ଆମ ପରମ୍ପରା: ଅକ୍ଷୟ ତୃତୀୟା

0 374

ଡ. ଗୋପାଳ କୃଷ୍ଣ ଆଚାର୍ଯ୍ୟ

ଆଜି ହେଉଛି ଅକ୍ଷୟ ତୃତୀୟା। ଏହା ଏମିତି ଏକ ତିଥି ଯେଉଁଦିନ ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ଆଖି ବୁଜି କରିହେବ। ରଥ ଅନୁକୂଳ ଠାରୁ ମୁଠି ଅନୁକୂଳ, ବିବାହ ଠାରୁ ଆରମ୍ଭ କରି ଗୃହ ପ୍ରତିଷ୍ଠା, ଗୃହ ନିର୍ମାଣ ଅନୁକୂଳ ଠାରୁ ବ୍ୟବସାୟ ଅନୁକୂଳ ଇତ୍ୟାଦି ସମ୍ପନ୍ନ ହେବ।

କୃଷକ ମାନଙ୍କର ଏହା ଏକ ବଡ଼ ପର୍ବ। ଆଜି ଠାରୁ ଶୁଭାରମ୍ଭ ହେବ କୃଷି କାର୍ଯ୍ୟ। ରଥଖଳା ପାଇଁ ଆୟୋଜନ ଆରମ୍ଭ ହେଇଯାଇଛି।‌ ବଡ଼ ଦେଉଳରୁ ଆଜ୍ଞାମାଳ ଆସିଲା ପରେ ରଥଖଳାରେ ଆରମ୍ଭ ହେଇଯିବ ରଥ ତିଆରି। ମା’ ଚର୍ଚ୍ଚିକାଙ୍କ ଆଶୀର୍ବାଦ ନେଇ ତାଙ୍କ ତତ୍ତ୍ଵାବଧାନରେ ଆଗେଇ ଚାଲିବ ରଥ କାମ।

ସେପଟେ ଚଳନ୍ତି ପ୍ରତିମା , ପଞ୍ଚୁପାଣ୍ଡବଙ୍କର ବାହାର ଚନ୍ଦନ ବି ଆଜିଠୁ ଆରମ୍ଭ। ପଞ୍ଚୁପାଣ୍ଡବମାନେ ହେଲେ ଯମେଶ୍ୱର, କପାଳମୋଚନ, ମାର୍କଣ୍ଡେଶ୍ୱର, ଶ୍ରୀଲୋକନାଥ ଓ ନୀଳକଣ୍ଠେଶ୍ଵର। ଦ୍ଵାପରରେ ଶ୍ରୀକୃଷ୍ଣଙ୍କ ସହିତ ପାଣ୍ଡବ ପାଞ୍ଚ ଭାଇ ଥିବା ପରି କଳି ଯୁଗରେ ରାମ, କୃଷ୍ଣଙ୍କ ସହିତ ପଛେ ପଛେ ପଞ୍ଚ ମହାଦେବ ବିଜେ କରିଥାନ୍ତି।

ସିଂହଦ୍ଵାର ଠାରୁ ଆରମ୍ଭ କରି ନରେନ୍ଦ୍ର ଭିତରେ ୫/୬ ଟି ଛାମୁଣ୍ଡିଆ ହେଉଥିବା ବେଳେ ଏବେ ତାହା ଦୁଇଟି ରେ ସୀମିତ ହୋଇ ଯାଇଛି। ବାଉଁଶ ର ସ୍ଥାନ ନେଇଛି ଲୁହା ର ପାଇପ୍। ଉପରେ କିନ୍ତୁ ସେମିତି ନଡ଼ିଆ ଛାମୁଣ୍ଡିଆ ବନ୍ଧା ହେଉଛି ଓ ସେଥିରେ ବିଭିନ୍ନ ଫଳ ଓ କୋଳି ଝୁଲୁଛି। ସେଗୁଡିକ ଦେଖିବାକୁ ଖୁବ୍ ସୁନ୍ଦର ଲାଗୁଛି।

ଦିନ ଚାପ ପରେ ଠାକୁରମାନେ ଚନ୍ଦନ କୁଣ୍ଡରେ ବୁଡି ଭକ୍ତ ଙ୍କୁ ଦର୍ଶନ ଦେବେ। ମାଣ୍ଡୁଅ କୋଳି ଭୋଗ ଓ ପାନ ମଣୋହି ପରେ ପୁଣି ରାତି ଚାପରେ ବୁଲିବେ।

ଐତିହାସିକ କେଦାରନାଥ ମହାପାତ୍ର ଙ୍କ “ଖୁରଧା ଇତିହାସ” ପୁସ୍ତକରେ ବର୍ଣ୍ଣିତ ଅଛି ଯେ,ଗଜପତି ଦ୍ଵିତୀୟ ରାମଚନ୍ଦ୍ର ଦେଵଙ୍କ ସମୟରେ ମୁର୍ଶିଦ କୁଲି ଖାଁ ଶ୍ରୀମନ୍ଦିର ଆକ୍ରମଣ କରିବା ସମୟରେ ବିଗ୍ରହ ତିନୋଟିଙ୍କୁ ଅପସାରଣ କରାଯାଇଥିଲା।ଫଳରେ କିଛି ଦିନ ପାଇଁ ଶ୍ରୀଗୁଣ୍ଡିଚା, ଦୋଳ,ଚନ୍ଦନ ଯାତ ଇତ୍ୟାଦି ବନ୍ଦ ହୋଇ ଯାଇଥିଲା।ଗଜପତି ଦିବ୍ୟସିଂହ ଦେବଙ୍କ ସମୟରେ ୧୬୨୯ ମସିହାରେ ମୁସଲମାନମାନଙ୍କ ଆକ୍ରମଣକୁ ଡରି ଚନ୍ଦନଯାତ କରା ଯାଇନଥିଲା।
ଆଜି ସକାଳଧୂପ ଶେଷ ହେବା ପରେ ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ କରାଯାଇଛି।ଏହାପରେ ପୂର୍ଵଦିନରୁ ଅଧିଵାସିତ ହୋଇଥିବା ତିନୋଟି ରୂପା ଚନ୍ଦନ ପିଙ୍ଗଣ(ଵାସନ) ପରୀଖ ଗୁଡିକ ଘଣ୍ଟ, ଛତା,କାହାଳି ସହ ପଣ୍ଡା, ପତି,ମୁଦିରସ୍ତ ଓ ତିନିଜଣ ପୁଷ୍ପାଳକ,ତଳିଚ୍ଛ ପଟୁଆର ହୋଇ ତିନିରଥ ବଡ଼ଦେଉଳକୁ ପ୍ରଦକ୍ଷିଣ କରାଇ ରତ୍ନସିଂହାସନ ଉପରେ ତିନିବାଡ଼ରେ ସଜାଇ ରଖାଯିଵ।ପରେ ଗର୍ଭଗୃହର ପୋଖରିଆରେ ପାଣିପଡି ଧୂଆ ଯିବା ପରେ ଶୀତଳ ଭୋଗ ବଢାଯାଇ ପଞ୍ଚୋପଚାରରେ ପୂଜା କରାଯିବ।କେଵଳ ଅକ୍ଷୟତୃତୀୟା ଦିନ ଠାକୁରମାନଙ୍କ ଯାତ୍ରା ସମୟରେ ବିମାନ ଓ ପାଲିଙ୍କି ଶ୍ରୀନଅରରେ ପହଞ୍ଚିଲେ ରଥ ଅନୁକୂଳ ନୀତି ସମ୍ପନ୍ନ ହୁଏ।ଠାକୁର ଯାତ୍ରା କଲାବେଳେ ମଠ,ଜାଗା ଆଖେଡା ଆଦିରେ ପନ୍ତି ଭୋଗ ଖାଇବେ।
ଚାପରେ ମହାଜନ ସେବକ ରାମ,କୃଷ୍ଣଙ୍କୁ ବଡ଼ଚାପରେ ବିଜେ କରାଇବେ।ପଛ ସିଂହାସନରେ ପଞ୍ଚମହାଦେବ(ପଞ୍ଚୁପାଣ୍ଡବ) ବିଜେ କରିଵେ।ଦ୍ଵିତୀୟ ଚାପରେ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ବିଜେ ହେଵେ।ମୁଦିରସ୍ତ ସେଵକ ପ୍ରସାଦ ଲାଗି କରିବେ।ହଡ଼ପ ନାଏକ ଦଶାବତାର ପଟି କାନ୍ଧରେ ପକାଇ ବିଡିଆ ମଣୋହି କରିବେ।

ରାମ,କୃଷ୍ଣଙ୍କ ଚାପର ନାମ ନନ୍ଦା।ମଦନମୋହନ ବିଜେ କରିଥିବା ଚାପର ନାମ ଭଦ୍ରା।

ମହାପ୍ରଭୁ ସମସ୍ତଙ୍କୁ ଅସହ୍ୟ ତାତି ଓ ମହାମାରୀରୁ ରକ୍ଷା କରନ୍ତୁ।ଜୟ ଜଗନ୍ନାଥ।

Leave A Reply

Your email address will not be published.

four × 4 =