ନିଶା କବଳରେ ଯୁବପିଢ଼ି

0 557

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଆମ ଦେଶରେ ନିଶା କାରବାର ମହାମାରୀ ଭଳି ବ୍ୟାପି ଚାଲିଛି l ମହାମାରୀ ବି କିଛି ବର୍ଷ ଭିତରେ ଦୁର୍ବଳ ହୋଇ ହାରିଯାଏ l ମାନବର ବୁଦ୍ଧି ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଏହାର ପରାଜୟ ଘଟେ ଏବଂ ଧୀରେ ଧୀରେ ଜନସାଧାରଣ ସୁସ୍ଥ ଓ ସହଜ ଜୀବନ ବଞ୍ଚିବା ଆରମ୍ଭ କରନ୍ତି l ମାତ୍ର ନିଶାଦ୍ରବ୍ୟର ସଂକ୍ରମଣ ଏବେ ଚତୁର୍ଦ୍ଦିଗ ସଞ୍ଚରି ଯାଉଛି l ଏହା ଉପରେ ନିୟନ୍ତ୍ରଣ ପାଇବା ତ ଦୂରର କଥା, କ୍ରମେ ଏହା ଆହୁରି ଗଭୀର ଓ ତୀବ୍ର ଭାବରେ ଲୋକଙ୍କୁ କବଳିତ କରିଛି l ନିଶାସେବନ ଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ଏବଂ କ୍ଷତିଗ୍ରସ୍ତ ହେଉଛନ୍ତି ଆମର ଯୁବବର୍ଗ l ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ, ଆଧୁନିକତାର ଦୌଡ଼ ଏବଂ ଶୀଘ୍ର ଆଗକୁ ବଢ଼ିବାର ପ୍ରତିଯୋଗିତାରେ ଆମ ଯୁବପିଢ଼ି କେତେବେଳେ ନିଶା ପ୍ରତି ଆକୃଷ୍ଟ ହୋଇ ଏହାକୁ ଅଭ୍ୟାସରେ ପରିଣତ କରିଦେଉଛନ୍ତି, ସେମାନେ ମଧ୍ୟ ଜାଣିପାରୁନାହାନ୍ତି l ଅଳ୍ପ ସମୟ ଭିତରେ ପ୍ରତିଷ୍ଠିତ ହେବା ଏବଂ ସ୍ୱଳ୍ପ ପରିଶ୍ରମରେ ଅଧିକ ଆୟ କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ନିଶା କାରବାରର ପ୍ରଭାବ ସବୁବର୍ଗର ଲୋକଙ୍କ ମଧ୍ୟରେ ଦେଖାଯାଉଛି l ଗରିବ ହେଉ କି ଧନୀ, ଶସ୍ତା ହେଉ କି ମହଙ୍ଗା ଯେ କୌଣସି ନିଶାଦ୍ରବ୍ୟ ବ୍ୟବହାର ବଶବର୍ତ୍ତୀ ହେଲେ ଆମ ଯୁବସମାଜ ନିଜ ଆଗାମୀ ଭବିଷ୍ୟତକୁ ନିଜେ ପଙ୍ଗୁ କରିଦେଉଛନ୍ତି l

କିଶୋର ଅବସ୍ଥାରେ ଆରମ୍ଭ ହେଉଥିବା ନିଶାସେବନ ପ୍ରାପ୍ତବୟସ୍କ ହେଲା ବେଳକୁ ଭୟଙ୍କର ରୂପ ନେଉଛି l ମଦ, ଗୁଟକା, ବିଡ଼ି, ସିଗାରେଟ୍ ସେବନରୁ ଆରମ୍ଭ କରିଥିବା ପିଲା ଆଗକୁ ଯାଇ ଗଞ୍ଜେଇ, ଚରସ୍ , ହେରୋଇନ୍ କୋକେନ୍ ଭଳି ନିଶାଦ୍ରବ୍ୟ ସେବନ କରୁଛନ୍ତି l ଦେଶର ଯୁବବର୍ଗ ନିଶାଗ୍ରସ୍ତ ହେଲେ ତାଙ୍କ ଶିକ୍ଷା, କ୍ୟାରିଅର, ବ୍ୟବହାର ଓ ଦୈନନ୍ଦିନ ଜୀବନଶୈଳୀ ବାଧାପ୍ରାପ୍ତ ହେଉଛି l ଏହାର ବହୁଳ ବ୍ୟବହାର ପଛର ବଡ଼ କାରଣ ହେଉଛି ଏହା ଖୁବ ସହଜରେ ଉପଲବ୍ଧ ହେଉଛି l ନିଶା ବ୍ୟାପାରୀମାନେ ଗରିବ ବସ୍ତି ପିଲା, ଅସାମାଜିକ ଏବଂ ଅଳ୍ପ ପଇସା ପାଇଁ କିଛି ବି କାମ କରିବାକୁ ଆଗଭର ହେଉଥିବା ନିଶାଖୋର ମାନଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରି ରାକେଟ୍ ଚଳେଇଛନ୍ତି l ଏପରି ଲୋକଙ୍କୁ ବାଛିବା ପଛରେ କାରଣ ଏହା ଯେ,ଏମାନେ ସହଜରେ ପ୍ରଲୋଭିତ ହୁଅନ୍ତି ଏବଂ ଧରାପଡ଼ିଲେ ମଧ୍ୟ ମୁଖ୍ୟ ଆସାମୀ ଗୁଡ଼ିକ ଅନାୟାସରେ ଖସି ଯାଆନ୍ତି l ନିକଟରେ ବିମାନବନ୍ଦର ଓ ରେଲୱେ ଷ୍ଟେସନରେ ଯାତ୍ରୀମାନଙ୍କ ଠାରୁ ନିଶାଦ୍ରବ୍ୟ ଜବତ ହେବାର ଅନେକ ଉଦାହରଣ ଖବରକାଗଜ ଓ ଟେଲିଭିଜନରେ ପ୍ରକାଶ ପାଉଛି l ମହିଳାମାନେ ମଧ୍ୟ ଏହି ବ୍ୟାପାର ଓ କାରବାରରେ ଲିପ୍ତ ହେବାର ଦେଖାଗଲାଣି l ମହିଳା ମାନଙ୍କୁ ନିଶା ଚାଲାଣ ଏବଂ ବ୍ୟାପାରରେ ସଂଯୁକ୍ତ କଲେ ପୋଲିସ ଆଖିରେ ଧୂଳି ଦେଇ ଖସି ଯିବାର ଉପାୟ ଅପେକ୍ଷାକୃତ ସହଜ ହୋଇଥାଏ l ତେଣୁ ଏହି ପ୍ରସଙ୍ଗକୁ ସମ୍ବେଦନଶୀଳ ମନେକରି ଏହା ଉପରେ ଚିନ୍ତା କରିବାର ସମୟ ଆସିଯାଇଛି l

ଭାରତକୁ ନିଶାଦ୍ରବ୍ୟ ଚାଲାଣ ଓ କାରବାରର ମୁଖ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ପଛରେ ଅନ୍ୟ ଦେଶ ଗୁଡ଼ିକର ଆଗ୍ରହ କ୍ରମେ ବୃଦ୍ଧି ପାଉଛି l ଭାରତର ଦ୍ରୁତ ଗତିର ପ୍ରଗତି ଓ ତଦ୍ୱାରା ଧନୀକ ପରିବାର ସଂଖ୍ୟାର ବ୍ୟାପକ ବୃଦ୍ଧି ଏହା ପଛର କାରଣ l ‘ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ‘ ବା ଏନ୍. ସି. ବି ପକ୍ଷରୁ ଏକ ସୂଚନା ଅନୁଯାୟୀ ୨oo୪ ରେ ଡ୍ରଗ୍ସ ନିଶାସକ୍ତଙ୍କ ସଂଖ୍ୟା ୨o୧୮ ରେ ୫ ଗୁଣା ବୃଦ୍ଧି ପାଇ ୨. ୫ କୋଟି ଗଣନା କରାଯାଇଥିଲା l ନିଶାସେବନ ଜନିତ ମୃତ୍ୟସଂଖ୍ୟା ମଧ୍ୟ ୨o୧୭ ରେ ୨୨, ooo ଥିଲା l ଏହି ପରିପ୍ରେକ୍ଷୀରେ ନିଶାଦ୍ରବ୍ୟ ଗୁଡ଼ିକୁ କୌଣସି ଜହରରୁ କମ ବିବେଚନା କରାଯାଇ ନ ପାରେ l

ଆମ ଯୁବପିଢ଼ି ନିଶା କବଳରେ ପଡ଼ିବାର ଅନ୍ୟ ଏକ ମୁଖ୍ୟ କାରଣ ହେଲା ସେମାନେ ଏହାକୁ ଵିଜ୍ଞାପନ, ଚଳଚ୍ଚିତ୍ର ଏବଂ ନିଜ ପସନ୍ଦର ସେଲିବ୍ରେଟି ମାନେ ବ୍ୟବହାର କରିବା ଦେଖନ୍ତି l ସିନେମା ଓ ଟିଭି ଶୋ କଳାକାର ମାନଙ୍କୁ ଅନୁକରଣ ଓ ଅନୁସରଣ କରିବା ଆମ ଯୁବପିଢ଼ିଙ୍କ ପ୍ରାଥମିକତା ରହି ଆସିଛି l ସେମାନେ ବ୍ୟବହାର କରିଥିବା ସାମଗ୍ରୀର ଵିଜ୍ଞାପନ, ସେମାନଙ୍କ ଜୀବନଶୈଳୀ ତରୁଣବର୍ଗଙ୍କୁ ଆକର୍ଷିତ କରେ ଏବଂ ସେମାନେ ଏହାକୁ ଗର୍ବର ସହିତ ବ୍ୟବହାର କରନ୍ତି l ସେହି କ୍ରମରେ ବଲିଉଡ ତାରକା ମାନଙ୍କ ସନ୍ତାନମାନେ ନିଶାଦ୍ରବ୍ୟ ବ୍ୟବହାର କରିବା ବିଷୟ ବି ସମସ୍ତଙ୍କ ଉପରେ ପ୍ରଭାବ ପକେଇବ l ସଞ୍ଜୟ ଦତ୍ତ, ଫରଦିନ ଖାଁ ଏବଂ ନିକଟରେ ଶାହରୁଖ ଖାଁ ଙ୍କ ପୁଅ ଆର୍ଯ୍ୟନ ଖାଁ ଏହାର ଗୋଟିଏ ଗୋଟିଏ ଉଦାହରଣ l ଧନୀକ ଗୋଷ୍ଠୀର ଏହି ପିଲାଙ୍କ ହାତରେ ବିନା ପରିଶ୍ରମରେ ବେହିସାବ ଅର୍ଥ ଓ ଅଭିଭାବକଙ୍କ କଟକଣା ନ ଥିବାରୁ ସେମାନେ ଲଗାମଛଡା ଓ ବେଖାତିର ହୋଇ ନିଶାଦ୍ରବ୍ୟ ଉପରେ ନିର୍ଭର କରି ଜୀବନ ଜିଉଛନ୍ତି l ସେମାନଙ୍କୁ ଯଦି ଆମ ପରବର୍ତ୍ତୀ ପିଢ଼ି ଆଦର୍ଶ କରିବେ, ଦେଶର ଭବିଷ୍ୟତ ବିପଦରେ ବୋଲି କହିବା ଠିକ ହବ l

ଆଶ୍ଚର୍ଯ୍ୟର ବିଷୟ ଓଡ଼ିଶା ତଥା ଭାରତରେ ଅଫିମ ଓ ଗଞ୍ଜେଇ ଆଦି ନିଶାଦ୍ରବ୍ୟର କାରବାର ନିଷିଦ୍ଧ l ଏହା ବେଆଇନ ଭାବରେ ଉତ୍ପାଦନ ହେବା ସତ୍ତ୍ୱେ ସ୍ବଦେଶୀ ହୋଇଥିବାରୁ ସହଜରେ, ବିପୁଳ ପରିମାଣରେ ଏବଂ ଅପେକ୍ଷାକୃତ କମ ଦାମ୍ ରେ ମିଳିପାରୁଛି l ସେଥିପାଇଁ ଆମ ଯୁବ ସମାଜ ଅନାୟାସରେ ଏହାକୁ ବ୍ୟବହାର କରିବାର ସୁବିଧା ପାଉଛନ୍ତି l କହିବାକୁ ଗଲେ ଏହି ନିଶା କାରବାରକୁ ଭାରତ ବିରୋଧରେ ଏକ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି l ଏହା ପଛରେ ଷଡଯନ୍ତ୍ରକାରୀ ମାନଙ୍କ ଉଦ୍ଦେଶ୍ୟ ହେଉଛି ନିଶାଦ୍ରବ୍ୟର ପ୍ରସାର ଘଟାଇ ଯୁବପିଢ଼ିଙ୍କୁ ଅଳସୁଆ ଓ ଅଣଉତ୍ପାଦନକ୍ଷମ କରିଦେବା l ସେମାନେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବା ସହିତ ଅପରାଧ ଓ ବେଆଇନ କାମରେ ଜଡ଼ିତ ହେବେ l ମସ୍ତିଷ୍କର ବିଚାର ଏବଂ ଶରୀରର କାର୍ଯ୍ୟକ୍ଷମତା କ୍ରମଶଃ ହ୍ରାସ ପାଇବ, ଯାହା ଦେଶର ଉନ୍ନତି ଓ ସମୃଦ୍ଧି ପଥରେ ଅନ୍ତରାୟ ସୃଷ୍ଟି କରିବ l

କିଶୋର ଅବସ୍ଥାରୁ ଯୁବାବସ୍ଥା ଭିତରେ ନିଶାଗ୍ରସ୍ତ ହେଉଥିବା ପିଲାମାନେ ଚିନ୍ତା, ମାନସିକ ଅବସାଦ, ଉଦବେଗ ଏଭଳି କି ସିଜୋଫ୍ରେନିଆ ଭଳି ରୋଗ ଦ୍ୱାରା କବଳିତ ହୁଅନ୍ତି l ଯାହା ଆଗକୁ ଯାଇ ଅପରାଧ ଏବଂ ଆତ୍ମହତ୍ୟାର କାରଣ ସାଜିଥାଏ l ସ୍ୱଳ୍ପ ବୟସରୁ ନିଶା ଗ୍ରହଣ ଦ୍ୱାରା ଏହା ତାଙ୍କ ବୌଦ୍ଧିକ ବିକାଶ କୁ ବାଧାପ୍ରାପ୍ତ କରେ l ନିଶା ପ୍ରଭାବରେ ସେମାନେ ଘର, ପରିବାର, ସାଙ୍ଗସାଥୀ ଏବଂ ନିଜ ଆତ୍ମୀୟଙ୍କ ଠାରୁ କ୍ରମଶଃ ଦୂରେଇ ଯାଉଛନ୍ତି l

ଏହାର ନିରାକରଣ ପାଇଁ ପ୍ରଥମେ ନିଶା ଉପରେ ରୋକ ଲଗାଯିବା ଉଚିତ l ଘରେ ଅଭିଭାବକ ମାନେ ନିଜ ପିଲାଙ୍କ ଉପରେ ନଜର ରଖିବା ଉଚିତ ଯେ ସେମାନେ କେଉଁଭଳି ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି, କେଉଁ ପରିବେଶରେ ତାଙ୍କର ଅଧିକ ସମୟ ଅତିବାହିତ ହେଉଛି l ବାପା ମାଆ ଓ ପିଲାଙ୍କ ଭିତରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢିଉଠିଲେ ପିଲାମାନେ ତାଙ୍କ ସହିତ ଘଟିଥିବା ସବୁ ଘଟଣାକୁ ସେମାନଙ୍କ ସହ ବାଣ୍ଟିବେ ଏବଂ ଏହାର ସମାଧାନ ଲୋଡିବେ l ଶିକ୍ଷକମାନେ ମଧ୍ୟ ବିଦ୍ୟାଳୟରେ ପିଲାଙ୍କୁ ନିଶା ସେବନର ଭୟାବହତା ବିଷୟରେ ସଚେତନ କରିବାର ଗୁରୁଦାୟିତ୍ୱ ନେବା ଉଚିତ l ସର୍ବୋପରି ନିଶାଦ୍ରବ୍ୟ କାରବାରକୁ ପ୍ରତିହତ କରିବା ଲାଗି କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିବା ଆବଶ୍ୟକ l ଏହାକୁ ଦୃଢ଼ ଭାବରେ ଦମନ ନ କରାଗଲେ ଆମ ଯୁବପିଢ଼ି କ୍ରମେ ନିଶାର ଅନ୍ଧାରୀ ମୂଲକ ଭିତରକୁ ଠେଲି ହୋଇଯିବେ l

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸
ଫୋନ – 6370516478
ଭୁବନେଶ୍ୱର

Leave A Reply

Your email address will not be published.

four × five =