ଅନ୍ଧକୂଅରେ ଧାର୍ମିକ

0 446

ଲକ୍ଷ୍ମୀପ୍ରିୟା ଓଝା

ଗଛରୁ ଫଳ ଖାଇ, ନଦୀରୁ ପାଣି ପି, ସୂର୍ଯ୍ୟ, ଚନ୍ଦ୍ରଙ୍କ ଆଲୋକରେ ସଂସାରକୁ ଦେଖି, ମାଟିରେ ଫସଲ ଫଳେଇ,ଜଙ୍ଗଲର ନିଆଁରେ ପୋଡି ହେଇଯାଉଥିବା ପଶୁ ପକ୍ଷୀଙ୍କ ସ୍ୱାଦିଷ୍ଟ ମାଂସ ଖାଇ ଜଙ୍ଗଲୀ ମଣିଷ ଆତ୍ମତୃପ୍ତ ହେଲା | ଯେବେ ତା ଜୀବନକୁ ସହଜ, ସୁଗମ କରୁଥିବା ସେଇ ପ୍ରକୃତିକୁ କୃତଜ୍ଞନ୍ତା ଜଣାଇବା ପାଇଁ ମନରେ ଇଛାଟିଏ ଉଦ୍ରେକ ହେଲା ସେବେଠୁ ଧାର୍ମିକ ଭାବନାର ଜନ୍ମ ହେଲା | ସମୟକ୍ରମେ ବର୍ଷା ନହେଇ ନଦୀ ଶୁଖିଗଲେ, ମାଟି ଫାଟି ଫସଲ ନଷ୍ଟ ହେଲେ, ଜଙ୍ଗଲ ନିଆଁ ପ୍ରଳୟଂକାରୀ ହେଲେ ସେଇ ସବୁ ଦେବତାମାନେ ରୁଷ୍ଟ ହେଇଛନ୍ତି ଭାବି ସେମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରି ପୂଜାପାଠ ଆରମ୍ଭ କଲା ମଣିଷ | ସୂର୍ଯ୍ୟ, ଚନ୍ଦ୍ର, ମାଟି, ପାଣି, ପବନ ଆଦି ପ୍ରକୃତିକୁ ପୂଜା କରୁକରୁ ଗୋଟେ ଅଦୃଶ୍ୟ ଶକ୍ତି ଉପରେ ଆସ୍ଥା ବଦ୍ଧପରିକର ହେଲା | ସେଇ ନିରାକାର ଆସ୍ଥାକୁ ଏକ ସାକାର ରୂପ ଦେଲା ଚିତ୍ର ଆଙ୍କି, ମୂର୍ତ୍ତି ଗଢି, ପଥରରେ ଖୋଦେଇ କରି ନିଜ ଚିନ୍ତାଧାରା ମୁତାବକ | ପରେ କିଛି ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଲାଭାନ୍ବିତ ହେଇ ବା ସେମାନଙ୍କ କାର୍ଯ୍ୟକଳାପ, ଉପଦେଶରେ ଅନୁପ୍ରାଣିତ ହେଇ ସେମାନଙ୍କୁ ଭଗବାନଙ୍କ ପଦବାଚ୍ୟ କରିବା ସହ ସେମାନଙ୍କୁ ପୂଜା ଆରାଧନା କରିବା ମଧ୍ୟ ଆରମ୍ଭ କଲା | ସମୟକ୍ରମେ ଏମିତି ଜନ୍ମନେଲେ ଶ୍ରୀ ଗଣେଶ, ଶ୍ରୀ ଜଗନ୍ନାଥ, ଶିବ, ଦୁର୍ଗା, କାଳି, ରାମ, କୃଷ୍ଣ, ଆଲ୍ଲା, ଯୀଶୁ, ମହାବୀର,ବୁଦ୍ଧ, ସାଇ ବାବା ଆଦି ଆଦି ଦେବତାମାନେ |

ଖୁବ ଛୋଟବେଳୁ ବାପା, ମା, ଶିକ୍ଷକ, ସମ୍ପର୍କୀୟ, ଧର୍ମ ଯାଜକମାନେ ପିଲା ଭିତରେ ଧାର୍ମିକ ଭାବନାର ଏକ ବଳୟ ତିଆରି କରନ୍ତି | ନିଜେ ମାନୁଥିବା ଭଗବାନଙ୍କୁ ଦେଖାଇ କୁହନ୍ତି “ଇଏ ସର୍ବ ଶକ୍ତିମାନ ଈଶ୍ୱର | ତାଙ୍କରି ଇଙ୍ଗିତରେ ଚାଲୁଛି ସଂସାର |” ପିଲାଟି ମାନିନିଏ | କାରଣ ସେ ସମୟରେ ସେ ବିଶ୍ୱାସ କରୁଥାଏ ବାପା, ମା, ଶିକ୍ଷକ ଏବଂ ତା ନିକଟ ସମ୍ପର୍କୀୟଙ୍କୁ | ପରେ ବଡ଼ ହେଲାପରେ ନିଜ ଅନୁଭବ ଅନୁସାରେ ସେ ବାଛେ ନିଜର ଈଶ୍ୱର | ସେଇ ବିଶ୍ୱାସକୁ ପାଥେୟକରି ମଣିଷ ସାହସର ସହ ବାଟ ଚାଲେ | କେଉଁଠି ଝୁଣ୍ଟିଲେ, ଆଗକୁ ରାସ୍ତା ଅନ୍ଧାର ଦିଶିଲେ, ଅସୁବିଧାରୁ ବାହାରି ପାରୁନଥିବା ସମୟରେ ସେଇ ସର୍ବଶକ୍ତିମାନ ଈଶ୍ୱରଙ୍କ ଆଡକୁ ହାତ ଟେକିଦିଏ ମଣିଷ | ଅସୁବିଧା ଟଳିଗଲେ ବିଶ୍ୱାସ ଦୃଢ଼ ହୁଏ | ଲାଗେ ହଁ ଈଶ୍ୱର ଅଛନ୍ତି | ଆଉ ଅସୁବିଧା ନ ଟଳି ଅଧିକ ଅସୁବିଧା ହେଲେ, ” ବୋଧହୁଏ ଏହା ହିଁ ଈଶ୍ୱରଙ୍କ ଇଛା | ଅଳ୍ପକେ ବଳା ଟଳିଗଲା ବା ପୂର୍ବ ଜନ୍ମର କୃତତ୍କର୍ମ ର ଫଳ ଭୋଗିବାକୁ ପଡୁଛି” ଆଦି ଆଦି ଯୁକ୍ତି ବାଢି ନିଜ ମନକୁ ସାନ୍ତ୍ୱନା ଦିଏ |

ଏମିତି ଏକ ଧାର୍ମିକ ଭାବନା, ପରମ୍ପରା ଏକ ସୁସ୍ଥ ସମାଜ ପାଇଁ ନିହାତି ଅପରିହାର୍ଯ୍ୟ | ମଣିଷ ନିଜେ ମଧ୍ୟ ଅନେକ ଲୁପ୍ତ ପାପ କର୍ମରୁ ନିଜକୁ ବିରତ କରେ, ଇଛା ଥାଉ ବା ନଥାଉ ଜନହିତକର କାର୍ଯ୍ୟମାନ କରିଯାଏ | ସର୍ବୋପରି ନିଜର ମାନସିକ ଶାରୀରିକ ସୁସ୍ଥତା ପାଇଁ ଧାର୍ମିକ ଭାବନାଟିଏ ନିହାତି ଅପରିହାର୍ଯ୍ୟ | କିନ୍ତୁ ନିଜ ଭଗବାନଙ୍କୁ ଭଲ ପାଉ ପାଉ ପୂଜା କରୁକରୁ ଅନେକ ବିଧି ବିଧାନ ପାଳନ କରନ୍ତି ଦେଖାଦେଖି ବା ପଣ୍ଡା, ପୂଜାରୀମାନଙ୍କ ନିର୍ଦେଶରେ | କେବେ କେବେ ବିଧି ଠିକରେ କରିନପାରିଲେ ଅମୁକ କ୍ଷତି ହେବ, ସମୁକ କ୍ଷତି ହେବାର ଭୟ ଘରକରେ ଓ ଭକ୍ତି ସହ ଭୟ ଧାର୍ମିକ ଭାବନା ଭିତରକୁ ପଶିଆସେ | ଏହା କେବଳ ସମ୍ପୃକ୍ତ ବ୍ୟକ୍ତିର କ୍ଷତିକରେ | ସମୂହର ନୁହେଁ |

କିନ୍ତୁ ସମସ୍ୟା ସେବେ ଉତ୍ପନ୍ନ ହୁଏ ଯେବେ କୌଣସି ବ୍ୟକ୍ତି ବା ଗୋଷ୍ଠି ନିଜର ଭଗବାନଙ୍କୁ ସର୍ବଶ୍ରେଷ୍ଠ ଭାବି ଅନ୍ୟର ଭଗବାନଙ୍କୁ ନ୍ୟୁନ ବା ଇତର ଶ୍ରେଣୀର ଭାବେ | ଆଉ ସେ ଭାବନା କୁ ଆହୁରି ଉଜ୍ଜୀବିତ କରି ନିଆଁରେ ଘିଅ ଢାଳନ୍ତି ପ୍ରତ୍ୟେକ ସମ୍ପ୍ରଦାୟର ଧର୍ମଯାଜକମାନେ ନିଜ ନିଜ ସାମ୍ରାଜ୍ୟ ବା ଆଧିପତ୍ୟ ବିସ୍ତାର ପାଇଁ | ସବୁ ଧର୍ମରେ ମୂଳ “ଭଗବାନ ଏକ | ଜୀବେ ଦୟା |” ଆଦି ଥିଲାବେଳେ ଅନ୍ୟ ଧର୍ମର ଲୋକଙ୍କୁ ହେୟ ମନେକରିବା | ସେମାନଙ୍କ ଭଗବାନଙ୍କୁ ତୁଛ ମନେକରି ସେମାନଙ୍କ ପ୍ରସାଦ ଗ୍ରହଣ ନ କରିବା, ସେମାନଙ୍କ ଧାର୍ମିକ ସ୍ଥାନକୁ ନଯିବା ପରି ପ୍ରଛନ୍ନ ଘୃଣା ପାଳନ କରନ୍ତି | ଆଉ ସେଇଠୁ ଆରମ୍ଭ ହୁଏ ତର୍କ, ବିତର୍କ, ସଂଘର୍ଷ | ଯାହା ସମାଜ ପାଇଁ ଆଦୌ ହିତକର ନୁହେଁ |

ଭଗବାନ ନାମକ ଭୟ ବା ପ୍ରେମ ସୃଷ୍ଟି କରିବା ପଛରେ ପ୍ରଛନ୍ନ କାରଣ ଥିଲା ସମାଜକୁ ଶୃଙ୍ଖଳିତ କରିବାପାଇଁ | ନିଜକୁ ସଂଯତ କରିବା ପାଇଁ | ଭଗବାନ ସବୁ ଦେଖୁଛନ୍ତିର ଭାବନା ଯୋଗୁ ମଣିଷ ଅନେକ ପାପ କର୍ମରୁ ନିଜକୁ ନିବୃତ କରିବା ପାଇଁ | ବ୍ୟକ୍ତି ଏବଂ ସମାଜକୁ ଶୃଙ୍ଖଳିତ କରିବାପାଇଁ | କିନ୍ତୁ ଅତ୍ୟଧିକ ବିଶ୍ୱାସ, ଭକ୍ତି, ଦାମ୍ଭିକତା ସମ୍ପୃକ୍ତ ବ୍ୟକ୍ତି, ସମାଜ ଏବଂ ସମଗ୍ର ପୃଥିବୀ ପାଇଁ କ୍ଷତିକାରକ | ମନୋବୈଜ୍ଞାନିକଙ୍କ ମତରେ ଅନ୍ୟାନ୍ୟ ମାନସିକ ରୋଗ ପରି ଅତ୍ୟଧିକ ଧାର୍ମିକ ଭାବନା ମଧ୍ୟ ଏକ ପ୍ରକାର ମାନସିକ ରୋଗ | ସେଥିରୁ ସମୟ ଥାଇ କେବଳ ବ୍ୟକ୍ତି ନିଜକୁ ନିଜେ ମୁକୁଳେଇ ପାରିବ | ଏକ ସୁସ୍ଥ ସମାଜ ପାଇଁ ଏହା ଏକାନ୍ତ ଅପରିହାର୍ଯ୍ୟ |

ଭୁବନେଶ୍ୱର
ଫୋନ – 7490996865

Leave A Reply

Your email address will not be published.

eight − five =