ପ୍ରଜାପତି, କୂଅ, ସାର୍‌ ଓ ଅନ୍ୟମାନେ

0 336

ରଜତ ରଶ୍ମି ସ୍ୱାଇଁ

ଧାନ ବେଙ୍ଗେଳା ପଡ଼ି ସାରିଲା ପରେ ପବନର ଅନୁକୂଳ ଦିଗରେ ଧାନକୁ ଉଡ଼ାଇ ଧାନରୁ କୁଟାକାଠି ଅଲଗା କରିବାକୁ ଧାନ ଉଡ଼ା କୁହାଯାଏ । ସେଦିନ ଆମର ଧାନ ଉଡ଼ା ହେଉଥାଏ । କୂଅ ଉପରେ କୁଟା କାଠି ପଡ଼ିବାର ସମ୍ଭାବନା ଥିବାରୁ ଗୋଟିଏ ହେଁସ (ମଶିଣା) ଘୋଡ଼ା ହୋଇଥାଏ । ମୁଁ ଗୋଟିଏ ଡ଼ାଲା ଧରି ମୁଢ଼ି ଖାଉଥାଏ ଏବଂ ନାଚି ନାଚି ଗୀତ ବୋଲୁଥାଏ । ଆମ ଜେଜେ, ସାନ ଦାଦା ଓ ଅନ୍ୟମାନେ ସବୁ ଧାନ ଉଡ଼ାରେ ବ୍ୟସ୍ତ ଥାଆନ୍ତି । ମୋ ମଝିଆଁ ଦାଦା ତାଙ୍କ ଟାୱେଲ୍‌ରେ କିଛି ମୁଢ଼ି ଆଣି କୂଅ ଫନ୍ଦ ଉପରେ ବସି ଖାଇବାରେ ଲାଗିଲେ । ମୁଁ ମଧ୍ୟ ତାଙ୍କୁ ଦେଖି କୂଅ ଫନ୍ଦ ଉପରେ ବସିଗଲି ।
ଦାଦା କହିଲେ, ଆଜି ଚାହାଳିକି ଯିବୁନି କି? ପାଠଶାଠ ନ ପଢ଼ି ଏମିତି ବୁଲୁଥା, ପାଠ ନାଅାଁ ଶୁଣିଲେ ଜର ଧରିବ । ଏ ଗୋଡ଼ହାତ କ’ଣ ହେଇଛି, ଧୂଳିରେ ଗଡ଼ୁଥିଲୁ କିରେ? ଧୂଳିବାଲି ତ ତୋ ସାଙ୍ଗ । ଯେତେ କହିଲେ କ’ଣ ହେଉଛି । ଯା’ ଧୋଇହୋଇ ଆସିବୁ ।
ମୁଁ କହିଲି ମୁଁ ପଛରେ ଯିବି ।
ଏତିକି କହି ଦାଦା କୂଅ ଉପରୁ ଉଠି ଚାଲିଗଲେ । କିନ୍ତୁ ମୁଁ ବସି ଖାଉଥାଏ ଏବଂ ମନେ ମନେ ଦାଦାଙ୍କ କଥାକୁ ଅମାନ୍ୟ କରିଥିବାରୁ ଏକ ପ୍ରକାର ରୋମାଞ୍ଚିତ ହେଉଥାଏ ।
ଦାଦା କହିଥିବା ମୋର କାର୍ଯ୍ୟାବଳୀଗୁଡ଼ିକୁ ବିଶ୍ଲେଷଣ କରୁଥାଏ । ଭାବୁଥାଏ ଏହା ଛଡ଼ା ମୋର କ’ଣ କାମ ହୋଇପାରେ । ଏଗୁଡ଼ିକ ତ ମୋର ବର୍ତ୍ତମାନର ମୁଖ୍ୟକାର୍ଯ୍ୟ । ତା’ ଛଡ଼ା ମୁଁ ତ ଅନ୍ୟପିଲାମାନଙ୍କ ଭଳି ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହୁନି । ଏଇ ଯେମିତି କାହାର ପିଜୁଳି ଛଡେ଼ଇ ନେବା, କାହାର ଖେଳଣା ଯଥା:- ଷଡେ଼ଇ, ଗୋଟମା ଓ ଝୁଣୁକାର ଗାଡ଼ି, ଝୁମୁଝୁମ ବାଜା, ହୁଇସିଲ୍‌, ବଲ, ପିସ୍ତଲ ଛଡେ଼ଇ ନେବା । କାହାର ବାଲିରେ ତିଆରି ଘରକୁ ଭାଙ୍ଗିଦେବା ତଥା କାହାର ଚୁଟି ଟାଣି ଗାଲକୁ ଚୁମୁଟି ପିଠିକୁ ବିଧାଏ ଦେଇ ଘରକୁ ଦଉଡ଼ିବା । ଏସବୁ କାମ ତ ମୁଁ କରୁନି । ତା’ ହେଲେ ମୁଁ ଦୁଷ୍ଟ ପିଲା ହେଲେ କେମିତି!
ପିଲାମାନେ ତ ଧୂଳି ବାଲିରେ ଖେଳିବା । ସେମାନେ ଧୂଳିବାଲିରେ ଖେଳିବେନି ତ ଆଉ କେଉଁଥିରେ ଖେଳିବେ? ତା’ ଛଡ଼ା ଧୂଳିବାଲି ମୋତେ କେମିତି ଏକ ଅଜଣା ଆକର୍ଷଣରେ ତା’ ପାଖକୁ ଟାଣିନିଏ । ମୋତେ ଯେପରି ଏ ମାଟିର ବାସ୍ନ. ଏ ମାଟିର ରଙ୍ଗ, ଏ ମାଟିର ପ୍ରତିଟି ଧୂଳିକଣା ମୋତେ ଏକ ଅଜଣା ମୋତେ ଏକ ଅଜଣା ପୁଲକରେ ମୋହଚ୍ଛନ୍ନ କରିଦେଇଛି । ଧୂଳି ଧୂସରିତ ମୋ ଦେହ ଦେଖି ମୋ ମା’ ବିରକ୍ତ ହେଉଥିଲା ବେଳେ ମୁଁ କିନ୍ତୁ କାହିଁକି ଭାରି ଖୁସି ହୁଏ ।
ଆଉ ପାଠପଢ଼ା କଥା ମୁଁ ତ ଭଲ ପଢେ଼ । ଚହାଳିରେ ସାର୍‌ ଯାହା ପଚାରନ୍ତି, ସେ ସବୁର ଉତ୍ତର ଦିଏ । ଅବଶ୍ୟ ସବୁବେଳେ ନୁହେଁ । କିଛି ପ୍ରଶ୍ନର ଉତ୍ତର ବେଳେବେଳେ ଦେଇପାରେନା । ତା’ ଛଡ଼ା ଏମିତି କିଏ ଅଛି ଯିଏ ସବୁବେଳେ ସବୁକାମ ଠିକ୍‌ କରିପାରେ । ଅବଶ୍ୟ ଚାହାଳୀ ସାରଙ୍କ ଚିକ୍‌ ଚିକ୍‌ କରୁଥିବା ଲମ୍ବା ବେତର କଥା ଅଲଗା । ଯାହା ପିଠିରେ ଥରେ ସେ ବେତର ସ୍ପର୍ଶ ହୋଇଛି ବେତର କରାମତି ସେ ଜାଣିଛି ।
ସାରଙ୍କ ମାଡ଼ ବିଭିନ୍ନ ପ୍ରକାରର । ଶୀତଦିନେ ସାର୍‌ ସୁଇଟର, ସାର୍ଟ ଖୋଲି ଖାଲି ଦେହରେ ବେତର ସ୍ପର୍ଶ ଦିଅନ୍ତି । କାରଣ ସାରଙ୍କ ମାଡ଼ରୁ ରକ୍ଷା ପାଇବା ପାଇଁ ପିଲାମାନେ ଡ଼ବଲ ସାର୍ଟ, ହାପ ସ୍ୱେଟର ଓ ତା’ ଉପରେ ଫୁଲ ସ୍ୱେଟର ପିନ୍ଧି ଆସିଥାନ୍ତି । ଛାତ୍ରଛାତ୍ରୀଙ୍କ କୌଶଳପୂର୍ଣ୍ଣ କାର୍ଯ୍ୟକୁ ଜାଣିପାରି ସାର୍‌ ତା’ର ବ୍ୟବସ୍ଥା କରିଥାନ୍ତି । ପିଲାମାନେ ଡ଼ାଳେ ଡ଼ାଳେ ଗଲେ ସାର୍‌ ପତ୍ରେ ପତ୍ରେ ଯାଆନ୍ତି ।
ସାର୍‌ ଅବଶ୍ୟ ବିଭିନ୍ନ କୌତୁକିଆ ଦଣ୍ଡ ପ୍ରଦାନ କରନ୍ତି ବିଭିନ୍ନ ସମୟରେ । ଚାହାଳୀରେ ବସି ଘୁମଉଥିବା ପିଲାମାନଙ୍କୁ ସାର୍‌ ତାଙ୍କ ବେତଟି ଦେଇ ତାକୁ ବଙ୍କୁଲି ବାଡ଼ି ରୂପେ ଓ ତାଙ୍କ ଗାମୁଛାଟିକୁ ଠେକା ରୂପେ ବ୍ୟବହାର କରିବାକୁ କହି ସବୁ ପିଲାଙ୍କ ଚାରିପଟେ ବୁଢ଼ାଙ୍କ ଭଳି ନଇଁ ନଇଁ ଚାଲିବାକୁ ଆଦେଶ ଦିଅନ୍ତି । ଏ ପ୍ରକାର ବ୍ୟଙ୍ଗାତ୍ମକ ଦଣ୍ଡ ଚାହାଳିର ସବୁ ପିଲାଙ୍କ ମନରେ ହାସ୍ୟରୋଳ ସୃଷ୍ଟିିକରେ । ଏକ ହାସ୍ୟରସର ବାତାବରଣ ଚାହାଳିରେ ସୃଷ୍ଟିହୁଏ ।
ଆଉ କେତେବେଳେ ସାର୍‌ ତାଙ୍କ ଚଷମାଟିକୁ ଘୁମାଉଥିବା ପିଲାମାନଙ୍କ ଆଖିରେ ପିନ୍ଧେଇ ଦିଅନ୍ତି । ପୁଣି କେତେବେଳେ ତାଙ୍କ ଗାମୁଛାଟିକୁ ସାର ଘୁମନ୍ତ ପିଲାମାନଙ୍କ ଆଗରେ ଟାଣି ଧରନ୍ତି । କେତେବେଳେ ଅର୍ଦ୍ଧ ଶାୟିତ ପିଲାମାନଙ୍କର ନିଶଦାଢ଼ି କରିଦିଅନ୍ତି । ପିଲାମାନେ କିଛି ସମୟପରେ ଯେତେବେଳେ ଧଡ଼ପଡ଼ ହୋଇ ଉଠନ୍ତି ସେତେବେଳେ ନିଜର ଅବସ୍ଥା ଦେଖି ମନେ ମନେ ବହୁତ ଲଜ୍ଜିତ ହୋଇଥାନ୍ତି । ତା’ପରେ ବେତର ଦୁଇ ପ୍ରହାର ଗ୍ରହଣକରି ଦୋଷର ପ୍ରାୟଶ୍ଚିତ କରନ୍ତି । ଏ ଦଣ୍ଡ ଅବଶ୍ୟ ନିରୋଳା ବେତ ମାଡ଼ଠାରୁ ବହୁ ଗୁଣରେ ଶ୍ରେୟସ୍କର ବୋଲି ପିଲାମାନଙ୍କ ମତ ।
ତେଣୁ ମୁଁ ଯଦି ବେଳେ ବେଳେ ଘୁମେଇ ପକାଏ, ସେଥିରେ ଆଶ୍ଚର୍ଯ୍ୟ ହେବାରେ କ’ଣ ଅଛି । ଘୁମେଇବାଟା ତ ପିଲାମାନଙ୍କର ଜନ୍ମଗତ ଅଧିକାର । ଅବଶ୍ୟ ମୁଁ ଚାହାଳୀରେ ଘୁମେଇ ଦିଏ । ସେଥିପାଇଁ ସାର୍‌ଙ୍କ ଠାରୁ ଦଣ୍ଡ ପାଇବାର ହକଦାର ହୋଇଥାଏ । ଏଥିପାଇଁ ମୁଁ ନିଜକୁ ଦୋଷୀ ଭାବୁନି । ଏହା ବୋଲି ପରିବାର ଭିତରେ ମୁଁ ଏଥିପାଇଁ କଟୁକ୍ତି ଶୁଣିବି, ଏହା ମୋ ସ୍ୱାଭିମାନ ଉପରେ ଆଞ୍ଚ ଆଣୁଥିଲା ।
ମୋର ମନେ ପଡ଼ିଯାଉଛି, କେମିତି ସେଦିନ ଆମେ ଖେଳୁଥିଲୁ । ପ୍ରଜାପତି ପଛରେ ମୁଁ ଗୋଡ଼ାଉଥିଲି । ପ୍ରଜାପତିଟି ଉଡ଼ି ଉଡ଼ି ଚାଲିଥିଲା । ମୁଁ ତା’ର ପଛେ ପଛେ ଧାଉଁଥିଲି । ତାର ରଙ୍ଗୀନ ଡେ଼ଣାରେ ମାୟାରେ, ତାର ଇନ୍ଦ୍ରଜାଲରେ ବଶୀଭୂତ ଅନୁଗତଟି ପରି । ହଠାତ ସେ ଏକ ଫୁଲ ଉପରେ ବସିଗଲା ।
ମୁଁ ଆସ୍ତେ ଆସ୍ତେ ଯାଇ ତା’ ପଛରୁ ଡେ଼ଣା ଦୁଇଟିକୁ ମାଡ଼ି ବସିଲି । ସେ ମୋର ସଂପୂର୍ଣ୍ଣ କରାୟତ ହୋଇ ସାରିଲା ପରେ ତା’କୁ ଧରି ନେଇ ଆସିଲି ସାଙ୍ଗ ସାଥୀ ତଥା ମୋର ଅନୁଗୃହୀତ ସାଥୀ ମହଲକୁ । ସେମାନେ ପ୍ରଜାପତିଟିକୁ ପାଇବା ପାଇଁ ମୋତେ ଆଶାପୂର୍ଣ୍ଣ ଆଖିରେ ଚାହୁଁଥାନ୍ତି ।
ମୁଁ କିନ୍ତୁ ଦେବି ନାହିଁ ବୋଲି ନିଶ୍ଚିତ ଥାଏ । କେବଳ ଦେବି ବୋଲି ଆଶ୍ୱସନା ଦେଇଚାଲିଥାଏ । ମୁଁ ଦାତା ଓ ସେମାନେ ଦାନଗ୍ରହୀତାର ଖେଳ କିଛି ସମୟ ଚାଲିବା ପରେ ମୁଁ ଶେଷରେ ନାସ୍ତିବାଣୀ ଶୁଣାଇଦେଲି । ସେମାନେ ନିରାଶ ହେଲେ ।
ମୁଁ ପ୍ରଜାପତିଟିକୁ ନେଇ ଘରକୁ ଯାଉଥାଏ ବାଟରେ ସାର୍‌ ଦେଖାହେଲେ । ମୋ ହାତରେ ପ୍ରଜାପତିଟିକୁ ଦେଖି ପଚାରିଲେ “ଇରେ ତୋ ହାତରେ ସେଇଟା କ’ଣ ?” ମୁଁ କହିଲି, “ପ୍ରଜାପତି” । ସାର୍‌ କହିଲେ, “ଜାଣିନୁ ଜୀବହତ୍ୟା ମହାପାପ । ତା’ର ଜୀମନ ଯିବାକୁ ବସିଲାଣି । ତା’କୁ ଛାଡ଼ିଦେ । ଆକାଶରେ ଉଡ଼ିବାକୁ ଯିଏ ଭଲପାଏ, ତା’କୁ ତୁ ବନ୍ଦୀ କରି ରଖିଛୁ । ଏହା କ’ଣ ଭଲ କଥା । ତୋତେ ଯଦି କିଏ ମା’ ବାପାଙ୍କ ଠାରୁ ଅଲଗା କରି ଗୋଟିଏ ଘରେ ବନ୍ଦ କରିଦିଏ, ତା’ହେଲେ ତୋତେ କେମିତି ଲାଗିବ । ସେମିତି ଏହାର ଅବସ୍ଥା । ସେ ଉଡ଼ିଯାଉ ନୀଳ ଆକାଶରେ । ମୁକ୍ତିର ଆନନ୍ଦରେ । ପ୍ରଜାପତି ସିନା ଫୁଲ ଉପରେ ବସିଲେ ଭଲ ଲାଗେ । ତୋ ହାତରେ ବନ୍ଦୀ ଅବସ୍ଥାରେ କ’ଣ ଭଲ ଲାଗୁଛି । ଛାଡ଼ି ଦେ ତା’କୁ ।”
ମୁଁ ଛାଡ଼ିଦେଲି ପ୍ରଜାପତିକୁ । ଡେ଼ଣା ହଲାଇ ସେ ଉଡ଼ିଗଲା ମୋ ହାତରୁ ଖସି ନୀଳ ଆକାଶକୁ । ମୁଁ ତା’ର ଯିବାପଥକୁ ଦେଖୁଥିଲି । ଦେଖୁଥିଲି । ମୋର ଏତେ ପରିଶ୍ରମର ଫଳ ପାଣିରେ ପଡ଼ିଲା ବୋଲି ମନେ ମନେ ରାଗୁଥିଲି ସାର୍‌ଙ୍କ ଉପରେ ।
ଏମିତି ଭାବୁ ଭାବୁ କେତେବେଳେ ଡ଼ାଲାରୁ ମୁଢ଼ି ସରିଯାଇଥିଲା । ନିଜକୁ ଭାରି ଅଳସ ଲାଗୁଥିଲା । ଅଳସ ଭାବ କାଟିବାକୁ ଯାଇ ହେଁସ ଘୋଡ଼ା ହୋଇଥିବା କୂଅ ଉପରେ ଥରେ ଗଡ଼ି ଗଲି । ତା’ପରେ ଯାହା ହେବର କଥା । ସିଥା କୂଅ ଭିତରେ । ଭାଗ୍ୟ ଭଲ ହେଁସଟା ମୋ ଉପରେ ଘୋଡେ଼ଇ ହୋଇ ପଡ଼ି ନଥିଲା । ହେଁସଟା କୂଅର ପାଣି ଭିତାର ଅଧା ବୁଡ଼ିଥିଲା ଓ ଅଧା କୂଅରେ ଲାଗିଥିଲା । ମୁଁ ସେଇ ଅଧା ଖୋଲା ଥିବା କୂଅର ଅଂଶଟିରେ ଗୋଟିଏ ଫନ୍ଦକୁ ଧରି ପହଁରୁ ଥିଲି ଏବଂ ମା’ ମା’ ବୋଲି କାନ୍ଦୁଥିଲି ।
ସେତିକି ବେଳେ ସାନଦାଦା ସେଇ କୂଅ ବାଟେ ଧାନ ନେଇ ଗଲେ । କୂଅ ଭିତରୁ ମୋ କାନ୍ଦ ଶୁଣି କୂଅକୁ ଚାହିଁ ଦେଇ ବଡ଼ ପାଟିରେ କହିଲେ, “ବାପୁ କୂଅ ଭିତରେ ପଡ଼ି ଯାଇଛି । ଜେଜେ, ମଝିଅାଁ ବାପା ଓ ଗାଁର ଅନ୍ୟ ଲୋକମାନେ ଦଉଡ଼ି ଆସିଲେ ।
ମୋ ମା’ ଆମ ବାଡ଼ିରେ ଥିବା ପୋଖରୀକୁ ବାସନ ଧୋଇବାକୁ ଯାଇଥିଲେ । ତା’ଙ୍କୁ କେହି ଜଣେ କହିଦେଲା, ବାପୁ କୂଅରେ ପଡ଼ିଯାଇଛି । ସେ ବାସନ ସବୁ ଫୋପାଡ଼ି ଦେଇ କୂଅ ପାଖକୁ ଦଉଡ଼ି ଆସିଲେ ।
ସେତେବେଳକୁ ଗାଁର ଜଣେ ବ୍ୟକ୍ତି ଯିଏ ହିସାବରେ ମୋର ବଡ଼ ବାପା ହେବେ, କୂଅ ଭିତାରେ ପଶି ମୋତେ ଉପରକୁ ଟେକି ଆଣି ସାରିଥିଲେ ।
ମା’ ତାଙ୍କ ହାତରୁ ମୋତ ଝିଙ୍କି ନେଲେ । ଦେଢ଼ଶୁରଙ୍କୁ ନ ଛୁଇଁବାର ବାରଣ ସତ୍ତେ୍ୱ ତାଙ୍କୁ ଛୁଇଁ ମୋତେ ଭିଡ଼ି ନେଲେ ଏବଂ ‘ମୋ ପୁଅ…’ କହି କାନ୍ଦିବାରେ ଲାଗିଲେ । ପରେ ଅବଶ୍ୟ ଦେଢ଼ଶୁରଙ୍କୁ ଛୁଇଁ ଥିବାରୁ ସେ ଗାଧୋଇ ଥିଲେ ।
ମୋତେ ପାଖ ଡ଼ାକ୍ତରଖାନାକୁ ନିଆଗଲା । ସେଠି ଡ଼ାକ୍ତର କହିଲେ, “କିଛି ହୋଇନି ।” ପାଣି ପିଇ ଦେଇଥିବାରୁ କିଛି ଥଣ୍ଡା ଔଷଧ ଦେଇ ଘରକୁ ପଠାଇ ଦେଲେ ।
ମୁଁ ଆସିବା ବେଳକୁ ମା’ ଚେତାଶୂନ୍ୟ । ଗାଁର ଅନ୍ୟ ସ୍ତ୍ରୀ ଲୋକମାନେ ତାଙ୍କ ମୁହଁରେ ପାଣି ସିଞ୍ଚି ତାଙ୍କୁ ଚେତା କରାଉଥିଲେ । ମୋତେ ଦେଖି ମା’ ମୋତେ କୁଣ୍ଢାଇ ପକାଇଲେ ଓ କହିଲେ, “ମୋ ପୁଅର କେଡେ଼ ଗ୍ରହ କଟିଗଲା ।”

୨୦୦୫ ମସିହାରେ ପ୍ରକାଶିତ ମୋର ପ୍ରଥମ ଗଳ୍ପ ସଙ୍କଳନ ‘ପିଲାଦିନ’ରୁ ଗପଟିଏ…

Leave A Reply

Your email address will not be published.

16 + one =