ବୋଝ

0 309

ସୁଷମା ପରିଜା

ପ୍ରଖ୍ୟାତ ଦାର୍ଶନିକ ସି ଏସ୍ ଲୁଇସ୍ ( C.S.Lewis ) କହିଥିଲେ …..
“ତୁମେ ଉପରେ ଲଦା ହୋଇଥିବା ଭାର ଟି ତୁମ ମେରୁଦଣ୍ଡ କୁ ଭାଙ୍ଗି ଦିଏ ନା’ ବରଂ ତା’କୁ ବୁହାଇବାର ତରିକା ହିଁ ତୁମକୁ ଭାରାକ୍ରାନ୍ତ କରିଦିଏ” ।।
କେବେ ଥରେ ଭାବି ଦେଖିଛ କି ! କାହିଁକି କିଛି ମଣିଷ ଦୁଃସମୟ ଆସିଲେ କି ଦୁର୍ଗତିରେ ପଡିଲେ ଭାଙ୍ଗିରୁଜି ଚୁରମାର ହୋଇ ଯାଆନ୍ତି କିନ୍ତୁ ଆଉ କିଛି ମଣିଷ ଠିକ୍ ସେଇଭଳି ପରିସ୍ଥିତି ରେ ପଡିଲେ ମଧ୍ୟ ସାହସର ସହିତ ତା’କୁ ସାମନା କରି ଆଗକୁ ଆଗକୁ ବଢି ଚାଲନ୍ତି ?
ଏହା କେବଳ ଏକ ଅନ୍ତର୍ନିହିତ ଆତ୍ମିକ ଦୃଢତା ମାତ୍ର । ଯେତେବେଳେ କୌଣସି କଠିନ ପରିସ୍ଥିତି ଆସେ ତା’କୁ ତୁମେ କେମିତି ସାମନା କରିବ ସେଇଟା ସଂପୂର୍ଣ୍ଣ ଭାବେ ତୁମ ନିୟନ୍ତ୍ରଣ ରେ ଥାଏ । ତୁମେ ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇ ତା’ର ବଶ୍ୟତା ସ୍ୱୀକାର କରିବ,” ଏହା ମୋ’ଭାଗ୍ୟରେ ଥିଲା,ଏଥିରେ ପଡି ମରିବା ବ୍ୟତୀତ ମୋ’ର ଅନ୍ୟ ଗତି ନାହିଁ” କହି ଭାଙ୍ଗି ପଡିବ ବା କେବଳ ମୋ’ସହିତ କାହିଁକି ଏମିତି ଦୁଃସ୍ଥିତି ଘଟୁଛି“ ବୋଲି କହି ମୁଣ୍ଡ କୋଡିବ ନା’ “ଏହା ଏକ କଠିନ ସମୟ, ମୋତେ ଧୈର୍ଯ୍ୟ ଧରି ଏହାକୁ ସାହସର ସହିତ ମୁକାବିଲା କରି ଜୀବନରେ ଆଗକୁ ବଢିବାକୁ ପଡିବ, ଏହା ମୁଁ ନିଶ୍ଚିତ କରି ପାରିବି “ ବୋଲି ଚିନ୍ତା କରି ନିଜେ ନିଜକୁ ଦୃଢ କରିବ – ସେଇ କଥାଟି ସଂପୂର୍ଣ୍ଣ ତୁମର ନିର୍ଣ୍ଣୟ ଉପରେ ନିର୍ଭର କରେ।
ନିଜକୁ ଭାରାକ୍ରାନ୍ତ କରି ଦେଉଥିବା ସମସ୍ୟା ଟିକୁ ସହଜଭାବେ ସଫଳତା ର ସହ ତୁଲାଇ ନେଲେ ତାହା ଭାର ଭଳି ମନେ ନହୋଇ ଏକ ପରୀକ୍ଷା ସ୍ୱରୂପ ମନେହେବ। ଯେ କୌଣସି ଭାର ବୋହିବା ବେଳେ ଶିର କୁ ଉନ୍ନତ କରି ପିଠି କୁ ସିଧା ରଖ,ଶରୀର ଆଣ୍ଠୁ ପାଖରୁ ନୁଆଁଇ ଦିଅ, ପିଠିରେ ଭାର କୁ ଏମିତି ସମ୍ଭାଳି ନିଅ ଯେ ଯେମିତି ଭାରି ଚାରିଆଡକୁ ସମାନ ରହିବ । ଆଗକୁ ଚାଲିବା ଜାରି ରଖ ଯେମିତି ଗତିଶୀଳତା ତୁମ ସପକ୍ଷରେ ଯାଉଥିବ। ନଚେତ ଭାର ଏକପାଖିଆ ହୋଇ ତୁମକୁ ତଳକୁ ଦାବିଦେବ। ଦରକାର ପଡିଲେ କାହାର ସାହାଯ୍ୟ ନିଅ । ସବୁ ନିଜେ କରିବା ପାଇଁ ଚେଷ୍ଟା କଲେ ଅଯଥା ଭାରାକ୍ରାନ୍ତ ହୋଇ ତୁମେ ଭାଙ୍ଗି ପଡିବାର ସମ୍ଭାବନା ରହିଛି । ଭାର ଉଠାଇବା ସମୟରେ ତୁମେ ତାହା କେଉଁଠୁ ଆଣିଲ କି କେଉଁ ପରିସ୍ଥିତିରେ ଆଣିଲ ସେ କଥା ଚିନ୍ତା କରିବା ଅପେକ୍ଷା ଭାର କୁ ତୁମେ କେମିତି ଢଙ୍ଗରେ ମୁଣ୍ଡାଇବ ଏବଂ କେମିତି ଏହାକୁ ସୁଚାରୁରୂପେ ସମ୍ଭାଳି ଆଗକୁ ବଢିବ, ସେଇଟା ଚିନ୍ତା କରିବା ଦରକାର। ଭାର ର ସନ୍ତୁଳନ ରକ୍ଷା କରିବା ଏକ ସାଧାରଣ କଥା ନୁହେଁ ଏହା ତୁମ ଭିତରେ ଥିବା ଦୃଢ ବ୍ୟକ୍ତିତ୍ୱର ପରିପ୍ରକାଶ କରେ। ସଠିକ୍ ସନ୍ତୁଳନ ରହିଲେ “ବୋଝ” ବୋଝ ଭଳି ମନେହୁଏ ନାହିଁ, ସାଧାରଣ ଦାୟିତ୍ଵ ଟିଏ ଭଳି ଲାଗେ। ଏହି ଦୃଷ୍ଟିକୋଣରୁ ବିଚାର କଲେ ତୁମେ ନିଜେ ନିଜ ଜୀବନର , ନିଜ ପରିବାରର, ନିଜ ପ୍ରିୟ ପରିଜନଙ୍କ ସହିତ ତୁମ ସଂପର୍କ ର ସଠିକ୍ ମୂଲ୍ୟାୟନ କରି ପାରିବ। ଏବେ ତୁମେ ନିଜେ ବିଚାର କର କେମିତି ଭାର ବୋହିବାକୁ ପସନ୍ଦ କରିବ !

ଶାରଳା ଭବନ ପୋତାପୋଖରୀ ନୂଆବଜାର କଟକ- 753004


Leave A Reply

Your email address will not be published.

12 − 3 =