ଭାରତୀୟଙ୍କୁ ବିବାହ କରିଥିଲେ ରୁଷିଆର ସର୍ବୋଚ୍ଚ ନେତା ଷ୍ଟାଲିନଙ୍କ ଝିଅ

0 779

ଭୁବନେଶ୍ୱର (ରଜତ ରଶ୍ମି ସ୍ୱାଇଁ) : ଜଣେ ଭାରତୀୟଙ୍କୁ ରୁଷିଆର ସର୍ବୋଚ୍ଚ ନେତା ଷ୍ଟାଲିନଙ୍କ ଝିଅ ବିବାହ କରିଥିଲେ । ଏକଥା ବୋଧହୁଏ ଅନେକ ଜାଣନ୍ତି ନାହିଁ । ଏକଥାକୁ ମଧ୍ୟ ବହୁତ ବର୍ଷ ଧରି ଗୁପ୍ତ ରଖାଯାଇଥିଲା । ମାତ୍ର ଷ୍ଟାଲିନଙ୍କ ଝିଅ ଶ୍ୱେତଲନାଙ୍କର ଆତ୍ମଜୀବନୀ ‘ଓନ୍‌ଲି ୱାନ୍‌ ଇୟର୍‌’ ପ୍ରକାଶ ପାଇବା ପରେ ଏହା ଲୋକଲୋଚନକୁ ଆସିବାରେ ଲାଗିଛି । 
୧୯୬୭ ମସିହା ମାର୍ଚ୍ଚ ମାସର କଥା । ଭାରତରେ ଅବସ୍ଥାପିତ ଆମେରିକାର ରାଜଦୂତ କ୍ରିଷ୍ଟାଡ୍‌ ବୋଲ୍ସଙ୍କ ସହଯୋଗୀ ରିଚାର୍ଡ ସେଲେଷ୍ଟଙ୍କୁ ଦିଲ୍ଲୀସ୍ଥିତ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ  ଷ୍ଟେସନ ମୁଖ୍ୟ ଡେଭ ଲି’ଙ୍କର ଏକ ଫୋନ୍‌ ଆସିଲା । ବାସଭବନରୁ ତୁରନ୍ତ ଆମେରିକା ଦୂତାବାସ କାର୍ଯ୍ୟାଳୟକୁ ଆସିବାକୁ ତାଙ୍କୁ କୁହାଗଲା । ମାତ୍ର ସେଲେଷ୍ଟ ତାଙ୍କୁ କହିଲେ କି ତାଙ୍କ ଘରେ ବନ୍ଧୁମାନଙ୍କର ଏକ ପାର୍ଟି ଆୟୋଜନ କରାଯାଇଛି । ହେଲେ ସିଆଇଏ ଷ୍ଟେସନ୍‌ ମୁଖ୍ୟ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ । ସେ ସେଲେଷ୍ଟଙ୍କୁ କହିଲେ କି ଯେମିତି ହେଲେ ଦୂତାବାସ କାର୍ଯ୍ୟାଳୟରେ ପହଞ୍ଚନ୍ତୁ । ସେପରି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି । 
ସେଲେଷ୍ଟଙ୍କ ବାସଭବନଠାରୁ ଆମେରିକା ଦୂତାବାସ ମାତ କିଛି ମିନିଟର ବାଟ । ସେଲେଷ୍ଟ କାର୍‌ ବ୍ୟବହାର ନକରି ପାଦରେ ଚାଲି ଚାଲି ଦୂତାବାସରେ ପହଞ୍ଚିଗଲେ । ସେଲେଷ୍ଟ ଦୂତାବାସରେ ପହଞ୍ଚି ଦେଖିଲେ ଜଣେ ମହିଳା ରୁଷୀୟ  ପାସପୋର୍ଟ ଧରି ତାଙ୍କୁ ଅପେକ୍ଷା କରିଛନ୍ତି । ମହିଳାଙ୍କର ପାସପୋର୍ଟ ଦେଖିଲା ପରେ ସେେଲେଷ୍ଟଙ୍କର ହୋସ୍‌ ଉଡ଼ିଗଲା । ସେ ଥିଲେ ରୁଷିଆର ତତକାଳୀନ ସର୍ବୋଚ୍ଚ ନେତା ଷ୍ଟାଲିନଙ୍କ ଝିଅ ଝିଅ ଶ୍ୱେତଲନା ଅଲିଲୁଏବା । ବର୍ତ୍ତମାନ ସେ ଆମେରିକାରେ ରାଜନୈତିକ ଶରଣ ନେବାକୁ ଆସିଛନ୍ତି ବୋଲି ସେଲେଷ୍ଟଙ୍କୁ କହିଲେ । ଶ୍ୱେତଲନା ଚାରିମାସ ହେଲା ଭାରତରେ ରହୁଥିଲେ । ଜଣେ ଭାରତୀୟ ବ୍ରଜେଶ ସିଂଙ୍କର ସେ ପତ୍ନୀ ଥିଲେ । ବ୍ରଜେଶଙ୍କର ମୃତ୍ୟୁ ପରେ ସେ ବିଗତ ଚାରି ମାସ ଧରି ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ବ୍ରଜେଶଙ୍କ ଗାଆଁ କଲାକାରେ ରହୁଥିଲେ । ବ୍ରଜେଶ ଥିଲେ ତକ୍ରାଳୀନ ବିଦେଶ ରାଷ୍ଟ୍ରମନ୍ତ୍ରୀ ଦିନେଶ ସିଂଙ୍କ ଦାଦା ଏବଂ ମସ୍କୋରେ ବିଦେଶୀ ଭାଷା ପ୍ରେସ୍‌ରେ କାମ କରୁଥିଲେ । ବ୍ରଜେଶଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ ପରେ ସେ ଦିଲ୍ଲୀ ଆସି ଦିନେଶ ସିଂଙ୍କ ବାସଭବନରେ ରହୁଥିଲେ । 
ପରବର୍ତ୍ତୀ ସମୟରେ ଭାରତରେ ରାଜଦୂତ ହୋଇଥିବା ସେଲେଷ୍ଟ ନିଜ ଆତ୍ମଜୀବନୀ ‘ଲାଇଫ୍‌ ଇନ୍‌ ଆମେରିକାନ୍‌ ପଲିଟିକ୍ସ ଆଣ୍ଡ୍‌ ଡିପ୍ଲୋମାଟିକ୍‌ ଇୟର୍‌ ଇନ୍‌ ଇଣ୍ଡିଆ’ରେ ଉଲ୍ଲେଖ କରିଛନ୍ତି, ମହିଳା ଜଣକ ଷ୍ଟାଲିନଙ୍କ ଝିଅ ବୋଲି ହୃଦବୋଧ ହେଲା ପରେ ଏବଂ ତାଙ୍କର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ ହେଲା ପରେ ତୁରନ୍ତ ଆମେରିକାର ବିଦେଶ ମନ୍ତ୍ରାଳୟକୁ ଏ ସମ୍ପର୍କରେ ଜଣାଇଲି । ଅଧଘଣ୍ଟା ପରେ ମହିଳାଙ୍କ ସମ୍ପର୍କରେ ନିଷ୍ପତ୍ତି ଶୁଣାଇବେ ବୋଲି ୱାଶିଂଟନ୍‌ସ୍ଥିତ ବିଦେଶ ମନ୍ତ୍ରାଳୟ ତରଫରୁ ତାଙ୍କୁ କୁହାଗଲା । ମାତ୍ର ଅଧଘଣ୍ଟା ବିତିଗଲା ପରେ କୌଣସି ଉତ୍ତର ଆସିଲା ନାହିଁ । ହେଲେ ଦିଲ୍ଲୀସ୍ଥିତ ସିଆଇଏ ଷ୍ଟେସନ୍‌ ମୁଖ୍ୟ ଲି ରାତି ଅଧରେ ନିଜ କାର୍‌ରେ ଶ୍ୱେତଲନାଙ୍କୁ ନେଇ ପାଲାମ୍‌ ବିମାନବନ୍ଦରରେ ରୋମ ଅଭିମୁଖୀ ଏକ ବିମାନରେ ବସାଇଦେଲେ । ଶ୍ୱେତଲନା ଭାରତରୁ ରୋମ୍‌ ଚାଲିଗଲେ । 
ଏହା ପରଦିନ ଭାରତ ଓ ରୁଷିଆରେ ହଇଚଇ ଖେଳିଗଲା । ରୁଷିଆ ଗୁଇନ୍ଦା ସଂସ୍ଥା କେଜିବି ଭାରତକୁ ଦୋଷ ଦେବାକୁ ଆରମ୍ଭ କଲା । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଘଟଣାରେ ପ୍ରତ୍ୟକ୍ଷ ହସ୍ତକ୍ଷେପ କରି ଭାରତୀୟ ବିଦେଶ ସେବାର ବରିଷ୍ଠ ଅଧିକାରୀ ରିକି ଜୟପାଲଙ୍କୁ ଶ୍ୱେତଲନାଙ୍କୁ ଭେଟିବାକୁ ରୋମ୍‌ ପଠାଇଲେ । ଜୟପାଲ୍‌ ରୋମ୍‌ରେ ଶ୍ୱେତଲନାଙ୍କୁ ଭେଟିଲେ । ଭାରତରୁ ତାଙ୍କର ପଳାୟନ ଘଟଣାରେ ଭାରତ ସରକାରଙ୍କର କୌଣସି ହାତ ନାହିଁ ବୋଲି ଏକ ଚିଠି ସେ ଦିନେଶ ସିଂହଙ୍କ ଠାରୁ ଲେଖି ଆଣିଥିଲେ । ଶ୍ୱେତଲନା ସେ ଚିଠିରେ ଦସ୍ତଖତ କରିଦେଲେ । ଏଥିସହିତ ନିଜ ପିଲାମାନଙ୍କୁ କିଛି ସନ୍ଦେଶ ଦେବେ କି ବୋଲି ଜୟପାଲ ତାଙ୍କୁ ପଚାରିଲେ । ଶ୍ୱେତଲନା ପନ୍ଦର ପୃଷ୍ଠାର ଏକ ଚିଠି ନିଜ ପିଲାମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ମାତ୍ର ସେହି ଚିଠି ତାଙ୍କ ପିଲାମାନଙ୍କ ପାଖରେ କେବେ ପହଞ୍ଚିନଥିଲା ବୋଲି ଶ୍ୱେତଲନା ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି । ପରବର୍ତ୍ତୀ ସମୟରେ ଶ୍ୱେତଲତା ଆମେରିକାର ବାସ୍ତୁବିତ୍‌ ୱିଲିୟମ୍‌ ପିଟର୍‌ଙ୍କୁ ବିବାହ କରିଥିଲେ । ମାତ୍ର ୩ ବଷର୍ପରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା । 
 ଶେଷ ଜୀବନରେ ସେ ଦାରିଦ୍ର୍ୟର କଷାଘାତରେ କାଳତିପାତ କରୁଥିଲେ । ୨୦୧୧ ନଭେମ୍ବର ୨୨ରେ ୮୫ ବର୍ଷ ବୟସରେ ଏକଦା ରୁଷିଆର ସର୍ବକ୍ଷମତା ସମ୍ପନ୍ନ ଷ୍ଟାଲିନ୍‌ଙ୍କର ଏହି ଅଭାଗିନୀ ଝିଅଙ୍କର ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.

3 × 3 =