ଶିକ୍ଷୟିତ୍ରୀରୁ ରାଷ୍ଟ୍ରପତି

0 424

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ପଦେ…

ଭୁବନେଶ୍ୱର: ସେ ଜଣେ ନିସଙ୍ଗ, ନିର୍ଭୀକ ଓ ନିଷ୍ଠାବାନ ପଦାତିକ , ଏଥିରେ ସନ୍ଦେହ ନାହିଁ ।

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରଥମେ ଶିକ୍ଷୟିତ୍ରୀ ଭାବେ ଏକ ସରକାରୀ ବିଦ୍ୟାଳୟରେ କାମ କରୁଥିଲେ। ପରେ ସେ ରାଜନୀତିକୁ ପ୍ରବେଶ କରି 1997 ମସିହାରେ ମୟୁରଭଞ ଜିଲ୍ଲା ରାଇରଙ୍ଗପୁରରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ।ପରେ 2000 ମସିହାରେ ରାଇରଙ୍ଗପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ବିଜେଡି- ବିଜେପି ମିଳିତ ସରକାର ଅର୍ଥାତ୍ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ପରିବହନ ଭାଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ । 2015 ମସିହାରୁ 2021 ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ଵ ତୁଲାଇଥିଲେ। ଏବେ ପ୍ରଥମ ଆଦିବାସୀ ମହିଳା ଭାବେ ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମ ଘୋଷଣା କରିଛି ବିଜେପି।

ଆଦ୍ୟ ଜୀବନରେ ସଫଳତା ପରେ ନିର୍ବାଚନରେ ଅସଫଳ ସମୟରେ ନିଜ ଦୁଇ ଯୁବକ – ପୁଅଙ୍କୁ ହରାଇଲେ । ତା ପରେ ସ୍ବାମୀଙ୍କ ମୃତ୍ୟୁ । ଆର୍ଥିକ, ସାମାଜିକ ଓ ପାରିବାରିକ ସ୍ତରରେ ବ୍ୟାପକ କ୍ଷତି । ସେ ଚାଲିଗଲେ ଅବସାଦ (ଡିପ୍ରେଶନ)କୁ ।

କିନ୍ତୁ ହାର୍ ମାନିବା ତାଙ୍କ ପାଇଁ ଥିଲା ଅସମ୍ଭବ । ରାଜନୀତି ଛାଡ଼ି ସମାଜ ସେବା କ୍ଷେତ୍ରରେ ମନ ଦେଲେ । ଆଧ୍ୟାତ୍ମକ ସଙ୍ଗଠନରେ କାମ କରି ସମାଜର ଶୋଷିତ ଶ୍ରେଣୀର ଉତ୍ଥାନ ପାଇଁ ପ୍ରୟାସରତ ହେଲେ ଦଶନ୍ଧି ଧରି।

ପୁନଶ୍ଚ ପାର୍ଟି ତାଙ୍କୁ ବିଶ୍ୱାସକୁ ନେଇ ଗୁରୁଦାୟିତ୍ଵ ଅର୍ପଣ କଲା ରାଜ୍ୟପାଳଭାବେ । ଦେଶର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଭାବରେ ଗୌରବ ଲାଭ କଲେ । ଝାଡ଼ଖଣ୍ଡର ପ୍ରଥମ ରାଜ୍ୟପାଳ ହେଲେ, ଯିଏ ୫ବର୍ଷ ପୂରଣ କଲେ । କହିବାର ବାହୁଲ୍ୟ ଝାଡ଼ଖଣ୍ଡ ଲୋକେ ଏବେ ବି ଝୁରୁଛନ୍ତି ।

ଝିଅଟିଏ, ନିପଟ ସାନ୍ତାଳୀ ପରିବାରରୁ ଆସି ରମାଦେବୀ ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକ ଲାଭ କରି ଶିକ୍ଷୟିତ୍ରୀ ଭାବରେ ଆତ୍ମନିର୍ଭରଶୀଳ ହେବା, ତାହା ପୁଣି ତିରିଶ ବର୍ଷ ତଳେ; ଏକ ଛୋଟ ଘଟଣା ନୁହେଁ ।

ରାଇରଙ୍ଗପୁର ପୌରପରିଷଦର କାଉନସିଲର ପଦରୁ ରାଇସିନା ହିଲ୍ସର ସର୍ବୋଚ୍ଚ ପଦବୀ – ଏହି ଜୀବନ ଯାତ୍ରା କେବଳ ଭାରତ ନୁହେଁ ; ସମଗ୍ର ବିଶ୍ବ ସମୁଦାୟରେ ସ୍ଵପ୍ନଭୁକ୍ ତମାମ୍ ଝିଅମାନଙ୍କୁ ପ୍ରେରିତ କରିବ ଏଥିରେ ସନ୍ଦେହ ନାହିଁ । ଆଦିବାସୀ ଝିଅଟିଏ ଝୁଣା, ଲାଖ ଭିତରେ ନିଜ ଜୀବନ ଏବେ ସାରିବ ନାହିଁ, ତିନି ସେନାର କମାଣ୍ଡିଂ ଅଥରିଟି ହେଇ ପାରିବ ; ମହିଳା ସଶକ୍ତିକରଣର ଏହା ଠାରୁ ଆଉ ଭଲ ଉଦାହରଣ ଆଉ କଣ ହୋଇପାରେ !

ପୂର୍ବରୁ ପଦ୍ମ ପୁରସ୍କାର, ଲୁଟ୍ୟେନ୍ସ ଦିଲ୍ଲୀର ଲବି ଉପରେ ନିର୍ଭର କରୁଥିଲା ବେଳେ ଏବେ ତାହା ପିପଲ୍ସ ପଦ୍ମ ଭାବରେ ପରିଣତ ହୋଇଛି । ଠିକ୍ ସେହିପରି ସେ ନିଶ୍ଚୟ ଭାବରେ ପିପଲ୍ସ ପ୍ରେସିଡେଣ୍ଟ ଭାବରେ ଆଗାମୀ ଦିନରେ ପରିଗଣିତ ହେବେ, ଆଶା ଓ ବିଶ୍ବାସ ।

Leave A Reply

Your email address will not be published.

10 + one =