ସ୍ବାଭିମାନ ଦିବସରୁ ମହାବିତର୍କର ଶୁଭାରମ୍ଭ – ‘ସ୍ଵାଭିମାନରୁ ସ୍ଵାବଲମ୍ବନ’

0 313

୧୭୪ ତମ ମଧୁଜୟନ୍ତୀରେ ଯୁବ ବୁଦ୍ଧିଜୀବୀଙ୍କ ଅଭିନବ ପ୍ରୟାସ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡିଆ ଭରଚୁଆଲ ଏକାଡ଼େମୀ ସହଯୋଗରେ ଉତ୍କଳୀୟ ନବଜାଗରଣର ଆଦ୍ୟ ସ୍ଵର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ଓଡିଆ ସ୍ବାଭିମାନ ଦିବସ ଭାବରେ ପାଳନ କରାଯାଇଛି| ସଂଗଠନର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭାଷୀ କାର୍ଯ୍ୟକ୍ରମରେ ବିଶ୍ବର ବିଭିନ୍ନ କୋଣରୁ ଯୁବ ବୁଦ୍ଧିଜୀବୀ ଓଡିଆ ବ୍ଯକ୍ତିତ୍ବ ମାନେ ଯୋଗଦେଇ କୁଳବୃଦ୍ଧଙ୍କୁ ଭାବମୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ| ଏହି ଅବସରରେ ଅନୁଷ୍ଠାନ ତରଫରୁ ଓଡ଼ିଶାର ଛାତ୍ରଛାତ୍ରୀ ଓ ଯୁବ ବୁଦ୍ଧିଜୀବୀଙ୍କୁ ନେଇ ଏକ ଧାରାବାହିକ ବିତର୍କର ଶୁଭାରମ୍ଭ କରାଯାଇଛି| ‘ସ୍ଵାଭିମାନରୁ ସ୍ଵାବଲମ୍ବନ; ଏକ ସମୃଦ୍ଧ ଓଡ଼ିଶା ପାଇଁ ବିକଳ୍ପ ପଥ’ ଶୀର୍ଷକ ଏହି ବିତର୍କ ମଧୁବାବୁଙ୍କ ଜୟନ୍ତୀରୁ ଆରମ୍ଭ ହୋଇ ତାଙ୍କ ଶ୍ରାଦ୍ଧ ଦିବସ, ଆସନ୍ତା ବର୍ଷ ଫେବୃଆରୀ ୪ ତାରିଖରେ ସମାପ୍ତ ହେବ| ପ୍ରତ୍ୟକ ମାସର ପ୍ରଥମ ଶନିବାର ସନ୍ଧ୍ୟା ୬ ଘଟିକାରେ ଅନଲାଇନ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ନିଜ ପାଇଁ ତଥା ନିଜ ମାଟି ପାଇଁ ଗୌରବ ଆଣିପାରିଥିବା ବ୍ଯକ୍ତିତ୍ବ ମାନଙ୍କୁ ଏହି ବିତର୍କକୁ ନିମନ୍ତ୍ରଣ କରାଯାଇ ସେମାନଙ୍କ ଅଭିଜ୍ଞତା ଓ ବାର୍ତ୍ତା ଯୁବ ପିଢିକୁ ସଫଳତା ଶୀର୍ଷରେ ପହଞ୍ଚାଇବ ବୋଲି ଶ୍ରୀ ରାଉତ ଆଶା ପ୍ରକାଶ କରିଛନ୍ତି| ଏତଦଭିନ୍ନ ଏହି ସମୟ ଅବଧି ମଧ୍ୟରେ ଓଡ଼ିଶା ସରକାରଙ୍କ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ସହଯୋଗରେ ପ୍ରତ୍ୟକ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧୁବାବୁ ଓ ସ୍ଵାଭିମାନରୁ ସ୍ଵାବଲମ୍ବନ ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି|

ଏହି ଉଦଘାଟନୀ ସମାରୋହରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ତଥା ଲୋକପ୍ରିୟ ଅଭିନେତା ଶ୍ରୀଯୁକ୍ତ ଆକାଶ ଦାସନାୟକ ମୁଖ୍ୟ ଅତିଥି, ସମ୍ମାନୀୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ଦାସ ବେନହୁର, ବିଶିଷ୍ଟ ବୁଦ୍ଧିଜୀବୀ ସତ୍ୟନାରାୟଣ ସାହୁ ଯୋଗଦେଇ ମଧୁବାବୁଙ୍କ ଜୀବନ ଓ ଦର୍ଶନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ! ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଭରଚୁଆଲ ଏକାଡ଼େମୀର ସଚିବ ଶ୍ରୀମତୀ ମଧୁମିତା ରଥ, ଆମେରିକାରୁ ଫାଉଣ୍ଡେସନ ଅଫ ଓଡିଆ ଡ଼ାୟୋସ୍ପୋରାର ଆବାହକ ଶ୍ରୀମତୀ କୁକୁ ଦାସ, ଯୁବ ସାହିତ୍ୟିକ ପରମବ୍ରହ୍ମ ତ୍ରିପାଠୀ, ଯୁବ ସ୍ତମ୍ଭକର ଶୃତକ୍ରିତୀ ତ୍ରିପାଠୀ, ସାଂସ୍କୃତିକ ଗବେଷକ ଶ୍ୟାମାନୁଜ ଦାସ, ସାମ୍ବାଦିକ ସମରେନ୍ଦ୍ର ବଳିଆର ସିଂ, ଯୁବା କଣ୍ଠଶିଳ୍ପୀ ଅନନ୍ୟା ଶ୍ରିତମ ନନ୍ଦ, ଆନ୍ତର୍ଜାତୀୟ ଯୁବ ଚେସ ଖେଳାଳୀ ସାଇନା ସୋନାଲିକା, ଯୁବ ମାନେଜମେଣ୍ଟ ବିଶେଷଜ୍ଞ ଶୁଭେନ୍ଦୁ ବିଶ୍ବାଳ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶିବାନୀ ଭଟ୍ଟାଚାର୍ଯ୍ଯ ଓ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ମଧୁବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଏହି ଧାରାବାହିକ ବିତର୍କ କାର୍ଯ୍ୟକ୍ରମକୁ ଯୁବ ପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ କରାଇବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ! ଶେଷରେ ପ୍ରଯୁକ୍ତି ବିଜ୍ଞାନ ବିଶେଷଜ୍ଞ ସ୍ମୃତି ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ| ତିନି ଘଣ୍ଟା ବ୍ଯାପୀ ସାରା ବିଶ୍ବକୁ ଗୋଟିଏ ମଞ୍ଚରେ ଯୋଡିବାର ସଫଳ ପ୍ରୟାସରେ ଉଭୟ ଦି ଇଣ୍ଟେଲେକ୍ଟସ ଓ ଓଡିଆ ଭରଚୁଆଲ ଏକାଡ଼େମୀର ସଦସ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ|

Leave A Reply

Your email address will not be published.

13 + eight =