ବିଜେଡିର ନୂଆ ସାଂଗଠନିକ କଳେବର: ଯୁବକଙ୍କୁ ଦାୟିତ୍ୱ, ପୁରୁଖା ଅଲୋଡ଼ା

0 678

ଭୁବନେଶ୍ୱର(ପ୍ରିୟବ୍ରତ ତ୍ରିପାଠୀ): ବିଜେଡିର ଦୁଇ ପ୍ରଭାବଶାଳୀ ଯୁବନେତା ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କୁ ଯଥାକ୍ରମେ ମୁଖ୍ୟାଳୟ ସାଧାରଣ ସମ୍ପାଦକ ଓ ସଂଗଠନ ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ କରି ଦଳୀୟ ନେତା ଓ କର୍ମୀମାନଙ୍କୁ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିବାର ଏକ ବିକଳ୍ପ ମାର୍ଗ ଦେଇଥିବା ଜଣାପଡ଼ିଛି। ମାତ୍ର ପୁରୁଖା ନେତାମାନେ ଧୀରେ ଧୀରେ ଦଳରେ ଅଲୋଡ଼ା ହୋଇପଡୁଛନ୍ତି ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳ ଖୁବଶୀଘ୍ର ସାଂଗଠନିକ ନିର୍ବାଚନ ପାଇଁ ନିଜର କାର୍ଯ୍ୟସୂଚୀ ଜାରି କରିବ। ଏବେ ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବାବେଳେ ଚଳିତମାସ ଶେଷ ସୁଦ୍ଧା ସାଂଗଠନିକ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଦଳର ନବନିଯୁକ୍ତ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଘୋଷଣା କରିବେ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ଏବେ ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବା ଦିଗରେ କାର୍ଯ୍ୟ କରୁଥିବାବେଳେ ଦଳର ନେତା ଓ କର୍ମୀମାନେ ସେମାନଙ୍କର ଆପତ୍ତି-ଅଭିଯୋଗ କାହା ନିକଟରେ ଉପସ୍ଥାପନ କରିବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହୁଥିଲା। 

ବିଜେଡିରେ ଏପର୍ଯ୍ୟନ୍ତ କୌଣସି ନେତାଙ୍କୁ ସଂଗଠନ କିମ୍ବା ମୁଖ୍ୟାଳୟ ଦାୟିତ୍ୱ ଦିଆଯାଇନଥିବାବେଳେ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ବିଶ୍ୱସ୍ତ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଓ ନବୀନଙ୍କ ଫେଭରାଇଟ୍ ତାଲିକାରେ ଥିବା ସଞ୍ଜୟ ଦାସବର୍ମାଙ୍କ ମାଧ୍ୟମରେ ଦଳୀୟ ସଂଗଠନକୁ ପରିଚାଳନା କରିବାକୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଭାବେ ପୂର୍ବରୁ ଦାୟିତ୍ୱ ତୁଲାଇଥିବା ପ୍ରତାପ କେଶରୀ ଦେବଙ୍କୁ ମଧ୍ୟ ତୃତୀୟ ମହଲା ବିଶ୍ୱାସକୁ ନେଇଛି। ତୃତୀୟ ମହଲା ନିଜର କାନ,ନାକ ଓ ଆଖି ଭାବେ ଯଥାକ୍ରମେ ସଞ୍ଜୟ, ପ୍ରଣବ ଓ ପ୍ରତାପଙ୍କ ମାଧ୍ୟମରେ ସଂଗଠନକୁ ସୁଦୃଢ଼ କରି କର୍ମୀ ଓ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଯୋଜନା କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଏବେ ସଞ୍ଜୟ,ପ୍ରଣବ ଓ ପ୍ରତାପଙ୍କ ମାଧ୍ୟମରେ ଦଳୀୟ କର୍ମୀ ଓ ନେତାଙ୍କ ସମସ୍ୟାର ସମାଧାନ ସହ ସବୁ ଗୋଷ୍ଠୀକୁ ସନ୍ତୁଷ୍ଟ ପାଇଁ ପ୍ରୟାସ ହୋଇଛି। ଏପରିକି ସାଂଗଠନିକ ନିର୍ବାଚନରେ କେଉଁ ନେତାଙ୍କୁ ରାଜ୍ୟ କମିଟିକୁ ଅଣାଯିବ, ରାଜ୍ୟ ଓ ଜିଲ୍ଲାସ୍ତରର ସଂଗଠନର ବିଭିନ୍ନ ପଦପଦବୀରେ କିଏ ସ୍ଥାନ ପାଇବ ସେସବୁ ନିଷ୍ପତ୍ତି ଏହି ୩ ନେତାଙ୍କ ମାଧ୍ୟମରେ ସମ୍ପାଦନ ହେବ ବୋଲି ଜଣାପଡ଼ିଛି। ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓଙ୍କ ଭଳି ନେତାମାନଙ୍କୁ ସାଂଗଠନିକ ସ୍ତରରେ କୌଣସି ଦାୟିତ୍ୱ ଦିଆଯାଉନାହିଁ । ଏପରିକି ଗତ ବିଜେପୁର ନିର୍ବାଚନରେ ମଧ୍ୟ ପ୍ରସନ୍ନଙ୍କ ପରିବର୍ତେ ଯୁବଗୋଷ୍ଠୀ ପ୍ରମୁଖ ଭୂମିକା ତୁଲାଇ ଥିଲେ । ପୁରୁଖାଙ୍କୁ ଅଣଦେଖା କରିବା ବିଜେଡି ପାଇଁ ଲାଭଦାୟକ ହେବ ନା କ୍ଷତିକାରକ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ ।

Leave A Reply

Your email address will not be published.

nine − 2 =