‘ଶିକ୍ଷା’ ସର୍ବୋତ୍କୃଷ୍ଟ ଗୁଣ -ଦୁଇଟି ଚାଣକ୍ୟ ନୀତି

0 270

ସୁଷମା ପରିଜା

ଏହା ଧ୍ରୁବ ସତ୍ୟ ଯେ ଆମେ ଆମ ଜୀବନରେ କରିଥିବା ଭୁଲ୍ ରୁ ନିଜକୁ ସୁଧାରି ଆଗକୁ ବଢିବା ପାଇଁ ଶିକ୍ଷା ପାଇଥାଉ ।
ଏଇ ବିଷୟରେ ମହାଗୁରୁ ଚାଣକ୍ୟ ଙ୍କର ନୀତି କଥା ଟିଏ ଅଛି “ ସର୍ବଦା ଅନ୍ୟମାନଙ୍କର ଭୁଲ୍ ରୁ ଶିଖ୍, ଯେମିତି ଆଗକୁ ତୁମ ଦ୍ୱାରା ସେମିତିକା ଭୁଲଟିଏ ନହେବ” । ଅର୍ଥାତ୍ ଆମେ ସର୍ବଦା ନିଜର ଚତୁର୍ପାଶ୍ୱରେ ଘଟୁଥିବା ଘଟଣାକୁ ସୂକ୍ଷ୍ମଦୃଷ୍ଟିରେ ଅନୁଧ୍ୟାନ କରି ସେଥିରୁ ଶିକ୍ଷାଲାଭ କରିବା ଉଚିତ୍ “।କେଡେ ମହତ୍ତ୍ଵପୂର୍ଣ୍ଣ କଥାଟିଏ ଚାଣକ୍ୟ ଶିକ୍ଷା ଦେଇଛନ୍ତି ସତେ !
ଆଧୁନିକ ଯୁଗର ଆମ ମୋନୋବିଜ୍ଞାନୀ ମାନଙ୍କ ଭାଷାରେ ଏହା “ “Vicarious learning” ବା ଅନ୍ୟ ର ଉପଲବ୍ଧି ରୁ ପ୍ରାପ୍ତ ଜ୍ଞାନ। ସଂକ୍ଷେପରେ କହିବାକୁ ଗଲେ Vicarious learning theory ଏହା ପ୍ରତିପାଦିତ କରେ ଯେ ଆମେ ଯଦି କୌଣସି ବ୍ୟକ୍ତି ର କାର୍ଯ୍ୟ କଳାପ କୁ ଗଭୀର ଭାବରେ ଅନୁଧ୍ୟାନ କରିବା ଏବଂ ସେ କାର୍ଯ୍ୟ ର ଫଳାଫଳ(ପରାଜୟ ହେଉ ବା ବିଜୟ)ପଛରେ ଅନ୍ତର୍ନିହିତକାରଣ କୁ ସଠିକ୍ ଭାବରେ ବୁଝି ପାରିବା ତେବେ ସେଥିରୁ ଆମକୁ ଆମର ସଠିକ୍ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବାର ଉପାୟ ଆପେ ଆପେ ମିଳିଯିବ। ସେଇଥିପାଇଁ ତ’ ଆମ ପିଲାମାନଙ୍କୁ ଆମେ ଜୀବନର ନୈତିକ ସାରକଥା ଏବଂ ବଡ ମଣିଷ ଙ୍କର ଜୀବନ କାହାଣୀ ଇତ୍ୟାଦି ବହି ପଢିବାକୁ ଉପଦେଶ ଦେଇଥାଉ।
ଏତଦ୍ଵାରା ଯେକୌଣସି କଠିନ ପରିସ୍ଥିତି ରେ ମଧ୍ୟ ଅବିଚଳିତ ରହି ସେହି ପରିସ୍ଥିତି କୁ ସହଜରେ ସାମନା କରିବାର ସାହସ ପାଆନ୍ତି ପିଲାମାନେ । ଆହୁରି ମଧ୍ୟ ସତ୍ୟ, ଶାନ୍ତି, ଦୟା, କ୍ଷମା ନୈତିକତା ଭଳି ଭଲ ଗୁଣ ଗୁଡିକ ସେମାନେ ଶିଖି ପାରନ୍ତି । ଏତଦବ୍ୟତୀତ ସେମାନଙ୍କ ପାଖରେ ସୃଜନଶୀଳତା ମଧ୍ୟ ବୃଦ୍ଧି ପାଇଥାଏ।
ତେଣୁ ସର୍ବଦା ନିଜେ ଏଭଳି ପ୍ରେରଣାଦାୟକ ପୁସ୍ତକ ପଢନ୍ତୁ ଏବଂ ପିଲାମାନଙ୍କୁ ଏମିତି ଶିକ୍ଷଣୀୟ ପୁସ୍ତକ ପଢିବାକୁ ଉତ୍ସାହିତ କରି ନିଜ ନିଜର ବ୍ୟକ୍ତିସତ୍ତା ର ଉନ୍ନତି କରନ୍ତୁ ।
ଆଉ ଗୋଟିଏ ସୁନ୍ଦର ନୀତି କଥା କହିଛନ୍ତି ମହାଗୁରୁ ଚାଣକ୍ୟ..
“ କିଛି ନୂଆ ଶିଖିବାର ଅବସର କୁ କେବେହେଁ ହାତଛଡା କରନ୍ତୁ ନାହିଁ “ । ପ୍ରତ୍ୟେକ ଦିନ କିଛି ନା କିଛି ପଢନ୍ତୁ । ସିଏ ବହିର ଗୋଟିଏ ଅଧ୍ୟାୟ ହେଉ କି ଅଧେ ହେଉ କି ଚଉଠେ ହେଉ, ନହେଲେ ଧାଡିଟିଏ ହେଉ ପଛେ , କେବେ ହେଲେ ପଢିବା ବନ୍ଦ କରନ୍ତୁ ନାହିଁ। ପାଠ ପଢା ସହିତ କୌଣସି ଦାନଧର୍ମ କରିବାର ସୁଯୋଗ ମଧ୍ୟ କେବେହେଲେ ହାତଛଡା କରନ୍ତୁ ନାହିଁ। ବିଦ୍ୟା ଏକ ଜୀବନବ୍ୟାପୀ ସାଧନା।ଏହା ମନୁଷ୍ୟ କୁ ମାନବେତର ଜୀବନ ଦର୍ଶନ କରାଏ।
ମହାଗୁରୁ ଚାଣକ୍ୟ କହିଛନ୍ତି ଅଶିକ୍ଷିତ ମଣିଷ ଟିଏ ଯେତେ ରୂପବାନ୍, ଧନବାନ୍ କି ଉଚ୍ଚକୁଳସମ୍ଭୁତ ହୋଇଥାଉ ନା’ କାହିଁକି ସେ ପଳାଶ ଫୁଲ ଭଳି ଅଲୋଡା ହୋଇଥାଏ। କେବଳ ବିଦ୍ୟା ହିଁ ମଣିଷ କୁ ଜ୍ଞାନ, ମାନ ଏବଂ ଧନ ରେ ଶ୍ରେଷ୍ଠ କରାଇଥାଏ।
ଏଣୁ ସମସ୍ତେ ପ୍ରତିଦିନ କିଛି କିଛି ଶିକ୍ଷା ଅର୍ଜନ କରିବା ଉଚିତ୍ । ଏଥିରେ ନିଜର ଏବଂ ସମାଜର ମଙ୍ଗଳ ସାଧିତ ହୋଇଥାଏ।


ଶାରଳା ଭବନ, ପୋତାପୋଖରୀ, ନୂଆବଜାର, କଟକ

Leave A Reply

Your email address will not be published.

two × 2 =