ଭୁବନେଶ୍ୱର : ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ପ୍ରଶ୍ନ ପଚାରିବା ମହଙ୍ଗା ପଡ଼ିଛି l ମୟୁରଭଞ୍ଜ ଜିଲ୍ଲା ବିଜେଡି ସଂପାଦକ ଦାୟିତ୍ବରେ ଥିବା ସୁଜିତ ମହାନ୍ତି ଓରଫ୍ କାହ୍ନୁଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି l ଗତ ତିନି ଦିନ ତଳେ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଚାଲିଥିବା ବେଳେ ବାରିପଦା ନିର୍ବାଚନମଣ୍ଡଳୀରେ ଦାୟିତ୍ବରେ ଥିବା ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଜିଲ୍ଲା ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ସମ୍ପର୍କରେ ସୁଜିତ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ l ବିଜେଡି ସଭ୍ୟ ସଂଗ୍ରହ ଅଭିଯାନରେ ତାଙ୍କୁ ସାମିଲ କରାଯାଉନଥିବା ଏବଂ ସଭ୍ୟ ସଂଗ୍ରହ ବହି ମଧ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ କରିଥିଲେ ଜିଲ୍ଲା ବିଜେଡି ସଂପାଦକ। ଏହା ସହିତ ଦଳରେ କେତେବେଳେ କଣ ହେଉଛି ତାହା କେହି ଜାଣିପାରୁନଥିବା ଅଭିଯୋଗ କରିଥିଲେ ଶ୍ରୀ ମହାନ୍ତି। ତାଙ୍କ ସହିତ କର୍ମଶାଳାରେ ଉପସ୍ଥିତ ଆହୁରି କିଛି କର୍ମୀ ମଧ୍ୟ କାହ୍ନୁଙ୍କ ସହିତ ସ୍ବର ମିଳାଇ ଦଳରେ ସେମାନଙ୍କୁ ଉପଯୁକ୍ତ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ ମୟୁରଭଞ୍ଜ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା l ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ପାଖ ଲୋକ ଭାବେ ଜଣାଶୁଣା ସୁଶାନ୍ତଙ୍କ ଏପରି ହଟହଟାକୁ ଠିକ ଭାବରେ ଦଳୀୟ ସୁପ୍ରିମୋ ଗ୍ରହଣ କରି ନଥିବା କୁହାଯାଉଛି l ଆଜି ସୁଜିତଙ୍କୁ ବହିଷ୍କାର କରାଯାଇଛି ବୋଲି ବିଜେଡି ତରଫରୁ ପ୍ରେସ ବିଜ୍ଞପ୍ତିରେ ଜଣାଇ ଦିଆଯାଇଛି l