ଧାର୍ମିକ ସହନଶୀଳତା

0 378

🔸ଶ୍ରୁତକୀର୍ତ୍ତି ତ୍ରିପାଠୀ

କିଛି ଦିନ ତଳେ ବିଜେପି କାର୍ଯ୍ୟକର୍ତ୍ତା ନୂପୁର ଶର୍ମା ଏକ ଟିଭି ବିତର୍କରେ ପ୍ରଫେଟ ମହମ୍ମଦ ବିରୋଧରେ ଟିପ୍ପଣୀ ନେଇ ବିବାଦୀୟ ହୋଇପଡିଛନ୍ତି l ଏପରିକି ବିଜେପି ମୁଖପାତ୍ର ପଦରୁ ତାଙ୍କର ନିଲମ୍ବନ ଏବଂ ଉପସାଗରୀୟ ରାଷ୍ଟ୍ର ତରଫରୁ ତାଙ୍କୁ ତୀବ୍ର ବିରୋଧ କରାଯାଉଛି l ୧୬ ଟି ରାଷ୍ଟ୍ରକୁ ବ୍ୟାପିଥିବା ଏହି ପ୍ରତିବାଦରେ ସ୍ୱରକୁ କମାଇବା ପାଇଁ ଭାରତ ସରକାର ସବୁ ପ୍ରକାର ଚେଷ୍ଟା ଜାରୀ ରଖିଛନ୍ତି l ଇରାକ, ଇରାନ, କୁଏତ, କତାର, ସାଉଦି ଆରବ, ଓମାନ, ୟୁଏଇ, ଜୋର୍ଡ଼lନ, ଆଫଗାନିସ୍ଥାନ, ପାକିସ୍ଥାନ, ବାହାରିନ, ମାଲଦ୍ବୀପ, ଲିବିୟା, ତୁର୍କୀ, ଇଣ୍ଡୋନେସିଆ ଏବଂ ମାଲେସିୟା ଆଦି ରାଷ୍ଟ୍ର ଭାରତ ବିରୋଧରେ ପ୍ରତିବାଦ କରିଛନ୍ତି l ନୂପୁର ଶର୍ମାଙ୍କୁ ଆତଙ୍କବାଦୀ ଗୋଷ୍ଠୀ ଆତ୍ମାଘାତୀ ଆକ୍ରମଣ ଧମକ ଦେଇଛନ୍ତି l ଦିଲ୍ଲୀ, ବମ୍ବେ, ଗୁଜରାଟ, ଉତ୍ତର ପ୍ରଦେଶରେ ଆକ୍ରମଣର ମଧ୍ୟ ସୂଚନା ମିଳିଛି l

ଏହିସବୁ ବାଦବିବାଦ ପଛର ମୂଳ କାରଣ ହେଉଛି ଧାର୍ମିକ ଅସହନଶୀଳତା l ଜଣେ ଅନ୍ୟ ଧର୍ମ ପ୍ରତି ଅସମ୍ମାନ କରିବା ବା ଅନ୍ୟର ଧର୍ମ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ ବିଷୟ l ଇଂରାଜୀ ଲେଖକ ରବର୍ଟ ଗ୍ରୀନଙ୍କ ମତ ଅନୁସାରେ ” ସହନଶୀଳତା ” ଶବ୍ଦର ଅର୍ଥ ହେଉଛି, ‘ ପ୍ରତିଟି ଅଧିକାର ଯାହା ଜଣେ ନିଜ ପାଇଁ ଆବଶ୍ୟକ ମନେ କରିଥାଏ, ତାହା ଅନ୍ୟ ସମସ୍ତଙ୍କୁ ମଧ୍ୟ ମିଳିବା ଉଚିତ l ‘ ମହର୍ଷି ଦୟାନନ୍ଦ ମଧ୍ୟ ଏହାକୁ ସମର୍ଥନ ଜଣାଇ କହିଛନ୍ତି ଯେ, ପ୍ରତ୍ୟେକ ଧର୍ମ ପ୍ରତି ସହନଶୀଳତା ପ୍ରଦର୍ଶନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ l ନିଜ ଧର୍ମ ଭଳି ଅନ୍ୟର ଧର୍ମକୁ ସମ୍ମାନ ଓ ମର୍ଯ୍ୟାଦା ଦେବା ଏବଂ ଉକ୍ତ ଧର୍ମ ପାଳନ କରିବାକୁ ସ୍ୱାଧୀନତା ଦେବା ହିଁ ଧର୍ମୀୟ ସହନଶୀଳତା l

ମଣିଷର ସବୁଠାରୁ ବଡ଼ ଦୁର୍ବଳତା ହେଉଛି, ସେ ସବୁବେଳେ ନିଜ ଧର୍ମକୁ ମହାନ ଓ ଶ୍ରେଷ୍ଠ ଭାବୁଥିବା ବେଳେ ଅନ୍ୟର ଧର୍ମକୁ ତୁଚ୍ଛ ମନେକରେ l ଅନ୍ୟ ଧର୍ମକୁ ସମ୍ମାନ ନ ଦେଖାଇବା, ସେଥିରେ ଦୋଷତ୍ରୁଟି ଖୋଜି ଟିପ୍ପଣୀ କରି ଅନୁସରଣକାରୀ ଙ୍କୁ ଆଘାତ ପହଞ୍ଚେଇବା ହେଉଛି ଧର୍ମୀୟ ସହନଶୀଳତା ପଥରେ ଅନ୍ତରାୟ l ଏହାର ଫଳସ୍ୱରୂପ ଧର୍ମକୁ ନେଇ ସଙ୍ଘର୍ଷ ଉପୁଜେ l ‘ ଧର୍ମ ‘ ମନୁଷ୍ୟ ଭିତରେ ମାନବଧର୍ମ ପାଳନ କରିବା ଶିଖାଏ, ମାତ୍ର ଏଥିରେ ଘୋର ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି l ଯାହା ଅଶାନ୍ତି, ବିଦ୍ବେଷ ର ରୂପ ନେଉଛି l ଭାରତରେ ଧାର୍ମିକ ସହନଶୀଳତା ଏବଂ ଧାର୍ମିକ ବିବିଧତା ଉଭୟକୁ ସମାଜ ଓ ଆଇନ ଦ୍ୱାରା ସ୍ୱୀକୃତି ମିଳିଛି l ବିଶ୍ୱର ଚାରୋଟି ମୁଖ୍ୟ ଧାର୍ମିକ ପରମ୍ପରା ହିନ୍ଦୁ, ଜୈନ, ବୌଦ୍ଧ ଏବଂ ଶିଖ ଧର୍ମର ଉତ୍ପତ୍ତି ସ୍ଥଳ ହେଉଛି ଭାରତ l ଏଣୁ ଅନ୍ୟ ସବୁ ଦେଶ ତୁଳନାରେ ଭାରତବର୍ଷର ବୈଶିଷ୍ଟ୍ୟ ରହିଛି l

ଧର୍ମ ମନୁଷ୍ୟକୁ ପରସ୍ପର ସହିତ ବାନ୍ଧିବା ଶିଖାଏ l ସମାଜରେ ଶାନ୍ତି, ପ୍ରେମ, ଭାତୃଭାବ, ସେବା, ଉପକାର ଆଦି ଭାବନା ଗୁଡ଼ିକର ବୃଦ୍ଧି ଧର୍ମ ଦ୍ୱାରା ସମ୍ଭବ l ଭାରତବାସୀ ପରସ୍ପର ଧର୍ମକୁ ଆଦର ଓ ସମ୍ମାନ ଜଣାନ୍ତି, ମାତ୍ର ଅତ୍ୟନ୍ତ ଦୁଃଖର ବିଷୟ ଯେ ଘୃଣା, ଅବିଶ୍ୱାସ ର ପରିବେଶ ଭିତରେ ମାନବତା ବିରୋଧୀ ଶକ୍ତି ଗୁଡ଼ିକର କ୍ଷମତା କ୍ରମେ ବଢ଼ିବାରେ ଲାଗିଛି l ଏବେ ପ୍ରଶ୍ନ ଉଠେ, ଧାର୍ମିକ ସହନଶୀଳତା ସ୍ଥାପନାର ଆବଶ୍ୟକତା କଣ ? ଏହାଦ୍ୱାରା ଆମର କଣ ଉପକାର ସାଧିତ ହୋଇପାରିବ ? ଉତ୍ତରରେ କୁହାଯାଇ ପାରେ ଯେ,
▪️ଅଧିକାର ଓ କର୍ତ୍ତବ୍ୟ ଉପରେ ବିଜୟ
▪️ଦେଶର ସମ୍ପତ୍ତିର ସୁରକ୍ଷା
▪️ଭାରତୀୟ ସମ୍ବିଧାନର ପ୍ରତିଷ୍ଠା
▪️ସମାଜ ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା

ଧାର୍ମିକ ସହନଶୀଳତା ବିଷୟକୁ ବ୍ୟାପକ କରିବା ପାଇଁ ଆମ ଆଗାମୀ ପିଢିଙ୍କୁ ଏ ବିଷୟରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି l ପିଲାଦିନୁ ଦୟା ଓ ସହିଷ୍ଣୁତା ଭଳି ଆଚରଣ ବିଷୟରେ ଅବଗତ କରିବାକୁ ହେବ l ପ୍ରାଥମିକ ସ୍ତରରେ ଶ୍ରେଷ୍ଠ ସଂସ୍କାର ପାଇଲେ ଦେଶର ଉତ୍ତମ ନାଗରିକ ହେବେ l ସେମାନଙ୍କୁ ଏଭଳି ସଂସ୍କାର ଦିଆଯିବା ଉଚିତ, ଯେମିତି ସେମାନେ ସବୁ ଧର୍ମକୁ ସମ୍ମାନ ଜଣେଇବେ l ଶିକ୍ଷକ/ ଶିକ୍ଷୟିତ୍ରୀ ଠାରୁ ଆରମ୍ଭ କରି ଅଭିଭାବକ ମାନଙ୍କର ଦାୟିତ୍ୱ ରହିବା ଉଚିତ ଯେ ସେମାନେ ପିଲାଙ୍କୁ ସଂସ୍କାର ଦେବେ l ବିଦ୍ୟାଳୟରେ ପିଲାମାନେ ଜାଣନ୍ତି ଯେ ଆଗକୁ କେଉଁ ପର୍ବପର୍ବାଣୀ ଆସୁଛି ଏବଂ ସେଗୁଡିକର ମହତ୍ତ୍ୱ କଣ ଓ କିପରି ପାଳନ କରାଯାଏ l ସେ ହିନ୍ଦୁ ମାନଙ୍କର ପର୍ବ ହେଉ ବା ଅନ୍ୟ କୌଣସି ଧର୍ମର, ସବୁଧର୍ମର ପାର୍ବପର୍ବାଣୀ ବିଷୟରେ ଧାରଣା ରହିଲେ ସେମାନେ ଏହାକୁ ଆଦର କରିବେ l ନିଜ ଧର୍ମ ସହ ଅନ୍ୟ ଧର୍ମର ବାର୍ତ୍ତା ପିଲାଙ୍କୁ ଏକ ସକାରାତ୍ମକ ଦିଗରେ ଭାବିବାକୁ ଆଗ୍ରହୀ କରିବ l ସର୍ବୋପରି ସେମାନଙ୍କୁ ଏହି ଶିକ୍ଷା ହେବାକୁ ହେବ ଯେ, ସବୁ ଧର୍ମ ପରସ୍ପର ଅନୁପୂରକ l

ନିଜ ଧର୍ମ ସହିତ ଅନ୍ୟ ଧର୍ମର ସମ୍ମାନ ନୂଆପିଢ଼ିଙ୍କ ଭିତରେ ଉତ୍ତମ ସଂସ୍କାର ବିକଶିତ କରିବା ଶିଖେଇବ l କାରଣ ଧର୍ମର ମୂଳ ଆଧାର ହେଉଛି ସଂସ୍କାର l ପିଲାଙ୍କ ଜୀବନରେ ଧାର୍ମିକ ସହନଶୀଳତାର ଅନେକ ମହତ୍ତ୍ୱ ରହିଛି l ଏମାନେ ହିଁ ଭବିଷ୍ୟତରେ ଦେଶର ନାଗରିକ ସାଜିବେ l ଦେଶକୁ ଏକ ନୂଆ ଦିଗରେ ଆଗେଇ ନେବାର ଭାର ସେମାନଙ୍କ କାନ୍ଧରେ l ଅନ୍ୟ ଧର୍ମକୁ ଭଲ ନ ପାଇଲେ, ସେ ଧର୍ମ ସହିତ ଜଡ଼ିତ ଲୋକଙ୍କୁ ଭଲ ପାଇବା ସମ୍ଭବ ହେବ ନାହିଁ l

ଧାର୍ମିକ ସହନଶୀଳତା, ଏହି ଶିକ୍ଷା ପ୍ରଥମେ ଘରୁ ଆରମ୍ଭ ହେବା ଆବଶ୍ୟକ l ଘରେ ପରିବାର ଜନଙ୍କ କଥାବାର୍ତ୍ତା, ବ୍ୟବହାର, ଅନ୍ୟ ଧର୍ମ ପ୍ରତି ଆଦର ଓ ସମ୍ମାନରୁ ପିଲା ଶିଖିବେ, ଯଦି ଏହା ପରିବାର କିମ୍ବା ଘରେ ନାହିଁ, ତେବେ ପିଲାଙ୍କ ଭିତରେ ଏ ଗୁଣ ବିକାଶ ପାଇବା ସମ୍ଭବ ହେବ ନାହିଁ l

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸
ଫୋନ – 6370516478
ଭୁବନେଶ୍ୱର

Leave A Reply

Your email address will not be published.

11 − 1 =