ରଜତ ରଶ୍ମି ସ୍ୱାଇଁ
୧୯୭୮ ମସିହା । ମୋ ମାଆଙ୍କ ଶିକ୍ଷକତା ବୃତ୍ତିର ଆରମ୍ଭର ଦିନଗୁଡ଼ିକ । ବି.ଇଡି. ଟ୍ରେନିଂ ପରେ ପ୍ରଥମ ନିଯୁକ୍ତି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବଣିତୋର ପଶ୍ଚିମେଶ୍ୱର ହାଇସ୍କୁଲରେ । ସେହି ସ୍କୁଲର ପ୍ରଥମ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ମାଆ ଶ୍ରୀମତୀ ଶାରଦା ପ୍ରତାପସିଂହ ଯୋଗ ଦିଅନ୍ତି । ଯେହେତୁ ମୋର ମା’ଙ୍କ ବାପଘର ଅର୍ଥାତ୍ ମୋର ମାମୁଘର ଖୋର୍ଦ୍ଧାର ପାଇକ ବଂଶର, ତେଣୁ ତାଙ୍କର ସାଂଜ୍ଞିଆ ପ୍ରତାପସିଂହ । ଶାରଦା ପ୍ରତାପସିଂହ ନାଁ’କୁ ଅନେକ ପୁରୁଷ ବୋଲି ଭାବନ୍ତି । ତେଣୁ ଏହି ଭ୍ରମ ଯୋଗୁଁ ଶିକ୍ଷାବିଭାଗର ଅନେକ ପୁରୁଷକେନ୍ଦ୍ରିକ କାର୍ଯ୍ୟ ଯଥା ତକ୍ରାଳୀନ ସମୟରେ ନିର୍ବାଚନ ଡ୍ୟୁଟି ପାଇଁ ମାଆଙ୍କ ନାମରେ ଚିଠି ଆସି ପରବର୍ତ୍ତୀ ସମୟରେ ବାତିଲ ହୋଇ ଅନ୍ୟ ଶିକ୍ଷକଙ୍କୁ ଦାୟିତ୍ୱ ହସ୍ତାନ୍ତର ହୋଇଥାଏ ।
୧୯୭୮ ମସିହାରେ ଯେତେବେଳେ ମା’ ପ୍ରଥମେ ବଣିତୋ ଗା’ରେ ପହଞ୍ଚିଲେ, ରହିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଯେଉଁ ଘରଟିକୁ ଠିକ୍ କରିଥିଲେ, ସେଇଟି ଥିଲା ବଙ୍କିମ ବସା । ‘ବଙ୍କିମ ବସା’ ନାଁରୁ କିଛି ବଙ୍ଗାଳୀ ବାସ୍ନା ଆସୁଥିଲା । ବାପା ଯେତେବେଳେ ସେ ଘର ବିଷୟରେ ସବିଶେଷ ବିବରଣୀ ବୁଝିଲେ, ଜଣାପଡ଼ିଲା କି ସେଇ ଚାଳଘରଟି ଏକଦା ବିଶ୍ୱକବି ରବିନ୍ଦ୍ରନାଥ ଟାଗୋରଙ୍କ ଗୁମାସ୍ତା ବଙ୍କିମ ବାବୁଙ୍କ ବସା ଥିଲା । ବିଶ୍ୱକବିଙ୍କ ତରଫରୁ ସେ ଗୁମାସ୍ତା ଭାବେ ଏହି ଅଞ୍ଚଳରେ ନିଯୁକ୍ତ ହୋଇ ପଣ୍ଡୁଆ ଜମିଦାରୀକୁ ତଦାରଖ କରୁଥିଲେ । ଜମିଦାରୀ ଉଚ୍ଛେଦ ହେଲା ପରେ ସେ ମଧ୍ୟ ସେତେବେଳେ ଓଡ଼ିଶା ଛାଡ଼ି ଚାଲିଗଲେ । ବଣିତୋ ଗାଁର ଜଣେ ବାସିନ୍ଦା ସେହି ଘରଟିର ଏବେ ମାଲିକ । ଏବଂ ସେ ଭଡ଼ା ସୂତ୍ରରେ ସେହି ଘରଟିକୁ ଆମକୁ ରହିବାକୁ ଦେଇଥିଲେ । ବଙ୍କିମ ବସାକୁ ଲାଗି ଏକ ସିମେଣ୍ଟ୍ ଚଉତରା ଏବଂ ଛୋଟ ପୋଖରୀ ଥିଲା । ସିମେଣ୍ଟ୍ ଚଉତରାଟି ବୋଧେ ସେତେବେଳେ ଗାଁର ହାତଗଣତି କେତୋଟି ସିମେଣ୍ଟ ନିର୍ମାଣ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା । ବଣିତୋ ଗାଁରେ ବୋଧେ ସେତେବେଳେ ଗୋଟିଏ କି ଦୁଇଟି କୋଠାଘର ଥିଲା । ଚଉତରା ଚାରିପଟେ ଫୁଲଗଛ ଲଗାଇଥିଲେ ବଙ୍କିମ ବାବୁ । ମନ୍ଦାର, କନିଅର, ଟଗର ସହିତ ବେଲ ଓ ଲିମ୍ବ ଗଛ । ସିମେଣ୍ଟ୍ ଚଉତରାରେ ଗୋଟିଏ ଚଉରା ଓ ଛୋଟ ତ୍ରିନାଥ ମନ୍ଦିର ଭଳି ଏକ ମନ୍ଦିର ଥିଲା । ବୋଧେ କେବେ ସେଠି ବିଶ୍ୱକବିଙ୍କ ପାଦ ମଧ୍ୟ ପଡ଼ି ଥାଇପାରେ । ସେହି ଘରଟିରେ ଆମେ ପ୍ରାୟ ତିନି ବର୍ଷ ଥିଲୁ । ପରେ ଗାଁ ଭିତରର ଅନ୍ୟ ଜଣଙ୍କ ଘରକୁ ଭଡ଼ାରେ ରହିବାକୁ ଚାଲିଗଲୁ । ବଣିତୋ ଗାଁରେ ମୋର ମା’ଙ୍କର ଶିକ୍ଷକତା ଜୀବନର ପ୍ରଥମ ୧୭ ବର୍ଷ ବିତିଥିଲା । ମୋର ମଧ୍ୟ ନବମ ଶ୍ରେଣୀ ଯାଏ ଶିକ୍ଷାଗ୍ରହଣ ବଣିତୋର ପଶ୍ଚିମେଶ୍ୱର ସ୍କୁଲରେ ହୋଇଥିଲା ଏବଂ ପଣ୍ଡୁଆ ସ୍କୁଲ୍ରେ ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା ମଧ୍ୟ ମୁଁ ଦେଇଥିଲି । ବୋର୍ଡ ପରୀକ୍ଷାରେ କୁଜଙ୍ଗ ଓ ତିର୍ତ୍ତୋଲ ଦୁଇଟି ବ୍ଲକ୍ରେ ମୁଁ ସର୍ବାଧିକ ନମ୍ବର ରଖିଲି । ସମୁଦାୟ ୫୫୦ ନମ୍ବରରୁ ୪୧୨ ନମ୍ବର ମୋର ଥିଲା । ବିଶ୍ୱକବି ରବୀନ୍ଦ୍ରନାଥଙ୍କ ସହିତ ଜଡ଼ିତ ପଣ୍ଡୁଆ ସ୍କୁଲ୍ରେ ପରୀକ୍ଷା ଦେଲା ବେଳେ ମନରେ ଗର୍ବ ଆସୁଥିଲା । ରାହାମା ବଜାର ଠାରୁ ପଣ୍ଡୁଆ ପର୍ଯ୍ୟନ୍ତ ରାସ୍ତା ମଧ୍ୟ ସେତେବେଳେ ଠାରୁ ରବୀନ୍ଦ୍ର ସରଣୀ ନାମରେ ନାମିତ ଥିଲା ।
ପରବର୍ତ୍ତୀ ସମୟରେ ‘ନିତିଦିନ’ ଖବରକାଗଜରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଶାନ୍ତି ନିକେତନରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ତତ୍କାଳୀନ ଏକାଡେମୀ ସଚିବ ଅଶ୍ୱିନୀ ମିଶ୍ରଙ୍କ ଠାରୁ ଏକ ଚିଠି ପାଇଥିଲି । ମାତ୍ର ଅଫିସ୍ ଛୁଟି ନ ଦେବାରୁ ଶାନ୍ତି ନିକେତନ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲି ।
ବାଂଲାଦେଶରେ ବିଶ୍ୱକବିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବାର ଚିତ୍ର ଟିଭି ପରଦାରେ ଦେଖିଲା ପରେ ବିଶ୍ୱକବିଙ୍କ ସହିତ ଜଡ଼ିତ ଏହି ସ୍ମୃତି ସବୁ ମନକୁ ଚାଲି ଆସିଲା । ସେଥିପାଇଁ ଏହି ଆଲେଖ୍ୟର ଅବତାରଣା ।
ବିଶ୍ୱକବିଙ୍କୁ ଶତଶତ ନମନ । ‘ସୋନାର୍ ବାଙ୍ଗଲା’ ପୁଣି ଥରେ ତା’ର ହୃତ ଗୌରବ ଫେରିପାଉ । ନେତାଜୀ ସୁଭାଷ, ବିପ୍ଲବୀ ଖୁଦିରାମ୍ ଓ ବାଘା ଯତୀନଙ୍କ ମାଟିରେ ନାରୀଟିଏ ସୁରକ୍ଷିତ ରହୁ, ମା’ଟିଏ ସୁରକ୍ଷିତ ରହୁ ।