ପର୍ଯ୍ୟଟନର ନୂଆ ଲକ୍ଷ୍ୟସ୍ଥଳ : ସାମୁଦ୍ରିକ ହାତୀ ଗୁମ୍ଫା, ସାତୁନ, ଥାଇଲାଣ୍ଡ୍

0 1,845
୨.୪ କିମି ବ୍ୟାପୀ ସୁଡ଼ଙ୍ଗ ନଈ

ରଜତ ରଶ୍ମି ସ୍ୱାଇଁ
ଥାଇଲାଣ୍ଡର ଦକ୍ଷିଣ ପଶ୍ଚିମ ଭାଗରେ ଥିବା ସହର ସାତୁନରେ ରହିଛି ଦୀର୍ଘ ୨.୪ କିମି ବ୍ୟାପୀ ସୁଡ଼ଙ୍ଗ ନଈ । ପାହାଡ଼ ମଧ୍ୟ ଦେଇ ଯାଇଛି ବିରାଟ ସୁଡ଼ଙ୍ଗ । ଏହି ସୁଡ଼ଙ୍ଗ ମଧ୍ୟ ଦେଇ ନଈ ପ୍ରବାହିତ ହୋଇ ସମୁଦ୍ର ମଧ୍ୟରେ ମିଶିଯାଇଛି । ଦୁଃସାହସିକ ପର୍ଯ୍ୟଟନ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ । ପାହାଡ଼ ମଧ୍ୟ ଦେଇ ଏହି ନଈରେ ଛୋଟ ଦୁଇଜଣିଆ ଡ଼ଙ୍ଗାରେ ପର୍ଯ୍ୟଟକମାନେ ଯାତ୍ରା କରନ୍ତି । ପ୍ରାୟ ସାଢେ଼ ଦୁଇ କିଲୋମିଟର ଯାତ୍ରା କଲା ପରେ ସୁଡ଼ଙ୍ଗ ଶେଷ ହୁଏ ଓ ସମୁଦ୍ର ଆରମ୍ଭ ହୁଏ । ସୁଡ଼ଙ୍ଗ ଶେଷ ହେବା ପରେ ଛୋଟ ଡ଼ଙ୍ଗାରୁ ଓହ୍ଲାଇ ପର୍ଯ୍ୟଟକମାନେ ବଡ଼ ଇଞ୍ଜିନ ଚାଳିତ ଲଞ୍ଚ୍ରେ ଯାତ୍ରା କରି କୂଳରେ ପହଞ୍ଚନ୍ତି ।
ପାଣି ମଧ୍ୟରେ ଥିବା ହାତୀ ଗୁମ୍ଫା, ଆକର୍ଷଣୀୟ ଦ୍ୱୀପ ଓ ସାତୁନ ସହରର ସାମୁଦ୍ରିକ ଖାଦ୍ୟ ପର୍ଯ୍ୟଟକମାନଙ୍କୁ ଥାଇଲାଣ୍ଡକୁ ଟାଣିନେବ । ଏଥିସହିତ ହାତିୟାଇର ଜାତୀୟ ପାର୍କ, ବଡ଼ ବଡ଼ ସପିଂ ମଲ୍, ନାଇଟ୍ ମାର୍କେଟ୍ ଓ ନାଇଟ୍ କ୍ଲବ ମଧ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ । ବ୍ୟସ୍ତବହୁଳ ଜୀବନ ଠାରୁ ବହୁ ଦୂରରେ ସମୁଦ୍ର ମଧ୍ୟରେ ଥିବା ଥାଇଲାଣ୍ଡର ଛୋଟ ଛୋଟ ଦ୍ୱୀପଗୁଡ଼ିକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ଏଥିସହିତ ସାତୁନ୍ର ସାମୁଦ୍ରିକ ହାତୀ ଗୁମ୍ଫା ପର୍ଯ୍ୟଟକଙ୍କୁ ପ୍ରାୟ ଅଢେ଼ଇ ହଜାର ବର୍ଷ ତଳକୁ ଫେରାଇ ନେବ । ପୃଥିବୀର ଆଦିମ ରୂପକୁ ଦେଖିବାକୁ ପର୍ଯ୍ୟଟକଙ୍କୁ ସୁଯୋଗ ଦେବ । ହାତୀୟାଇ ସହର ପର୍ଯ୍ୟଟକଙ୍କୁ ଆଜିର ଅତ୍ୟାଧୁନିକ ଜୀବନଶୈଳୀକୁ ଉପଭୋଗ କରିବାର ସୁଯୋଗ ଦେବ । ବିଶେଷ କରି ଥାଇଲାଣ୍ଡର ଏହି ଦୁଇ ନୂତନ ଭାବେ ବିକଶିତ ହେଉଥିବା ପର୍ଯ୍ୟଟନ ସ୍ଥଳୀ ସାତୁନ ଓ ହାତୀୟାଇ ପ୍ରାଚୀନ ତଥା ଅତ୍ୟାଧୁନିକ ଜୀବନଶୈଳୀର ସମ୍ମିଶ୍ରଣ ଭାବେ ପର୍ଯ୍ୟଟକଙ୍କୁ ପର୍ଯ୍ୟାପ୍ତ ନୂତନ ଅନୁଭୂତି ଆଣିଦେବ ।
ସେହିପରି ହାତିୟାଇ ମଧ୍ୟ ପର୍ଯ୍ୟଟକମାନଙ୍କ ପସନ୍ଦର ସ୍ଥାନ ପାଲଟିଛି । ତାରକାଖଚିତ ହୋଟେଲ୍, ବିଶାଳ ସପିଂ ମଲ୍, ନାଇଟ୍ କ୍ଲବ ସହ ହସ୍ତଶିଳ୍ପ ବଜାର ରହିଛି । ହାତିୟାଇର ଅନ୍ୟତମ ଆକର୍ଷଣ ହେଉଛି ଭାସମାନ ବଜାର । ମାଲେସିଆ ସୀମାରୁ ମାତ୍ର ଅଳ୍ପ କିଛି ଦୂରରେ ଏହି ବଜାର ଅବସ୍ଥିତ । ପ୍ରତି ସପ୍ତାହରେ କେବଳ ଶନିବାର ଓ ରବିବାର ଏହି ବଜାର ବସେ । ମାଲେସିଆର ପର୍ଯ୍ୟଟକମାନଙ୍କୁ ଆଖି ଆଗରେ ରଖି ଏହି ବଜାର ସୃଷ୍ଟି ହୋଇଥିଲା ବେଳେ ବର୍ତ୍ତମାନ ସାରା ବିଶ୍ୱର ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ନଦୀ ଉପରେ ଛୋଟ ଛୋଟ ଡ଼ଙ୍ଗାରେ ବେପାର ବଣିଜ ସହ ନାନା ପ୍ରକାରର ସାମୁଦ୍ରିକ ଖାଦ୍ୟର ପସରା ପର୍ଯ୍ୟଟକଙ୍କୁ ଏହି ସ୍ଥାନକୁ ଟାଣି ନେଇଥାଏ । ହାତିୟାଇରେ ବିମାନ ବନ୍ଦର ଥିବାରୁ ପର୍ଯ୍ୟଟକଙ୍କୁ ସିଧାସଳଖ ଏଠାରେ ପହଞ୍ଚିବାକୁ ସୁବିଧା ହୋଇଥାଏ । ଭାରତୀୟ ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଅନେକଗୁଡ଼ିକ ଭାରତୀୟ ରେସ୍ତୋରାଁ ରହିଛି । ଏହାମଧ୍ୟରେ ନମସ୍ତେ ହାତିୟାଇ ଅନ୍ୟତମ । ଭାରତୀୟମାନଙ୍କୁ ନିଜ ମନ ପସନ୍ଦର ଖାଦ୍ୟ ଏଠାରେ ମିଳିଯାଇପାରିବ ।

Leave A Reply

Your email address will not be published.

three − one =