ଲାବଣ୍ୟାକୁ ନ୍ୟାୟ ବନାମ ପ୍ରଭାବଶାଳୀ ମିଶନାରୀ ଇକୋ ସିଷ୍ଟମ

0 664

ଡ. ସମନ୍ୱୟ ନନ୍ଦ

ଭାରତକୁ ସମ୍ପୂର୍ଣ ରୂପେ କନଭର୍ଟ କରିବାକୁ କାମ କରୁଥିବା ମିଶନାରୀ ସଂସ୍ଥା ମାନଙ୍କର କେତେ ଯେ ଅଖଣ୍ଡ ପ୍ରଭାବ ରହିଛି ତାହା ସାଧାରଣ ଭାବେ କଳ୍ପନା କରା ଯାଇ ପାରିବ ନାହିଁ । କୌଣସି ଦେଶର ଶାସନ ବ୍ୟବସ୍ଥା କଣ ବିଦେଶୀ ସରକାର ମାନେ ମଧ୍ୟ ତାଙ୍କ ସାଥିରେ ରହିଥାନ୍ତି । ଯେତେବେଳେ ଭାରତରେ କୌଣସି ଦୂରସ୍ଥ ଅଂଚଳରେ ଚୋର କୌଣସି ଚର୍ଚରେ ଚୋରି ଉଦ୍ଦେଶ୍ୟରେ ପଶିବା ବେଳେ ଚର୍ଚର କାଚ ଭାଙ୍ଗି ଯାଏ, ତା ପର ଦିନ ବିଦେଶୀ ନ୍ୟୁୟର୍କ ଟାଇମ୍ସ ସମେତ ଭାରତର ପ୍ରମୁଖ ସମ୍ବାଦପତ୍ର ମାନଙ୍କରେ ପ୍ରଥମ ପୃଷ୍ଠାରେ ଖବର ପ୍ରକାଶିତ ହୁଏ, ସଂଖ୍ୟାଲଘୁ ମାନଙ୍କ ଉପରେ ନିର୍ଯ୍ୟାତନା ବଢୁଛି । ଏହା ଉପରେ ସରକାର ମାନେ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୁଅନ୍ତି । ଏହି ସଂସ୍ଥା ମାନଙ୍କର ଇକୋ ସିଷ୍ଟମ କେତେ ପ୍ରଭାବଶାଳୀ ଏଇଥିରୁ ହିଁ ସ୍ପଷ୍ଟ ହୁଏ । ତେବେ ଏହି ସଂସ୍ଥା ମାନେ ଦେଶର ଆଇନ କାନୂନକୁ ଭାଙ୍ଗି ଧର୍ମାନ୍ତରୀକରଣ କରିଥାନ୍ତି ଓ ଏମାନଙ୍କର କଳା କାରନାମା ସାମନାକୁ ଆସିଲେ ମଧ୍ୟ ସରକାର, ପ୍ରଶାସନ ଏମାନଙ୍କୁ ବଂଚାଇବା ପାଇଁ ଲାଗି ଯାଆନ୍ତି । ମିଶନାରୀ ସ୍କୁଲ ଓ ହଷ୍ଟେଲରେ ରହି ପଢୁଥିବା ତାମିଲନାଡୁର ଲାବଣ୍ୟାକୁ କନଭର୍ଟ କରିବାକ ଲଗାତାର ଚାପ ପ୍ରୟୋଗ କରା ଯିବା ପରେ ସେ ଆତ୍ମହତ୍ୟା କରିଥିଲା । ତାର ମୃତ୍ୟୁପୂର୍ବର ଭିିଡିଓରେ ସେ ଏହି ସବୁ କଥା କହିଥିଲା । ମାତ୍ର ଲାବଣ୍ୟା ମାମଲାରେ ଯେ ଭଳି ଭାବେ ତାମିଲନାଡୁର ଡିଏମକେ ସରକାର, ସ୍ଥାନୀୟ ପ୍ରଶାସନ ମିଶନାରୀ ମାନଙ୍କ କଳା କାରନାମାକୁ ଚପାଇ ଦେବାକୁ ବାରମ୍ବାର ପ୍ରୟାସ କରୁଛନ୍ତି ତାହା ମିଶନାରୀ ମାନଙ୍କ ଶକ୍ତିଶାଳୀ ଇକୋ ସିଷ୍ଟମ କିପରି କାମ କରେ ତାର ଏକ ଉଦାହରଣ ପ୍ରସ୍ତୁତ କରୁଛି ।

ଲାବଣ୍ୟା ଆତ୍ମହତ୍ୟା କରିବା ପରେ ଓ ମୃତ୍ୟୁ ପୂର୍ବରୁ ଏକ ବକ୍ତବ୍ୟ ଦେଇଥିଲା ଯେଉଁ ଥିରେ ସେ ଖ୍ରିଷ୍ଟିଆନିଟିରେ କନଭର୍ଟ କରିବା ପାଇଁ ତା ଉପରେ କିପରି ଚାପ ପ୍ରୟୋଗ କରା ଯାଇଥିଲା ତାହା ସେ ବର୍ଣନା କରିଥିଲା । ଲାବଣ୍ୟାର ମୃତ୍ୟୁ ପରେ କନଭର୍ସନର ଏହି ଅଧର୍ମର ଲିପ୍ତ ମିଶନାରୀ ସଂସ୍ଥା ଓ ଚର୍ଚ ଏବଂ ଡିଏମକେ ସରକାର ଓ ପ୍ରଶାସନ ମାମଲାକୁ ଦବାଇ ଦେବା ପାଇଁ ଅତି ସକ୍ରିୟ ହୋଇ ଉଠିଥିଲେ ।

ଏହି ଘଟଣାରେ ବିବାଦ ବଢିବା ଓ ଏହା ଉପରେ ଚର୍ଚା ଆଲୋଚନା ହେବା ମାତ୍ରେ ସ୍ଥାନୀୟ ଏସପି ବିନା କୌଣସି ଜାଂଚରେ ଏହାର ଧର୍ମାନ୍ତରୀକରଣ ଏଙ୍ଗେଲ ନାହିଁ ବୋଲି ଘୋଷଣା କରି ଦେଇଥିଲେ । ଯେତେବେଳେ ମୃତ ଛାତ୍ରୀ ମୃତ୍ୟୁ ପୂର୍ବରୁ ଧର୍ମାନ୍ତରୀକରଣ ପାଇଁ ତାଙ୍କୁ ନିର୍ଯ୍ୟାତନା ଦିଆ ଯାଉଥିବା କହିଥିବା ସତ୍ୱେ ସ୍ଥାନୀୟ ଏସପି କନଭର୍ସନର ଏଙ୍ଗେଲ ନାହିଁ ବୋଲି କହିବା ସେ କିପରି ଭାବେ ଚର୍ଚ ଓ ମିଶନାରୀ ସଂସ୍ଥାର ପ୍ରଭାବରେ ଥିଲେ ତାହାକୁ ପ୍ରମାଣିତ କରୁଛି ।

କେବଳ ସେତିକି ନୁହେଁ ସ୍ଥାନୀୟ ଏସପି ଲାବଣ୍ୟାର ମୃତ୍ୟୁ ପୂର୍ବର ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରୁଥିବା ବ୍ୟକ୍ତିବିଶେଷକୁ ଗିରଫ କରି ଜେଲରେ ଭର୍ତି କରା ଯିବ ବୋଲି ମଧ୍ୟ ଧମକ ଦେଇ ସତ୍ୟତାକୁ ଚାପି ଦେବା ପାଇଁ ଚେଷ୍ଟା କରିଥିଲେ ।

ତେବେ ତାମିଲନାଡୁ ପୋଲିସ ଦ୍ୱାରା ଜାଂଚ ନିରପେକ୍ଷ ହେବ ନାହିଁ ବୋଲି କହି ଯେତେବେଳେ ମାମଲା ହାଇକୋର୍ଟକୁ ଗଲା ସେତେବେଳେ ଡିଏମକେ ସରକାର ହାଇକୋର୍ଟରେ ଏହାର ବିରୋଧ କରିଥିଲା । ୩୨ ପୃଷ୍ଠା ବିଶିଷ୍ଟ ଅର୍ଡରରେ ବିଚାରପତି ଜି.ଆର ସ୍ୱାମୀନାଥନ ଜାଂଚ ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । କନଭର୍ସନ ଏଙ୍ଗେଲକୁ କାହିଁକି ବିନା ଜାଂଚରେ ଅସ୍ୱୀକାର କରାଗଲା ସେ ନେଇ ପ୍ରଶ୍ନ କରିଥିଲେ । ପୋଲିସ ଜାଣି ଶୁଣି କିଛି କାଗଜପତ୍ର ଗଣମାଧ୍ୟମକୁ ଲିକ କରିବା ଦ୍ୱାରା ଜାଂଚର ବିଶ୍ୱସନୀୟତା କମିଛି ବୋଲି ଟିପ୍ପଣୀ କରିଥିଲେ । ଏହା ପରେ ସେ ସିବିଆଇ ଜାଂଚ ପାଇଁ ନିର୍ଦେଶ ଦେଇଥିଲୋ

ଆଉ କୌଣସି ରାଜ୍ୟ ସରକାର ହୋଇଥିଲେ ସେ ଏତିକି ଟିପ୍ପଣୀ ପରେ ଚୁପ ରହିଥାନ୍ତେ । ହେଲେ ମିଶନାରୀଙ୍କ ସ୍ୱାର୍ଥ ପାଇଁ ନିଜକୁ ସମର୍ପିତ କରି ଦେଇଥିବା ଡିଏମକେ ସରକାର ମାମଲାର ସିବିଆଇ ଜାଂଚ କିପରି ନ ହେଉ, ଏଇଥି ପାଇଁ ବିପୁଳ ଅର୍ଥ ବ୍ୟୟ କରି ସୁପ୍ରିମକୋର୍ଟ ପହଂଚିଥିଲେ । ତେବେ ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ କରି ଦେଲେ ଯେ ମାମଲାର ଜାଂଚ ସିବିଆଇ କରିବ ।

ଏହି ପ୍ରସଙ୍ଗରେ ଅନ୍ୟ କିଛି ଘଟଣାର ଉଲ୍ଲେଖ କଲେ ବିଷୟକୁ ଭଲ ଭାବେ ବୁଝି ହେବ । ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ କମିଶନ ବା ଏନସିପିସିଆର ତାମିଲନାଡୁର ଡିଜିଙ୍କୁ ଏହି ମାମଲାରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ହେଲେ ଡିଜି କିଛି କରି ନ ଥିଲେ । ତେଣୁ ଶେଷରେ ଏନସିପିସିଆର ର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଶେଷରେ ନିଜେ ଉକ୍ତ ସ୍ଥାନକୁ ଗସ୍ତ କରିଥିଲେ ।

ସେ ନିଜେ ଏହି ଘଟଣାର ଜାଂଚ କରିବା ପରେ ଆଉ ଏକ ଭୟଙ୍କର ତଥ୍ୟ ସାମନାକୁ ଆସିଥିଲା । ଲାବଣ୍ୟା ଯେଉଁ ସ୍ଥାନରେ ରହୁଥିଲା ତାକୁ ପ୍ରଶାସନ ହଷ୍ଟେଲ ବୋଲି କହୁଥିବା ବେଳେ ବାସ୍ତବରେ ଏହା ହଷ୍ଟେଲ ନ ଥିଲା । ଏହା ଏକ ଅନାଥାଳୟ ଥିଲା । କ୍ୟାଥୋଲିକ ଚର୍ଚର ମୁଖ୍ୟାଳୟ ଭାଟିକାନରୁ ଏହି ଅନାଥାଳୟକୁ ଅର୍ଥ ଆସୁଥିଲା । କେବଳ ସେତିକି ନୁହେଁ ଏହି ଅନାଥାଳୟର ଲାଇସେନ୍ସ ମଧ୍ୟ ଗତ ବର୍ଷ ନଭେମ୍ବର ମାସରୁ ଶେଷ ହୋଇ ଯାଇଥିଲା । ଅର୍ଥାତ ଏହି ସ୍ଥାନକୁ ମିଛରେ ହଷ୍ଟେଲ ବୋଲି ପ୍ରଚାରିତ କରା ଯାଉଥିଲା । ଭାଟିକାନରୁ ଅର୍ଥ ଆସୁଥିଲା । ଭାଟିକାନରୁ କାହିଁକି ଅର୍ଥ ଆସୁଥିଲା, ସେ ବିଷୟରେ କିଛି ଆଲୋଚନା କରିବାର ଆବଶ୍ୟକତା ନାହିଁ । ଆଉ ସବୁ ଠାରୁ ବଡ କଥା ହେଲା ଯେ ବର୍ତମାନ ଏହାର ଲାଇସେନ୍ସ ମଧ୍ୟ ସମାପ୍ତ ହୋଇ ଯାଇ ସାରିଥିଲା । ତେଣୁ ସ୍ୱାଭବିକ ଭାବେ ଲାବଣ୍ୟାର ମୃତ୍ୟୁ ପରେ ଭାଟିକାନ ପ୍ରାୟୋଜିତ ଏହି ପ୍ରକଳ୍ପର ବେଆଇନ କାର୍ଯ୍ୟ ସାମନାକୁ ଆସିବାର ଆଶଙ୍କା ଥିଲା । ତେଣୁ ମିଶନାରୀ ମାନଙ୍କର ବୈଶ୍ୱିକ ଇକୋ ସିଷ୍ଟମ ଏହି ମାମଲାକୁ ଚପାଇ ଦେବା ପାଇଁ ଅତ୍ୟନ୍ତ ସକ୍ରିୟତାର ସହ କାମ କରିଥିଲା । ଏମକେ ଷ୍ଟାଲିନ ନେତୃତ୍ୱାଧୀନ ଡିଏମକେ ସରକାର ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନଓ ସ୍ଥାନୀୟ ମିଡିଆ ସମସ୍ତେ ଏହାକୁ ଚାପିବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ ।

ଏହି ମାମଲାକୁ ଚପାଇବା ପାଇଁ ଡିଏମକେ ସରକାର କିପରି ତାଙ୍କର ସବୁ ଶକ୍ତି ଲଗାଇ ଦେଇଛନ୍ତି ତାର ଏକ ଉଦାହରଣ ମଧ୍ୟ ମାମଲାର ଅଭିଯୁକ୍ତ ତଥା ଉକ୍ତ ଅନାଥାଳୟର ବାର୍ଡେନ ସଜାୟା ମେରି ଜାମିନରେ ବାହାରିବା ପରେ ଦେଖିବାକୁ ମିଳିଥିଲା । ଲାବଣ୍ୟା ତାର ମୃତ୍ୟୁକାଳୀନ ଜମାନବନ୍ଦୀରେ ଏହି ମେରୀ ନାମକ ମହିଳା ତାଙ୍କ ଉପରେ ଖ୍ରୀଷ୍ଟିଆନ ହେବାକୁ ଚାପ ପ୍ରୟୋଗ କରୁଥିବା କହିଥିଲେ । ତେବେ ମେରୀ ଜାମିନରେ ଜେଲରୁ ବାହାରିବା ପରେ ଡିଏମକେ ବିଧାୟକ ଇନିଗୋ ଇରୁଦୟରାଜ ତାକୁ ସମ୍ବର୍ଧିତ କରିଥିଲେ । ସାଧାରଣ ଭାବେ ବିବାଦୀୟ ପ୍ରସଙ୍ଗଗୁଡିକ ଠାରୁ ରାଜନୈତିକ ଦଳ ମାନେ ଦୂରରେ ରହିବା ପସନ୍ଦ କରି ଥାନ୍ତି । ହେଲେ ଡିଏମକେ ଏପରି କରି ନଥିଲା । ଡିଏମକେ ତାର ବିଧାୟକଙ୍କ ଜରିଆରେ ସ୍ପଷ୍ଟ ବାର୍ତା ଦେଇଛି ଯେ ସେ ଏହି ମାମଲାରେ ଲାବଣ୍ୟା ମାମଲାରେ ତାଙ୍କ ସରକାର ଲାବଣ୍ୟାକୁ ନ୍ୟାୟ ନୁହେଁ ବରଂ ମିଶନାରୀ ସଂସ୍ଥାଙ୍କ ସାଥିରେ ରହିଛି । ଯଦି ସରକାରଙ୍କ ଏହି ଆଭିମୁଖ୍ୟ ରହିବ ତାହେଲେ ଲାବଣ୍ୟାକୁ ନ୍ୟାୟ ମିଳିବା କଣ ସମ୍ଭବ ? ଏହା ଏକ ବିଚାରଣୀୟ ପ୍ରଶ୍ନ ।

ଏହା ପରେ ଯାହା ଘଟିଲା ତାହାର କଳ୍ପନା ମଧ୍ୟ କରା ଯାଇ ପାରିବ ନାହିଁ । ଲାବଣ୍ୟାକୁ ନ୍ୟାୟ ପ୍ରଦାନ କରିବା ପାଇଁ ତାମିଲନାଡୁ ସରକାର ସହଯୋଗ ନ ଦେବା କାରଣରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ନିଧି ତ୍ରିପାଠୀ ଓ ଅନ୍ୟ କାର୍ଯ୍ୟକର୍ତା ମାନେ ଚେନ୍ନାଇରେ ଶାନ୍ତିପୂର୍ଣ ବିରୋଧ ପ୍ରଦର୍ଶନ କରୁଥିଲେ । ଡିଏମକେ ସରକାରର ପୋଲିସ ସେମାନଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି । ପରିଷଦର ମହିଳା କାର୍ଯ୍ୟକର୍ତା ମାନେ ଯେଉଁ ମାନେ ଶାନ୍ତିପୂର୍ଣ ଭାବେ ଲାବଣ୍ୟାକୁ ନ୍ୟାୟ ପାଇଁ ଦାବି କରୁଥିଲେ ତାଙ୍କୁ ଜେଲ ପଠାଇ ଦେବା ଘଟଣା ମଧ୍ୟ ଏହି ମାମଲାରେ ଡିଏମକେର ଷ୍ଟାଲିନ ସରକାର କିଭଳି ଭାବେ ମିଶନାରୀ ମାନଙ୍କର ଇକୋ ସିଷ୍ଟମର ଏଜେଂଟ ଭାବେ କାମ କରୁଛି ତାହା ପ୍ରମାଣିତ କରୁଛି ।

ଲାବଣ୍ୟାର ବଳିଦାନ ବିଷୟ ଅନେକ ଅସମାହିତ ପ୍ରଶ୍ନକୁ ଜନ୍ମ ଦେଇଛି । ଏହି ପ୍ରସଙ୍ଗ ଭାରତ ଉପରେ ମିଶନାରୀ ଇକୋ ସିଷ୍ଟମର କେତେ ପ୍ରଭାବ ରହିଛି, କିଭଳି ସରକାର ଓ ପ୍ରଶାସନ ତାଙ୍କ କଥାରେ ପରିଚାଳିତ ହୁଅନ୍ତୁ ତାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି । ଏହା ସହିତ ଆଉ ଏକ କଥାକୁ ପ୍ରମାଣିତ କରୁଛି ତାହା ହେଲା ଯେ ଭାରତ ସ୍ୱାଧୀନ ହୋଇଛି ସତ, ହେଲେ ବର୍ତମାନ ମଧ୍ୟ ବ୍ୟବସ୍ଥା ଭାରତୀୟ ସଂସ୍କୃତିକୁ ସଂରକ୍ଷଣ ଦେବା ପରିବର୍ତେ ବିଦେଶୀ ଶକ୍ତିଙ୍କ ସଂରକ୍ଷଣ ଓ ସମ୍ବର୍ଧନରେ ଲାଗିଛି ।

Leave A Reply

Your email address will not be published.

eighteen − eight =