ସହଯୋଗ ବାର୍ଷିକ ଉତ୍ସବ: ବିଜୟଲକ୍ଷ୍ମୀ, ଅମରେଶ ଓ ପ୍ରଶାନ୍ତଙ୍କୁ ସହଯୋଗ ସମ୍ମାନ

0 331

୭ଟି ପୁସ୍ତକ ଉନ୍ମୋଚିତ


ଭୁବନେଶ୍ୱର: ଲେଖକ କଲ୍ୟାଣ ନ୍ୟାସ ସହଯୋଗର ଷଷ୍ଠ ବାର୍ଷିକ ଉତ୍ସବ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସହଯୋଗର ସଭାପତି ବିଶିଷ୍ଟ ଗାଳ୍ପିକ ଅନୀଲ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗ ଦେଇ ଦୁଃସ୍ଥ ସାହିତ୍ୟିକଙ୍କୁ ସହଯୋଗର ସହାୟତା ନେଇ ଉଚ୍ଚ ପ୍ରଶଂସା କରିଥିଲେ । ସାହିତ୍ୟିକମାନେ ସର୍ବଦା ସମ୍ବେଦନଶୀଳ ହେବା ଉଚିତ ବୋଲି ଶ୍ରୀ ବିଶ୍ୱରଞ୍ଜନ କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗାଳ୍ପିକ କୃପାସାଗର ସାହୁ ଯୋଗ ଦେଇଥଲେ । ଅନ୍ୟତମ ଅତିଥି ଭାବେ ବସୁଦେବ ସାମଲ, ପ୍ରାଧ୍ୟାପକ ଅନନ୍ତ କିଶୋର ଜେନା, ପ୍ରଣବ ଛୋଟରାୟ, ଲକ୍ଷ୍ମୀକାନ୍ତ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ଗୋପାଳକୃଷ୍ଣ ଆଚାର୍ଯ୍ୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ଅମିୟ କୁମାର ପାଢ଼ୀ ଆୟବ୍ୟୟ ବିବରଣୀ ରଖିଥିଲେ । ଏହି ଅବସରରେ ସୁନାଭଉଣୀର ସମ୍ପାଦକ ସ୍ୱର୍ଗତ ବିଜୟ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ସହଯୋଗ ସମ୍ମାନ ପ୍ରଦାନ କରାଯାଇଥିଲା । ସ୍ୱର୍ଗତ ବିଜୟ ମହାପାତ୍ରଙ୍କ ଧର୍ମପତ୍ନୀ ବିଜୟଲକ୍ଷ୍ମୀ ମହାପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ । ଗଳ୍ପ ପାଇଁ ଯୁବ ଗାଳ୍ପିକ ଅମରେଶ ବିଶ୍ୱାଳ ଓ କବିତାରେ ପ୍ରଶାନ୍ତ ସ୍ୱାଇଁଙ୍କୁ ସହଯୋଗ ସମ୍ମାନ ପ୍ରଦାନ କରାଯାଇଥିଲା । ସହଯୋଗ ସୁମେଧା ସମ୍ମାନ ମେଧାବୀ ଛାତ୍ରୀ ମଞ୍ଜୁଳା ପାଦ୍ରା ଓ ସରିତା ପ୍ରଧାନଙ୍କୁ ଦିଆଯାଇଥିଲା । ବିଶିଷ୍ଟ ଗାଳ୍ପିକା ଡ. ମମତାମୟୀ ଚୌଧୁରୀ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ । ଏହି ଅବସରରେ ଶାନ୍ତିସେନା ପବ୍ଲିକେଶନ ତରଫରୁ ୭ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । ବିଶିଷ୍ଟ ଗାଳ୍ପିକା ଡ. ମମତାମୟୀ ଚୌଧୁରୀଙ୍କ ‘ନିର୍ବାଚିତ ଗଳ୍ପ’, ସୁମିତା ବେହେରାଙ୍କ ‘ଏରୁଣ୍ଡି’, ବସୁଦେବ ସାମଲଙ୍କ ‘ନାଟକ ସମଗ୍ର’, ଶ୍ରୀକାନ୍ତ ନାୟକଙ୍କ ‘ଅଶ୍ରୁଲେଖା’, କୈଳାସ ଚନ୍ଦ୍ର ପ୍ରଧାନଙ୍କ ‘ସ୍ମୃତି ବିସ୍ମୃତିର ଏରସମା’, ଅନୀଲ କୁମାର ପାଢ଼ୀଙ୍କ ‘ଅରଣ୍ୟ ଅଜଗର’, ଅମିୟ କୁମାର ପାଢ଼ୀଙ୍କ ‘ବିଭବ ଆମ ମାଟିର’ ଉନ୍ମୋଚିତ ହୋଇଥିଲା । ପ୍ରକାଶକ ତଥା ସହଯୋଗର ସହ ସମ୍ପାଦକ ଯୁବ ଗାଳ୍ପିକ ରଜତ ରଶ୍ମି ସ୍ୱାଇଁ ଅତିଥିମାନଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ । ଶେଷରେ ପ୍ରଭାତୀ ଜେନାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । କବୟିତ୍ରୀ ରଶ୍ମି ସାମଲ, ମାଙ୍ଗଳିକା ମହାପାତ୍ର, ଶ୍ରୁତକୀର୍ତ୍ତି ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ । ସୌଦାମିନୀ ବେହେରା ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.

one × 4 =