ସୁଦା ବଡ଼ବାପା ଚାଲିଗଲେ

0 716


ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସୁଦାନା ବୋଲି ପ୍ରାୟ ସମସ୍ତେ ଡାକନ୍ତି । ବ୍ରାହ୍ମଣ ଲୋକ ବୋଲି ପ୍ରାୟ ସମସ୍ତେ ନନା ସମ୍ବୋଧନ କରନ୍ତି । ମୁଁ ଡାକେ ସୁଦା ବଡ଼ବାପା । କାରଣ ସେ ମୋ ବଡ଼ବାପା ଡାକ୍ତର ନଟବର ସ୍ୱାଇଁଙ୍କ ସଙ୍ଗାତ ଥିଲେ । ହେଲେ ଆଜି ସେ ନାହାନ୍ତି । ତାଙ୍କୁ ଏକ ମଦ୍ୟପ ହତ୍ୟା କରିଛି ।
କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ ଏକ ମଦ୍ୟପ ଭୁଜାଲିରେ ହାଣି ହତ୍ୟା କରିଛି । ରାଜ୍ୟରେ ମଦର ପ୍ରସାରର ଏହା ଏକ ଚରମ ନିଦର୍ଶନ ।
କାଲି ଭଳି ମୋର ମନେ ପଡୁଛି । ୧୯୯୩ ମସିହାର କଥା । ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା କେନ୍ଦ୍ର କେଉଁଠି ପଡ଼ିବ ବୋଲି ଆମେ ଭାଳି ହେଉଥିଲା ବେଳେ କନ୍ଦରପୁରର ସିଦେ୍ଧଶ୍ୱରପୁରରେ ମୁଁ ପଢ଼ୁଥିବା ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀର ମାଟ୍ରିକ ପରୀକ୍ଷା କେନ୍ଦ୍ର ବୋଲି ଜଣାପଡ଼ିଲା । ଏକଥା ଜାଣିବା ପରେ ବାପା ସୁଦା ବଡ଼ବାପାଙ୍କ ସହ ଯୋଗାଯୋଗ କଲେ । ସେ କହିଲେ, “ପୁଅର ପରୀକ୍ଷା ସରିବା ଯାଏ ମୋ ଘରେ ରହିବ ।”
ମାଟ୍ରିକ ପରୀକ୍ଷା ପ୍ରାୟ ପନ୍ଦର ଦିନ ଚାଲିଲା । ଏହି ପନ୍ଦର ଦିନ କାଳ ମୁଁ, ମୋ ମାଆ ଓ ପିଉସୀ ତିନି ଜଣ ତାଙ୍କ ଘରେ ରହିଲୁ । ମୋର ମାଟ୍ରିକ ପରୀକ୍ଷା ସମୟ ଅତ୍ୟନ୍ତ ଭଲରେ ବିତିଗଲା । ମୁଁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲି ।
ସିଦେ୍ଧଶ୍ୱରପୁର ଏକ ସୁନ୍ଦର ଗାଁ । ତେବେ ସୁଦା ବଡ଼ବାପାଙ୍କ ଘରେ ରହିବା ଭିତରେ ଜାଣିଲି ଯେ ଏହି ଗାଁ ହେଉଛି ବିଖ୍ୟାତ କଥାକାର ଶାନ୍ତନୁ ଆଚାର୍ଯ୍ୟଙ୍କ ଗାଁ । ଶାନ୍ତନୁ ଆଚାର୍ଯ୍ୟଙ୍କ ସାନଭାଇ ପ୍ରାୟ ସୁଦା ବଡ଼ବାପାଙ୍କ ଘରକୁ ପ୍ରାୟ ଆସନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଗାଁ ମଧ୍ୟ ଏହି ସିଦେ୍ଧଶ୍ୱରପୁର । ଏହି ଭଳି ଏକ ଗାଆଁରେ ମୁଁ ମାଟ୍ରିକ ପରୀକ୍ଷା ଦେଉଥିବାରୁ ନିଜକୁ ଭାଗ୍ୟବାନ ମଣୁଥାଏ । ଏହି ପନ୍ଦର ଦିନ ରହଣି କାଳରେ ମୁଁ ଦେଖିଲି ସୁଦାବଡ଼ବାପା ଗାଁର ପ୍ରାୟ ସମସ୍ତ ଲୋକଙ୍କୁ ସାହାଯ୍ୟ କରନ୍ତି । ସୁଦା ବଡ଼ବାପାଙ୍କ ପୈତୃକ ଘର ଆମର ଜଗତସିଂହପୁର ବାଲିକୁଦା ଅଞ୍ଚଳର ନଲରା ଗାଁରେ ହୋଇଥିଲା ବେଳେ ସେ କନ୍ଦରପୁର କଳେଜର ଅଧ୍ୟକ୍ଷ ଥିବା ସମୟରେ ସିଦେ୍ଧଶ୍ୱରପୁରରେ ଘର ତିଆରି କରି ସ୍ଥାୟୀ ଭାବରେ ବସବାସ କରୁଥିଲେ । ଗାଁର ସମସ୍ତ ଲୋକଙ୍କୁ ନିଜର ବୋଲି ଭାବୁଥିଲେ । ହେଲେ ସେହି ଭଲପଣିଆ ତାଙ୍କର କାଳ ହେବ ବୋଲି କିଏ ଜାଣିଥିଲା ।
ଅସମୟରେ ଜଣେ ଲୋକକୁ ଧାର ଦେବା ତାଙ୍କର ଭୁଲ୍‌ ଥିଲା । ଧାର ଟଙ୍କା ମାଗିବାରୁ ସେହି ଲୋକଟି ମଦ ପିଇ ଶୋଧାଶୋଧି କରିବା ସହ ଗାଁ ଛକରେ ଆଜି ସନ୍ଧ୍ୟାରେ ତାଙ୍କୁ ଭୁଜାଲି ହାଣି ହତ୍ୟା କଲା ।
ନିଶା କାରବାର ଯୋଗୁଁ କେତେ ଆଉ ଜୀବନ ବଳିପଡ଼ିବ! ନବୀନ ସରକାର ଏକଥା ହେଜିବେ କି! ଗୁଜୁରାଟରେ ମଦ ନିଷେଧ ଥିଲାବେଳେ ସେହି ରାଜ୍ୟ ଦେଶର ଏକ ଉନ୍ନତ ରାଜ୍ୟ । ତେବେ ଖଣିଜ ସମ୍ପଦ ଭରା ଓଡ଼ିଶା ମଦକୁ ନିଷେଧ କରି ସମୃଦ୍ଧ ରାଜ୍ୟ ହୋଇପାରିବ ନାହିଁ କାହିଁକି! ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ପରୋପକାରୀ ଲୋକ ଚାଲିଗଲେ । ଆଉ କେହି ଭଲ ଲୋକ ଏପରି ଦୁର୍ଦ୍ଦଶା ନ ଭୋଗନ୍ତୁ, ଏତିକି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ।

Leave A Reply

Your email address will not be published.

three − 3 =