ଚାଲିଗଲେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା

0 846

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ କଟକ ବଡ଼ ମେଡିକାଲ୍ ରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ୨୦୧୯ ମସିହାରେ ସେ ‘ଫେରିଆ’ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

କୋରାପୁଟରେ ଜନ୍ମିତ ଏହି ସଙ୍ଗୀତ ନିର୍ଦ୍ଦେଶକଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ରଂ ନମ୍ବର୍’ । ଏହାର ଗୀତ ଗୁଡ଼ିକ ବହୁ ଲୋକପ୍ରିୟ ହୋଇଥଲା। ଏହା ପରେ ‘ତୋ ବିନା ମୋ କାହାଣୀ ଅଧା’ , ବଙ୍ଗଳା ଚଳଚ୍ଚିତ୍ର ‘ବନ୍ଧୁ’ ସହିତ ପ୍ରାୟ ୨୫ ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ଏଥି ସହିତ ଶାନ୍ତିରାଜ ଜଣେ ଭଲ ଗିଟାର ଓ ମଣ୍ଡୋଲିନ ବାଦକ ଥିଲେ। ଓଡ଼ିଆ ଆଲବମ୍ ଜଗତର ବହୁ ନାଁ କରିଥିଲେ। ‘ଡେଉଁଛି ମୋ ବାଁ ଆଖି’ ତାଙ୍କ ନିର୍ଦ୍ଦେଶନାରେ ଏକ ଅତ୍ୟନ୍ତ ଲୋକପ୍ରିୟ ଗୀତ। ଆକାଶବାଣୀରେ ମଧ୍ୟ ତାଙ୍କର ଅନେକ ଗୀତ ପ୍ରସାରିତ ହୋଇ ଲୋକପ୍ରିୟ ହୋଇଛି। ବହୁ ସଫଳ ସଙ୍ଗୀତର ସ୍ରଷ୍ଟା ସ୍ବର୍ଗତ ଖୋସଲାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତର ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି।

ଓଲିଉଡ୍ ଅଭିନେତା ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଶୋକ ପ୍ରକାଶ କରି କହିଛନ୍ତି, କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଅକାଳ ବିୟୋଗରେ ମୁଁ ଅତ୍ଯନ୍ତ ଦୁଃଖିତ। ତାଙ୍କର ମୃତ୍ୟୁ ସମଗ୍ର ଓଡ଼ିଆ ସିନେମା ଏବଂ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି। ସେହିପରି ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ , ଗୀତିକାର ବିଭୂତି ସ୍ୱାଇଁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

twenty − 16 =