ପର୍ଯ୍ୟଟନ : ମହାରାଷ୍ଟ୍ରର ନାସିକ ସହରର ‘ପଞ୍ଚବଟୀ ‘

0 2,172

ଲକ୍ଷ୍ମୀପ୍ରିୟା ଓଝା 

 

ପାଞ୍ଚ ବଟବୃକ୍ଷର ଅଞ୍ଚଳ ପଞ୍ଚବଟୀ l ଯେଉଁଠୁ ବଦଳିଥିଲା ରାମାୟଣର ମୋଡ l ମହାରାଷ୍ଟ୍ରର ନାସିକ ସହରର ଏକ ପର୍ଯ୍ୟଟନ ସ୍ଥଳ l କୁହାଯାଏ ଲଖମଣ ସୂର୍ପଣେଖାର ନାସିକା ଏହିଠାରେ ଛେଦନ କରିଥିବାରୁ ଏ ସହରର ନାମ ନାସିକ l ପ୍ରଭୁ ଶ୍ରୀରାମ ଚଉଦ ବର୍ଷ ବନବାସ ସମୟରେ କିଛି ସମୟ ଏହିଠାରେ ଅବସ୍ଥାନ କରିଥିଲେ l ଯେଉଁଠି ରହୁଥିଲେ ମୁନି ଋଷି ମାନଙ୍କ ସହ ଅନେକ ରାକ୍ଷସ l ଭୟଙ୍କର ଜୀବ ଜନ୍ତୁ ଭରା ସେତେବେଳେ ଏହା ଥିଲା ଦଣ୍ଡକାରଣ୍ୟର ଏକ ଘଞ୍ଚ ଅରଣ୍ୟ l ଆଉ ଏବେ ଲୋକାରଣ୍ୟର ସହର ନାସିକ l ନାସିକ ଭିତରଦେଇ ବହିଯାଉଛି ଗୋଦାବରୀ ନଦୀର ପବିତ୍ର ଜଳସ୍ରୋତ l ଯାହା ଦକ୍ଷିଣର ଗଙ୍ଗା ନାମରେ ପରିଚିତ l ବାରବର୍ଷରେ ଥରେ ହୁଏ ଏଠି କୁମ୍ଭ ମେଳା l ନଦୀର କଡେ଼କଡେ ସିମେଣ୍ଟର ପାହାଚ l ନିଜର ସମସ୍ତ ପାପ ଧୋଇଦେବାପାଇଁ ଏ ପବିତ୍ର ପାଣିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ଭିଡ଼ l

ନଦୀ କଡେ କଡେ ରାସ୍ତାରେ ନେଇ ଗୋଟେ ଜାଗାରେ ଆମର ଅଟୋ ରହିଲା l କହିଲା ପଞ୍ଚବଟୀ ଆସିଗଲା , ଓଲ୍ଲାଅ l ସାମ୍ନାରେ ରାମକୁଣ୍ଡ l ବନାରସର ଘାଟ ପରି କୁଣ୍ଡ ବା ବିରାଟ ଜଳାଶୟ କଡେ କଡେ ଅନେକ ମନ୍ଦିର l ମାନ୍ୟତା ଅନୁସାରେ ଏହି ପାଣିରେ ଅସ୍ଥି ବିସର୍ଜନ କଲେ ଅସ୍ଥି ର ଅସ୍ତିତ୍ଵ ରହେନି l ପାଣିରେ ମିଳେଇଯାଏ l ମୃତକର ଆତ୍ମା ପବିତ୍ର ଓ ମୋକ୍ଷ ହୁଏ l ତେଣୁ ନିଜ ନିଜର ଆତ୍ମୀୟଙ୍କ ମୋକ୍ଷ ପ୍ରାପ୍ତି କାମରେ ଲାଗିଥାନ୍ତି ଜନସମୂହ l ଶ୍ରାଦ୍ଧ କର୍ମ,ପୂଜା କର୍ମ ସବୁ ଚାଲିଥାଏ l ସାମ୍ନାରୁ ଅନେକ ମନ୍ଦିର ଗହଳି ଭିତରେ ସ୍ପଷ୍ଟ ବାରିହେଇ ପଡୁଥିଲା ଗୋଟେ ଉଚ୍ଚା ମାର୍ବଲର ମିନାର l ପଚାରିଲାରୁ ଜଣାପଡିଲା ତାହା ଗାନ୍ଧୀ ମିନାର l ମହାତ୍ମା ଗାନ୍ଧୀଙ୍କର ମୃତ୍ୟୁ ପରେ ତାଙ୍କ ଅସ୍ତି କଳସର କିଛିଭାଗ ଏଠି ବିସର୍ଜନ କରାଯାଇଥିଲା l ତେଣୁ ତାଙ୍କର ସ୍ମୃତିରେ ନିର୍ମିତ ଏ ଗାନ୍ଧୀ ମିନାର l ପ୍ରବଳ ଭିଡ଼ ଓ ପୂଜା ସାମଗ୍ରୀ ଏଣେତେଣେ ପଡିଥିବା, ଲୋକ ଗାଧେଇ ଯେଣେତେଣେ ଲୁଗା ରଖିଥିବା l ପାଣିରେ ପୂଜା ସାମଗ୍ରୀ ଯେମିତିକି ଫୁଲ, ଠୋଲା, ଦୀପ ଆଦି ବିସର୍ଜନ ଯୋଗୁ ପାଣି ମଧ୍ୟ ଅପରିଷ୍କାର ଲାଗୁଥିଲା l ମୋତେ ଜାଗାଟି ଟିକେ ଅଶ୍ଵସ୍ତିକର ଲାଗିଲା l ଖାଲି ରାମକୁଣ୍ଡ ନୁହେଁ ସୀତା କୁଣ୍ଡ, ହନୁମାନ କୁଣ୍ଡ ଆଦି ଅନେକ କୁଣ୍ଡ ଅଛି ଏଠି l ତନ୍ତ୍ର, ମନ୍ତ୍ରରେ ବ୍ୟବହୃତ ଅନେକ ଜିନିଷ ମଧ୍ୟ ଦେଖିବାକୁ ମିଳିଲା l

ତେଣୁ ସେଠି ବେଶୀ ସମୟ ନରହି ସାମ୍ନାରେ ଥିବା କପାଳେଶ୍ଵର ମହାଦେବ ମନ୍ଦିର ଆଡ଼କୁ ଗଲୁ l କୁଣ୍ଡର ଠିକ ସାମ୍ନାରେ କିଛି ପାହାଚ ଚଢ଼ିଲାପରେ ମହାଦେବଙ୍କ ମନ୍ଦିର l ସେଠି କିନ୍ତୁ ଏକ ଆଶ୍ଚର୍ଯ୍ୟ କଥା ଦେଖିଲୁ l ସବୁ ମହାଦେବଙ୍କ ମନ୍ଦିର ସାମ୍ନାରେ ନନ୍ଦୀଙ୍କ ମୂର୍ତ୍ତି ଥାଏ l ଏଠି ନଥିଲା l ଫୁଲ ଦୋକାନୀକୁ ପଚାରିଲାରୁ କହିଲା, କୌଣସି କାରଣ ବଶତଃ ମହାଦେବ ଓ ବ୍ରହ୍ମାଙ୍କ ଭିତରେ ଯୁକ୍ତି ହେଲା l କ୍ଷଣକୋପୀ ମହାଦେବ ରାଗରେ ବ୍ରହ୍ମଙ୍କର ଏକ ଶୀର ଛେଦନ କଲେ l ଯଦ୍ଵାରା ତାଙ୍କୁ ବ୍ରହ୍ମ ହତ୍ୟା ପାପ ଲାଗିଲା l ବାହାନ ନଂଦୀଙ୍କର କହିବା ଅନୁଯାୟୀ ଶିବ ଏହି ରାମକୁଣ୍ଡରେ ସ୍ନାନ କରି ପାପମୁକ୍ତ ହେଇଥିଲେ l ତେଣୁ ମହାଦେବ ନନ୍ଦୀଙ୍କୁ ଗୁରୁ ମାନିଥିବା ଯୋଗୁ ମନ୍ଦିର ସାମ୍ନାରେ ନଂଦୀଙ୍କର ମୂର୍ତ୍ତି ନାହିଁ l ଫୁଲ ଦୋକାନର ପିଲାଟି ତଳେ ଫୁଲ ଗଦେଇ ଗୋଡ଼ର ବୁଢା ଆଙ୍ଗୁଠିରେ ସୁତାର ଗୋଟେ ପଟକୁ ଧରି କେତେ ସୁନ୍ଦର ଭାବରେ ଜଲ୍ଦି ଜଲ୍ଦି ମାଳ ସବୁ ଗୁନ୍ଥି ପକାଉଥିଲା ଦେଖି ଆଶ୍ଚର୍ଯ୍ୟ ଲାଗିଲା l ତାଠୁ ଆହୁରି ଆଶ୍ଚର୍ଯ୍ୟ ଲାଗିଲା ଫୁଲଟିଏ ତଳେ ପଡିଗଲେ ଆମେ ଘରେ ଠାକୁରଙ୍କୁ ଚଢ଼ାଉନେ l କିନ୍ତୁ ସେଠୁ ଗୋଡ଼ରେ ଦଳା ଚକଟା ହେଉଥିବା ସେହିସବୁ ମାଳ ପଇସାଦେଇ କିଣି ନେଇ ମନ୍ଦିରର ପ୍ରତକ୍ଷ ଦେବତାଙ୍କୁ ଚଢ଼ାଉଛେ !

ତାପରେ ସେଠୁ ଓଲ୍ଲାଇ ଗଲୁ ପାଞ୍ଚବଟୀର ମୁଖ୍ୟ ଆକର୍ଷଣ କେନ୍ଦ୍ର ସୀତା ଗୁମ୍ଫା l ଭିଡିଭାଡ ପୁରୁଣା କାଳିଆ ସହରର ଗଳି ପରି l ଗଳିର ଦି ପଟେ ଦୋକାନ ଭର୍ତ୍ତି l ଦୋକାନର ଜିନିଷ ସବୁ ରାସ୍ତାରେ l ଖୁବ ଭିଡ଼ ସାଙ୍ଗରେ ଖୁବ ବିକ୍ରୀ ମଧ୍ୟ l ରାସ୍ତା ଉପରେ ବାହାରକୁ ଦେଖାଯାଉଥିବା ଏକ ଘର ସାମ୍ନାରେ ଲେଖାଥିଲା ସୀତା ଗୁମ୍ଫା l ପାଖରେ ନଜାଣେ କୋଉ କାଳର ପାଞ୍ଚଟି ବଟ ବୃକ୍ଷ l ଏହି ବଟବୃକ୍ଷ ଯୋଗୁ ସ୍ଥାନଟିର ନାଁ ପଞ୍ଚବଟୀ l ଭୟଙ୍କର ଭିଡ଼ ଆଉ ଲମ୍ବା ଲାଇନ l ଏତେ ଲମ୍ବା ଲାଇନ ଦେଖି ଭିତରକୁ ଯିବାର ଇଚ୍ଛା ନଥିଲେ ମଧ୍ୟ ନ ଦେଖି ଫେରି ଆସିବାକୁ ବି ମନ ହେଲାନି l ଅଗତ୍ୟା ଲାଇନରେ ଠିଆ ହେଲୁ ଦି ଘଣ୍ଟା l ବାରଣ୍ଡା ଦେହରେ ଏକଦମ ସରୁ ସରୁ ଲାଇନ l ବାରଣ୍ଡା ପରେ ଗୋଟେ ଛୋଟ ଘରଭିତରେ ମଧ୍ୟ ତତୋଧିକ ଭିଡ଼ l ଶେଷରେ ଆମର ପାଳି ଆସିଲା l ଛୋଟ ଗଳି ପରି ରାସ୍ତାରେ ଗୁରୁଣ୍ଡି ବା ପେଟେଇ ଗୁମ୍ଫା ଭିତରକୁ ପଶିବାକୁ ପଡେ l ସେଥିପାଇଁ ଠିଆ ହେଇଥିବା ପୋଲିସଟି ବୃଦ୍ଧ, ବେମାର, ମୋଟା ଓ ଏକଦମ ଛୋଟ ପିଲାମାନଙ୍କୁ ଭିତରକୁ ଛାଡୁ ନଥିଲା l କାରଣ ଏତେ ଛୋଟ ଗଳିଯେ ଯଦି ଜଣେ ରାସ୍ତାରେ ଅଟକି ଗଲା ବାହାରିବା ମୁସ୍କିଲ l ଅମ୍ଳଜାନର ଅଭାବ ମଧ୍ୟ ଅନୁଭୂତ ହେଉଥିଲା l ଯାହାହେଉ ଆମେ ଗୁମ୍ଫା ଭିତରେ ପଶିଲୁ l କଳା କିଚ କିଚ ଏକଦମ ଛୋଟ ଗୁମ୍ଫାଟିଏ l ଗୁମ୍ଫାଟି ତିନି ଭାଗରେ ବିଭକ୍ତ l ପ୍ରଥମ ଭାଗରେ ରାମ, ସୀତା, ଲଖମଣଙ୍କ ମୂର୍ତ୍ତି ଥିଲା l ଦ୍ଵିତୀୟ ଭାଗରେ ସୀତା ଙ୍କ ଦ୍ଵାରା ପୂଜା କରାଯାଉଥିବା ଶିବଙ୍କ ଲିଙ୍ଗ ଓ ତୃତୀୟ ଭାଗରେ ଗୋଟେ କଇଁଛର ମୂର୍ତ୍ତି l ଠିଆ ହେଇଥିବା ପୂଝରୀ କହିଲେ ଏଠି ସୀତା ନିଜ ସାଜ ଶୃଙ୍ଗାର କରୁଥିଲେ l ପାଞ୍ଚବଟୀରେ ରହୁଥିବା ସମୟରେ ରାମ ଲଖମଣ ଯେତେବେଳେ ଫଳ ମୂଳ ପାଇଁ ଜଙ୍ଗଲ କୁ ଯାଉଥିଲେ ସେହି ସମୟରେ ସୀତା ନିଜକୁ ସୁରକ୍ଷିତ ରଖିବାପାଇଁ ଏହି ଗୁମ୍ଫା ଭିତରେ ଆତ୍ମଗୋପନ କରୁଥିଲେ l ଦଣ୍ଡକାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ରାଜ ନନ୍ଦିନୀ, ରାଜ ରାଣୀ ସୀତା ଏମିତି ଏକ ଅନ୍ଧାରି ସଂକୀର୍ଣ୍ଣ ଗୁମ୍ଫା ଭିତରେ ଜୀବନ ନିର୍ବାହ କରୁଥିଲେ ଭାବି ମନ ବିଷାଦରେ ଭରିଗଲା l ଭିଡ଼ ନଥିଲେ ଦଶ ମିନିଟ ଯଥେଷ୍ଟ ଗୁମ୍ଫା ଭିତରେ ପଶି ବୁଲି ଦେଖି ବାହାରି ଆସିବା ପାଇଁ l କିନ୍ତୁ ସ୍ଥାନୀୟ ଲୋକଙ୍କ ହିସାବରେ ଏଠି ବର୍ଷକ ବାରମାସ ଏମିତି ଭିଡ଼ l

ବାହାରକୁ ବାହାରିଲା ପରେ ସାମ୍ନାରେ ସୀତା ହରଣର ସ୍ଥାନ l ଏଇଠି ସୀତାଙ୍କୁ ରାବଣ ହରଣ କରିଥିଲା l ଏବେ ସେ ଜାଗାରେ ଘରଟିଏ l କାନ୍ଥରେ ସୀତା ହରଣର ଚିତ୍ର ସୂଚେଇଦିଏ ସେ ସମୟର କାହାଣୀ l ତାକୁ ଦେଖି ଆଗକୁ ବଢିଲେ ଦୋକାନ ବହୁଳ ଗଳି ରାସ୍ତା ପରେ ପଡେ ସୀତା କୁଣ୍ଡ l ଦେଖିବାକୁ ଗାଁର ଗଭୀର ବଡ଼ ପୋଖରୀ ପରି l ଫେରିଲା ବେଳକୁ ଏକ ଘର ଭିତରେ ଗୋରା ରାମ ମନ୍ଦିର l ଭଗବାନ ଅଛନ୍ତି ଭାରି ସାଧାରଣ ପରିପାଟୀ ରେ l ଠିକ କାହା ନିଜ ଘର ମନ୍ଦିର ଭିତରେ ରହିଲା ପରି l ରାଂଶ ଏକ ମହତ୍ଵପୂର୍ଣ୍ଣ ପୌରାଣିକ ସ୍ଥାନ ଲୋକଙ୍କ ମନଭିତରେ କିଛି ସେମିତି ଗଭୀର ଛାପ ଛାଡି ପାରେନି l

ତାପରେ କିଛି ଦୂର ଆସିଲା ପରେ ପଡେ କାଲା ରାମ ମନ୍ଦିର l ମାନ୍ୟତା ଅନୁସାରେ ଦଣ୍ଡକାରଣ୍ୟରେ ଅବସ୍ଥାନ ସମୟରେ ରାକ୍ଷସ ମାନଙ୍କର ମୁନି ଋଷି ମାନଙ୍କ ଉପରେ ଉପଦ୍ରଵ ଦେଖି ରାଗରେ ରାମ କଳା ପଡିଯାଇଥିଲେ l ତେଣୁ ଏଠି କଳା ମୁଗୁନି ପଥରରେ ରାମ, ଲଖମଣ, ସୀତା ପୂଜା ପାଉଛନ୍ତି l କୁହାଯାଏ ଏହି ସ୍ଥାନରେ ରାମ ତାଙ୍କ ପର୍ଣ୍ଣ କୁଟୀର ତିଆରିକରି ରହୁଥିଲେ l ତେଣୁ ଏହି ଜାଗାରେ ପେଶୱାଙ୍କ ଦ୍ଵାରା ମନ୍ଦିର ନିର୍ମାଣ କରାଯାଇଥିଲା l ମନ୍ଦିର ଖୁବ ଭବ୍ୟ, ପରିସ୍କାର ପରିଛନ୍ନ ଏବଂ ପ୍ରଶସ୍ଥ l କଳା ପଥରରେ ମନ୍ଦିରର କାରୁକାର୍ଯ୍ୟ ମନ୍ତ୍ରମୁଗ୍ଧ କରିଦିଏ l ଆମେ ପ୍ରାୟ ଶାନ୍ତିରେ ଦୁଇ ଘଣ୍ଟା ସେଠି ବ୍ୟତୀତ କଲୁ ଢ ଖୁବ ପବିତ୍ର ବାତାବରଣ l କଳା ପଥରରେ ଭଗବାନଙ୍କ ମୂର୍ତ୍ତି ସବୁ ଖୁବ ସୁନ୍ଦର ଦିଶନ୍ତି l ପାଞ୍ଚବଟୀରେ ସବୁଠୁ ଏହି ସ୍ଥାନଟି ଆମକୁ ପସନ୍ଦ ଆସିଲା l ମନ୍ଦିରରୁ ଆସିବାକୁ ମନ ହେଉ ନଥଏ ତଥାପି ଫେରିବା ସମୟ ହେଇଯାଇଥିବା ଯୋଗୁ ଆସିବାକୁ ପଡିଲା l ଆସିଲା ବେଳେ ରାସ୍ତା ସାରା ନାସିକର ପ୍ରସିଦ୍ଧ କିସିମିଶ ଦୋକାନ ସବୁ ଦେଖିଦେଖି ଲୋଭ ସମ୍ବରଣ କରି ନପାରି ଖୁବ କିସମିସ କିଣି ଘରକୁ ଆଣିଲୁ l

ମହାରାଷ୍ଟ୍ରର ପ୍ରମୁଖ ସହର ମଧ୍ୟରେ ନାସିକ ଅନ୍ୟତମ l ତେଣୁ ଭାରତର ବିଭିନ୍ନ ପ୍ରାନ୍ତରୁ ଏଠିକି ଆସିବାକୁ ବସ, ଟ୍ରେନ, ଫ୍ଲାଇଟ ର ସୁବିଧା ଅଛି l ଅନେକ ମଧ୍ୟବିତ୍ତରୁ ବଡ଼ ହୋଟେଲ ମଧ୍ୟ ରହିବା ପାଇଁ ଅଛି l ତେବେ ପୌରାଣିକ ଦୃଷ୍ଟିରୁ ଏତେ ମହତ୍ଵପୂର୍ଣ୍ଣ ସ୍ଥାନଟିକୁ ଉନ୍ନତ କରିବା କଥା l ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବହୁତ କିଛି କରିବାକୁ ବାକିଅଛି l

ମକରପୁର| ରୋଡ଼, ବରୋଦା 

ଗୁଜରାଟ – 390010

Leave A Reply

Your email address will not be published.

nine + three =