ରାଗିଂଙ୍ଗ କୁବ୍ୟବସ୍ଥାର ବିଲୋପ କେବେ?

0 360

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ

ମାନବ ସମାଜ ପ୍ରଗତି ପଥରେ ଆଗେଇ ଚାଲିଛି, ମାତ୍ର ଏମିତି କିଛି ହୀନ ପ୍ରବୃତ୍ତି ଓ କାର୍ଯ୍ୟଶୈଳୀ ରହିଛି, ଯାହାର ପ୍ରୟୋଗ ମାନବର ହୀନ ମାନସିକତାର ପରିଚୟ ଦିଏ l ଛାତ୍ରଛାତ୍ରୀ ମାନେ ବିଦ୍ୟାଗ୍ରହଣ ଭଳି ଏକ ମହତ ଉଦ୍ଦେଶ୍ୟ ନେଇ ଶିକ୍ଷାନୁଷ୍ଠାନରେ ଯୋଗ ଦିଅନ୍ତି, ମାତ୍ର ଶିକ୍ଷାଗ୍ରହଣ ସମୟରେ ଉପରିସ୍ଥ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ରାଗିଂଙ୍ଗର ଶିକାର ହୁଅନ୍ତି l ଏଭଳି ଅନେକ ଘଟଣା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି l ବିଶେଷ କରି ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ସ୍ତରରେ ଏହାର ପ୍ରକୋପ ଅଧିକ l ବର୍ଷେ କିମ୍ବା ଦୁଇବର୍ଷ ଉପର ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ତଳ ଶ୍ରେଣୀର ପିଲାଙ୍କୁ ରାଗିଂ କରିବା, ନିଜର ଏକ ଅଧିକାର ଭାବନ୍ତି l ସେମାନଙ୍କ ଦ୍ୱାରା ନିଜର ଛୋଟବଡ଼ କାମ କରେଇ ନେବା, ନିଜର ମଜା ପାଇଁ ତାଙ୍କୁ ନାଚିବା, ଗାଇବା, ଅଭିନୟ କରିବା ଭଳି କାମ ଦେବାରେ ତାଙ୍କର ତିଳେ ହେଲେ ଦ୍ଵିଧା ନ ଥାଏ l ବଡ଼ ଭାଇଭଉଣୀଙ୍କ ଆଦେଶରେ କାମ କରି ନୂଆ ବିଦ୍ୟାର୍ଥୀ ମାନଙ୍କୁ ପ୍ରଦର୍ଶନ କରିବାକୁ ପଡେ ଯେ, ସେମାନେ ତାଙ୍କ କଥା ମାନୁଛନ୍ତି ; ସେମାନଙ୍କୁ ସମ୍ମାନ ଦେଉଛନ୍ତି l ସତ କହିବାକୁ ଗଲେ ବରିଷ୍ଠ ଛାତ୍ରଛାତ୍ରୀ ମାନେ କନିଷ୍ଠ ମାନଙ୍କୁ ଶାରୀରିକ, ମାନସିକ, ଆର୍ଥିକ ନିର୍ଯ୍ୟାତନା ଦେଇ ଖୁବ ଆନନ୍ଦିତ ହୁଅନ୍ତି l

‘ରାଗିଂଙ୍ଗ ‘ ଶବ୍ଦର ଆକ୍ଷରିକ ଅର୍ଥ ‘ ଥଟ୍ଟା ‘ ବା ମଜା କରିବା l ମାତ୍ର ଏବେ ଏହାର ଅର୍ଥ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହୋଇସାରିଛି l ନିଜର ସ୍ୱାର୍ଥ ଏବଂ ଆନନ୍ଦ ପାଇଁ ବୟସରେ ସାନ ବିଦ୍ୟାର୍ଥୀଙ୍କୁ ନିର୍ଯ୍ୟାତନା ଦେବା, ଯାହାକୁ ରାଗିଂ ଆଖ୍ୟା ଦିଆଯାଇଛି ତାହା କଣ ଆମ ଭାରତୀୟ ସଂସ୍କୃତି ? ନିଶ୍ଚିତ ରୂପେ ନା, ଏହା ପାଶ୍ଚାତ୍ୟ ଦେଶ ଗୁଡିକରୁ ଅନୁକରଣ କରାଯାଇଥିବା ଏକ ପ୍ରଥା, ଯାହା ଭାରତରେ ବିଷ ଭଳି ସଞ୍ଚରି ଯାଇ ଅନେକ ନିରୀହ ପିଲାଙ୍କୁ କ୍ଷତି ପହଞ୍ଚାଉଛି l ପ୍ରାୟତଃ ଶିକ୍ଷାବର୍ଷ ଆରମ୍ଭରେ ଆମକୁ ଖବର ମିଳେ ରାଗିଂ ଦ୍ୱାରା ଅସନ୍ତୁଷ୍ଟ ଏବଂ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାର ନୂଆ ନୂଆ କାହାଣୀ l କିଏ ନିଜର ଆତ୍ମସମ୍ମାନ ହରାଇ ପାଠପଢା ଛାଡିଦିଏ ତ କିଏ ଅପମାନ ସହି ନ ପାରି ଜୀବନ ହାରିଦେବାକୁ ମଧ୍ୟ କୁଣ୍ଠାବୋଧ କରେ ନାହିଁ l ରାଗିଂ ରେ ଅନିଚ୍ଛାକୃତ ଭାବରେ ଛାତ୍ରଛାତ୍ରୀଙ୍କୁ କିଛି କରିବାକୁ ବାଧ୍ୟ କରାଯାଏ, ଯାହା ଦ୍ୱାରା ଚାପର ବଶବର୍ତ୍ତୀ ହୋଇ ସେମାନେ ସେ କାମସବୁ କରନ୍ତି କିମ୍ବା ମାନସିକ ସନ୍ତୁଳନ ହରାଇ ପାଠପଢା ଛାଡ଼ିଦେବାକୁ ବାଧ୍ୟ ହୁଅନ୍ତି l ପରିସ୍ଥିତି ଏମିତି ହେଲାଣି ଯେ ଶିକ୍ଷନୁଷ୍ଠାନର କତୃପକ୍ଷଙ୍କ ବାରଣ ସତ୍ୱେ ଏହା ଧାରାବାହିକ ଭାବରେ କରାଯାଉଛି ଏବଂ ସେମାନେ ଏହା ବିରୁଦ୍ଧରେ କିଛି ପଦକ୍ଷେପ ନେବା ମଧ୍ୟ ଦେଖାଯାଉନାହିଁ l ପରିଣାମ ବରିଷ୍ଠ ଶିକ୍ଷାର୍ଥୀଙ୍କ କନିଷ୍ଠଙ୍କ ଉପରେ ଅତ୍ୟାଚାର କ୍ରମେ ବଢିଚାଲିଛି l

ରାଗିଂଙ୍ଗ ବିରୋଧୀ ନିୟମାବଳୀରେ ଦୋଷୀ ୨୫ ହଜାର ଟଙ୍କା ଜୋରିମାନା ଦେବା, ଶିକ୍ଷାନୁଷ୍ଠାନ କିମ୍ବା ହଷ୍ଟେଲରୁ ନିଲମ୍ବନ ବା ବହିଷ୍କାର, ଆଡମିଶନ ବାତିଲ ଭଳି ଦଣ୍ଡର ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା ବିଶେଷ ପ୍ରଭାବଶାଳୀ ହୋଇନାହିଁ l
ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ରାଗିଂଙ୍ଗକୁ ଅପରାଧ ବିବେଚନା କରାଯାଇ ପଦକ୍ଷେପ ନିଆଯିବାର ନିର୍ଦ୍ଦେଶ ସତ୍ୱେ ଏହା ପ୍ରଭାବହୀନ ହୋଇଛି l ଏହାକୁ ୧oo % ବନ୍ଦ କରିବାର ଦାବୀ ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ l ଆଶ୍ଚର୍ଯ୍ୟର କଥା ଏବେର ଯୁବପିଢ଼ି ଏହାକୁ ଏକ ପରମ୍ପରାରେ ପରିଣତ କରିସାରିଲେଣି l ନୂଆ ଶିକ୍ଷାର୍ଥୀଟିଏ ଉପରିସ୍ଥ ବିଦ୍ୟାର୍ଥୀଙ୍କ ଦ୍ୱାରା ରାଗିଂର ଶିକାର ହେବ, ପରବର୍ତ୍ତୀ ସମୟରେ ସେ ମଧ୍ୟ ନିଜର ଅନୁଜ ଛାତ୍ରଛାତ୍ରୀଙ୍କୁ ରାଗିଂଙ୍ଗ କରି କିଛି ବର୍ଷ ପୂର୍ବେ ନିଜ ସହ ହୋଇଥିବା ଘଟଣାର ପ୍ରତିଶୋଧ ନେଇ ନିଜକୁ ଆଶ୍ୱସ୍ତ କରିବ l ଏହି ମାନସିକତା ହିଁ ରାଗିଂଙ୍ଗକୁ ରୋକିବାରେ ମୁଖ୍ୟ ପ୍ରତିବନ୍ଧକ l ‘ ମୁଁ ରାଗିଂଙ୍ଗ କରିବି, କାରଣ ମୁଁ ଏହାର ଶିକାର ହୋଇଛି ‘, ଏହି ଚିନ୍ତାଧାରାରେ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ ଏହି ପରମ୍ପରାକୁ ରୋକଯାଇ ପାରିବ ନାହିଁ l

ଆମର ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ନୈତିକ ଶିକ୍ଷା ଓ ଆଦର୍ଶ ପାଇଁ କୌଣସି ସ୍ଥାନ ନାହିଁ l ତେଣୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ଅଭାବ ଛାତ୍ରଛାତ୍ରୀଙ୍କୁ ଉଦ୍ଧତ ଓ ବିଶୃଙ୍ଖଳିତ କରୁଛି l ସେହି ଔଦ୍ଧତ୍ୟ ଯୋଗୁଁ କିଛି ନିରୀହ ମେଧାବୀ ପିଲାଙ୍କ ଜୀବନ ନଷ୍ଟ ହେଉଛି l ଏହାର ସମାଧାନ ପାଇଁ ଯେଉଁ ବାଟଟି ଗ୍ରହଣୀୟ, ତାହା ହେଉଛି ଦାୟିତ୍ୱବାନ ପିତାମାତା ମାନେ ନିଜ ପିଲାଙ୍କୁ ଉକ୍ତ ପ୍ରବୃତ୍ତିରୁ ନିବୃତ୍ତ କରିବା ପାଇଁ ନୈତିକ ଶିକ୍ଷା ଦିଅନ୍ତୁ l ସେମାନଙ୍କୁ ମାର୍ଜିତ ଏବଂ ଶୃଙ୍ଖଳିତ ହେବା ପାଇଁ ଶିକ୍ଷା ଦେଇ ତାଙ୍କ ରାଗିଂ ମନୋବୃତ୍ତି ଉପରେ ନିୟନ୍ତ୍ରଣ ଲଗାନ୍ତୁ l ସମଗ୍ର ସମାଜ ଏ ଦିଗରେ ଯତ୍ନବାନ ନ ହେଲେ ଆହୁରି କେତେ ଯେ ନିରୀହ, ନିର୍ଦୋଷ ଛାତ୍ରଛାତ୍ରୀ ରାଗିଂଙ୍ଗର ଶିକାର ହେବେ ତାର କଳନା କରାଯାଇ ନ ପାରେ l

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸
ଫୋନ – 6370516478
ଭୁବନେଶ୍ୱର

Leave A Reply

Your email address will not be published.

twenty − 4 =