କାରବୀୟ କ୍ରିକେଟ: ଏକ ଶ୍ରଦ୍ଧାଞ୍ଜଳି!!

0 263

ଗୌତମବୁଦ୍ଧ ଦାସ

ଦୁଇ ଦୁଇ ଥର ଏକ ଦିବସୀୟ ବିଶ୍ଵକପ ଏବଂ ଦୁଇ ଦୁଇ ଥର
ଟି-୨୦ ବିଶ୍ଵକପ ଚାମ୍ପିଅନ ୱେଷ୍ଟଇଣ୍ଡିଜ ପାଇଁ ଆଜି ଅତ୍ୟନ୍ତ ଦୁଃଖର ଦିନ। କାରଣ ଚଳିତ ଟି-୨୦ ବିଶ୍ଵକପ ଯୋଗ୍ୟତା ପର୍ଯ୍ୟାୟରେ ଆୟର୍ଲାଣ୍ଡଠାରୁ ହାରି ବିଦା ହୋଇଗଲା ୱେଷ୍ଟଇଣ୍ଡିଜ। ସତେ ଯେମିତି କ୍ରିକେଟ ଜଗତର ଏକ ସମୁଜ୍ଜ୍ଵଳ ସୂର୍ଯ୍ୟ ଆଜି ଅସ୍ତ ହୋଇଗଲା।

ମନେ ପଡ଼ୁଛି ଆମ ପିଲାଦିନର କଥା । ସେତେବେଳେ ଆମେ ରେଡିଓରୁ କ୍ରିକେଟର ଧାରା ବିବରଣୀ ଶୁଣି ରୋମାଞ୍ଚିତ ହେଉଥିଲୁ । ୭୦ ଓ ୮୦ ଦଶକ ଥିଲା କାରବୀୟ କ୍ରିକେଟର ସୁବର୍ଣ୍ଣ ଯୁଗ । କ୍ଲାଇଭ୍ ଲଏଡଙ୍କ ନେତୃତ୍ଵାଧୀନ ତାରକା ଖଚିତ ୱେଷ୍ଟଇଣ୍ଡିଜ ଦଳର ବୀରତ୍ଵପୂର୍ଣ୍ଣ ପ୍ରଦର୍ଶନ ଆମ ଭଳି କ୍ରିକେଟ ପାଗଳ କିଶୋରଙ୍କ କଅଁଳ ମନରେ ଭୀତି ସଞ୍ଚାର କରୁଥିଲା। ଭିଭ ରିଚାର୍ଡସ, ଡେଜମଣ୍ଡ ହେନ୍ସ, ଗଡନ୍ ଗ୍ରିନିଜ, ଜେଫ୍ରି ଦୁଜନ, ମାଇକେଲ ହୋଲ୍ଡିଂ, ଜୋଏଲ ଗାର୍ଣର, ଆଣ୍ଡି ରୋବୋର୍ଟସ୍, ମାଲକମ୍ ମାର୍ଶଲ ପ୍ରମୁଖ ଥିଲେ ଜଣେ ଜଣେ ଦୁର୍ଦ୍ଧର୍ଷ ଖେଳାଳି।

ଉଭୟ ବ୍ୟାଟିଂ ଓ ବୋଲିଂରେ ସେମାନେ ଏଭଳି ଉଚ୍ଚତାକୁ ଛୁଇଁଥିଲେ ଯେ ସେତେବେଳର ବିଶ୍ଵର ଯେ କୌଣସି ପ୍ରତିପକ୍ଷ ଦଳର ଖେଳାଳିଙ୍କ ନିଦ ହଜାଇ ଦେଇଥିଲେ। ତଥାପି ୧୯୮୩ ବିଶ୍ଵକପରେ ଏଭଳି ଏକ ଶକ୍ତିଶାଳୀ ଦଳକୁ ଅପ୍ରତ୍ୟାଶିତ ଭାବେ ହରାଇ କପିଲ ଦେବଙ୍କ ଭାରତୀୟ ଦଳ ଚାମ୍ପିଅନ ହୋଇଥିଲା। କିନ୍ତୁ ବିଶ୍ଵକପ ପରେ ପରେ ଭାରତ ଗସ୍ତରେ ଆସିଥିବା ଲଏଡ୍‌ଙ୍କ ଏହି ଦଳ ବିଶ୍ଵ ଚାମ୍ପିଅନ୍ ଭାରତକୁ ୫-୦ରେ ହରାଇ ବିଶ୍ଵକପ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା।

୮୦ ଦଶକରେ ଶେଷ ଆଡ଼କୁ ଏହି ଦୁର୍ଦ୍ଧର୍ଷ ଦଳର ଅଧିକାଂଶ ବରିଷ୍ଠ ଖେଳାଳି କ୍ରିକେଟରୁ ସନ୍ନ୍ୟାସ ନେଇ ଯିବାରୁ କ୍ରିକେଟ ଜଗତରେ ୱେଷ୍ଟଇଣ୍ଡିଜର ଦବଦବା କିଛିଟା ହ୍ରାସ ପାଇଲା। କିନ୍ତୁ ଏହି ସମୟରେ ପାଟ୍ରିକ ପିଟରସନ, ରିଚି ରିଚାର୍ଡ଼ସନ, କାର୍ଲ ହୁପର, କୋର୍ଟନି ୱାଲ୍ସ, କର୍ଟଲି ଆମ୍ବ୍ରୋଜ ପ୍ରମୁଖ ଖେଳାଳି କାରବୀୟ କ୍ରିକେଟର ମାନ ହ୍ରାସ କରିବାକୁ ଦେଇ ନଥିଲେ। ବିଶେଷ କରି ବୋଲିଂ ବିଭାଗରେ ୱେଷ୍ଟଇଣ୍ଡିଜ ଥିଲା ଅନ୍ୟ ଦଳଙ୍କ ଠାରୁ ଢେର ଆଗରେ ।

ଏହାପରେ ୯୦ ଦଶକରେ ୱ୍ୱେଷ୍ଟଇଣ୍ଡିଜ ଦଳରେ ଆବିର୍ଭାବ ହୋଇଥିଲା ବ୍ରିଆନ ଲାରା ନାମରେ ବିଶ୍ଵ କ୍ରିକେଟର ବିସ୍ମୟ । ଲାରା ବ୍ୟାଟିଂରେ ଅବିଶ୍ୱସନୀୟ ପ୍ରଦର୍ଶନ କରି ଅନେକ ଅଭେଦ୍ୟ ବ୍ୟକ୍ତିଗତ ମାଇଲଖୁଣ୍ଟ ସ୍ଥାପନା କଲେ ବି ଉଲ୍ଲେଖନୀୟ ଦଳଗତ ସଫଳତା ହାସଲ କରିପାରିନଥିଲେ।କ୍ୟାପଟେନ ଲାରାଙ୍କ ସହିତ ଫିଲ ସିମନ୍ସ, କୋର୍ଟଲି ଆମ୍ରୋଜ, ରିକାଡୋ ପାୱେଲ, ଶିବନାରାୟଣ ଚନ୍ଦ୍ରପଲ, ଇଆନ ବିଶପଙ୍କ ଭଳି କିଛି ଅଭିଜ୍ଞ ଓ ନବାଗତ ଖେଳାଳି ଟିମରେ ଥିଲେ ବି ୧୯୯୯ ବିଶ୍ଵକପରେ ୱେଷ୍ଟଇଣ୍ଡିଜ ସୁପର ସିକ୍ସକୁ ମଧ୍ୟ ଯାଇ ପାରି ନ ଥିଲା।

ନୂତନ ଶତାବ୍ଦୀ ଆରମ୍ଭ ବେଳକୁ ୱେଷ୍ଟଇଣ୍ଡିଜ ଟିମକୁ ଆସିଥିଲେ କ୍ରିସ୍ ଗେଲ୍, ରାମନରେଶ ସରୱନ ଓ ମାର୍ଲନ ସାମୁଏଲ୍ସଙ୍କ ଭଳି ପ୍ରତିଭାବାନ ଖେଳାଳି । ତଥାପି ଦଳର ଭାଗ୍ୟରେ ବିଶେଷ ପରିବର୍ତ୍ତନ ହୋଇନଥିଲା। ୨୦୦୩ ବିଶ୍ଵକପରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇ ଯାଇଥିଲା ୱେଷ୍ଟଇଣ୍ଡିଜ। ଲାରାଙ୍କ ଯୁଗ ସରି ସରି ଆସୁଥିଲା।
୨୦୦୭ ବିଶ୍ଵକପ ବେଳକୁ ଡ୍ଵେନ ବ୍ରାଭୋ, କାଇରନ ପୋଲାର୍ଡ ଭଳି ଖେଳାଳି ଟିମକୁ ଆସିଥିଲେ। ଏହି ବିଶ୍ଵକପ ୱେଷ୍ଟଇଣ୍ଡିଜରେ ଆୟୋଜିତ ହୋଇଥିଲେ ମଧ୍ୟ ଏହା ସେମିଫାଇନାଲକୁ ଯାଇପାରି ନଥିଲା।

ଏହା ପରବର୍ତ୍ତୀ ସମୟରେ ୱେଷ୍ଟଇଣ୍ଡିଜ ଦଳକୁ ଡ଼ାରେନ୍ ସାମି, ଆନ୍ଦ୍ରେ ରସେଲ, ସୁନିଲ ନାରିନ୍, ଜାସନ ହୋଲଡର, ଦିନେଶ ରାମଦିନ, କାର୍ଲୋସ ବ୍ରେଥୱେଟ, ଏଭିନ ଲୁଇସ, ଲାଣ୍ଡେଲ ସିମନସ, ସେଲଡନ କୋଟ୍ରେଲ ଭଳି ଅନେକ ପ୍ରତିଭାବାନ ଖେଳାଳି ଆସିବା ଯୋଗୁଁ ୱେଷ୍ଟଇଣ୍ଡିଜ ଦଳରେ ଏକ ନବଜାଗରଣ ସୃଷ୍ଟି ହୋଇଥିଲା। ଏହାଛଡା କ୍ରିସ ଗେଲ, ଡାରେନ ସାମି, ଡ୍ଵେନ ବ୍ରାଭୋ, ଜାସନ ହୋଲଡର ଓ କାଇରନ ପୋଲାର୍ଡଙ୍କ ଉପସ୍ଥିତି ଫଳରେ ୨୦୧୨ ଓ ୨୦୧୬ରେ ୱେଷ୍ଟଇଣ୍ଡିଜ ଟି ୨୦ ବିଶ୍ଵକପ ଜିତି ଏହାର ହୃତଗୌରବ ଫେରି ପାଇଥିଲା।

କିନ୍ତୁ ହାୟ!
ସେସବୁ ଗୌରବର ଦିନ ଏବେ ଶେଷ ହେବାକୁ ବସିଛି। ଚଳିତ ଟି ୨୦ ବିଶ୍ଵକପର ଶ୍ରେଷ୍ଠ ୧୨ଟି ଦଳ ମଧ୍ୟରେ ସ୍ଥାନ ନ ପାଇ ବିଶ୍ଵକପରୁ ବାଦ୍‌ ପଡିବା ଦର୍ଶାଉଛି ଯେ କାରବୀୟ କ୍ରିକେଟ ଏବେ ପରିଚାଳନାଗତ ତ୍ରୁଟି ଜନିତ ଘୋର ଦୁର୍ଦ୍ଦିନ ଦେଇ ଗତି କରୁଛି। ଏହାର କାରଣ ଯାହା ହେଉନା କାହିଁକି, ବିଶ୍ଵ କ୍ରିକେଟ ପାଇଁ ଏହା ଶୁଭଙ୍କର ନୁହେଁ। ଯେତେବେଳେ ଏସିଆରେ ବାଂଲାଦେଶ, ଆଫଗାନିସ୍ତାନ ଏବଂ ଇଉରୋପରେ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ନେଦରଲାଣ୍ଡ ଭଳି ନୂତନ ଦଳର ଅଭ୍ୟୁଦୟ ଘଟୁଛି, ସେତିକିବେଳେ ଏକଦା ବିଶ୍ଵ କ୍ରିକେଟର ବାଦଶାହା ବୋଲାଉଥିବା ୱେଷ୍ଟଇଣ୍ଡିଜ କିକେଟର ଏଭଳି ବିପର୍ଯ୍ୟୟ ସତରେ ଅତ୍ୟନ୍ତ ବେଦନାଦାୟକ।

ଶେଷରେ ଜଣେ ସଚ୍ଚା କ୍ରିକେଟପ୍ରେମୀ ଭାବେ ଏତିକି ନିବେଦନ କରିବି, ଏଭଳି ଏକ ଦୁଃସମୟରେ ଆଇସିସି ବିଶ୍ଵ କ୍ରିକେଟକୁ ଭିଭ ରିଚାର୍ଡ଼ସ, ବ୍ରିଆନ ଲାରାଙ୍କ ଭଳି କିଂବଦନ୍ତି କ୍ରିକେଟରଙ୍କ ଅବଦାନକୁ ସ୍ମରଣ କରି କାରବୀୟ କ୍ରିକେଟକୁ ବଞ୍ଚାଇବା ଲାଗି ତ୍ରାଣକର୍ତାର ଭୂମିକା ନେଉ। ନ ହେଲେ କାରବୀୟ କ୍ରିକେଟକୁ ଆମକୁ ସବୁଦିନ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇ ନିରଵ ପ୍ରାର୍ଥନା କରିବାକୁ ହେବ।

Leave A Reply

Your email address will not be published.

5 × three =