ପ୍ରକୃତି ପୂଜା ଓ ରଜ ପର୍ବ

0 163

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ

Shovan Kar

ରଜ ଓଡ଼ିଶାର ଏକ ପାରମ୍ପରିକ ପର୍ବ, ଯାହା ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ବହୁ ଧୂମଧାମ୍ ରେ ପାଳନ କରାଯାଏ l ପରମ୍ପରା ଓ ବିଶ୍ୱାସ ଅନୁଯାୟୀ ବସୁମତୀ ଏହି ତିନି ଦିନ ରଜସ୍ଵଳା ବା ୠତୁମତୀ ହୁଅନ୍ତି l ବସୁମତୀ ବା ପୃଥିବୀ ମାତା ରଜସ୍ୱଳା ହେବାର ଅର୍ଥ ନୂଆ ଶସ୍ୟ ଅଙ୍କୁରିତ ହେବାର ପ୍ରତୀକ ବହନ କରେ l ଉକ୍ତ ତିନି ଦିନ ପାଇଁ କୃଷକମାନେ ହଳ ଲଙ୍ଗଳ ପୂଜା କରି କୃଷକାର୍ଯ୍ୟରୁ ଅବ୍ୟାହତି ନେଇ ବସୁମତୀ ମାତାଙ୍କୁ ବିଶ୍ରାମ ଦିଅନ୍ତି l ବସୁମତୀ ନିଜେ ରଜସ୍ରାବିତ ହୋଇ ନିଜ ସନ୍ତାନ ମାନଙ୍କ ପାଇଁ ଶସ୍ୟ ଉତ୍ପାଦନ କ୍ଷମତା ବୃଦ୍ଧି କରେ l ସେଇ ବିଶେଷ ଗୁଣ କୁ ସମ୍ମାନ ଦେବାକୁ ଯାଇ ତାର ଉପାସନା ବିଧେୟ l ତେଣୁ ଏହାକୁ ଏକ କୃଷିଭିତ୍ତିକ ପର୍ବ ଭାବରେ ଗ୍ରହଣ କରାଯାଏ l

ରଜ ମହୋତ୍ସବ ଅବସରରେ ଅଗଣିତ ଓଡ଼ିଶାବାସୀ ଆମ ଓଡ଼ିଆ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସ୍ୱାଭିମାନରେ ଭାବାତ୍ମକ ଏକତାରେ ଉଲ୍ଲସିତ ହୁଅନ୍ତି l ଏହି ପର୍ବ ଆମକୁ ମାଟିରେ ଜଡ଼ିତ ହେବାକୁ ଶିଖାଏ l ଏଇ ମାଟିର ବକ୍ଷରେ ମହାନ ମାନବ ସମାଜର ଜୀବନ ପ୍ରତିଷ୍ଠା ହୋଇଛି l ମାନବର ବଞ୍ଚିରହିବାର ସବୁଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଖାଦ୍ୟ ପାଇଁ ସେ ସଦା ମାଟି ଉପରେ ହିଁ ନିର୍ଭରଶୀଳ l ତେଣୁ ମାଟି ମାଆ କୁ ସମ୍ମାନ ଦେବା, ତାର ଉପାସନା କରିବା ସମଗ୍ର ମାନବ ଜାତିର କର୍ତ୍ତବ୍ୟ l ଆମ ରାଜ୍ୟରେ ପାଳନ କରାଯାଉଥିବା ରଜପର୍ବ ପ୍ରକୃତି ପୂଜାକୁ ପ୍ରାଧାନ୍ୟ ଦିଏ l ଫସଲ ଉତ୍ପାଦନ ଭଳି ଗୁରୁତ୍ୱପୂର୍ଣ୍ଣ କୃଷି ପର୍ବର ଆରମ୍ଭରୁ ମାଟିକୁ ସମ୍ପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ସୃଷ୍ଟି l

ଜ୍ୟେଷ୍ଠ ମାସର ଶେଷ ଦିନ ଏବଂ ଆଷାଢ଼ ମାସର ପ୍ରଥମ ଦୁଇ ଦିନ, ଏହିଭଳି ମୋଟ ତିନିଦିନ ଓଡ଼ିଶାର ଘରେ ଘରେ ରଜପର୍ବ ପାଳିତ ହୁଏ l ପ୍ରଥମ ଦିବସକୁ ପହିଲି ରଜ, ଦ୍ଵିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିବସକୁ ଭୂମିଦାହ ନାମରେ ନାମିତ କରାଯାଏ l ରଜର ଚତୁର୍ଥ ଦିନକୁ କୁହାଯାଏ ବସୁମତୀ ସ୍ନାନ l ଏହି ଦିନ ଠାକୁରାଣୀଙ୍କୁ ସ୍ନାନ କରାଯାଏ l କାଠପିଢା ଉପରେ ଶିଳପୁଆ, ଲଙ୍ଗଳ ଲୁହା ରଖି ସେଥିରେ ପାଣି ଢ଼ାଳି, ଭୋଗ ରାଗ ସହ ବସୁମତୀ ସ୍ନାନ କରାଯାଏ l ଏହା ଦ୍ୱାରା ଧରଣୀ ରାଣୀ ପବିତ୍ର ଓ ଉତ୍ପାଦନକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ l ଶ୍ରୀମନ୍ଦିରରେ ଅବସ୍ଥିତ ଭୁଦେବୀ ବା ମାଟି ଦେବୀଙ୍କୁ ମଧ୍ୟ ରୀତିନୀତି ସହ ରଜପର୍ବ ପାଳନ କରାଯାଏ l ଏହି ପର୍ବ ମାତୃଶକ୍ତି ଉପାସନା ପାଇଁ ଉଦ୍ଧିଷ୍ଟ ଥିବାରୁ ବାଙ୍କିରେ ଚର୍ଚ୍ଚିକା, ଯାଜପୁରରେ ବିରଜା, ଝଙ୍କଡ଼ ରେ ସାରଳା ଘଟଗାଁ ରେ ତାରିଣୀ ଆଦିଙ୍କୁ ପୂଜା କରାଯାଏ l

ଦେଖିବାକୁ ଗଲେ ରଜପର୍ବ ହେଉଛି ଉଭୟ ନାରୀ ଏବଂ ପ୍ରକୃତିକୁ ସମ୍ମାନ ଏବଂ ମର୍ଯ୍ୟାଦା ଜଣାଉଥିବା, ଦୁହିଁଙ୍କୁ ଏକାକାର କରାଉଥିବା ଏକ ପ୍ରାଚୀନ ପରମ୍ପରା l ଯାହାକୁ ଆମ ପୂର୍ବପୁରୁଷ ମାନେ ନାରୀ ଓ ପ୍ରକୃତିର ସୁରକ୍ଷା ପାଇଁ ସୃଷ୍ଟି କରି ଯାଇଛନ୍ତି l ବିଶ୍ୱାସ କରଯାଏ ଯେ ପ୍ରକୃତି ହେଉ କି ନାରୀ ଉଭୟେ ଅତୀତରୁ ପୁରୁଷ ମାନଙ୍କ ଦ୍ୱାରା ନିଷ୍ପେସିତ ଏବଂ ଅସୁରକ୍ଷିତ ; ତେଣୁ ଉଚିତ ସମ୍ମାନ ପ୍ରଦର୍ଶନ ଏବଂ ଉପାସନା ଦ୍ୱାରା ହିଁ ସେମାନଙ୍କ ସଂରକ୍ଷଣ ଓ ସୁରକ୍ଷା ସମ୍ଭବପର l ରଜ ନାରୀ ଓ ପ୍ରକୃତି ଭିତରେ ଥିବା ପାରମ୍ପରିକ,ଧାର୍ମିକ, ସାହିତ୍ୟିକ ସମ୍ପର୍କ କୁ ସମାନତାର ସହିତ ବହନ କରେ l ପୃଥିବୀରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଯେତେ ଉନ୍ନତି ଓ ସମୃଦ୍ଧି ଆଣିଲେ ସୁଦ୍ଧା ପ୍ରକୃତି ଓ ନାରୀଙ୍କ ଅବଦାନ ବିନା ଏହା କେବେ ହେଲେ ସଫଳ ହେବ ନାହିଁ l

ବିଶ୍ୱ ପ୍ରଗତି ପଥରେ ଯେତେ ଆଗେଇ ଚାଲିଛି, ପ୍ରକୃତିକୁ ସେତିକି କ୍ଷତି ପହଞ୍ଚେଇ ଚାଲିଛି l ନୂତନତା ଏବଂ ଆଧୁନିକତା ବଶବର୍ତ୍ତୀ ହୋଇ ପରିବେଶ ପ୍ରଦୂଷଣ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ନଷ୍ଟ କରିଚାଲିଛି l ଅପରପକ୍ଷେ ଶିକ୍ଷିତ, ଆତ୍ମନିର୍ଭରଶୀଳ ହୋଇ ମଧ୍ୟ ନାରୀ ଏବେ ବି ନିର୍ଯ୍ୟାତିତ ଓ ଶୋଷିତ ହେଉଛି l ଯାହାର ପରିଣାମ ଏବେ ପରିବେଶ ରେ ଦେଖାଯାଉଛି ଘୋର ପରିବର୍ତ୍ତନ ଏବଂ ସମାଜ ରେ ଦେଖାଯାଉଛି ବିକୃତ ଉତଶୃଙ୍ଖଳା l ଏହି ଗଣପର୍ବ ରଜ ଉଭୟ ପ୍ରକୃତି ଓ ନାରୀକୁ ସମ୍ମାନ ଦେବାର ବାର୍ତ୍ତା ବହନ କରୁଛି l ଏହା ସୂଚେଇ ଦେଉଛି ଯେ ଶିଳ୍ପାୟନର ଆଳରେ ପ୍ରକୃତି ମାତାକୁ କ୍ଷତି ପହଞ୍ଚେଇବାରୁ ରକ୍ଷା କରିବା ଯେତେ ଆବଶ୍ୟକ, ନାରୀକୁ ଯଥେଷ୍ଟ ସମ୍ମାନ ଏବଂ ଉଚିତ ବ୍ୟବହାର ଦେଖେଇବା ସେତିକି ଜରୁରୀ l ତେଣୁ ଉଭୟଙ୍କୁ ସୁରକ୍ଷା ପ୍ରଦାନ କରିବା, ସେମାନଙ୍କୁ ଆରାଧନା କରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେଉ, ଏହାହିଁ ତିନିଦିନ ବ୍ୟାପି ରଜ ମହୋତ୍ସବ ପାଳନ ପଛର ପ୍ରକୃତ ଉଦ୍ଦେଶ୍ୟ l

ପ୍ରାଚୀନ କାଳରୁ ଓଡିଶାର ପର୍ବପର୍ବାଣୀ, ପରମ୍ପରା, ସଂସ୍କୃତି ଅନ୍ୟ ରାଜ୍ୟ ତଥା ଦେଶ ଓ ବିଦେଶରେ ଲୋକଙ୍କୁ ଆକର୍ଷିତ କରିଛି l ଆମ ମହାନ ପରମ୍ପରାକୁ ଅନୁସରଣ କରିବାକୁ, ଆମ ଠାରୁ ଶିକ୍ଷା ନେବାକୁ ସମସ୍ତେ ତତ୍ପର l ତେଣୁ ଆମେ ନିରବଛିନ୍ନ ଭାବରେ ସବୁ ପର୍ବକୁ ପାଳନ କରିଆସୁଛେ l ଯଦିଓ ରଜପର୍ବରେ ଆଧୁନିକତାର ପ୍ରବେଶ ଘଟିଛି, ଏହା ତାର ମୌଳିକତା ହରାଇ ନାହିଁ l ଭବିଷ୍ୟତରେ ଏହାକୁ ବିଶ୍ୱ ଦରବାରରେ ଶ୍ରେଷ୍ଠ କରି ରଖିବାର ଦାୟିତ୍ୱ ନିଶ୍ଚିତ ଭାବରେ ଆମ ଓଡ଼ିଆଙ୍କର l ତେଣୁ ରଜପର୍ବକୁ ପ୍ରାଚୀନ ରୀତିନୀତିରେ ପାଳନ କରି ଆମେ ଆମ ଉତ୍କଳୀୟ ପରମ୍ପରାର ପରାକାଷ୍ଠା କୁ ବଜାୟ ରଖିବାକୁ ଚେଷ୍ଟା କରିବା l ପ୍ରକୃତିର ଉପାସନା ସହିତ ନାରୀକୁ ଉଚିତ ସମ୍ମାନ ଦେବାର ବାର୍ତ୍ତା ବହନ କରୁଥିବା ଏହି ଗଣପର୍ବ ରଜକୁ ସବୁଦିନ ପାଇଁ ଏମିତି ନିଜ ଭିତରେ ଜୀବିତ ରଖିବାକୁ ଚେଷ୍ଟିତ ରହିବା l

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸
ଫୋନ – 6370516478

Leave A Reply

Your email address will not be published.

five × two =