ବଲିଉଡର ଧୋନି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

0 870


ମୁମ୍ବାଇ: ବଲିଉଡର ଧୋନି ସୁଶାନ୍ତ ସିଂ ରାଜପୁତ (34) ଆତ୍ମହତ୍ୟା କରିଛନ୍ତି । ‘ମାହି ଦି ଅନଟୋଲ୍ଡ ଷ୍ଟୋରି’ରେ ନିଖୁଣ ଅଭିନୟ ଯୋଗୁଁ ଦର୍ଶକ ତାଙ୍କୁ ବଲିଉଡର ଧୋନି ରୂପେ ମନେ ରଖିଥିଲେ । ବାନ୍ଦ୍ରା ୱେଷ୍ଟସ୍ଥିତ ତାଙ୍କ ବାସଭବନରେ ସେ ଆଜି ଅପରାହ୍ନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କର ଘରୋଇ ସହାୟକ ପୁଲିସକୁ ଏହି ସୂଚନା ଦେଇଛି । ବାନ୍ଦ୍ରା ୱେଷ୍ଟସ୍ଥିତ ତାଙ୍କ ବାସଭବନରେ ସେ ନିଜ ଭଉଣୀ ଶ୍ୱେତା ସିଂଙ୍କ ସହିତ ରହୁଥିଲେ । କିଛି ଦିନ ଧରି ସେ ମାନସିକ ରୋଗ ପାଇଁ ଚିକିତ୍ସିତ ହେଉଥିଲେ । ସୁଶାନ୍ତ ଜଣେ ଭଲ ଅଭିନେତା ସହ ଭଲ ମଣିଷ ଭାବେ ପରିଚିତ ଥିଲେ । ଛାତ୍ର ଜୀବନରେ ସେ ଜଣେ ମେଧାବୀ ଛାତ୍ର ଥିଲେ । ଅଭିନୟରୁ ସମୟ ପାଇଲେ ନିଜ ଗାଁକୁ ଯାଉଥିଲେ । ପିଲାମାନଙ୍କ ସହ କ୍ରିକେଟ୍ ଖେଳୁଥିଲେ । ଗତ ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ମ୍ୟାନେଜର୍ ଦିଶା ସାଲିନ୍ ଆତ୍ମହତ୍ୟା କରିଥିଲେ ।

‘ଛିଛୋର’ ଚଳଚ୍ଚିତ୍ରରେ ଆତ୍ମହତ୍ୟା ବିରୋଧୀ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କୁ ସେ ଆତ୍ମହତ୍ୟା ନକରିବାକୁ ବାର୍ତ୍ତା ଦେଇଥିଲେ । ମାତ୍ର ସେ ନିଜେ ଆଜି ଆତ୍ମହତ୍ୟା କରି ଦେଇଛନ୍ତି । ସୁଶାନ୍ତଙ୍କ ଆତ୍ମହତ୍ୟାରେ ସାରା ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି । ସୁଶାନ୍ତଙ୍କ ମୃତୁ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଲକ୍ଡାଉନ୍ର ଏହି ଘଡ଼ିସନ୍ଧି ସମୟରେ ବଲିଉଡ ଜଣେ ପରେ ଜଣେ ନିଖୁଣ
ଅଭିନେତାଙ୍କୁ ହରାଇ ଚାଲିଛି । ଇରଫାନ୍ ଖାଁ, ରିଷି କାପୁରଙ୍କ ପରେ ସୁଶାନ୍ତଙ୍କ ମୃତୁ୍ୟରେ ବଲିଉଡ ପ୍ରେମୀଙ୍କୁ ଗଭୀର ଆଘାତ ଲାଗିଛି ।

Leave A Reply

Your email address will not be published.

two × 1 =