ଘରୋଇ ଅର୍ଥ ଲଗାଣ ସଂସ୍ଥା କର୍ମଚାରୀଙ୍କ ଠାରୁ ଲୁଟ: ୫ ଦିନ ପରେ ୩ ଗିରଫ, ୨ ଫେରାର

0 731


କୁଜଙ୍ଗ(ରଂଜିତ କୁମାର ପଣ୍ଡା ): କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁର ପଂଚାୟତ ଅଂଚଳରୁ ଜନୈକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ଠାରୁ ଦିନ ଦ୍ୱିପ୍ରହରେ ଅର୍ଥଲୁଟ ଅଭିଯୋଗ ହେବା ୫ ଦିନ ଅତିବାହିତ ହୋଇ ଯାଇଛି । ହେଲେ ପୁଲିସ ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିବାବେଳେ ଅନ୍ୟ ୨ ଜଣ ଏବେ ମଧ୍ୟ ଫେରାର ଥିବା ଜଣାପଡ଼ିଛି । ଆଜି ଏନେଇ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ପ୍ରକାଶ କରାଯାଇଛି ।
ପ୍ରକାଶଯେ, ରାହାମାସ୍ଥିତ ଭାୟା ଫିନ୍ସର ପ୍ରାଇଭେଟ ଲିମିଟେଡ଼ ସଂସ୍ଥାର କ୍ଷେତ୍ରୀ କର୍ମଚାରୀ ସୂଦର୍ଶନ ଜେନା ଗତ ୧୮ ତାରିଖରେ କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁର ପଂଚାୟତର ବିଭିନ୍ନ ଗ୍ରାମର ବିନିଯୋଗ ଅର୍ଥ ସଙ୍ଗ୍ରହ କରି ଫେରୁଥିଲେ । ମାତ୍ର ପାଟପୁର ପଂଚାୟତର ତେନ୍ତୁଲିଆ-କରତୁଠା ରାସ୍ତାରେ ମଧ୍ୟାହ୍ନ ସମୟରେ ଏକ ମୋଟର ସାଇକେଲ (ଓଡ଼ି୦୫ଏପି୨୭୯୭) ରେ ୩ ଜଣ ଅଭିଯୁକ୍ତ ବନ୍ଧୁକ ଏବଂ ଫାର୍ଶା ଦେଖାଇ ସୂଦର୍ଶନ ଜେନାଙ୍କ ଠାରୁ ୮୪ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟ କରିଥିଲେ । ଏନେଇ ଲିଖିତ ଅଭିଯୋଗପରେ କୁଜଙ୍ଗ ପୁଲିସ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ସିସିଟିଭି କ୍ୟାମେରା ଫୁଟେଜ ତନଖି କରିବା ସହିତ ସୁକରା ପାଇବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଫଳରେ ୫ ଦିନପରେ କଟକସଦର ଥାନା ବଡ଼ ଝରିଲୋ ଗ୍ରାମର ବୃନ୍ଦାବନ ଭୋଇ,କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବେଲାରୀ ନୂଆଗାଁ ଗ୍ରାମର ରାଜକିଶେଶର ସ୍ୱାଇଁ,କୁଜଙ୍ଗ ଥାନା ନବାଡ଼ିଆ ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁଙ୍କୁ ଗିରଫ କରିଥିଲେ । ଏବଂ ସେମାନଙ୍କ ଠାରୁ ଏପର୍ଯ୍ୟନ୍ତ ୧୭ ହଜାର ଟଙ୍କା ଜବତ କରାଯାଇଥିବା କୁହାଯାଉଛି । ତେବେ ଲୁଟ ସମୟରେ ବ୍ୟବହାର କରାଯାଇଥିବା ଫାର୍ଶା ଜବତ ହୋଇନଥିବା ଜଣାପଡ଼ିଛି । ସେହିପରିଭାବେ ଏହି ଘଟଣାରେ ସମ୍ପୃକ୍ତ ଥିବା ତିର୍ତ୍ତୋଲ ଥାନା ରାହାଡ଼ିଙ୍ଗା ଅଂଚଳର ଜଗା ଏବଂ କବି ଫେରାର ଥିବା ଜଣାପଡ଼ିଛି ଫେରାର ଅଭିଯୁକ୍ତ ଗିରଫ ପରେ ବାକି ଟଙ୍କା ଏବଂ ମାରଣାସ୍ତ୍ର ସେମାନଙ୍କ ଠାରୁ ଜବତ କରାଯିବା ନେଇ ପୁଲିସ ଆଶା ରଖିଥିବା ପ୍ରକାଶ କରିଥିବା ଜଣାପଡ଼ିଛି । ଆଜି ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ଏସଡ଼ିପିଓ ଦୀପକ କୁମାର ଜେନା ଏବଂ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଉପସ୍ଥିତ ଥିଲେ । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନୀ ଆବେଦନ ଖାରଜ ହେବାପରେ ଅଭିଯୁକ୍ତଙ୍କୁ ଜେଲ୍ ହାଜାତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

4 × four =