ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ

0 666

ଭୁବନେଶ୍ବର : ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କର ମଇ ୨୮ ତାରିଖରେ ଭୁବନେଶ୍ବରଠାରେ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତା’ଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଏକାଧାରରେ ଜଣେ କବି, ଲେଖକ, ଅନୁବାଦକ ଓ ଶବ୍ଦକୋଷ ପ୍ରଣେତା ଥିଲେ। ସେ ମଧ୍ଯ ଥିଲେ ପ୍ରାୟ ୪୦ଗୋଟିରୁ ଅଧିକ ଉଚ୍ଚକୋଟୀର ପୁସ୍ତକର ସ୍ରଷ୍ଟା।
କଳାହାଣ୍ଡି ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ମୁଣ୍ଡ ଜଣେ ଇଂରାଜୀ ବିଭାଗର ଅଧ୍ୟାପକ ଭାବରେ ଓଡ଼ିଶାର ବିଭିନ୍ନ ସରକାରୀ କଲେଜରେ ଚାକିିରି ଜୀବନ ଅତିବାହିତ କରିଥିଲେ ଏବଂ ଅବଶେଷରେ ଭୁବନେଶ୍ବରସ୍ଥିତ ବି.ଜେ.ବି କଲେଜର ଅଧ୍ୟକ୍ଷ ପଦବୀର ଦାୟିତ୍ବ ମଧ୍ୟ ତୁଲାଇଥିଲେ।

ପଶ୍ଚିମ ଓଡ଼ିଶାର ଜଣେ ସଂସ୍କୃତି ସମ୍ପନ୍ନ ମଣିଷ କବି ଓ ଆଦିବାସୀ ଗବେଷକ ଭାବେ ସେ ବେଶ ଜଣାଶୁଣା। ତାଙ୍କର ସବୁଠୁ ବଡ଼ ପରିଚୟ, ସେ ଜଣେ ବିଦଗ୍ଧ କବି। ୨୦୦୯ ମସିହାରୁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରୁ ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିବା ପରେ ଅନୁବାଦ, ଗବେଷଣା ଓ କବିତା ଲେଖାରେ ପୂରା ମଗ୍ନ ଥିଲେ। ତା’ଙ୍କ ବିୟୋଗର ସମ୍ବାଦ ପ୍ରଚାରିତ ହେବା ପରେ ଓଡିଶାର ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସ୍ବର୍ଗତ ମୁଣ୍ଡଙ୍କ ବିୟୋଗରେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ ଶୋକ ପ୍ରକାଶ କରି କହିଛନ୍ତି, ବିଶିଷ୍ଟ ଓଡ଼ିଆ କବି ଓ ସମାଲୋଚକ ଡ.ଶୁଭେନ୍ଦୁ ମୁଣ୍ଡ ମୋର ବ୍ୟକ୍ତିଗତ ବନ୍ଧୁ ଓ ସହକର୍ମୀ ଥିଲେ।ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଣେ ସ୍ଵାଭିମାନୀ କବିଙ୍କୁ ହରାଇଲା।ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସର୍ବୋପରି ରାଜ୍ୟ ସଂସ୍କୃତି ବିଭାଗ ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରୁଛି। ଏହି ଦୁଃଖ ସହିବାକୁ ଈଶ୍ଵର ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

Leave A Reply

Your email address will not be published.

three × five =