ସଂଗ୍ରାମଙ୍କୁ ପୁଣି ଟାର୍ଗେଟ କଲା ବିଜେପି

0 765


ନୂଆଦିଲ୍ଲୀ/ଭୁବନେଶ୍ୱର: ଉପନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ବାଲେଶ୍ୱର ଓ ତିର୍ତୋଲ ନିର୍ବାଚନମଣ୍ଡଳୀ ବାହାରୁ ଆସିଥିବା ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ମାନେ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି । ଉଭୟ ନିର୍ବାଚନମଣ୍ଡଳୀରେ ଶାସକ ଦଳର ତୁଙ୍ଗ ନେତାମାନେ ସରକାରୀ କଳକୁ ଅପବ୍ୟବହାର କରିବା ସହ ପୋଲିସ ଓ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ବେନିୟମ ଭାବେ ଭୋଟରଙ୍କୁ ଟଙ୍କା ବାଂଟିବାର ଯୋଜନା କରିଛନ୍ତି । ଯାହାକି ନିର୍ବାଚନ କମିଶନଙ୍କ ଗାଇଡଲାଇନ ଏବଂ ଲୋକ ପ୍ରତିନିଧିତ୍ୱ ଆଇନ,୧୯୫୧ ଅନୁଯାୟୀ ସଂପୂର୍ଣ୍ଣରୂପେ ବେନିୟମ ଏବଂ ବେଆଇନ ।
ଅନ୍ୟପଟେ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବେଆଇନ ଭାବେ
ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି । ସେ ତିର୍ତୋଲ ବାସିନ୍ଦା ହୋଇଥିବାରୁ ଉପନିର୍ବାଚନ ପୂର୍ବରୁ ସେ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରୁଥିଲେ । ଏନେଇ ଅଭିଯୋଗ ଆସିବାରୁ ତାଙ୍କୁ ଜିଲ୍ଲାପାଳ ପଦବୀରୁ ହଟାଇ ଦିଆଯାଇଥିଲା । କିନ୍ତୁ ଏବେ ସେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଅନୁମତି ନେଇ ପୁଣିଥରେ ତିର୍ତୋଲରେ ରହି ଶାସକ ଦଳ ସପକ୍ଷରେ ଜନମତକୁ ପ୍ରଭାବିତ କରିବା ସହ ବିଜେଡି ଦଳର ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରୁଛନ୍ତି । ଅନ୍ୟ ବିଭାଗରେ ନିଯୁକ୍ତ ହେବା ପରେ ବି ଶ୍ରୀ ମହାପାତ୍ର ତିର୍ତୋଲରେ ରହି ନିର୍ବାଚନ ପ୍ରଚାରରୁ ବିରତ ରହିବା ପାଇଁ ବିରୋଧୀ ବିଜେପି ଦଳର ନେତୃବୃନ୍ଦଙ୍କୁ ଧମକ ଦେଉଛନ୍ତି । ତିର୍ତୋଲ ନିର୍ବାଚନମଣ୍ଡଳୀରେ ଶ୍ରୀ ମହାପାତ୍ରଙ୍କ ସମସ୍ତ ସରକାରୀ ଅଧିକାରୀଙ୍କୁ ବିଜେଡି ସପକ୍ଷରେ କାମ କରିବା ପାଇଁ ତାଗିଦ୍ କରିବା ସହ ଖୁବଶୀଘ୍ର ସେ ପୁଣିଥରେ ଜିଲ୍ଲାପାଳ ଭାବେ ଦାୟୀତ୍ୱ ନେବେ ବୋଲି ଖୋଲା ଖୋଲି ଭାବେ କହୁଛନ୍ତି । ସରକାରୀ ଅଧିକାରୀ ହୋଇ ବେଆଇନ ଭାବେ ଶ୍ରୀ ମହାପାତ୍ର ରିଟର୍ଣ୍ଣିଂ ଅଫିସର,
ଆସିଷ୍ଟାଂଟ ରିଟର୍ଣ୍ଣିଂ ଅଫିସର, ସେକ୍ସନ ଅଫିସର, ନିର୍ବାଚନ ସମ୍ବନ୍ଧିତ ଅଧିକାରୀ ଓ ପୋଲିସ ଉପରେ ଚାପ ପକାଇ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ପାଇଁ ଧମକ ଦେଇ ନିର୍ବାଚନ ଆଚରଣ ବିଧିକୁ ଖୁଲମଖୁଲା ଉଲ୍ଲଘଂନ କରିଛନ୍ତି ।
ଏହି ଘଟଣାକୁ ଗୁରୁତର ସହ ନେଇ ବାଲେଶ୍ୱର ଓ ତିର୍ତୋଲ ନିର୍ବାଚନମଣ୍ଡଳୀରେ ଥିବା ଶାସକ ଦଳ ମନ୍ତ୍ରୀ ଓ ବିଧାୟକମାନଙ୍କୁ
ବାହାର କରିବା ସହ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜଗତସିଂହପୁର ଛାଡିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ କିମ୍ବା ଏସପିଙ୍କୁ ନିଦେ୍ର୍ଧଶ ଦେବାକୁ ରାଷ୍ଟ୍ରୀୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦାବି କରଛନ୍ତି । ସେହିପରି ଭୁବନେଶ୍ୱରଠାରେ ରାଜ୍ୟ ନିର୍ବାଚନ ଅଧିକାରୀ ଏ ଦିଗର ତୁରନ୍ତ ପଦକ୍ଷେପ ନେବା ସହ ମୁଖ୍ୟ ଶାସନ ସଚିବ ଏଭଳି ବେଆଇନ ଘଟଣାରେ ସଂପୃକ୍ତ ଥିବା ସଂଗ୍ରାମ ମହାପାତ୍ରଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ପ୍ରତିନିଧୀ ଦଳ ଦାବି କରିଛି ।

Leave A Reply

Your email address will not be published.

five − two =