‘ବିବିଧତା ହିଁ ଭାରତୀୟ ସାହିତ୍ୟ ଓ ସଂସ୍କୃତିର ସୌନ୍ଦର୍ଯ୍ୟ’- ପଦ୍ମଭୂଷଣ ଚନ୍ଦ୍ରଶେଖର କମ୍ବର

0 238

ବେଙ୍ଗାଲୁରୁରେ ଓଡ଼ିଶା ଉତ୍ସବ

ବେଙ୍ଗାଲୁରୁ, ୧୪ା୧୦: ବିବିଧତା ହିଁ ଭାରତୀୟ ସାହିତ୍ୟ ଓ ସଂସ୍କୃତିର ସୌନ୍ଦର୍ଯ୍ୟ ବୋଲି ଜ୍ଞାନପୀଠ ପୁରସ୍କାର ବିଜେତା, କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ପ୍ରଖ୍ୟାତ କନ୍ନଡ଼ ସାହିତ୍ୟିକ ପଦ୍ମଭୂଷଣ ଡଃ. ଚନ୍ଦ୍ରଶେଖର କମ୍ବର ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ “ଓଡ଼ିଶା ଉତ୍ସବ’ ଆୟୋଜନ ଅବକାଶରେ “ଓଡ଼ିଶା ସାହିତ୍ୟ ଏକାଡେମୀ’ ଦ୍ୱାରା ଆୟୋଜିତ ସାରସ୍ୱତ ସମାରୋହରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଡଃ. କମ୍ବର କହିଥିଲେ ଯେ, “କୋଣାର୍କ ମନ୍ଦିର’ ଓ “ଶ୍ରୀଜଗନ୍ନାଥ’ ବିଶ୍ୱରେ ଓଡ଼ିଶାର ପରିଚୟ ହୋଇଥିଲେ ବି ଓଡ଼ିଶାର ଆହୁରି ବହୁ ପରିଚୟ ରହିଛି । ଓଡ଼ିଶାର ଲୋକ ସାହିତ୍ୟ ଓ ବିଶେଷ କରି କବି ଜୟଦେବଙ୍କ ରଚିତ “ଶ୍ରୀଗୀତଗୋବିନ୍ଦ’ର ସମାନ୍ତରାଳ କୃତି କେବଳ ଭାରତ ବର୍ଷରେ ନୁହେଁ, ସମଗ୍ର ବିଶ୍ୱରେ ବିରଳ ।
ବେଙ୍ଗାଲୁରୁ “ରବୀନ୍ଦ୍ର କଳାକ୍ଷେତ୍ର’ ପ୍ରେକ୍ଷାଳୟରେ ଆଜି ପୂର୍ବାହ୍ଣ ୧୧ଟା ୩୦ ଘଟିକାରେ ଅନୁଷ୍ଠିତ ଏକାଡେମୀର ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେ ଯେ, ଓଡ଼ିଶା ସରକାରଙ୍କ ଦ୍ୱାରା ବେଙ୍ଗାଲୁରୁରେ ଆୟୋଜିତ “ଓଡ଼ିଶା ଉତ୍ସବ’ ଦ୍ୱାରା ଦୁଇ ରାଜ୍ୟର ସାହିତ୍ୟିକ ଓ ସାଂସ୍କୃତିକ ସମ୍ବନ୍ଧ ଦୃଢ଼ୀଭୂତ ହୋଇପାରିବ । ଏହି ଅବକାଶରେ”ଓଡ଼ିଶା ସାହିତ୍ୟ ଏକାଡେମୀ’ ଓ “କର୍ଣ୍ଣାଟକ ସାହିତ୍ୟ ଏକାଡେମୀ’ ପକ୍ଷରୁ ପ୍ରକାଶିତ “କନ୍ନଡ଼ ଭକ୍ତି କବିତା’ ଓ “ଓଡ଼ିଆ ଭକ୍ତି କବିତା’ ପୁସ୍ତକ ଦ୍ୱୟକୁ ମଞ୍ଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ । ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ବିଶିଷ୍ଟ କନ୍ନଡ଼ ସାହିତ୍ୟିକ ପ୍ରଫେସର ଏଚ୍‌.ଏସ୍‌. ଶିବପ୍ରକାଶ, କର୍ଣ୍ଣାଟକ ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ବି.ଭି. ବସନ୍ତକୁମାର ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀ ପାଢ଼ୀ ତାଙ୍କର ବକ୍ତବ୍ୟରେ କନ୍ନଡ଼ ଓ ଓଡ଼ିଆ ଭାଷାକୁ ଯୋଡିବା ଦିଗରେ ଓଡ଼ିଶା ସାହିତ୍ୟ ଏକାଡେମୀର ଉଦ୍ୟମକୁ ପ୍ରଶଂସା କରିଥିଲେ । ନିର୍ଦ୍ଦେଶକ ଶ୍ରୀ ଦାସ ଏକାଡେମୀ ପକ୍ଷରୁ ଭବିଷ୍ୟତରେ ଏକାଧିକ ଭାରତୀୟ ଭାଷାର ସାହିତ୍ୟକୁ ନେଇ ଅଧିକରୁ ଅଧିକ କର୍ମଶାଳା ଆୟୋଜନ କରାଯିବାକୁ ଯୋଜନା ରହିଛି ବୋଲି କରିଥିଲେ ।
ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକ ପୌରୋହିତ୍ୟ କରିଥିଲେ ଓ ଉପସଭାପତି ଡକ୍ଟର ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏକାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବକାଶରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶତାଧିକ ପ୍ରବାସୀ ଓଡ଼ିଆ କବି ସ୍ୱରଚିତ କବିତା ପାଠ କରିଥିଲେ । କବି ଭଗବାନ ଜୟସିଂହ ଓ କବୟିତ୍ରୀ ମମତା ଦାଶ କବିତା ପାଠୋତ୍ସବରେ ଅତିଥି ଭାବେ ମଞ୍ଚ ଅଳକୃତ କରିଥିଲେ । ଡକ୍ଟର ଶ୍ରୀନିବାସ ଘଟୁଆରୀ ଓଡ଼ିଆରେ ଓ ରାମାୟା ସି.ଆର. କନ୍ନଡ଼ରେ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.

10 + nineteen =