ବିଜୟ ନାୟକ ହେବେ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ

0 709


ନୂଆଦିଲ୍ଲୀ: ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ, ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ପ୍ରଶାସକ ବିଜୟ ନାୟକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ପ୍ରେସ ସଚିବ ଭାବେ ନିଯୁକ୍ତି ପାଇବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଆସନ୍ତାକାଲି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାଯାଇଛି । ଶ୍ରୀଯୁକ୍ତ ନାୟକ ଜଣେ ଉତ୍ତମ ପ୍ରଶାସକ ହୋଇଥିବା ବେଳେ ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ବେଶ୍‌ ସୁନାମ ରହିଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଭାବରେ ସେ ବେଶ୍‌ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ଏଥିସହିତ ବ୍ୟକ୍ତିଗତ ଭାବେ ସେ ‘କାହାଣୀ’ ପତ୍ରିକାର ପ୍ରକାଶନ ସହ ଏହାର ସମ୍ପାଦକ ଦାୟିତ୍ୱ ଦୀର୍ଘ ଦିନ ଧରି ତୁଲାଇ ଆସୁଛନ୍ତି । ଅନେକ ପୁସ୍ତକର ସ୍ରଷ୍ଟା ଶ୍ରୀ ନାୟକଙ୍କର ନିକଟରେ ‘ଶ୍ରେଷ୍ଠ ଷାଠିଏ’ ପୁସ୍ତକ ପ୍ରକାଶ ପାଇଛି ।

ସାହିତ୍ୟ ଏକାଡେମୀର ସଚିବ ଦାୟିତ୍ୱ ସୁଚାରୂ ରୂପେ ନିର୍ବାହ କରିବା ପରେ ଶ୍ରୀ ନାୟକ ସ୍ୱାସ୍ଥ୍ୟ ବିଭାଗର କମିଶନର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛିନ୍ତି । ଜଣେ ଉତ୍ତମ ପ୍ରଶାସକ ଓ ବରିଷ୍ଠ ସାହିତ୍ୟିକ ଭାବେ ଜଣାଶୁଣା ଶ୍ରୀ ନାୟକଙ୍କ ଏହି ନିଯୁକ୍ତି ଖବରରେ ତାଙ୍କର ଜନ୍ମସ୍ଥାନ ଭଦ୍ରକ ଅଞ୍ଚଳ ତଥା ସମଗ୍ର ଓଡ଼ିଶାର ସାହିତ୍ୟିକ ମହଲରେ ବେଶ୍‌ ଆନନ୍ଦ ପ୍ରକାଶ ପାଇଛି ।

Leave A Reply

Your email address will not be published.

nineteen + seven =