଧାଞ୍ଜଳି : ମହାତ୍ମାଙ୍କ ଜୀବନ ଦର୍ଶନ ଅନୁସରଣ କରନ୍ତୁ

0 130


ମୋହନ ଭାଗବତ
ସରସଂଘଚାଳକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

ସନାତନ କାଳରୁ ପ୍ରଚଳିତ ଭାରତର ଇତିହାସ ଗାଥାର ଏକ ପର୍ବ ଭାରତର ଆଧୁନିକ ଇତିହାସ ତଥା ସ୍ୱାଧୀନ ଭାରତର ଉତ୍ଥାନର କାହାଣୀରେ ଯେଉଁ ବିଭୂତିମାନଙ୍କ ନାମ ସଦାସର୍ବଦା ପାଇଁ ଅଙ୍କିତ ହୋଇ ରହିଛି,ସେଥିରେ ପୂଜ୍ୟ ମହାତ୍ମାଗାନ୍ଧୀଙ୍କ ନାମ ପ୍ରମୁଖ ଅଟେ । ଭାରତ ହେଉଛି ଏକ ଆଧ୍ୟାତ୍ମିକ ଦେଶ ଏବଂ ଆଧ୍ୟାତ୍ମିକତାର ଆଧାରରେ ହିଁ ଏହାର ଉତ୍ଥାନ ସମ୍ଭବ । ଏହାକୁ ଆଧାର କରି ଭାରତୀୟ ରାଜନୀତିର ଆଧ୍ୟାତ୍ମିକ ମୂଳଦୁଆ ସ୍ଥାପନ କରିବାର ଚେଷ୍ଟା ମହାତ୍ମା ଗାନ୍ଧୀ କରିଥିଲେ ।
ଗାନ୍ଧିଜୀଙ୍କ ଚେଷ୍ଟା କେବଳ କ୍ଷମତା ପ୍ରାପ୍ତିର ରାଜନୀତି ଯାଏଁ ସୀମିତ ନଥିଲା । ସମାଜ ତଥା ଏହାର ନେତୃବର୍ଗଙ୍କ ନିମନ୍ତେ ସାତ୍ତ୍ୱିକ ଆଚରଣ କରିବା ଉପରେ ଗାନ୍ଧିଜୀ ପ୍ରଧାନ୍ୟ ଦେଇଥିଲେ । ମହତ୍ତ୍ୱାକାଂକ୍ଷା ତଥା ସ୍ୱାର୍ଥ ପ୍ରେରିତ ଅହଂକାର ଏବଂ ବିକାରକୁ ଆଧାର କରି ଚାଲିଥିବା ବିଶ୍ୱର ରାଜନୀତିକୁ ସେ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଥିଲେ । ତାଙ୍କର ସ୍ୱପ୍ନ ଥିଲା -ଭାରତୀୟ ଜନଜୀବନ, ସତ୍ୟ, ଅହିଂସା, ସ୍ୱାବଲମ୍ବନ ଓ ମାନବକଲ୍ୟାଣର ପ୍ରକୃତ ସ୍ୱାଧୀନତା ଉପରେ ଆଧାରିତ ହେଉ; ଦେଶ ଓ ମାନବିକତା ନିମନ୍ତେ ଉସôର୍ଗୀକୃତ ହେଉ । ଗାନ୍ଧିଜୀଙ୍କ ଏହି ଚିନ୍ତାଧାରା ତାଙ୍କ ନିଜ ଜୀବନରେ ସଂପୂର୍ଣ୍ଣ ରୂପେ ସାକାର ହୋଇଥିଲା ।
୧୯୨୨ ମସିହାରେ ଗାନ୍ଧିଜୀ ଗିରଫ ହେବାପରେ ନାଗପୁର ନଗର କଂଗ୍ରେସ ଦ୍ୱାରା ଏକ ଜନସଭା ଆୟୋଜିତ ହୋଇଥିଲା । ଏଥିରେ ବକ୍ତା ଭାବରେ ଡକ୍ଟର ହେଡଗେୱାର ଗାନ୍ଧିଜୀଙ୍କୁ ‘ପୁଣ୍ୟ ପୁରୁଷ’ ଭାବେ ସମ୍ବୋଧନ କରି କହିଥିଲେ ଯେ, ଗାନ୍ଧିଜୀଙ୍କ କଥା ଓ କାମରେ କୌଣସି ପାର୍ଥକ୍ୟ ନାହିଁ । ଗାନ୍ଧିଜୀ ନିଜ ଧୈର୍ଯ୍ୟ ଓ ବିଚାର ନିମନ୍ତେ ସର୍ବସ୍ୱ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥିଲେ । ସେ କହିଥିଲେ ଯେ, କେବଳ ଗାନ୍ଧିଜୀଙ୍କ ଗୁଣଗାନ କଲେ ଗାନ୍ଧିଜୀଙ୍କ କାର୍ଯ୍ୟ ଆଗକୁ ବଢି ପାରିବ ନାହିଁ । ଗାନ୍ଧିଜୀଙ୍କ ଏହିସବୁ ଗୁଣ ଆମ ଜୀବନରେ ଆମେ ଅନୁସରଣ କଲେ ଯାଇ ଗାନ୍ଧିଜୀଙ୍କ କାର୍ଯ୍ୟ ଆଗକୁ ବୃଦ୍ଧି ପାଇବ ।
ଗାନ୍ଧିଜୀ ଭଲ ଭାବରେ ଜାଣିଥିଲେ ପରାଧୀନତା କାରଣରୁ ଜାତ ପରାଧୀନ ମାନସିକତା ଅତ୍ୟନ୍ତ କ୍ଷତିକାରକ । ଏହାର ଉଦାହରଣ ଦେଇ ‘ହିନ୍ଦ ସ୍ୱରାଜ’ ରେ ସେ ଲେଖିଛନ୍ତି ଯେ, ଏହି ମାନସିକତାରୁ ମୁକ୍ତି ପାଇବା ପାଇଁ ଶୁଦ୍ଧ, ସ୍ୱଦେଶୀ ଦୃଷ୍ଟି ସମ୍ପନ୍ନ ଭାରତର ବିକାଶ ତଥା ଆଚରଣ ଆବଶ୍ୟକ । ସେ ସମୟରେ ସଂସାରକୁ ଚକିତ କରୁଥିବା ଭୌତିକତାବାଦୀ ପାଶ୍ଚାତ୍ୟ ଜୀବନ ପଦ୍ଧତି କ୍ଷମତାବଳରେ ଶିକ୍ଷାକୁ ବିକୃତ କରି ଏବଂ ସମସ୍ତଙ୍କୁ ଆର୍ଥôକ ଦୃଷ୍ଟିରୁ ନିର୍ଭରଶୀଳ କରିବାର ଚେଷ୍ଟାରେ ଆଗେଇ ଚାଲୁଥିଲା । ଏପରି ସମୟରେ ଗାନ୍ଧିଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରଚେଷ୍ଟା ନିଜସ୍ୱ ଜୀବନର ଆଧାରରେ ସମସ୍ତ ଅଙ୍ଗକୁ ନୂତନ ବିଚାର ଦେବାର ଏକ ସଫଳ ପ୍ରୟୋଗ ଥିଲା । ହେଲେ ପରାଧୀନତାର ମାନସିକତାରେ ଗ୍ରସ୍ତ ଲୋକେ କିଛି ନବୁଝି ନବିଚାରି ପାଶ୍ଚାତ୍ୟ ବିଚାରକୁ ପ୍ରାମାଣିକତାର ସହ ସ୍ୱୀକାର କରି ନେଇ ନିଜର ପୂର୍ବ ପୁରୁ୍ଷ, ପୂର୍ବ ଗୌରବ ଏବଂ ପୂର୍ବ ସଂସ୍କାରକୁ ହୀନ ତଥା ହେୟ ମନେ କରି ଅନ୍ଧାନୁକରଣ ଏବଂ ଚାଟୁକାରିତାରେ ମଜ୍ଜି ଯାଇଥିଲେ । ଏହାର ସୁଦୁର ବିସ୍ତାରୀ ପ୍ରଭାବ ଆଜି ମଧ୍ୟ ଭାରତୀୟ ଚାଲି ଚଳଣ ଉପରେ ସ୍ପଷ୍ଟ ଦେଖାଯାଇଛି ।
ଅନ୍ୟ ଦେଶମାନଙ୍କର ସମକାଳୀନ ମହାପୁରଷମାନେ ମଧ୍ୟ ଗାନ୍ଧିଜୀଙ୍କ ଭାରତକୈନ୍ଦ୍ରିକ ଚିନ୍ତାଧାରାକୁ କିଛି ଅଂଶରେ ଗ୍ରହଣ କରି ନିଜ ନିଜ ଦେଶର ବିଚାର ସଂପର୍କିତ ଜ୍ଞାନ ବୃଦ୍ଧି କରିଛନ୍ତି । ମହାନ ବୈଜ୍ଞାନିକ ଆଇନ୍ଷ୍ଟାଇନ ମହାତ୍ମା ଗାନ୍ଧୀଙ୍କ ମୃତୁ୍ୟପରେ କହିଥିଲେ ଯେ, ଆଗାମୀ ପୀଢି ପାଇଁ ହୁଏତ ଏହା ବିଶ୍ୱାସ କରିବା ମଧ୍ୟ କଠିନ ହୋଇପାରେ ଯେ, ଗାନ୍ଧିଜୀଙ୍କ ଭଳି ଜଣେ ବ୍ୟକ୍ତି ଏହି ଭୂମିରେ ଜୀବନ ଧାରଣକରି ଚାଲି ଯାଇଛନ୍ତି । ଗାନ୍ଧିଜୀ ତାଙ୍କର ନିଜସ୍ୱ ଜୀବନଶୈଳୀ ଏବଂ ପବିତ୍ର ଆଚରଣ ଦ୍ୱାରା ଆମ ସମ୍ମୁଖରେ ଏହିଭଳି ଉଦାହରଣମାନ ପ୍ରସ୍ତୁତ କରି ଯାଇଛନ୍ତି ।
ଗାନ୍ଧିଜୀ ୧୯୩୬ ମସିହାରେ ୱାର୍ଦ୍ଧା ନିକଟରେ ଚାଲିଥିବା ସଂଘ ଶିବରକୁ ଆସିଥିଲେ । ତା ପରଦିନ ଡକ୍ଟର ହେଡଗେୱାର ଗାନ୍ଧିଜୀଙ୍କୁ ତାଙ୍କ ରହିବା ସ୍ଥାନରେ ସାକ୍ଷାତ କରିଥିଲେ । ଗାନ୍ଧିଜୀଙ୍କ ସହିତ ତାଙ୍କ ସୁଦୀର୍ଘ ଚର୍ଚ୍ଚା ଏବଂ ପ୍ରଶ୍ନତ୍ତୋର ବର୍ତ୍ତମାନ ପ୍ରକାଶିତ ହୋଇ ସାରିଛି । ବିଭାଜନର ରକ୍ତ ରଂଜିତ ସମୟ କାଳରେ ଦିଲ୍ଲୀରେ ତାଙ୍କ ନିବାସ ସ୍ଥାନ ନିକଟରେ ଚାଲୁଥିବା ଶାଖାକୁ ମଧ୍ୟ ଗାନ୍ଧିଜୀ ଯାଇଥିଲେ । ସଂଘ ଶାଖାରେ ଉପସ୍ଥିତ ରହି ସେ ଯେଉଁ ମାର୍ଗଦର୍ଶନ ଦେଇଥିଲେ, ତାହା ୨୭ ଜୁନ ୧୯୪୭ର ‘ହରିଜନ’ ପତ୍ରିକାରେ ପ୍ରକାଶିତ ହୋଇଥିଲା । ସଂଘର ସ୍ୱୟଂସେବକମାନଙ୍କ ଅନୁଶାସନ ଏବଂ ସେମାନଙ୍କ ଠାର ଜାତିପ୍ରଥା ଜନିତ ଭେଦଭାବର ସଂପୂର୍ଣ୍ଣ ଅଭାବ ଦେଖି ଗାନ୍ଧିଜୀ ପ୍ରସନ୍ନତା ବ୍ୟକ୍ତ କରିଥିଲେ । ସ୍ୱ ଆଧାରିତ ଭାରତର ପୁନର୍ଗଠନର ସ୍ୱପ୍ନ ଦେଖୁଥବା ଏବଂ ସାମାଜିକ ସମତା ଓ ସମରସତାକୁ ସଂପୂର୍ଣ୍ଣ ସମର୍ଥନ ଭିତ୍ତିରେ ନିଜ କାମ ଦ୍ୱାରା ତଥା ଆଚରଣ ଦ୍ୱାରା ଉଦାହରଣ ପ୍ରସ୍ତୁତ କରିଥିବା ଗାନ୍ଧିଜୀ ସମସ୍ତଙ୍କ ନିମନ୍ତେ ଆଦର୍ଶ ପୁରଷ ଅଟନ୍ତି । ଆମେ ସମସ୍ତେ ପୂଜ୍ୟ ଗାନ୍ଧିଜୀଙ୍କୁ ଭଲଭାବେ ବୁଝିବା ଏବଂ ତାଙ୍କ ମତକୁ ନିଜ ବ୍ୟବହାରରେ ପାଳନ କରିବା ଆବଶ୍ୟକ । ତାଙ୍କର ଏହିସବୁ ସଦଗୁଣ ସକାଶେ ଗାନ୍ଧିଜୀଙ୍କ ବିଚାର ସହ ସାମାନ୍ୟ ମତଭେଦ ଥିବା ବ୍ୟକ୍ତିମାନେ ମଧ୍ୟ ତାଙ୍କୁ ଶ୍ରଦ୍ଧାପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତ୍ୟେକ ପଭାତ ଶାଖାରେ ଏକ ସ୍ତୋତ୍ର ଦ୍ୱାରା ନିଜ ଦେଶର ମହାପୁରୁଷମାନଙ୍କୁ ସ୍ମରଣ କରିବା ପରମ୍ପରା ସଂଘ ସ୍ଥାପିତ ହେବା ଦିନ ଠାରୁ ପ୍ରଚଳିତ ହୋଇ ଆସୁଅଛି । ଏହାକୁ ଏକାତ୍ମତା ସ୍ତୋତ୍ର କୁହାଯାଏ । ୧୯୬୩ ମସିହାରେ ଏହାର ପୂନର୍ରଚନା କରାଯାଇଥିଲା ଏବଂ ଏଥିରେ କିଛି ନୂତନ ନାମ ଯୋଡା ଯାଇଥିଲା, ଯେଉଁଥିରେ ଗାନ୍ଧିଜୀଙ୍କ ନାମ ସାମିଲ କରାଯାଇଥିଲା । ସେତେବେଳକୁ ତାଙ୍କର ଦେହାନ୍ତ ହୋଇ ସାରିଥିଲା । ସଂଘର ସ୍ୱୟଂସେବକମାନେ ପ୍ରତିଦିନ ପ୍ରାତଃକାଳରେ ଏହି ଏକାତ୍ମତା ସ୍ତୋତ୍ର ମାଧ୍ୟମରେ ଗାନ୍ଧିଜୀଙ୍କ ନାମ ଉଚ୍ଚାରଣ କରି ତାଙ୍କର ଉପରୋକ୍ତ ଗୁଣଯୁକ୍ତ ଜୀବନକୁ ସ୍ମରଣ କରିଥାନ୍ତି ।
ଗାନ୍ଧିଜୀଙ୍କ ଜନ୍ମର ୧୫୦ତମ ବର୍ଷରେ ତାଙ୍କୁ ସ୍ମରଣ କରି ଆମେ ସମସ୍ତେ ସଂକଳ୍ପ ନେବା ଯେ, ତାଙ୍କ ଭଳି ପବିତ୍ର ତ୍ୟାଗମୟ ଏବଂ ସ୍ୱଚ୍ଛ ତଥା ସ୍ୱାବଲମ୍ବୀ ଜୀବନ ଦୃଷ୍ଟିର ଅନୁସରଣ କରି ଆମେ ସମସ୍ତେ ଭାରତକୁ ବିଶ୍ୱଗୁରୁ ରୂପେ ସ୍ଥାପିତ କରିବା ନିମନ୍ତେ ନିଜ ନିଜ ଜୀବନକୁ ସମର୍ପଣ ଓ ତ୍ୟାଗର ଭାବରେ ସମୃଦ୍ଧ କରିବା ।

Leave A Reply

Your email address will not be published.