ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ): ପାଇକ ବିପ୍ଳବର ଏନ୍ତୁଡ଼ିଶାଳ ହେଉଛି ଖୋର୍ଦ୍ଧା । ଏଠାରେ ଖୋର୍ଦ୍ଧା ତହସିଲର ଗଡ଼ଖୋର୍ଦ୍ଧା ମୈାଜାର ୫୮୨/୫୮୩ ପ୍ଳଟରେ ୨୦.୭୨ ଆୟତନ ବିଶ୍ିଷ୍ଟ ଏହି ଗଡ଼ ଭଗ୍ନଅବସ୍ଥା ଆଜି ମଧ୍ୟ ତାର ଐତିହ୍ୟ ବଜାୟ ରଖିଛି । ଐତିହାସିକ ମତରେ ଏକଦା ଓଡ଼ିଶା ପ୍ରଦେଶ ଉତରରେ ଗଙ୍ଗାନଦୀ ଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ଯାଏଁ ବିସ୍ତାର କରିଥିଲା । ୧୫୬୮ ମସିହାରେ ଘରୋଇ ଚକ୍ରାନ୍ତରେ ଗଜପତି ମୁକୁନ୍ଦଦେବ ନିହତ ହୋଇଥିଲେ ।ତେଣୁ ରାଜ୍ୟରେ ଦେଖାଯାଇଥିଲା ଅରାଜକତା । ତାଙ୍କର ଦୁଇ ପୁଅ କ୍ଷମତା ଦଖଲ ଅସମ୍ବବ ହେବାରୁ ବଙ୍ଗଶାସକ ସୁଲେମାନଙ୍କ ଦୁର୍ଦ୍ଧଶ ସେନାପତି କଳାପାହଡ଼ ଦଳ ବଳ ସହିତ ଧ୍ୱଂସ ତାଣ୍ଡବ ରଚିବା ଆରମ୍ଭ କରିଥିଲା । ଏଥିରେ ମଠ, ମନ୍ଦିର ଧ୍ୱଂସ ପାଇଥିବାବେଳେ ହିନ୍ଦୁରାଷ୍ଟ୍ର କୁ କିଏ ରକ୍ଷା କରିବ ତାକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଥିଲା । ସେହି ସମୟରେ କଟକକୁ ମୁସଲମାନ ସୁବେଦାର ଅକ୍ତିଆର କରିସାରିଥିଲେ । ପ୍ରଦେଶ ଓ ଜଗନ୍ନାଥ ସଂସ୍କୃତି ରକ୍ଷା ନିମନ୍ତେ କୋକଲଗଡ଼ ଦଳବେହେରା ବାଘୁ ପାତ୍ର, କୁରୁମ୍ ମଳିପଡ଼ାର ସରଣୀପାତ୍ର ଏବଂ ଘୋରଡ଼ିଆ ଗଡ଼ର ଝାଡ଼ୁ ପରିଡ଼ା ଦକ୍ଷିଣ ଦିଗସ୍ତ ବିଶାଖାପାଟଣା ନିକଟ ତୋଟମା ଗଡ଼ରେ ଆତ୍ମଗୋପନ କରିଥିଲେ । ଓଡ଼ିଶାର ପୂର୍ବତନ ସେନାପତି ଜର୍ନାଦନ ବିଦ୍ୟାଧର ପୁତ୍ର ରମେଇ ରାଉତରାୟଙ୍କୁ ଆଣି ବରୁଣେଇ ପାଦଦେଶରେ ଥିବା ଏକ ଦୁର୍ଗ ସ୍ଥାପନ କରିଥିଲେ । ରମେଇ ରାଉତରାୟ ବିନା ରକ୍ତପାତରେ ପୁରୀ-କଟକ ମଧ୍ୟବର୍ତି ବରୁଣେଇ ପାଦଦେଶରେ ଜଗନ୍ନାଥପୁର କଟକ ନାମରେ ୧୫୬୮ ପରେ ଏକ ନୂତନ ଗଡ଼ ନିର୍ମାଣ କରିଥିଲେ । ରମେଇ ରାଉତରାୟ ଗଜପତି ରାମଚନ୍ଦ୍ର ଦେବ ରୂପେ ଖୋର୍ଦ୍ଧାର ପ୍ରଥମ ଶାସନ ଭାର ନେଇ ରାଜ୍ୟ ଶାସନ କଲେ । ଗଡ଼ର ଲମ୍ବା ୪ହଜାର ଫୁଟ ଓ ଓସାର ୩ ହଜାର ଫୁଟ ରହିଛି ।ଚତୁପାର୍ଶରେ ପାଚେରି ରହିଛି । ଦୁର୍ଗର ଚାରିପଟେ ୭୫ ଫୁଟର ଚଉଡ଼ାର ଏକ ଗଡ଼ଖାଇ ଥିଲା । ଉଭୟ ପାଶ୍ୱର୍ରେ ଜଗୁଆଳି ରହିବା ବ୍ୟବସ୍ଥା ଥିବା ସହିତ ସ୍ୱତନ୍ତ୍ର ସେନା ଗଡ଼ର ରକ୍ଷା ଦାୟିତ୍ୱରେ ନ୍ୟସ୍ତ ହୋଇଥିଲେ ।ଏହା ମଧ୍ୟରେ ଆଜି ମଧ୍ୟ ଅବହେଳିତ ହୋଇ ଏକ ପୁଷ୍କରଣୀ ରହିଛି ।ଯାହା ରାଣୀ ପୋଖରୀ ନାମରେ ପରିଚିତ ।ଏହା ମଧ୍ୟରେ ହନ୍ତେଶ୍ୱରୀ ମନ୍ଦିର ରହିଥିଲ ।ଯାହା ଇଷ୍ଟଦେବୀ ବୋଲି କୁହାଯାଏ । କିନ୍ତୁ ଲକ୍ଷେ ରାଜାର ମଉଣମଣୀ ସେ ଖୋର୍ଦ୍ଧା ରାଇଜର ରାଜା, ବରୁଣେଇ ତଳେ ତେଳାଇ ନଅର ସୁଖେ ପାଳୁଥିଲେ ପ୍ରଜା ବୋଲି ଗର୍ବ କରୁଥିବା ରାଜାଙ୍କ ଗଡ଼ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।ଏହାର ନିଜର ପରିଚୟ ହଜାଇ ବସିଥିବାବେଳେ ଗଡ଼ର ରକ୍ଷଣାବେକ୍ଷକ ପତ୍ନତତ୍ୱ ବିଭାଗ ଉପରେ ନ୍ୟସ୍ତ କରାଯାଇଛି । କିନ୍ତୁ ଐତିହ,ସଂସ୍କୃତି ଏ ଗଡ଼ ଏବେ ପରିଚୟ ହରାଇଥିବାବେଳେ ଏ ଦିଗରେ କାହାରି ଆନ୍ତରିକତା ଦେଖାଯାଉନଥିବା ଅନୁମାନ କରାଯାଉଛି । ଗଡ଼ର ଚତୁଃପାର୍ଶ ଜଙ୍ଗଲରେ ପରିଣତ ହୋଇଥିବାବେଳେ ଭିତରେ ଖୋଳା ମଳତ୍ୟାଗ ଅଂଚଳରେ ପରିଣତ ହୋଇଛି ।ସରକାର ପାଇକ ସ୍ମାରକୀ କଥା କହୁଥିବାବେଳେ ପରିଚୟ ହଜାଇ ବସିଥିବା ଗଡ଼ କେବେ ତାର ପରିଚୟ ପାଇବ ତାକୁ କେବଳ ଦେଖିବାକୁ ବାକି ରହିଛି ।