ମଞ୍ଚରେ ଚାପୁଡ଼ା ମାରିଲେ ବିଜେଡି ସାଂସଦ

0 587

ବ୍ରହ୍ମପୁର : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉଗ୍ର ଆଚରଣକୁ ନେଇ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉଗ୍ର ଆଚରଣ ଦେଖିବାକୁ ମିଳିଥିଲା। ମଞ୍ଚ ଉପରେ ସେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଥିଲେ। ଯୁବକ ହେଉଛନ୍ତି ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ। ବିଜେଡିରେ ଯୋଗ ଦେବା ପାଇଁ ସଂଗ୍ରାମ ଗତକାଲି ସେହି ବୈଠକରେ ଉପସ୍ଥିତ ଥିଲେ। ସେ ମଞ୍ଚ ଉପରେ ସାଂସଦଙ୍କୁ ଉପଢ଼ୌକନ ଦେଉଥିବା ସମୟରେ ଏହି ଘଟଣା ଘଟିଥିଲା।

ଏ ଘଟଣା ସେଠାରେ ଉପସ୍ଥିତ ସମସ୍ତେ ନେତା ଓ କର୍ମୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ସାଂସଦ ତାଙ୍କୁ କାହିଁକି ଚାପୁଡ଼ା ମାରିଲେ, ତାହା ସ୍ପଷ୍ଟ ହୋଇପାରି ନଥିବା ବେଳେ ଏବେ ଏହା ପାରଳାଖେମୁଣ୍ଡି ଓ ସମଗ୍ର ଗଜପତି ଜିଲ୍ଲାରେ ଚର୍ଚ୍ଚା ବିଷୟ ପାଲଟିଛି। ଏପରିକି ସାଂସଦ ଚାପୁଡ଼ା ମାରିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି।

ଚନ୍ଦ୍ରଶେଖର ସାହୁଙ୍କ ଭଳି ଜଣେ ବରିଷ୍ଠ ସାଂସଦଙ୍କ ଏଭଳି ଆଚରଣଙ୍କୁ ସମସ୍ତେ ସମାଲୋଚନା କରୁଛନ୍ତି। ବିଜେପି ନେତା ଭୃଗୁ ବକ୍ସିପାତ୍ର ଟ୍ୱିଟ୍‌ କରି କହିଛନ୍ତି, ଆଶା ଏ ଭାଇରାଲ୍ ଭିଡିଓକୁ ସମସ୍ତେ ଦେଖୁଥିବେ। ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସର୍ବସାଧାରଣରେ ଜଣଙ୍କୁ ଚାପୁଡ଼ା ମାରିଲେ। ତାଙ୍କର ଏଭଳି ଆଚରଣ ଓଡ଼ିଶାକୁ ଲଜ୍ଜିତ କରୁନି କି ବୋଲି ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖର ପୂର୍ବରୁ କଂଗ୍ରେସରେ ଥିଲେ। ସେ ବିଜେଡିରେ ଯୋଗ ଦେଇ ଚଳିତ ବର୍ଷ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

Leave A Reply

Your email address will not be published.

five × five =