ଗଳ୍ପ – ଝିଅଜନ୍ମ

0 655

ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸


ମୁକ୍ତା ଦେହରେ ଆଜି ବାଡ଼ୁଅ ପାଣି ପଡ଼ିଛି l ତା ପାପୁଲି କୁ ସେ ରଙ୍ଗେଇଛି ଆଜି  ମଞ୍ଜୁଆତିରେ l ନାକରେ ନୋଥ, କାନରେ ଝୁମ୍ପା, ଅଣ୍ଟାରେ ଅଣ୍ଟାସୂତା, ହାତରେ ପିତ୍ତଳ ଖଡ଼ୁ ଏବଂ ପାଦରେ ପାଉଁଜି l ଝିଅକୁ ବଧୂ ବେଶରେ ସଜେଇ ଦେଲାପରେ ବାପା ମାଆ ଙ୍କର ପାଦ ଜମା ଆଉ ତଳେ ଲାଗୁନି l ସାକ୍ଷାତ ଦେବୀ ପ୍ରତିମାଟିଏ ଯେମିତି ସେମାନଙ୍କ ଆଗରେ ଉଭା ହେଇଛି l ଆଜି ପରଠୁ ଝିଅ ତାଙ୍କର ଏହି ଘର ଛାଡ଼ି ଶାଶୂଘର ଚାଲିଯିବ, ତଥାପି ଆଜି ଠାରୁ ବଡ଼ ଖୁସିର ଦିନ ମାଆବାପାଙ୍କ ପାଇଁ ଆଉ କିଛି ହୋଇ ନ ଥାଏ l 
ଗରିବ ହେଉ କି ସ୍ୱଚ୍ଛଳ, ଝିଅଟିଏ ଜନ୍ମ ହେଲା ମାତ୍ରେ ଏହି ସ୍ବପ୍ନ ହିଁ ତ ବାପା ମାଆ ଦେଖନ୍ତି l ଯେ ତାଙ୍କ ଝିଅ ସବୁବେଳେ ଖୁସିରେ ରହୁ l  ଦୁନିଆଁର ସବୁ ସୁଖ ତା କୋଳରେ ଅଜାଡ଼ି ହେଉ l ନିଜ ସାଧ୍ୟମତେ ଖର୍ଚ୍ଚ କରି, ଦରକାର ପଡ଼ିଲେ ଧାରଉଧାର, ବନ୍ଧକ, ଜମି ବିକ୍ରି ଯେ କୌଣସି ଉପାୟରେ ବାହାଘର ଉଠେଇଦିଆଯାଏ l ନିଜ ଭବିଷ୍ୟତ ର ଚିନ୍ତା ନ କରି ଝିଅର ଆଗତ ଭବିଷ୍ୟତ ପାଇଁ ଖଞ୍ଜି ଦିଆଯାଏ ଭଳି କି ଭଳି ଜିନିଷ l 
ବରଯାତ୍ରୀ ଆସି ପହଞ୍ଚି ଯାଇଥିଲେ l ସେମାନଙ୍କ ବିଶ୍ରାମ ଏବଂ ଖାଇବା ବ୍ୟବସ୍ଥାର ପୁରାପୁରି ଯତ୍ନ ନିଆଯାଇଥିଲା l ଆଉ କିଛି ସମୟରେ ପୁଅ ବେଦୀ ଉପରକୁ ଯିବ l କିନ୍ତୁ ଝିଅର ଭାବି ଶ୍ଵଶୁରଙ୍କ ଏକା ଜିଦ୍ ୫o ହଜାର ଟଙ୍କା ନଗଦ ଦେଲେ ହିଁ ହାତଗଣ୍ଠି ପଡ଼ିବ l ମୁକ୍ତା ବାପା ମୁଣ୍ଡରେ ତେଣେ ଚଡ଼କ ପଡିଲାଣି l ଯାହା ଯେମିତି ଥିଲା ତାକୁ ବିକ୍ରିବଟା କରି ଯାହା ଏକାଠି କରାଯାଇଥିଲା, ତାହା ବାହାଘର ପାଇଁ ନିଅଣ୍ଟ l  ସେଥିରେ ପୁଣି ସାଙ୍ଗେ ସାଙ୍ଗେ ଆହୁରି ନଗଦ ଟଙ୍କା ! ମୁକ୍ତା ବାପା ନିଜକୁ ବିକିଦେଲେ ବି ଏତେବଡ଼ ପରିମାଣ ଏତେଶୀଘ୍ର ଯୋଗାଡ଼ କରିପାରିବେ ନାହିଁ l ମୁକ୍ତା ମାଆ ମୁଣ୍ଡରେ ହାତଦେଇ ଝିଅଜନ୍ମ କରିଥିବାରୁ ନିଜ ଭାଗ୍ୟକୁ ନିନ୍ଦୁଥାଏ l ମାଆ ଆଖିରୁ ବହୁଥିବା ଲୋତକଧାରକୁ ଦେଖି କ୍ଷଣିକ ପାଇଁ ମୁକ୍ତା ମନରେ ମଧ୍ୟ ନିଜ ଜନ୍ମକୁ ନେଇ ଅବଶୋଷ ଜାତ ହେଲା l ପୁଅଟିଏ ନ ହୋଇ ଝିଅ ହେବାର ଦୁଃଖ ୟା ପୂର୍ବରୁ ଅନେକଥର ଏହି ସମାଜ ତାକୁ ଅନୁଭବ କରେଇଛି କିନ୍ତୁ ସେ ପ୍ରତିଥର ଦୃଢତାର ସହିତ ସେସବୁ କୁ ସାମ୍ନା କରିଛି l ମାତ୍ର ଅସହାୟ, ନିରାଶ ବାପା ମାଆଙ୍କୁ ଦେଖି ତାର ଛାତି ଭିତରର କୋହ ତା କୋମଳ ହୃଦୟରେ ଜ୍ୱଳନ ସୃଷ୍ଟି କରୁଥିଲା l 
ବାହାରି ଆସିଲା ମୁକ୍ତା ଘର ଭିତରୁ l ଯିଏ ଦେଖିଲା ଆଶ୍ଚର୍ଯ୍ୟ, ଏ କି ରୂପ ଝିଅର ! ବୋହୂ ବେଶ ଓହ୍ଲେଇ ଦେଇ ଏମିତି କଣ ଚାଲିଆସିଲା ସମସ୍ତଙ୍କ ଆଗକୁ l ଲୋକ ଫିସ୍ ଫିସ୍ କଥା ହେବା ଆରମ୍ଭ କରିଦେଇଥିଲେ l କିଏ ଝିଅର କିଛି ଅବଗୁଣ ଦେଖି ପୁଅଘର ବାହାଘର ପାଇଁ ମନା କରିଦେଇଥିବେ ବୋଲି ଟୁପ୍ ଟାପ୍ ହେଲା ତ କିଏ କହିଲା ଝିଅର ଆଉ କାହା ସହିତ ନିଶ୍ଚୟ ସମ୍ପର୍କ ଥିବ, ସେଥିପାଇଁ ବାହାଘର ପାଇଁ ରାଜି ହଉନି l ଭୁଲ ଯାହାର ଥାଉ, ଦୋଷ ସବୁବେଳେ ଝିଅ ଏବଂ ତା ପରିବାରକୁ ହିଁ ଦେଇଆସିଛି ଆମ ସମାଜ l 
ଭାବୀ ଶ୍ୱଶୁର ଏବଂ ବଳି ପାଇଁ ସଜ ହୋଇ ବସିଥିବା ଛେଳି ଭଳି ନିରବ ଏବଂ କାତର ଭାବୀ ବରକୁ ସ୍ପଷ୍ଟ ଭାଷାରେ ବୁଝେଇଦେଲା ମୁକ୍ତା, ” ମୋ ବାପା ଓ ମାଆ ମୋତେ କେବଳ ପାଠ ପଢ଼େଇନାହାନ୍ତି, ଭଲ ସଂସ୍କାର ଦେବା ସହ ନିଜ ଗୋଡ଼ରେ ଛିଡ଼ା ହେବା ମଧ୍ୟ ଶିଖେଇଛନ୍ତି l ମୋତେ ବଡ଼ କରି ଭଲ ମଣିଷଟିଏ କରି ଗଢ଼ି ତୋଳିବାରେ ସେମାନଙ୍କର ବି ଅନେକ ଟଙ୍କା ଖର୍ଚ୍ଚ ହେଇଛି l ବାହାଘରର ଏତେ ଖର୍ଚ୍ଚ ତା ଉପରେ ପୁଣି ଆପଣ ନଗଦ ଟଙ୍କା ମାଗିବା କେଉଁ ଦୃଷ୍ଟିରୁ ଠିକ? ବରଂ ମୁଁ ଆପଣଙ୍କ ଘରକୁ ଯିବି, ଘରର ସବୁ ଦାୟିତ୍ୱ ଭବିଷ୍ୟତରେ ମୋର l ମୋ ମତରେ ପୁଅଘର ବାହାଘର ବେଳେ ଝିଅ ଘରୁ କିଛି ନ ମାଗି ଓଲଟା ତା ବାପା ମାଆଙ୍କୁ କୃତଜ୍ଞତା ଜଣେଇବା ଦରକାର ; ଯେ ସେମାନଙ୍କ ଘରକୁ ସମ୍ଭାଳିବା ପାଇଁ ଝିଅଟି ନିଜର ସବୁ ଛାଡ଼ି ତାଙ୍କ ପାଖକୁ ଯାଉଛି l ମୋର ଆପଣ ମାନଙ୍କୁ ଅନୁରୋଧ, ଦୟାକରି ସମ୍ମାନର ସହ ଏଇଠୁ ଫେରିଯାଆନ୍ତୁ l ଏମିତି ଟଙ୍କାଲୋଭୀ ଘରର ବୋହୂ ହେବା ଅପେକ୍ଷା ସାରାଜୀବନ ଅବିବାହିତ ରହିବା ପାଇଁ ମୁଁ ରାଜି ଅଛି l ‘
ନିର୍ବାକ ଭାବୀ  ଶ୍ୱଶୁର ଏବଂ ବର , ବରଯାତ୍ରୀ ସମେତ ଫେରିଯିବାକୁ ବାଧ୍ୟ ହେଲେ l ଧୀରେ ଧୀରେ ଲୋକଙ୍କ ଗହଳି ବି ଭାଙ୍ଗିବାକୁ ଲାଗିଲା l ଲୋକେ କୁହାକୁହି ହେଉଥିଲେ, ‘ ଆଉ ଜଣେ ଶିଶୁପାଳ ଆଜି ବାହାବେଦୀରୁ ଫେରିଗଲା ‘ ବୋଲି l କିଛି ସମୟ ପୂର୍ବରୁ ଝିଅର ଦୋଷ ବାହାର କରୁଥିବା ପାଖପଡୋଶୀ ଝିଅର ରୋକଠୋକ କଥା ଶୁଣିବା ପରେ କିଛି ଭିନ୍ନ ମତ ରଖୁଥିଲେ l 
    ମୁକ୍ତା ମାଆ ଲୁହ ପୋଛି ଝିଅ ମୁଣ୍ଡକୁ ଗର୍ବରେ ଆଉଁସି ଦେଲା l ଠାକୁରଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ସବୁଜନ୍ମରେ ତାକୁ ମୁକ୍ତା ଭଳି ଝିଅ ଟିଏ ଦେବାପାଇଁ ଆଶୀର୍ବାଦ ମାଗୁଥାଏ l
🔸


ଫୋନ – 6370516478, ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର 

Leave A Reply

Your email address will not be published.

eighteen − seven =