ସେପ୍ଟେମ୍ବର ୯ ରୁ ୧୨ ଜିଲ୍ଲା ପରିକ୍ରମା କରି ଛାତ୍ରଛାତ୍ରୀ ମାନଙ୍କୁ ନୂତନ ବୈଷୟିକ ଓ କୌଶଳ ଭିତ୍ତିକ ଶିକ୍ଷା ବାବଦରେ ସଚେତନ କରିବା ଲକ୍ଷ୍ୟ
ପାରାଦ୍ଵୀପ, (ଦୀପ୍ତିରଂଜନ ଦାଶ) : ଛାତ୍ରଛାତ୍ରୀମାନଙ୍କର କୌଶଳ ଭିତ୍ତିକ ଶିକ୍ଷାରେ ଆଗ୍ରହ ବଢାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ବିଭାଗ ତରଫରୁ ଶୁଭାରମ୍ଭ କରାଯାଇଥିବା କୌଶଳ ରଥ ସମଗ୍ର ରାଜ୍ୟ ପରିଭ୍ରମଣ କରୁଛି ।
ଅତ୍ୟାଧୁନିକ ଜ୍ଞାନକୌଶଳରେ ଖଚିତ ଏହି କୌଶଳ ରଥ ଚଳିତ ମାସ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ଜଗତସିଂହପୁର ରେ ଗଡ଼ିବ।
ଆଜି ଜିଲ୍ଲା ପ୍ରଶାସନ ତଥା ଦକ୍ଷତା ବିକାଶ ଓ ଶ୍ରମ ନିୟୋଜନ ବିଭାଗ ପକ୍ଷରୁ ସ୍ଥାନୀୟ ସରକାରୀ ଆଇ ଟି ଆଇ ମହାବିଦ୍ୟାଳୟ ଠାରେ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି କୌଶଳ ରଥର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଶିକ୍ଷା ର ଗୁଣାତ୍ମକ ବିକାଶ ସହ କୌଶଳ ଭିତ୍ତିକ ପାଠ୍ୟକ୍ରମ ର ବ୍ୟବହାର ବର୍ତ୍ତମାନ ର ପ୍ରତିଯୋଗିତା ମୂଳକ ସମାଜ ରେ ଯୁବ ଗୋଷ୍ଠୀ ଙ୍କୁ ନିଯୁକ୍ତି ର ସୁଯୋଗ ଯୋଗାଇବ ବୋଲି ସେ କହିଥିଲେ। ଆଗାମୀ ଦିନରେ ଜିଲ୍ଲା ରେ ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇ ଯୁବକ ଯୁବତୀମାନଙ୍କୁ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ସହ ଆତ୍ମ ନିର୍ଭର କରିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଏହି ଉତ୍ସବ ରେ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା,ପାରାଦ୍ଵୀପ ଆଇ ଟି ଆଇ ଅଧ୍ୟକ୍ଷ,ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ଶ୍ରୀ ଗତିକୃଷ୍ଣ ବେହେରା, ସ୍ଥାନୀୟ ସରପଞ୍ଚ ପ୍ରମୁଖ ମଞ୍ଚାସୀନ ଥିଲେ। ଏହା ପରେ ଧାର୍ଯ୍ୟ ସୂଚୀ ଅନୁଯାୟୀ ଏହି ରଥ ସରକାରୀ ଆଇ ଟି ଆଇ ରୁ ବାହାରି ପାରାଦ୍ଵୀପ,ଏନ ଏ ସି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏନ ଏ ସିହାଇସ୍କୁଲ,ପାରାଦ୍ଵୀପ, ପରେ ପାରାଦ୍ଵୀପ କଲେଜ୍ ଗସ୍ତ କରିବ।ସେହିପରି ୧୦ ତାରିଖ ଦିନ ବି ବି ହାଇସ୍କୁଲ୍, କୁଜଙ୍ଗ, ସାରଳା ମହାବଦ୍ୟାଳୟ ରାହାମା, ସାଇଲୋ ସ୍କୁଲ,ମଣିଜଙ୍ଗା ହାଇସ୍କୁଲ୍, ମଣିଚରଣ ସାରଳା ସରକାରୀ ଉଚ୍ଚ ବିଦ୍ୟାଳୟ ,ଆଦିକବି ସାରଳା ଦାସମହାବିଦ୍ୟାଳୟ ତିର୍ତ୍ତୋଲ୍ ଦେଇ ସରକାରୀ ପଲିଟେକ୍ନିକ କଲେଜ ନାଉଗାଁ ରେ ପହଞ୍ଚିବ। ୧୧ ତାରିଖ ପଲିଟେକ୍ନିକ କଲେଜରୁ ବାହାରି ନାଉଗାଁହାଟ ହାଇସ୍କୁଲ, ଅଲଣାହାଟ , ବାଲିକୁଦା କଲେଜ , ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ କାଦୁଅପଡ଼ା, କାଦୁଅପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାଲିକୁଦା ମହିଳା ଡିଗ୍ରି କଲେଜ ପରିଭ୍ରମଣ କରି ପଲିଟେକ୍ନିକ କଲେଜ ଫେରିବ । ପୁନଶ୍ଚ ୧୨ ତାରିଖ ଦିନ ପଲିଟେକ୍ନିକ କଲେଜରୁ ବାହାରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ,ଜଗତସିଂହପୁର, ଶ୍ରୀକୃଷ୍ଣ ଏକାଡେମୀ , ଏସ ଭିଏମ୍ କଲେଜ ପରିକ୍ରମା କରି ଜଗତସିଂହପୁର ଜିଲ୍ଲା ଲାଗି କାର୍ଯ୍ୟକ୍ରମ ଶେଷ କରି କୌଶଳ ରଥ ଅନ୍ୟ ଜିଲ୍ଲା ଗସ୍ତ କରିବ ।