ଆଈଙ୍କ ପାନଡ଼ାଲା

0 98

ରଜତ ରଶ୍ମି ସ୍ୱାଇଁ

Shovan Kar
ଆଈଙ୍କ କଥା ମନକୁ ଆସିଲେ ଆଖି ଆଗରେ ଭାସି ଉଠିବ, ଗୋରା ମଧ୍ୟମ ସ୍ୱାସ୍ଥ୍ୟ,ଚଷମା ବିଶିଷ୍ଟ ହସ ହସ ମୁହଁଟିଏ । ଆଈ କାହିଁକି ଅନ୍ୟମାନଙ୍କ ଠାରୁ ମତେ ଅଧିକ ଭଲପାଉଥିଲେ କହିପାରିବି ନାହିଁ । ବୋଧେ ମୁଁ ପୁରାଣ, ଧର୍ମ ବିଷୟରେ ଆଈଙ୍କ ସହ ଆଲୋଚନା କରୁଥିବାରୁ । ଆଈ ଥିଲେ ବାଙ୍କୀର ଜମିଦାର ତଥା ବିଶିଷ୍ଟ କବି ଲୋକନାଥ ମହାପାତ୍ରଙ୍କର ଏକମାତ୍ର ଅଲିଅଳୀ କନ୍ୟା । ଆଈଙ୍କର କଥାବାର୍ତ୍ତା ବ୍ୟବହାର, ଚାଲିଚଳନ ସବୁଥିରେ କେମିତି ଏକ ମାର୍ଜିତ, ଗାମ୍ଭୀର୍ଯ୍ୟ ଭାବ ଫୁଟି ଉଠୁଥିଲା । ଆଈଙ୍କ ବାପା ଲୋକନାଥ ମହାପାତ୍ର ଥିଲେ,  ବାଙ୍କୀ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ତଥା ସ୍ୱନାମଧନ୍ୟ କବି, ସମାଜ ସଂସ୍କାରକ ଓ ସ୍ୱାଧୀନତା ସଂଗ୍ରାମୀ । ତାଙ୍କର ପୁସ୍ତିକା, ‘ବାଙ୍କୀ ସବଡ଼ଭିଜନ ଦାବୀ’ ଫଳରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ବାଙ୍କୀକୁ ସବଡ଼ିଭିଜନ ମାନ୍ୟତା ମିଳିବାରେ ସାହାର୍ଯ୍ୟ କରିଥିଲା । ପ୍ରିଣ୍ଟିଂ ଟେକ୍‌ନୋଲଜିର ସୁବିଧା ନଥିଲାବେଳେ ସେ ‘ବିନ୍ଧାଛିଟିକା’ ନାମରେ ଏକ ବ୍ୟଙ୍ଗ ସପ୍ତାହିକ ପତ୍ରିକା ବାହାର କରୁଥିଲେ । ତେଣୁ ଏଭଳି ଜଣେ ବ୍ୟକ୍ତିଙ୍କ କନ୍ୟା ହିସାବରେ ଆଈ ମଧ୍ୟ କିଛି କମ୍‌ ନଥିଲେ ।
	ଯେତେବେଳେ ୧୯୮୨ ମସିହାରେ ବନ୍ୟା ହୋଇ ବାଙ୍କୀର ଅଧିିକାଂଶ ଅଂଚଳ ନିଶ୍ଚିନ୍ନ ହୋଇଯାଇଥିଲା, ମୁଁ ଠିକ୍‌ ତା’ର ପରେ ପରେ ଅଜାଙ୍କ ସାଙ୍ଗରେ ବାଙ୍କି ଯାଇଥିଲି । ଅଜା ଆମ ଘର ଜଗତ୍‌ସିଂହପୁରକୁ ଆସିଥିଲେ, ସେ ମୋତେ ତାଙ୍ଗ ସାଙ୍ଗରେ ନେଇଗଲେ । କହିଲେ, ସେଠି କେହି ନାହାନ୍ତି, ଭଲ ଲାଗୁନାହିଁ । ବହୁଦିନ ପରେ ଅଜା ଆସିଥିବାରୁ ମା’ ତାଙ୍କ କଥାକୁ କାଟିନପାରି ମୋତେ ପଠାଇଦେଲେ ତାଙ୍କ ବାପ ଘରକୁ । ଅବଶ୍ୟ ପରେ ମା’ଙ୍କର ଯିବାର କାର୍ଯ୍ୟକ୍ରମ ଥିଲା । ମୋର ବୋଧେ କୌଣସି ଛୁଟି ଥିଲା । ଦୋଳ ଛୁଟି । ଅଜାଙ୍କ ସାଙ୍ଗରେ ଯାଇ ବାଙ୍କୀରେ ପହଞ୍ଚିଲି । ମା’ଙ୍କୁ ଛାଡ଼ି ରହିବାର ଅଭ୍ୟାସ ମୋର ପିଲାବେଳୁ ହୋଇଯାଇଥିଲା । ସେତେବେଳେ ମୁଁ ତିନି ବର୍ଷ ବୟସରୁ ବାପାଙ୍କ ସାଙ୍ଗରେ ଯାଇ ଚୌଦ୍ୱାରରେ ରହୁଥିଲି, ବାପାଙ୍କର ସେଠାରେ ବ୍ୟବସାୟ ଥିବାରୁ, ମା’ ରହୁଥିଲେ ତାଙ୍କର ଚାକିରି ଜାଗାରେ । ଗାଉଁଲି ସ୍କୁଲରେ ମା’ଥିଲେ ଶିକ୍ଷୟିତ୍ରୀ  । ବାପା ଓ ଦାଦାଙ୍କ ସାଙ୍ଗରେ ମୁଁ ରହୁଥିଲି ଚୌଦ୍ୱାରରେ । ଏକ ଭଲ ସ୍କୁଲରେ ପଢ଼ୁଥିଲି । ତେଣୁ ସେତେବେଳେ  ମୋର ମା’ଙ୍କୁ ଛାଡ଼ି ରହିବାର ଅଭ୍ୟାସ ହୋଇଯାଇଥିଲା । କିନ୍ତୁ ମା’ଙ୍କ କଥା ପ୍ରତି ମୁହୂର୍ତ୍ତରେ ମୋର ମନେ ପଡ଼ୁଥିଲା ।
	ଅଜାଙ୍କ ସାଙ୍ଗରେ ଯାଇ ବାଙ୍କୀରେ ପହଞ୍ଚିଲାବେଳକୁ ଅପରାହ୍ନ । ଆଈ ବସିଥିଲା ଅଗଣାରେ ଏକ ଚଉକି ପକାଇ । ବନ୍ୟାରେ ପୁରୁଣା ଘରର ଅଧିକାଂଶ ଭାଗ ଭାଙ୍ଗି ଯାଇଥିଲା । ସେସବୁ ସ୍ଥାନରେ ନୂଆ  ଅଂଶ ତିଆରି ହେଉଥିଲା । ଘରର ନକ୍ସା ପୁରା ବଦଳି ଯାଇଥିଲା । ମୁଁ ଚିହ୍ନି ପାରୁନଥିଲି ମୋର ମାମୁଘରକୁ । ଆଈ ଆମକୁ ଦେଖି ଖୁସି ହୋଇଗଲେ । ମା’ଙ୍କୁ ଛାଡ଼ି ଆସିଥିବାର ଦୁଃଖ ଆଈଙ୍କୁ ଦେଖି କିଛି ପରିମାଣରେ ଦୂର ହୋଇଗଲା । ତା’ ପରଦିନ ଦେଖେ, ସକାଳୁ ଆଈ ନଈକୁ ଗାଧୋଇ ଯାଇ କିଛି ମାଟି ଆଣିଛନ୍ତି । ମୁଁ ପଚାରିଲି, “ଆଈ ମାଟି କ’ଣ ହେବ” । କହିଲେ, ତୋ ପାଇଁ ଏଥିରେ ହାଣ୍ଡି, କଡେ଼ଇ, ଚୁଲି କରିଦେବି, ତୁ ଖେଳିବୁ, ରାସ୍ତାକୁ ଯିବୁନି । ଯେହେତୁ ମାମୁଘରଟି ବାଙ୍କୀ ମୁଖ୍ୟ ରାସ୍ତା କଡ଼ରେ ଅବସ୍ଥିତ ଥିଲା, ତେଣୁ ଆଈ ସର୍ବଦା ମୋତେ ଦାଣ୍ଡକୁ ଯିବାକୁ ବାରଣ କରୁଥିଲେ । ମୁଁ କିନ୍ତୁ ମାଟିର ହାଣ୍ଡି ଚୁଲି, କଡେ଼ଇ କଥା ଶୁଣି ବହୁତ ଖୁସି ହୋଇଯାଇଥିଲି । ମୁଁ ସତରେ ସୁନା ପିଲା ଭଳି ଆଈଙ୍କ କଥା ମାନି ଦାଣ୍ଡକୁ ନଯାଇ ମାଟିର ହାଣ୍ଡି କଡେ଼ଇ ଚୁଲିରେ ଖେଳିବାକୁ ଲାଗିଲି ।
	ବାଙ୍କୀ ମହାନଦୀ କୂଳରେ ଅବସ୍ଥିତ । କେତେଥର ଆଈଙ୍କ ସାଙ୍ଗରେ ମହାନଦୀ କୂଳକୁ ଗାଧୋଇ ଯାଇଛି । ମହାନଦୀ ଅନେକଥର ଦୁଃଖର କାରଣ ହୋଇଛି ବାଙ୍କୀ ପାଇଁ । ୧୯୮୨ ମସିହା ବନ୍ୟା ପରେ ଉଚ୍ଚ ଶକ୍ତ ପଥରବନ୍ଧ ମଦାନଦୀର ଦାଉରୁ ବାଙ୍କୀକୁ ରକ୍ଷା କରିଛି । ମହାନଦୀ କୂଳର ଦୃଶ୍ୟ ଖୁବ୍‌ ମନୋହର । ନଈ ସେପଟେ ଉଚ୍ଚ ସବୁଜ ପାହାଡ଼ମାନ ନଈର ପାଣି ଲମ୍ବି ଯାଇଛି ଖୁବ୍‌ ଦୂରକୁ । ଗ୍ରୀଷ୍ମ ଋତୁରେ ବାଙ୍କୀର ଲୋକମାନେ ଦୁଇଥର ଗାଧାନ୍ତି । ମହାନଦୀର ପାଣିରେ, ସକାଳେ, ସନ୍ଧ୍ୟାରେ । ନଈପଠାରେ ସୂର୍ଯ୍ୟାସ୍ତର ଦୃଶ୍ୟ ଖୁବ୍‌ ଚମତ୍କାର । ନଈ ଧାରେ ଧାରେ କାଶତଣ୍ଡୀ ଫୁଲ ପବନର ତାଳେ ତାଳେ ଦୋଳି ଖେଳିବା ଦୃଶ୍ୟ ମାନକୁ ଭାବ ବିହ୍ୱଳିତ କରିଦିଏ । ନଈରେ ଗାଧୋଇବାକୁ ମତେ ଖୁବ୍‌ ଭଲଲାଗେ । ନଈର  ବିଶାଳ, ବିସ୍ତୃତ ଖୋଲା ପାଣିରେ ହୃଦୟଟା ଖୋଲିହୋଇଯାଇଥାଏ । ମନକୁ ଏକ ଶାନ୍ତି ମିଳେ । ଅବଶ୍ୟ କୂଳରେ ମୁଁ ଗାଧୋଇ ଥାଏ । ଟିକେ ଗଭୀରକୁ ଗଲେ ପ୍ରବଳ ସୁଅ । ତେଣୁ ଗାଧୋଇଲାବେଳେ ସାବଧାନ ହେବାକୁ ପଡେ଼ । ତା’ ଛଡ଼ା ଛୋଟ ଛୋଟ ପିଲାମାନଙ୍କୁ ଆଣି ଆସିଥିବା ଲୋକମାନେ ସେମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିଥାନ୍ତି ।
	ନଈକୂଳରେ ଥିବା ଏକ ବୃନ୍ଦାବତୀ ଚଉରା ମୂଳରେ ଆଈ ତାଙ୍କ ସାଥୀମାନେ କାର୍ତ୍ତିକ ମାସରେ ସବୁଦିନ ପୂଜା କରନ୍ତି । ଧୂପ ଦୀପ ଦେଇ ଭୋଗ କରନ୍ତି । ଭୋଗ ସବୁ ଛୋଟ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି । ଏମିତି ତ ପ୍ରତିଦିନ ଗାଧୋଇସାରି ଆସିଲାବେଳେ ଚଉରାରେ ପାଣିଦେଇ ମୁଣ୍ଡିଆ ମାରି ଆସନ୍ତି ।
	ବାଙ୍କୀ ଯାହାପାଇଁ ଚର୍ଚ୍ଚିତ, ସେ ହେଲେ ମା’ ଚର୍ଚ୍ଚିକା । ଚର୍ଚ୍ଚିକା ପୀଠ ହିସାବରେ ବିଖ୍ୟାତ ବାଙ୍କୀପାଇଁ ମା’ ଚର୍ଚ୍ଚିକା ହେଲେ ସବୁକିଛି । ପ୍ରତି କାର୍ଯ୍ୟରେ ମା’ ଚର୍ଚ୍ଚିକାଙ୍କୁ ସମରଣା ନକଲେ ବାଙ୍କୀବାସୀ କୌଣସି କାର୍ଯ୍ୟ ଅନୁକୂଳ କରନ୍ତି ନାହିଁ । ମା’ ଚର୍ଚ୍ଚିକାଙ୍କ ମନ୍ଦିର ପାହାଡ଼ ଉପରେ ଅବସ୍ଥିତ । ପାହାଡ଼ ଧାରରେ ବହିଯାଇଛି ରେଣୁକା ନଈ । ରେଣୁକାକୁ ନେଇ ଗୋଟିଏ କିମ୍ବଦନ୍ତୀ ଅଛି । ମନ୍ଦିର ବେଢ଼ାରେ ଗୋଟେ ପଥର ଅବସ୍ଥିତ । ଏଠାରେ ପର୍ଶୁରାମ ତପସ୍ୟା କରି ସିଦ୍ଧିଲାଭ କରିଥିଲେ ବୋଲି ଜନଶ୍ରୁତି ରହିଛି । ପିତୃଭକ୍ତ ପର୍ଶୁରାମ ନିଜ ପିତା ଜମଦଗ୍ନୀଙ୍କ ଆଜ୍ଞାରେ ମା’ ରେଣୁକାଙ୍କୁ ହତ୍ୟା କରିଥିଲେ । ପିତାତାଙ୍କର ପିତୃଭକ୍ତିରେ ସନ୍ତୁଷ୍ଟ ହୋଇ ଯେତେବେଳେ ତାଙ୍କୁ ବର ଯାଚିଲେ,  ସେ ମା’ଙ୍କୁ ଜୀବନ୍ୟାସ ଦେଇ ତାଙ୍କ ମନରୁ ସେ ହତ୍ୟା କରିଥିବାର ଘଟଣାକୁ ସମ୍ପୂର୍ଣ୍ଣ ଭୁଲାଇଦେବାକୁ କହିଥିଲେ । ପିତା ତାଙ୍କର ମାତୃଭକ୍ତି ଓ ବୁଦ୍ଧିମତା ଦେଖି ଖୁସି ହୋଇ ମା’ ରେଣୁକାଙ୍କୁ ଜୀବନ୍ୟାସ ଦେଇଥିଲେ । ପର୍ଶୁରାମ ମା’ ରେଣୁକାଙ୍କୁ ହତ୍ୟାକଲାବେଳେ ତାଙ୍କ ରକ୍ତ ବିନ୍ଦୁ ଭୂମିରେ ପଡ଼ି ରେଣୁକା ନଈ ସୃଷ୍ଟି ହୋଇଥିବାର କିମ୍ବଦନ୍ତୀ ବାଙ୍କୀର ଜନମାନସରେ ପ୍ରଚଳିତ ଅଛି । ମା’ ଚର୍ଚ୍ଚିକା ଅନେକ ପାଶ୍ୱର୍ ଦେବାଦେବୀଙ୍କ ଦ୍ୱାରା ପରିବେଷ୍ଠିତ । ମନ୍ଦିର ଚାରିପାଖରେ ଅନେକ ସବୁଜ ବୃକ୍ଷ । ପାହାଡ଼ ଉପରେ ଅବସ୍ଥିତ ରାଜ୍ୟର ଏହି ଶକ୍ତି ପୀଠ ବାଙ୍କୀର ଆରାଧ୍ୟ ଦୈବପୀଠ ଭାବରେ ପରିଚିତ । ମନ୍ଦିରରେ କାଠର କାରୁକାର୍ଯ୍ୟ ସତରେ  ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ମା’ ଚର୍ଚ୍ଚିକାଙ୍କ ପାଖରେ ଶରଣ ଗଲେ ମନର ସବୁ ଦୁଃଖ, ଭୟ ଦୂରେଇ ଯା’ନ୍ତି । ମା’ କୋଳରେ ପହଞ୍ଚିଗଲେ ନିଜକୁ ନିରାପଦ ଲାଗେ ।
	ବାଙ୍କୀର ଅନ୍ୟତମ ସୁନ୍ଦର ସ୍ଥାନ ହେଲା ବ୍ରହ୍ମେଇ ଠାକୁରାଣୀ ପୀଠ । ଏଠାରେ ରଜ ସମୟରେ ପ୍ରବଳ ଜନଗହଳି ହୁଏ । ପୀଠ ଭିତରେ ଥିବା ବଡ଼ ବଡ଼ ଗଛମାନଙ୍କରେ ଲାଗିଥିବା ଦୋଳିରେ ସ୍ତ୍ରୀ ପୁରୁଷ ବିର୍ବିଶେଷରେ ସାନ ବଡ଼ ଦୋଳି ଖେଳନ୍ତି ସେଠାରେ ଆମିଷ ଭୋଜି ହୋଇଥାଏ । ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହେଲା ସୁନାଦେଇ ପୀଠ । ଏହାର ପ୍ରାକୃତିକ ବର୍ଣ୍ଣ ବିଭା ଚମତ୍କାର ।
	ଅଧିକାଂଶ ଥର ଆଈଙ୍କ ସହିତ ମନ୍ଦିରକୁ ଯାଇଛି । ଆଈ ମୋତେ କହୁଥିଲେ ରାଣୀ ଶୁକଦେଇଙ୍କ କଥା । ପତିହନ୍ତା ଶତ୍ରୁ ରାଜାଙ୍କୁ ମୃତ୍ୟୁ ଦଣ୍ଡ ନଦେଇ ରାଣୀ ଶୁକଦେଇ ଯେପରି କ୍ଷମା କରିଦେଲେ, ଇତିହାସରେ ତାର ପଟାନ୍ତର ନାହିଁ । ସେ କହିଥିଲେ, ମୁଁ ଯେପରି ବୈଧବ୍ୟ ଯନ୍ତ୍ରଣା  ଭୋଗୁଛି, ଆଉଜଣେ ନାରୀ ଯେପରି ସେପରି ଯନ୍ତ୍ରଣା ନଭୋଗୁ । ସତରେ ରାଣୀ ଶୁକଦେଈଙ୍କ ପରି ମହିୟସୀ ନରୀଙ୍କ ନାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ।
	ଥରେ ଆମେ ମନ୍ଦିରରୁ ଫେରିଲାବେଳକୁ ଦେଖିଲୁ, ରାସ୍ତାକଡ଼  ଛୋଟ ନାଳରେ ଗୋଟିଏ ବିଲେଇ ଛୁଆ ପଡ଼ିଯାଇଛି । ଆଇ ମୋତେ କହିଲେ, “ଗୋଟେ ବାଡ଼ି ଆଣିଲୁ” । ମୁଁ ବାଡ଼ି ଆଣିଦେଲାରୁ ଆଈ ସେ ବିଲେଇଟିକୁ ବାଡ଼ି ଦ୍ୱାରା ଉପରକୁ ଉଠାଇ ଆଣିଲେ । ତା’କୁ ଟ୍ୟୁବ୍‌ୱେଲ ପାଣିରେ ଧୋଇଦେଇ ସଫା କରିଦେଲେ । ଘରକୁ ଆଣି ଗୋଟିଏ ଶୁଖିଲା କପଡ଼ାରେ ପୋଛି ପାଛି ଦେଇ ଗରମ କ୍ଷୀର ଖାଇବାକୁ ଦେଲେ । ବିଲେଇଟି ତା’ର ହୃତ ଶକ୍ତି ଫେରିପାଇ ମିଅାଁଉ ମିଅାଁଉ ବୋବାଇ ଚଳ ଚଞ୍ଚଳ ହୋଇଉଠିଲା । ବିଲେଇଟି ଅନେକ ଦିନ ପର୍ଯ୍ୟନ୍ତ ମାମୁ ଘରେ ଥିଲା ।
	୧୯୬୨ ମସିହା ଭାରତ ଚୀନ୍‌ ଯୁଦ୍ଧବେଳେ ବାଙ୍କୀର ହାଟରେ ହେଉଥିବା ସଭାରେ ଚାନ୍ଦା ସଂଗ୍ରହ ଅଭିଯନର ଆଈ ପ୍ରଥମ ମହିଳା ତଥା ବ୍ୟକ୍ତି ଯିଏ ନିଜର କାନଫୁଲ ଦୁଇଟିକୁ ଦାନ କରିଥିଲେ । ଆଈଙ୍କ ଚରିତ୍ରର ଏହି ମହନୀୟ ଦିଗ ବିଷୟରେ ଶୁଣି ମୁଁ ରୋମାଞ୍ଚିତ ହୋଇଉଠେ । ସ୍ୱାଧୀନତ୍ତୋର ଭାରତର ସମୃଦ୍ଧି ପାଇଁ ଗଢ଼ିଉଠିଥିବା ଚର୍ଚ୍ଚିକା ମହିଳା ସମିତିର ସମ୍ପାଦିକା ମଧ୍ୟ ଥିଲେ ।
	ମାମୁ ଘରେ ଯେତେ ନାତିନାତୁଣୀ ସମସ୍ତେ ଛୁଟି କିମ୍ବା ଅନ୍ୟ କେଉଁ ସମୟରେ ମାମୁ ଘରକୁ ଗଲେ, ଆଈଙ୍କ ପାନଡ଼ାଲାରୁ ମିଠା ମସଲା ଖା’ନ୍ତି । ଆଈଙ୍କ ପାନ ଡ଼ାଲାରୁ ମିଠା ମସଲା ଖାଇବା ଆମ ସବୁ ନାତି ନାତୁଣୀଙ୍କ ଏକ ପରମ୍ପରା ହୋଇଯାଇଥିଲା ।  ଆଈ ଥିଲେ ଖାଦ୍ୟ ପ୍ରିୟ । ଆଈଙ୍କ ପାଖରେ ଅନେକ ଛୋଟ ଛୋଟ ଡ଼ବାରେ କେଉଁଥିରେ ଖଜୁରି କୋଳି ତ କେଉଁଥିରେ ବାଦାମ, ମିକ୍ସଚର, ବୁଟ, ମଟରଭଜା ଥାଏ, ଅବସର ସମୟରେ ଆଈ ସେଥିରୁ କିଛି କିଛି ପାଟିରେ ପକାନ୍ତି । ଆମେ ସବୁ ନାତିନାତୁଣୀ ଯେତେବେଳେ ମାମୁ ଘରକୁ ଯାଉ, ସେ ସବୁ ଡ଼ବାଗୁଡ଼ିକରୁ ଖାଦ୍ୟ ଜିନିଷ ଖାଇ ତାକୁ ଖାଲି କରିଦେଉ । ବଜାରରୁ ବଡ଼ ମାଛ ଆସିଥିବ, ଯଦି ଘର ଆଗରେ ଚୁନା ମାଛବାଲା ଡ଼ାକ ଛାଡ଼ିଲା, ଆଈ ଚୁନା ମାଛବାଲା ଠାରୁ ମଧ୍ୟ ମାଛ ରଖିଦିଅନ୍ତି । ଆଈଙ୍କ ହାତ ତିଆରି ଖାଦ୍ୟ ମୁଁ ଆଜିବି ଭୂଲିନି ।
	ଆଈ ଥିଲେ ବହୁ ଦୟାଶୀଳା । ଅନେକ ବୁଢ଼ାବୁଢ଼ୀ, ଅସହାୟମାନେ ମାସ ମାସ ଧରି ମାମୁ ଘରେ ରହିଥିବାର ମୁଁ ଦେଖିଛି ।
	ଆଈଙ୍କର ଆଉ ଏକ ବୈଶିଷ୍ଟ୍ୟ ହେଲା ସେ ଛୋଟ ଛୋଟ ଭଜନ ଲେଖି ନିଜେ ହାର୍ମୋନିୟମ ବଜାଇ ସେଗୁଡ଼ିକୁ ଗାଉଥିଲେ । ତାଙ୍କର ଦଶ ପନ୍ଦର ଜଣ ସାଥୀ ମିଶି ଏକ ଭଜନ ମଣ୍ଡଳୀ ଗଢ଼ିଥିଲେ । ପ୍ରତିଦିନ ସନ୍ଧ୍ୟାରେ ଘଣ୍ଟାଏ/ଦୁଇଘଣ୍ଟା ଯାଏ ହାର୍ମୋନିୟମ, ଗିନି, ମୃଦଙ୍ଗର ତାଳମେଳରେ ଏକ ସଙ୍ଗୀତମୟ ପରିବେଶ ମାମୁଘର ଛାତ ଉପରେ ଥିବା ଠାକୁର ଘରେ ସୃଷ୍ଟି ହେଉଥିଲା ।
	ମୁଁ ଏଥର ଛୁଟିରେ ଘରେ ଥାଏ, ମାମୁ ଘରୁ ଫୋନ ଆସିଲା, ଆଈ ବାଥ୍‌ରୁମରେ ପଡ଼ି ଗୋଡ଼ ଜଖମ ହୋଇଯାଇଛି । ମୁଁ ମୋ ମା’ ଆମ ପରିବାରର ସମସ୍ତେ ମାମୁଘରକୁ ବାହାରିଲୁ । ମାମୁ ଘରେ ପହଞ୍ଚିଲା ବେଳକୁ ଆଈ ଗୋଟିଏ ଖଟରେ ସେମିତି ଶୋଇଥାନ୍ତି, ଉଠିପାରୁ ନଥାନ୍ତି । ମା’ ତାଙ୍କୁ ଦେଖି ‘ମୋ ବୋଉ’ କହି ବଡ଼ପାଟିରେ କାନ୍ଦିବାକୁ ଲାଗିଲେ । ଆଈ ଆଶ୍ୱସନା ଦେଉଥାନ୍ତି । ବାପା ମଧ୍ୟ । କିଛି ସମୟ ପରେ ମା’ କାନ୍ଦ ବନ୍ଦ କଲେ । ଆଈ କହିଲେ, ବିଧିର ବିଧାନକୁ କେହି ବଦଳାଇପାରିବେ ନାହିଁ । ଭାଗ୍ୟର ଲେଖାକୁ ଟାଳିଦେବାର ଶକ୍ତି କାହାର ନାହିଁ । ଦୁଃଖ ହେଉ କି ସୁଖ ହେଉ ସବୁବେଳେ ସ୍ଥିର ମସ୍ତିଷ୍କ ରହିବା ଆଈଙ୍କର ଅନ୍ୟଏକ ଲକ୍ଷଣ । ମା’ ବାପା, ଅନ୍ୟମାନେ ଘର ଭିତରକୁ ଚାଲିଗଲାପରେ ଆଈ ମୋତେ ଡ଼ାକି ତାଙ୍କ ପାଖରେ ବସିବାକୁ କହିଲେ । ଅଳ୍ପହସି, ମୋ ମୁଣ୍ଡରେ ହାତମାରି କହିଲେ, “ମୁଁ ବର୍ତ୍ତମାନ କେଉଁ ଅବସ୍ଥାରେ ଅଛି ।” ମୁଁ କିଛି ବୁଝିପାରୁନଥାଏ । କହିଲେ, ଆରେ ବୋକା ତୁ ପରା ମୋ ସାଙ୍ଗରେ ପୁରାଣ ଆଲୋଚନା କରୁ, ଏତିକି ଜାଣିପାରୁନୁ ମୁଁ ବର୍ତ୍ତମାନ ଭୀଷ୍ମ ଶରଶଯ୍ୟାରେ” । ମୁଁ ଅଳ୍ପ ହସିଦେଲି । ସେ ମଧ୍ୟ ହସିଦେଲେ । କହିଲେ, “ଯା ଭିତରକୁ ଯା, କେତେ ବାଟରୁ ଆସିଲୁଣି କ’ଣ ଦି’ଟା ଖାଇବୁ ଯା’ । ମୁଁ କହିଲି, ହଉ ମୁଁ ଆସୁଛି । ମୁଁ ଚାଲି ଆସିଲି । ତା’ ପରଦିନ ଆମେ ସମସ୍ତେ ମାମୁଘରୁ ଚାଲିଆସିଥିଲୁ ।
	ପରେ ଶୁଣିଲି, ଆଈ ଆଉ ବିଛଣାରୁ ଉଠିପାରୁ ନାହାନ୍ତି । ତାଙ୍କ ଆଣ୍ଠୁ ଗଣ୍ଠି ରୋଗଟା ବଢ଼ିଯାଇଛି । ବୟସ ହୋଇଯାଇଥିଲା ।
	ଦୀର୍ଘ ଛଅ ମାସ ହେଲା ସେମିତି ବିଛଣାରେ ପଡ଼ିଲେ । ଜାନୁୟାରୀ ମାସର ଶେଷଆଡ଼କୁ ଆଈଙ୍କ ଅବସ୍ଥା ଖରାପ ହୋଇ ପଡ଼ିଲା ସାନମାମୁ କେଉଁ ଏକ ଟ୍ରେନିଂରେ ହାଇଦ୍ରାବାଦ୍‌ ଯାଇଥାନ୍ତି । ଖବର ପାଇ ପାଞ୍ଚ ଝିଅ, ନାତି ନାତୁଣୀ, ବଡ଼ମାମୁ ସମସ୍ତେ ଆସି ପହଞ୍ଚିଲେ । ସମସ୍ତେ ବ୍ୟଗ୍ର । ଆଈ ଆଉ କଥାବାର୍ତ୍ତା କରିପାରୁନଥାନ୍ତି, ଶେଷରେ ସାନମାମୁ ଆସି ପହଞ୍ଚିଲେ । ଆଈ ବହୁକଷ୍ଟରେ ଆଖିଖୋଲି ଚିହ୍ନିଲେ । ଅସ୍ପଷ୍ଟ ଭାବରେ ‘ବାବୁଇ’ (ବାବୁଲିର ଅପଭ୍ରଂଶ) ବୋଲି ଉଚ୍ଚାରଣ କଲେ । ସତେଯେପରି ସେ ସାନମାମୁଙ୍କୁ ଅପେକ୍ଷା କରିଥିଲେ । ମୋର ମୁଣ୍ଡ କିଛି କାମ କରୁନଥିଲା ।
	ମୋର ମନେ ପଡ଼ିଯାଉଥିଲା, ଆଈଙ୍କର ପାନଡ଼ାଲାରୁ ମୁଁ ମିଠା ମସଲା ଖାଉଛି, ସେ ମସଲାର ମହକରେ ମହକି ଯାଉଛି ମନ । ମୁଁ ଭାବୁଥିଲି, ପାନଡ଼ାଲା ସେମିତି ପଡ଼ିଥିବ । ଚୁନଡ଼ବା, ଗୁଆଡ଼ବା ବିପର୍ଯ୍ୟସ୍ତ ହୋଇପଡ଼ିଥିବେ । ନାତି ନାତୁଣୀମାନେ ଯିଏ ମାମୁ ଘରକୁ ଆସୁଥିବେ ପାନଡ଼ାଲାକୁ ଦେଖି କହୁଥିବେ, “ହେଇଟି ଆଈଙ୍କ ପାନଡ଼ାଲା ।”


Leave A Reply

Your email address will not be published.

2 × 1 =