କନ୍ୟାଭ୍ରୁଣ ହତ୍ୟା ବନ୍ଦ କେବେ ?

0 525

ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ସେମାନଙ୍କ ଉନ୍ନତି ବିଷୟରେ ଚାରିଆଡେ ଡିଣ୍ଡିମ ପିଟାହେଲେ ମଧ୍ୟ କନ୍ୟା ଜନ୍ମ ପୂର୍ବରୁ ମାଁ ପେଟରେ ହିଁ ଭ୍ରୁଣର ହତ୍ୟା ଭଳି ଘଟଣା ଗୁଡ଼ିକ ଏତେମାତ୍ରାରେ ଘଟିବା ବର୍ତ୍ତମାନ ପରିପ୍ରେକ୍ଷୀରେ ଏକ ଆଲୋଚନାର ବିଷୟ l କନ୍ୟାଭ୍ରୁଣ ହତ୍ୟାର ଅର୍ଥ ; କନ୍ୟା ସନ୍ତାନ ପ୍ରତି ଅନାଗ୍ରହ, ଯାହା ପ୍ରକାରାନ୍ତରେ ଦର୍ଶାଏ ଯେ ଆମ ସମାଜରେ ଏବେ ମଧ୍ୟ ପୁଅ ମାନଙ୍କୁ ଝିଅଙ୍କ ଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି l ଝିଅଜନ୍ମ କୁ ଖୋଲା ମନରେ ସ୍ୱାଗତ ନ କରିବା, ଆଇନ ବିରୁଦ୍ଧରେ ଯାଇ କନ୍ୟାଭ୍ରୁଣ  ହତ୍ୟା କରିବା, କନ୍ୟା ସନ୍ତାନଙ୍କୁ ବୋଝ ଭାବିବା ; ସୂଚନା ଦିଏ ଯେ ଭାରତ ଭଳି ପ୍ରଗତିଶୀଳ ରାଷ୍ଟ୍ରରେ ଏବେ ମଧ୍ୟ ଝିଅ ମାନଙ୍କୁ ପୁଅମାନଙ୍କ ଠାରୁ ହୀନ ଦୃଷ୍ଟିରେ ଦେଖାଯାଉଛି l ନାରୀ ଜାଗରଣ, ମହିଳାଙ୍କ ପ୍ରଗତି, ନାରୀ ପୁରୁଷ ସମାନତା କଥା କେବଳ ଆଲୋଚନା ଏବଂ ତର୍କରେ ସୀମିତ ରହିଯାଇଛି l ବାସ୍ତବରେ ଝିଅ ମାନଙ୍କୁ ପୁଅଙ୍କ ସହିତ ସମାନ କରିବାର ମାନସିକତା ଏବେ ମଧ୍ୟ ଆମ ସମାଜରେ ଦେଖାଯାଉନାହିଁ l
UNICEF ରିପୋର୍ଟ ଅନୁଯାୟୀ ଲିଙ୍ଗଭେଦ ନୀତି ଯୋଗୁଁ ଭାରତର ସମୁଦାୟ ଜନସଂଖ୍ୟାରୁ ପ୍ରାୟ ୫ କୋଟି ଝିଅ ଓ ମହିଳା ଅନ୍ତର୍ଦ୍ଧIନ ଅଛନ୍ତି l ବିଶ୍ୱର ପ୍ରାୟ ଦେଶରେ ପ୍ରତି ୧oo ପୁରୁଷରେ ୧o୫ ଜଣ ମହିଳା ଥିବା ବେଳେ ଭାରତରେ ପ୍ରତି ୧oo ପୁରୁଷରେ ୯୩ ରୁ କମ ସଂଖ୍ୟକ ମହିଳା ଥିବା ଗଣନା କରାଯାଇଛି l ଭାରତରେ ଅବୈଧ ରୂପରେ ପାଖାପାଖି ୨ooo ଅଜନ୍ମା ଝିଅଙ୍କ ଗର୍ଭରେ ହତ୍ୟା କରାଯାଇଥିଲା l ଆଇନ ବିରୁଦ୍ଧରେ ଯାଇ ଲୁଚାଚୋରାରେ ବାପା ମାଆ ସହିତ ଡାକ୍ତର ମାନେ ଏଭଳି ଘୃଣ୍ୟ କାମ କରିବାକୁ ପଛାଉ ନାହାନ୍ତି l ଲିଙ୍ଗ ନିରୂପଣ ଯେଉଁଠି ବେଆଇନ ଧରାଯାଉଛି, ସେଇଠି ଏତେ ମାତ୍ରାରେ କନ୍ୟାଭ୍ରୁଣ ହତ୍ୟା କିପରି ସମ୍ଭବ ହେଉଛି, ତାହା ଏକ ବଡ଼ ପ୍ରଶ୍ନ !
ଝିଅମାନଙ୍କ ଠାରୁ ପୁଅମାନଙ୍କୁ ଅଧିକ ଗୁରୁତ୍ୱ ଦେବା ପଛରେ ଆର୍ଥିକ, ସାମାଜିକ ଏବଂ ଧାର୍ମିକ କାରଣ ରହିଛି l ଯେମିତିକି ପୁଅମାନେ ପିତାଙ୍କ ବ୍ୟବସାୟକୁ ଆଗକୁ ବଢ଼େଇ ଉପାର୍ଜନ କରି ଘର ଚଲେଇବାର ଦାୟିତ୍ୱ ନେଉଥିବା ବେଳେ ଝିଅଟିଏ ବିବାହ କରି ଅନ୍ୟଘରକୁ ଚାଲିଯାଏ l ଅତିଥି ଭଳି କେବେ କେମିତି ଘରକୁ ଆସି ପରିବାର ସହ କିଛି ସମୟ ବିତେଇବାର ଚଳଣି ଆମ ସମାଜରେ କେବେଠାରୁ ଚାଲିଆସୁଛି l କୌଣସି ଆର୍ଥିକ ସହଯୋଗ ଏବଂ ଆୟ ପରିବାରକୁ ନ ମିଳିବାରୁ ଭବିଷ୍ୟତରେ ଝିଅମାନଙ୍କ ଠାରୁ କିଛି ସାହାଯ୍ୟ ଆଶା କରାଯାଏ ନାହିଁ l
ପୁଅଟିଏ ଝିଅକୁ ବିବାହ କରି ଘରକୁ ଲକ୍ଷ୍ମୀ ନେଇଆସେ l ଯୌତୁକ ରୂପୀ ଅର୍ଥ ଏବଂ ଆସବାବପତ୍ରର ସହାୟତା ସହିତ ବୋହୁ ରୂପେ ସବୁ ଦାୟିତ୍ୱ ନେଇ ଘରକୁ ସମ୍ଭାଳିଥାଏ l ଅପରପକ୍ଷେ ଝିଅଟିଏ ବିବାହରେ ତାକୁ ଯୌତୁକ ଦେଇ ପର ଘରକୁ ପଠେଇ ଦିଆଯାଏ ଏବଂ ଆଗକୁ ତାର ସହଯୋଗ ବାପଘର ପ୍ରତି କ୍ଵଚିତ୍ ହିଁ ରହେ l ବଂଶକୁ ଆଗକୁ ବଢେଇବା ପାଇଁ ପୁତ୍ର ସନ୍ତାନର ଆବଶ୍ୟକତା ରହିଛି ବୋଲି ବିଶ୍ୱାସ କରାଯାଏ l ପୁତ୍ର ସନ୍ତାନ ପରିବାରର ନାଁ କୁ ଭବିଷ୍ୟତରେ ବଢ଼ାଉଥିବା ବେଳେ କନ୍ୟା ସନ୍ତାନ ବିବାହ ପରେ ଅନ୍ୟ କାହାର ବଂଶକୁ ବଢ଼ାଏ ବୋଲି ଯୁକ୍ତି କରାଯାଏ l
ଶେଷରେ ଧାର୍ମିକ ଦୃଷ୍ଟିକୋଣରୁ ପୁଅମାନେ ଝିଅଙ୍କ ତୁଳନାରେ ବେଶୀ ଖୋଜା ପଡନ୍ତି l ଯେମିତି ମାତା ପିତାଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତେଷ୍ଟି କ୍ରିୟା, ମୁଖାଗ୍ନି ଆଦି ସବୁ କର୍ମ କେବଳ ପୁତ୍ର ଦ୍ୱାରା ହିଁ ସମ୍ପନ୍ନ କରାଯାଏ l ଆଶ୍ଚର୍ଯ୍ୟର ବିଷୟ ଏହି ଭେଦଭାବ କେବଳ ଗରିବ ଓ ନିଚ୍ଚ ଜାତିର ପରିବାରରେ ସୀମିତ ନୁହେଁ ବରଂ ସମ୍ଭ୍ରାନ୍ତ, ପ୍ରତିଷ୍ଠିତ ଏବଂ ଉଚ୍ଚ ଜାତିର ଲୋକମାନେ ବି ଏସବୁ ବେଶୀ ମାନିବା ଦେଖାଯାଏ l
କନ୍ୟାଭ୍ରୁଣ ହତ୍ୟାକୁ ରୋକିବା ପାଇଁ ତଥା ଲୋକଙ୍କ ବିଚାରଧାରା ଓ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ସରକାର ଅନେକ ଗୁଡିଏ ପଦକ୍ଷେପ ନେଇଛନ୍ତି l▪️ଲିଙ୍ଗ ନିରୂପଣ ଏବଂ ଭ୍ରୁଣହତ୍ୟା କରୁଥିବା ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧାନ l▪️ ପ୍ରତି ଚିକିତ୍ସାଳୟରେ ଡାକ୍ତରମାନଙ୍କୁ ଲିଙ୍ଗ ନିରୂପଣ କରିବାରୁ ନିବୃତ୍ତ କରିବା ଦିଗରେ ଶକ୍ତ ପଦକ୍ଷେପ l▪️’ ବେଟି ବଚାଓ, ବେଟି ପଢ଼ାଓ ‘ ସ୍ଲୋଗାନ ଦେଇ କନ୍ୟା ସନ୍ତାନ ମାନଙ୍କୁ ସୁରକ୍ଷିତ ଓ ଶିକ୍ଷିତ କରିବାର ପ୍ରୟାସ l▪️ ଝିଅମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି, ଯାହା କନ୍ୟାଭ୍ରୁଣ ହତ୍ୟାରେ ରୋକ ଲଗେଇବା l▪️ ମହିଳାଙ୍କୁ ଆତ୍ମନିର୍ଭର କରିବା ଏବଂ ଦକ୍ଷତା ବିକାଶ କରେଇବା, ଯଦ୍ୱାରା ସେମାନେ ପରିବାର ପାଇଁ ବୋଝ ନ ହୋଇ ଭରଣପୋଷଣରେ ସହାୟକ ହେବେ l
ବିଗତ ତିନି ଦଶକରେ କନ୍ୟାଭ୍ରୁଣ ହତ୍ୟାର ପ୍ରଭାବ ସମାଜରେ ସ୍ପଷ୍ଟ ଭାବରେ ପରିଲକ୍ଷିତ ହୋଇଛି l ମହିଳା – ପୁରୁଷର ଅନୁପାତରେ ହ୍ରାସ ଏକ ବିପଦଜ୍ଜନକ ଅସୁନ୍ତଳନ ସୃଷ୍ଟି କରିଛି l ପୁଅ ମାନଙ୍କୁ ବିବାହ ପାଇଁ ଝିଅଙ୍କର ଅଭାବ ଦେଖାଯାଇଛି, ପରିଣାମ ପୁରୁଷମାନେ କମ ବୟସର ଝିଅଙ୍କୁ ବିବାହ କରୁଛନ୍ତି l ଆଗାମୀ ୨o ବର୍ଷରେ ଏହାର ଫଳ ସ୍ୱରୂପ ଝିଅ ମାନଙ୍କୁ ଜୋର କରି କିମ୍ବା ଅପହରଣ କରି  ବିବାହ ପାଇଁ ବାଧ୍ୟ କରାଯିବା ଭଳି ସମସ୍ୟା ଦେଖାଯିବ ବୋଲି ଆଶଙ୍କା ରହିଛି l ବିବାହ ପାଇଁ ଝିଅଙ୍କ ଅଭାବ ପୁରୁଷ ମାନଙ୍କୁ ମହିଳା ମାନଙ୍କ ସହିତ ଅସଦ ବ୍ୟବହାର ଅଶ୍ଳୀଳ ଆଚରଣ, ଶୋଷଣ, ଦୁଷ୍କର୍ମ ଭଳି ଅପରାଧ ଆଡକୁ ଟାଣିନେଉଛି l ବିଗତ କିଛି ବର୍ଷରେ ବଢୁଥିବା ମହିଳା ହିଂସା, ନିର୍ଯାତନା, ଚାରିତ୍ରିକ ଅଧୋଗତି ପାଇଁ ଏହି ଲିଙ୍ଗଗତ ଅସମାନତା ମୁଖ୍ୟତଃ  ଦାୟୀ l ତେଣୁ ଆବଶ୍ୟକତା ଅଛି ସମାଜରେ ଭ୍ରୁଣହତ୍ୟାକୁ ରୋକିବା ପାଇଁ ଅଧିକରୁ ଅଧିକ ସଚେତନତା ପ୍ରସାର କରିବା l ଝିଅ ଓ ପୁଅ ଙ୍କୁ ସମାନ ଭାବିଲେ, ଦୁହିଁଙ୍କୁ ଏକା ଦୃଷ୍ଟିରେ ଦେଖିଲେ, ଦୁହିଁଙ୍କ ପାଇଁ ସମଭାବରେ ସ୍ନେହ ଓ ଶ୍ରଦ୍ଧା ରଖିଲେ ଭୃଣହତ୍ୟା ଭଳି ଅମାନୁଷିକ କାଣ୍ଡ ଘଟେଇବାର ମନୋବୃତ୍ତି ରହିବ ନାହିଁ l
ମେ ମାସ ୮ ତାରିଖରେ ଆମେ ମାତୃଦିବସ ପାଳନ କରୁଛେ l ମାଆ ମାନଙ୍କୁ ଉଚ୍ଚ ଆସନରେ ଅଧିଷ୍ଠିତ କରେଇ ପ୍ରଶଂସାରେ ପୋତି ପକାଉଛେ l ଯେଉଁ ମାତୃଶକ୍ତିକୁ ପୂଜା କରୁଛେ, ଯାହା ପାଇଁ ଆମ ଜନ୍ମ, ସେହି ବନ୍ଦନୀୟା ମାତାର ମୂଳ ହେଉଛି କନ୍ୟାଭ୍ରୁଣ ଟିଏ l ଏହାକୁ ପରିପକ୍ୱ ହେବାକୁ ଦେଇ, ସୃଷ୍ଟିକୁ ଦେଖିବାର ସୁଯୋଗ ଦେବା ଆମ ସମସ୍ତଙ୍କର ଦାୟିତ୍ୱ l କନ୍ୟା ଟିଏ ହିଁ ନୂତନ ସୃଷ୍ଟିର ମୂଳ l ସେ ବଞ୍ଚିଲେ ଆଗକୁ ନୂତନ ସୃଷ୍ଟିର ସମ୍ଭାବନା ରହିଛି l ସମୟ ପୂର୍ବରୁ ପେଟ ଭିତରେ ହିଁ ତାକୁ ମାରିଦେଲେ, ସେ ଦିନ ଦୂର ନୁହେଁ ଯେ ଏ ପୃଥିବୀରେ ଘୋର ଅସୁନ୍ତଳନ ଦେଖାଯିବ l ଗୋଟିଏ ପଟେ ମାଆ ଙ୍କୁ ଆଦର ଯତ୍ନ, ଅନ୍ୟ ପଟେ ବିକଶିତ ହେଵା ପୂର୍ବରୁ କନ୍ୟା ସନ୍ତାନଙ୍କ ହତ୍ୟା ! ଏହା ଆମ ସମାଜର ବିକୃତ ମାନସିକତାର ପରିଚୟ ଦେଉ ନାହିଁ କି ?

ଫୋନ – 6370516478
ଭୁବନେଶ୍ୱର

Leave A Reply

Your email address will not be published.

six − five =