ଦ୍ରୌପଦୀ ମୁର୍ମୁ : ଏକ ସଂଘର୍ଷର କାହାଣୀ

0 442

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ

୬୪ ବର୍ଷୀୟା ଦ୍ରୌପଦୀ ମୁର୍ମୁ ଭାରତର ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀନୀ ରୂପେ ଘୋଷଣା ହେବା, ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି l ଗରିବ, ଅବହେଳିତ ବର୍ଗର ଲୋକଙ୍କୁ ସଶକ୍ତ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି l ସମାଜରେ ଯେଉଁମାନେ ଦାରିଦ୍ର୍ୟ ଓ କଷ୍ଟ ଅନୁଭବ କରିଛନ୍ତି ସେମାନେ ତାଙ୍କ ଜୀବନରୁ ଅନେକ କିଛି ଶିକ୍ଷା ଲାଭ କରିବେ l

ମୟୁରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ଦରବାରରେ ରାଜ କର୍ମଚାରୀ ଥିବା ବିରଞ୍ଚି ନାରାୟଣ ଟୁଡୁଙ୍କ ଝିଅ l ସେ ଉବରବେଡ଼ା ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାସ୍ କରିଥିଲେ l ତାଙ୍କ ଦାଦା ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ମାଝୀ ସେତେବେଳେ ମନ୍ତ୍ରୀ ଥିବାରୁ ସେ ତାଙ୍କ ମାର୍ଫତରେ ୟୁନିଟ – ୨ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ l ସଫଳତାର ସହ ହାଇସ୍କୁଲ ଶିକ୍ଷା ଶେଷ କରିବା ପରେ ସେ କଲେଜରେ ପଢ଼ିବାର ସୁଯୋଗ ପାଇ ନ ଥିଲେ l କାରଣ କଲେଜରେ ପଢ଼ିବାକୁ ଆବେଦନ କରିବା ତାଙ୍କୁ ଜଣା ନ ଥିଲା, ଏବଂ ଜାଣିଲା ବେଳକୁ ସମୟ ସୀମା ଶେଷ ହୋଇଯାଇଥିଲା l ବର୍ଷେ ପରେ ରମାଦେବୀ ମହିଳା ମହାବିଦ୍ୟାଳୟର ଗାନ୍ଧୀ ଆଦିବାସୀ ଛାତ୍ରୀନିବାସରେ ରହି ସେ ତାଙ୍କର ଶିକ୍ଷା ଶେଷ କରିଥିଲେ l

ପାଠ ପଢିବା ହେଉ କି ଏକ ସ୍ଵଛଳ ଜୀବନ ବଞ୍ଚିବା, ଉଭୟରେ ସେ ସଂଘର୍ଷର ସାମ୍ନା କରିଛନ୍ତି l ଘୋର ଆର୍ଥିକ ଅଭାବ ଓ ଅନଟନ ଭିତରେ ସେ ଦିନ କାଟୁଥିଲେ l ଭୁବନେଶ୍ୱରରେ ରହି ପାଠ ପଢିଥିଲେ ମଧ୍ୟ ଅତ୍ୟନ୍ତ ସରଳ ଜୀବନ ଯାପନ କରୁଥିଲେ l ବି. ଏ. ପାସ କଲା ପରେ ଅଧିକ ପଢିବା ସମ୍ଭବ ହୋଇ ନ ଥିଲା, ହେଲେ ସଚିବାଳୟ ରେ ଚାକିରୀ ପାଇ ଯାଇଥିଲେ l ଚାକିରୀ ପାଇବାର କିଛି ମାସ ପରେ ବ୍ୟାଙ୍କ ଅଫିସର ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରିଥିଲେ l ମାତ୍ର ପରିବାରରେ ବିଭିନ୍ନ ସମସ୍ୟା ଯୋଗୁଁ ତାଙ୍କୁ ଚାକିରୀ ଛାଡିବାକୁ ହେଲା l ଅବେଳରେ ସ୍ୱାମୀ ଓ ଦୁଇ ପୁଅଙ୍କୁ ହରାଇ ଗୋଟିଏ ସମୟରେ ମାନସିକ ଭରସାମ୍ୟ ହରାଇ ବସିଥିଲେ ସେ l ଏଭଳି ସ୍ଥିତିରେ ସେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଆସିଥିଲେ l ଦଶ ବର୍ଷରୁ ଅଧିକ କାଳ ଦ୍ରୌପଦୀ ମୁର୍ମୁ ଆଶ୍ରମ ସହ ନିବିଡ଼ ଭାବରେ ଜଡ଼ିତ ରହିଥିଲେ l ଏହାହିଁ ତାଙ୍କୁ ମାନସିକ ସ୍ଥିରତା ଯୋଗାଇବାରେ ସାହାଯ୍ୟ କରିଥିଲା l ବ୍ୟକ୍ତିଗତ ଓ ପାରିବାରିକ ଦୁଃଖକୁ ଭୁଲି ସେ ସମାଜିକ ଓ ସାମୂହିକ ଚେତନା ଦିଗରେ ଆଗକୁ ବଢିଥିଲେ l ସ୍ୱାମୀ ଓ ଦୁଇ ପୁଅଙ୍କ ପରେ ଝିଅର ଯତ୍ନ ନେବା ସହିତ ଜଣେ ରାଜନେତ୍ରୀ ଭାବେ ସମାଜସେବା କୁ ଆପଣେଇ ନେଲେ l

୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିବା ଶ୍ରୀମତୀ ମୁର୍ମୁ, ୨o୧୫ ମସିହାରେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ l ଓଡ଼ିଶାରେ ବିଜେପି ଓ ବିଜେଡି ମେଣ୍ଟ ସରକାର ସମୟରେ ସେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ହୋଇଥିଲେ l ସମସ୍ତେ ରାଜ୍ୟପାଳ ପଦବୀକୁ ଏକ ରବରଷ୍ଟାମ୍ପ ଭାବୁଥିବା ବେଳେ, ସେ ନିଜକୁ ” ପିପୁଲ୍ସ ଗଭର୍ଣ୍ଣର ” କହୁଥିଲେ l ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖୁଥିଲେ l ରାଜ୍ୟର ସବୁ ଜିଲ୍ଲା, ଗାଁ ଗଣ୍ଡା ବୁଲି ଆସିବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼ିଛନ୍ତି l ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହିତ ମିଶି କାମ କରିବାକୁ ହେଲେ ମଧ୍ୟ ସେମାନଙ୍କ କାମକୁ ତାଙ୍କର ସମର୍ଥନ ରହିବ ନାହିଁ ବୋଲି ସେ ଦୃଢ଼ ଭାବରେ କହିଛନ୍ତି l କାଉନସିଲର ରୁ ଗଭର୍ଣ୍ଣର, ପୁଣି ଏବେ ରାଷ୍ଟ୍ରପତି ହେବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁ ନିଜ ଯୋଗ୍ୟତା ଓ ଦକ୍ଷତା ବଳରେ ଏହି ପଦ ପାଇଁ ଯୋଗ୍ୟ ପ୍ରମାଣିତ ହୋଇଛନ୍ତି l

ଜନଜାତି ପରିବାରରୁ ଆସିଥିବା ଦ୍ରୌପଦୀ ମୁର୍ମୁଙ୍କର ପ୍ରଶାସନିକ କ୍ଷେତ୍ରରେ ଦକ୍ଷତା ଏବଂ ଅଭିଜ୍ଞତା କୁ ଦେଖି ତାଙ୍କୁ ଏହି ପଦ ପାଇଁ ଉତ୍କୃଷ୍ଟ ବିବେଚନା କରାଯାଇ ପାରେ l ଆମ ଓଡ଼ିଶା ମାଟିର ଗୌରବ ଶ୍ରୀମତୀ ମୁର୍ମୁ ସମଗ୍ର ଦେଶରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବେ ବୋଲି ଆମେ ସବୁ ଆଶ୍ୱସ୍ତ l ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ଵିତୀୟ ମହିଳା ରାଷ୍ଟ୍ରପତି ରୂପେ ଆମେ ସମସ୍ତେ ତାଙ୍କୁ ସ୍ୱାଗତ ଜଣେଇବା l

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸
ଫୋନ – 6370516478

Leave A Reply

Your email address will not be published.

seventeen − twelve =