ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟଙ୍କ ଦ୍ୱାରା ‘ ଚାରୁ ଚିତ୍ରପଟ ‘ ଉନ୍ମୋଚିତ

0 735

ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ଜଗତସିଂହପୁର ସଦର ମହକୁମାରେ ଅବସ୍ଥିତ ସର୍ବ ପୁରାତନ ଓ ଜିଲ୍ଲାର ସର୍ବ ବୃହତ୍ତମ କଲେଜ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟରତ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ ଗଳ୍ପ ସଂକଳନ “ଚାରୁ ଚିତ୍ରପଟ ” ମହାନ୍ ସାହିତ୍ୟିକ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି l

ଅଧ୍ୟାପକ ଶ୍ରୀ ବେହେରାଙ୍କ ଏହି ଗଳ୍ପ ସଂକଳନରେ ସ୍ଥାନ ପାଇଥିବା ସମସ୍ତ ଲେଖାର ବିଶେଷତ୍ୱ ହେଉଛି ଏଥିରେ ଭିଜି ହୋଇ ରହିଥିବା, ନେସି ହୋଇ ଯାଇଥିବା ହର୍ଷତୋଫୁଲ୍ଲ ମମତ୍ୱବୋଧ – ମମତ୍ୱବୋଧ ଆମ ଆଖପାଖରେ ନିତି ପ୍ରତିଦିନ ଲୀଳାଖେଳା କରୁଥିବା, ଛୋଟ ବଡ଼ ଦୁଃଖ ସୁଖରେ ମଧ୍ୟ ଯାତ୍ରା ଜାରି ରଖିଥିବା ଖାଣ୍ଟି, ସଚ୍ଚୋଟ , ନିର୍ଭେଜାଲ୍, ମାର୍କାମରା ସାଧାରଣ ମଣିଷମାନଙ୍କ ପାଇଁ l କଥୋପକଥନ ଶୈଳୀରେ ଲିଖିତ ଏହି ସଂକଳନର ପ୍ରତ୍ୟେକ ଲେଖାରେ ଶ୍ରୀ ବେହେରା ବେଶ୍ ସନ୍ତୁଳିତ, ବେଶ୍ ପରିମିତ ଭାବରେ ଭରି ଦେଇଛନ୍ତି ଚଟୁଳ ହାସ୍ୟ, ନିର୍ଦ୍ଦୋଷ ବ୍ୟଙ୍ଗ, ଶ୍ଲେଷ ଓ କାରୁଣ୍ୟ – ଠିକ୍ ଯେପରି ଜଣେ ଭାସ୍କର୍ଯ୍ୟ ଶିଳ୍ପୀ ଗୋଟିଏ ମନ୍ଦିରରେ ଥିବା ଗାତ୍ର ମାନଙ୍କରେ ଖଞ୍ଜି ଦେଇଥାଏ ଭିନ୍ନ ଭିନ୍ନ ଭାବଭଙ୍ଗୀ, ଭିନ୍ନ ଭିନ୍ନ ରୂପ ରସ ଛନ୍ଦର ମୂର୍ତ୍ତି l

ଶ୍ରୀ ବେହେରା ଏହି ଗଳ୍ପ ସଂକଳନ ” ଚାରୁ ଚିତ୍ରପଟ ” କୁ ତାଙ୍କ ବାପା ସ୍ୱର୍ଗତ ପୂର୍ଣ୍ଣନନ୍ଦ ବେହେରାଙ୍କ ସଜ୍ଜଳ ସ୍ମୃତିଚାରଣ କରି ତାଙ୍କ ମାତା ଶ୍ରୀମତୀ ଶୈଳବାଳା ବେହେରାଙ୍କ କରକମଳରେ ଉତ୍ସର୍ଗ କରିଛନ୍ତି l ଉଭୟେ ଇଂରାଜୀ ଓ ଓଡିଆ ସାହିତ୍ୟରେ ବେଶ୍ ଦଖଲ ଥିବା ସାହିତ୍ୟିକ, ନାଟ୍ୟକାର, ପ୍ରାବନ୍ଧିକ, କବି ଓ ଅଧୁନା ଏସ.ଭି.ଏମ. କଲେଜରେ କାର୍ଯ୍ୟରତ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଏଥିରେ ସାମାନ୍ୟକଥନ ମାଧ୍ୟମରେ ନିଜର ଅଭିମତ ରଖିଛନ୍ତି l ଶାନ୍ତିସେନା ପବ୍ଲିକେଶନ ଦ୍ୱାରା ପ୍ରକାଶିତ ଏହି ଗଳ୍ପ ସଂକଳନର ମୂଲ୍ୟ ୧୫୦ଟଙ୍କା ରହିଛି l

ପାଠକଙ୍କ ଦ୍ୱାରା ଗଳ୍ପ ସଂକଳନ ” ଚାରୁ ଚିତ୍ରପଟ ” ବେଶ୍ ଆଦୃତଲାଭ କରିବ ଏଥିରେ ତିଳେହେଁ ସନ୍ଦେହ ନାହିଁ ।

Leave A Reply

Your email address will not be published.

16 − ten =