ଦୁଇ ବୀରଙ୍କ କାହାଣୀ

0 721

ଦୀପକ ବେହେରା

ଆସନ୍ତୁ, ନିର୍ଭୀକତା ,ଦେଶପ୍ରେମ ପୁରୁଷାର୍ଥର ଆଉ ଏକ ନୂଆ କାହାଣୀ ଶୁଣିବା । ଏ କାହାଣୀ ଅନେକଙ୍କ ମନରେ ସାହସ ଦେଇଛି, ଭୀରୁଙ୍କୁ ବୀର ସଜେଇଛି । ଆଜିବି ଧର୍ମାନ୍ଧଙ୍କ ମନରେ ଏ କାହାଣୀ ଭୟ ସଂଚାର କରେ, ଆଉ ଆତ୍ମଲଜ୍ଜା, ଗ୍ଲାନିରେ ସେମାନଙ୍କ ମୁଣ୍ଡ ତଳକୁ କରିବାକୁ ବାଧ୍ୟ କରେ । ଦୁଇ ଛୋଟ ବାଳକଙ୍କ ଶୌର୍ଯ୍ୟର କାହାଣୀ ଏ।
କାହାଣୀର ନାୟକ ହେଲେ ଗୁରୁ ଗୋବିନ୍ଦ ସିଂଙ୍କର ଦୁଇ ପୁତ୍ର ସାହିବଜାଦା ଜୋରାବାର ସିଂ ଏବଂ ଫତେହ ସିଂ । ଜୋରବରକୁ ସେତେବେଳେ 9 ବର୍ଷ ହୋଇଥିବା ବେଳେ ଫତେହ ସିଂଙ୍କୁ 12 ବର୍ଷ । ଅତ୍ୟାଚାରୀ ମୋଗଲ ସମ୍ରାଟ ଔରଙ୍ଗଜେବ ଗୋବିନ୍ଦ ସିଂଙ୍କ ଦରବାରକୁ ଦୂତ ପଠାଇ ସିଧାସଳଖ ଧମକ ସହ ସନ୍ଧି ପ୍ରସ୍ତାବ ଦେଲା । ଗୋବିନ୍ଦ ସିଂ । ଯଦି ତୁମେ ତୁମ ପରିବାର, ରାଜ୍ୟ, ଆଉ ଶିଖମାନଙ୍କ ସୁରକ୍ଷା ଚାହୁଁଛ ତାହେଲେ ତୁରନ୍ତ ଇସଲାମ ଧର୍ମ ଗ୍ରହଣ କରିବା ସହ ତୁମ ଶିଖ ଭାଇମାନଙ୍କର ମଧ୍ୟ ଧର୍ମ ପରିବର୍ତ୍ତନ କରାଅ । ରାଜଧାନୀ ଆନନ୍ଦପୁର ସାହିବକୁ ମଧ୍ୟ ଖାଲି କର । ନହେଲେ ମୋଗଲ ସେନା ତମ ସମସ୍ତଙ୍କୁ ମୃତ୍ୟୁ ଦଣ୍ଡ ଦେବ ।
ଚିନ୍ତାରେ ପଡ଼ିଗଲେ ଗୋବିନ୍ଦ ସିଂ । ଏ ପରିସ୍ଥିତିରେ କଣ କରିବେ । ପୂର୍ବରୁ ଯୁଦ୍ଧରେ ନିଜର ଦୁଇ ପୁଅଙ୍କ ହରେଇ ସାରିଛନ୍ତି । ଯେତେ ଯାହା ହଉ ପଛେ ମୁଁ ଔରଙ୍ଗଜେବ ଆଗରେ ମୁଣ୍ଡ ନଇଁବି ନାହିଁ ।
ତେବେ ଗୋବିନ୍ଦ ସିଂଙ୍କ ନିଷ୍ପତ୍ତିକୁ ତାଙ୍କ ପତ୍ନୀ ଗୁଜ୍ରି ଦେବୀ ଓ କିଛି ପାରିଷଦ ବାରଣ କଲେ । ଗୁରୁ ହିସାବରେ ସମସ୍ତ ଶିଖଙ୍କ ଜୀବନ ରକ୍ଷା ଦାଇତ୍ୱ ଆପଣଙ୍କ ହାତରେ , ଆପଣ ଏମିତି ଏକପାଖିଆ ନିଷ୍ପତ୍ତି ନିଅନ୍ତୁ ନାହିଁ । ଗୋବିନ୍ଦ ସିଂଙ୍କୁ ଗୁଜ୍ରି ଦେବୀ ଅନୁରୋଧ କଲେ । ଶେଷରେ ରାଜ ଦରବାର ଏହି ସିଦ୍ଧାନ୍ତରେ ପହଁଚିଲା ଯେ, ଗୁରୁ ଗୋବିନ୍ଦ ସିଂ ଔରଙ୍ଗଜେବଙ୍କ ଦ୍ୱିତୀୟ ପ୍ରସ୍ତାବରେ ରାଜି, କିନ୍ତୁ ନିଜ ଧର୍ମ ପରିବର୍ତ୍ତନ କରିବେ ନାହିଁ । ପ୍ରତିବଦଳରେ ମୋଗଲ ସମ୍ରାଟ ଶିଖ ସମ୍ପ୍ରଦାୟର କିଛି ବି ଅନିଷ୍ଟ କରିବେ ନାହିଁ । ଗୋବିନ୍ଦ ସିଂଙ୍କ ଏପରି ପ୍ରସ୍ତାବକୁ ଗ୍ରହଣ କରିନେଲେ ଔରଙ୍ଗଜେବ ।
ନିର୍ଦ୍ଦିଷ୍ଟ ଦିନ ଗୋବିନ୍ଦ ସିଂ ନିଜ ପତ୍ନୀ ଏବଂ ଦୁଇପୁତ୍ରଙ୍କ ସହ ଆନନ୍ଦପୁର ସାହିବ ଛାଡିଲେ । ହେଲେ, ଚିରାଚରିତ ଭାବେ ଛଳନା କଲା ଔରଙ୍ଗଜେବ । ଶୀର୍ଷା ନଦୀକୂଳ ନିକଟରେ ଗୁରୁ ଗୋବିନ୍ଦ ନିଜ ପରିବାର ସହ ଯାଉଥିବାବେଳେ ଔରଙ୍ଗଜେବ ନିଜ ସେନା ଦ୍ୱାରା ତାଙ୍କୁ ବନ୍ଦୀ କରିବାକୁ ଯୋଜନା କରିଥିଲା । ଯୋଜନା ସମ୍ପର୍କରେ ଜାଣିପାରିଲେ ଗୋବିନ୍ଦ ସିଂ । ତେବେ ମୋଗଲଙ୍କ ସେନା କବଳରୁ ରକ୍ଷା ପାଇବା ପାଇଁ ଅନ୍ଧାର ରାତିରେ ଇତସ୍ତତଃ ଭାବେ ଦୌଡ଼ିଲେ ସେମାନେ । ଏହି ଦୌଡ଼ିବା ଅବସ୍ଥାରେ ନିଜ ପୁଅ ଏବଂ ପତ୍ନୀ ଠାରୁ ଅଲଗା ହୋଇସାରିଥିଲେ ଗୋବିନ୍ଦ ସିଂ । ଏହା ମଧ୍ୟ ରେ ମାତା ଗୁଜ୍ରି ଦେବୀଙ୍କ ସହ ଜୋରବାର ଓ ଫତେହ ତାଙ୍କ ମହଲରେ ରୋଷେୟା ଭାବେ କାର୍ଯ୍ୟ କରିଥିବା ଗଙ୍ଗୁ ଘରେ ଆଶ୍ରୟ ନେଇଥାନ୍ତି ।
ଏପଟେ ଗୋବିନ୍ଦ ସିଂଙ୍କ ପରିବାରକୁ ଯିଏ ଧରେଇଦେଵ ତାକୁ ଆର୍ଥିକ ସହାୟତା ଦିଆଯିବ ବୋଲି ମୋଗଲ ସମ୍ରାଟ ଘୋଷଣା କରିଥାନ୍ତି । ପୁରସ୍କାର କଥା ଶୁଣି ମଙ୍ଗୁ ଲାଳାୟିତ ହୋଇପଡିଲା, ଏବଂ ସେମାନଙ୍କୁ ସେ ଅଂଚଳର ନବାଵ ଓଜିର ଖାନ ନିକଟରେ ଧରେଇଦେଲା । (ଇତିହାସ ସାକ୍ଷୀ ଅଛି, ଜୟଚନ୍ଦ୍ର ପାଖରୁ ମଙ୍ଗୁ ଯାଏଁ ପୁଣି ପଲାସୀ ଯୁଦ୍ଧ ପର୍ଯ୍ୟନ୍ତ, କିଛି ବିଶ୍ୱାସଘାତକ ଆଉ ବେଇମାନଙ୍କ ପାଇଁ ଶତ୍ରୁମାନେ ବାରମ୍ବାର ଭାରତର ବିଭିନ୍ନ ସ୍ଥାନକୁ କବଜା କରିବାରେ ସଫଳ ହୋଇଛନ୍ତି । ସେ ବେଇମାନ ପ୍ରକୃତିର ଲୋକ ଆଜିବି ସମାଜରେ ଅଛନ୍ତି, କିନ୍ତୁ ଭିନ୍ନ ରୂପରେ)
ଓଜିର ଖାନର ଦରବାର । ଦୁଇ ଭାଇଙ୍କୁ ଆଣି ନବାଵ ସାମ୍ନାରେ ହାଜର କରାଗଲା । ସିଂହ ଛୁଆ ସେମାନେ । ନିର୍ଭୀକତା, ଆତ୍ମବିଶ୍ୱାସ ସେମାନଙ୍କ ମୁହଁରେ ସ୍ପଷ୍ଟ ଝଲସୁଥିଲା । ସେମାନେ ବା କାହିଁକି କାହାକୁ ଡରିବେ । ଦୁଇ ଭାଇ ସଙ୍ଗେ ସାଙ୍ଗେ ଜୋରରେ ନାରା ଦେଲେ,
ୱାହେ ଗୁରୁଜୀ କା ଖାଲ୍ସା,
ୱାହେ ଗୁରୁଜୀ କି ଫତେହ ।
ସାରା ସଭାଗାର ସ୍ତବ୍ଧ ହୋଇଗଲା । ସେଠାରେ ଉପସ୍ଥିତ ଥିବା କାଜି କହିଲେ, ତମେ ଦୁଇ ଭାଇ ପାଗଳ ହେଇଗଲ କି ? ଜାଣିଛ ତମେ କେତେବଡ଼ ଭୁଲ କରିବସିଛ, ପ୍ରାୟଶ୍ଚିତ ପାଇଁ ନବାଵଙ୍କ ସାମ୍ନାରେ ମୁଣ୍ଡ ନୁଆଁଅ । କୁହ ଇସଲାମ ଜିନ୍ଦବାଦ ।
ହସି ଉଠିଲେ ଦୁଇ ଭାଇ । ସାନ ଭାଇ ଜୋରବାର କହିଲା, କ୍ଷମା କରିବେ କାଜି ଆଜ୍ଞା । ମୋ ଦାଦାଜି କେବେବି ମୋଗଲମାନଙ୍କ ସାମ୍ନାରେ ମୁଣ୍ଡ ନୁଆଁଇ ନାହାନ୍ତି । ଆମ ମସ୍ତକ କେବଳ ଗୁରୁ ଏବଂ ଈଶ୍ୱରଙ୍କ ସାମ୍ନାରେ ହିଁ ନଇଁବ । ଯେଉଁ ଆତ୍ମା, ଯାହାର ହୃଦୟରେ ପରମାତ୍ମାଙ୍କ ନିବାଶ, ସେଇଠି ହିଁ ଆମେ ଶିଖ ମୁଣ୍ଡ ନଇଁଥଉ । ତମପରି ଅତ୍ୟାଚାରୀ ଧର୍ମାନ୍ଧ କାଫେରଙ୍କ ସାମ୍ନାରେ ନୁହେଁ । ସଭାସ୍ଥଳରେ ନୀରବତା ଛାଇଗଲା ।
ରାଗରେ ଜଲିଉଠିଲେ ନବାଵ । ସଙ୍ଗେ ସଙ୍ଗେ ସେମାନଙ୍କୁ କାରାଗାରରେ ବନ୍ଦୀ କରି ରଖିବାକୁ କହିଲେ । ସେମାନଙ୍କୁ ଗୋଟିଏ ରାତିର ସମୟ ଦିଆଗଲା, କୁହାଗଲା ଯଦି ଏହି ରାତିକ ମଧ୍ୟରେ ସେମାନେ ଇସଲାମ ଗ୍ରହଣ କରିବା ପାଇଁ ରାଜି ନହୁଅନ୍ତି, ତାହେଲେ ମୃତ୍ଯୁଦଣ୍ଡ ସୁନିଶ୍ଚିତ ।
ପରଦିନ ଦରବାର ଖୋଲିଲା, ନବାବ ସାମ୍ନାକୁ ଦୁଇଭାଇଙ୍କୁ ହାଜର କରାଗଲା । କାଜି ପୁଣିଥରେ ପଚାରିଲା, କୁହ ତମେ ଇସଲାମ ଗ୍ରହଣ କରିବାକୁ ରାଜି ତ ? ସାହିବଜାଦା ଫତେହ ସିଂ ଉତ୍ତର ଦେଲେ, ମୁଣ୍ଡ କଟିଯିବ ପଛେ, କିନ୍ତୁ ଇସଲାମକୁ ସ୍ୱୀକାର କରିବୁ ନାହିଁ । କ୍ରୋଧରେ ଚିତ୍କାର କରି ଉଠିଲେ, ନବାବ ବଜୀର ଖାଁ । ଠିକ ଏହି ସମୟରେ କାଜି ଆଉଥରେ ପଚାରିଲା, ତମକୁ ଯଦି ଏବେ ମୁକ୍ତ କରିଦିଆଯାଏ ତେବେ ତମେ କଣ କରିବ । ସଭାଗାର ଦୁଇ ଭାଇଙ୍କ ଉତ୍ତରକୁ ଚାହିଁ ବସିଥାନ୍ତି । ଜୋରବାର ଉତ୍ତର ଦେଲେ ‘ଆମେ ଦୁଇ ଭାଇ ଗୋଟେ ବଡ଼ ସେନା ତିଆରି କରି ତମ ସଭିଙ୍କର ହତ୍ୟା କରିଦେବୁ । ତମ ଅତ୍ୟାଚାରର ସବୁ କାହାଣୀକୁ ଆମେ ଶେଷ କରିଦେବୁ ।
ଆଉ ଧର୍ଯ୍ୟ ନଥିଲା । ସଂଗେ ସଂଗେ ଦୁଇଭାଇଙ୍କୁ ମୃତ୍ୟୁଦଣ୍ଡ ର ଆଦେଶ ଦେଲା ନବାଵ । ଦୁଇଭାଇଙ୍କୁ ଏକ ଖୋଳସ୍ଥାନକୁ ନିଆଯାଇ ସେମାନଙ୍କୁ ଠିଆ କରିଦିଆ ଗଲା । ସେମାନଙ୍କ ଚାରିପଟରେ ଇଟାର ପ୍ରାଚୀର ନିର୍ମାଣ କରାଗଲା । ଦୁଇଭାଇ ସେମିତି ନିର୍ଭୀକ, ଅବିଚଳିତ ରହିବା ସହ ଭଗବାନଙ୍କ ଭଜନରେ ଲିପ୍ତ ଥାନ୍ତି । ପାଚେରୀ ନିର୍ମାଣ ସରିଵା ପରେ, ସେ ଦୁଇଭାଇଙ୍କ ସ୍ୱର ଆଉ ଶୁଭିଲା ନାହିଁ । ପରେ ସେମାନଙ୍କ ଗଳାକୁ କାଟି ଅତି ବିଭତ୍ସତାର ସହ ହତ୍ୟା କରାଗଲା । ଏ ଘଟଣା 1705 ମସିହା ଡିସେମ୍ବର 26 ତାରିଖର । ଏପରିକି ସେମାନଙ୍କ ଶବକୁ ସଂସ୍କାର କରିବା ପାଇଁ ଅନୁମତି ଦିଆଗଲା ନାହିଁ । ଶେଷରେ ରାଜା ତୋଡରମଲ୍ଲ ଦୁଇଭାଇଙ୍କ ଶବ ସଂସ୍କାର ଲାଗି ଯେତିକି ଭୂମି ଆବଶ୍ୟକ ସେତିକି ଉଚ୍ଚତା ଏବଂ ପରିମାଣର ସ୍ବର୍ଣ୍ଣମୁଦ୍ରା ଦେଇ ଶବ ଗ୍ରହଣ କଲେ । ସଂସ୍କାର ପ୍ରକ୍ରିୟା ମଧ୍ୟ ଶେଷ କଲେ ।
ସେ ସଂସ୍କାରସ୍ଥଳ ଆଜିବି ଫତେହଗଡ଼ ସାହିବ ନାମରେ ବେଶ ପରିଚିତ ।
ହେଲେ ସବୁଠୁ ଦୁଃଖର କଥା କଣ ଜାଣନ୍ତି, ଇତିହାସ ଆଜି ଧର୍ମାନ୍ଧ, କ୍ରୁର ଅତ୍ୟାଚାରୀ ଔରଙ୍ଗଜେବକୁ ମନେ ରଖିଛି । କିନ୍ତୁ କୋମାଳବତୀ ବୟସରେ ସିଂହସମ ନିର୍ଭୀକତା, ଅତୁଳନୀୟ ମାତୃଭୂମି ପ୍ରେମ ସର୍ବୋପରି ନିଜର ଧର୍ମକୁ ରକ୍ଷା କରିବାରେ ସେ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ଅଧିକାଂଶ ଲୋକଙ୍କ ପାଇଁ ଅଜଣା । ଏ ପ୍ରଥା କେବେ ବଦଳିବ ? ଏ ଧାରାକୁ ବଦଳାଇବାର ସାମର୍ଥ୍ୟ ଆମ ନିକଟରେ ରହିଛି । ଏ ଦେଶର ସ୍ବର୍ଣ୍ଣିମ, ଵୀରତ୍ୱପୂର୍ଣ ଇତିହାସକୁ ନେଇ ଗର୍ବ କରିବା ପାଇଁ ବହୁ ଚରିତ୍ର ଆମ ନିକଟରେ ଅଛନ୍ତି । ସେମାନେ କିନ୍ତୁ ଅଧିକାଂଶ ଲୋକଙ୍କ ନିକଟରେ ଏବେବି ଅନାଲୋଚିତ । ପ୍ରୟାସ ଆମେ କରିବାନି ତ ଆଉ କିଏ କରିବ ? କାହାଣୀଟିକୁ ପଢିଥିବାରୁ ଧନ୍ୟବାଦ ।🙏
ଆରଥରକୁ ଆଉ ଗୋଟେ ନୂଆ କାହାଣୀ…

Leave A Reply

Your email address will not be published.

4 − one =