କଂଗ୍ରେସରୁ ଗୁଲାମନବୀ ଆଜାଦଙ୍କ ଇସ୍ତଫା

0 255

ରାହୁଲଙ୍କ ଉପରେ ବର୍ଷିଲେ
ରାହୁଲଙ୍କ ବ୍ୟକ୍ତିଗତ ସଚିବ ଓ ସୁରକ୍ଷା କର୍ମୀ ନେଉଛନ୍ତି କଂଗ୍ରେସ ଦଳର ନିଷ୍ପତ୍ତି



ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର କାଶ୍ମୀର ଚେହେରା କୁହାଯାଉଥିବା ଆଜାଦ ରାହୁଲ ଗାନ୍ଧୀଙ୍କ ଉପରେ ସମସ୍ତ ଦୋଷ ଝାଡ଼ିଛନ୍ତି । ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ସମ୍ବୋଧିତ କରିଥିବା ଏକ ଚିଠିରେ ଆଜାଦ ବରିଷ୍ଠ ନେତାଙ୍କ ପକ୍ଷପାତିତା ଏବଂ ଦଳରୁ ବାହାରିବା ପଛର କାରଣ କୋଟେରୀ ଗ୍ରୁପ୍‌ ବୋଲି ଉଲ୍ଲେଖ କରିଛନ୍ତି ।

ଅଗଷ୍ଟ ୧୬ ରେ ଆଜାଦ ଜାମ୍ମୁ କାଶ୍ମୀର କଂଗ୍ରେସ ପ୍ରଚାର କମିଟିର ମୁଖ୍ୟ ପଦ ଛାଡିବା ପରେ ଇସ୍ତଫା ଦେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । ଆଜି ସେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଇସ୍ତଫା ଦେଇଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ଆଜାଦ ନିଜର ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଏବଂ କଂଗ୍ରେସର ଅବନତି ଏବଂ ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ ରାହୁଲଙ୍କର “ଅପରିପକ୍ୱତା’କୁ ଦାୟୀ କରିଛନ୍ତି ।
“ଏହି ଅପରିପକ୍ୱତାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ରାହୁଲ ଗାନ୍ଧୀଙ୍କ ଦ୍ୱାରା ଗଣମାଧ୍ୟମ ସାମ୍ନାରେ ଏକ ସରକାରୀ ଅଧ୍ୟାଦେଶ ଚିରିବା … ଏହି ‘ପିଲାଳିଆମି’ଆଚରଣ ଭାରତ ପ୍ରଧାନମନ୍ତ୍ରୀ ତଥା ସରକାରଙ୍କ ଅଧିକାରକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଥିଲା । ଅନ୍ୟ କୌଣସି କାରଣ ଅପେକ୍ଷା ଏହା ୨୦୧୪ ରେ ୟୁପିଏ ସରକାରର ପରାଜୟରେ ଉଲ୍ଲେଖନୀୟ କାରଣବୋଲି ଆଜାଦ ଚିଠିରେ ଲେଖିଛନ୍ତି ।

ଆଜାଦ ଦର୍ଶାଇଛନ୍ତି ଯେ ୨୦୧୪ ମସିହାରୁ ଦୁଇଟି ଲୋକସଭା ନିର୍ବାଚନ ଏବଂ ୩୯ ଟି ବିଧାନସଭା ନିର୍ବାଚନରେ କଂଗ୍ରେସ ଏକ ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଛି ଏବଂ ବର୍ତ୍ତମାନ କେବଳ ଦୁଇଟି ରାଜ୍ୟରେ କ୍ଷମତାରେ ଥିବାବେଳେ ଅନ୍ୟ ଦୁଇଟିରେ ଏକ ମିଳିତ ସହଯୋଗୀ ଦଳ ଭାବରେ କାର୍ଯ୍ୟ କରୁଛି ।
୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ରାହୁଲ ଗାନ୍ଧୀ ଦଳର ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ସୋନିଆ ଗାନ୍ଧୀ କେବଳ ନାମକୁ ମାତ୍ର ସଭାପତି ବୋଲି ଆଜାଦ ଦର୍ଶାଇଛନ୍ତି । ସମସ୍ତ ନିଷ୍ପତ୍ତି ରାହୁଲ ନେଉଛନ୍ତି । ଏପରିକି ତାଙ୍କର ବ୍ୟକ୍ତିଗତ ସଚିବ ଓ ସୁରକ୍ଷା କର୍ମୀ ମଧ୍ୟ କଂଗ୍ରେସ ଦଳର ନିଷ୍ପତ୍ତି ନେଉଛନ୍ତି ବୋଲି ଆଜାଦ କହିଛନ୍ତି ।

Leave A Reply

Your email address will not be published.

seventeen + 15 =