ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରାଜନୀତିରେ ବିଧାୟକ ପ୍ରଶାନ୍ତ ମୁଦୁଲି ଦିନକୁ ଦିନ ଦଳ ଭିତରେ ଏକୁଟିଆ ହୋଇ ପଡୁଛନ୍ତି । ଜଗତସିଂହପୁର ସଦର ମହକୁମାର ବିଧାୟକ ଭାବେ ପ୍ରଶାନ୍ତଙ୍କର ଜିଲ୍ଲା ରାଜନୀତିରେ ଯେପରି ପ୍ରଭାବ ରହିବା କଥା, ସେପରି ଆଦୌ ଜଣାପଡୁନାହିଁ । ନିକଟରେ ଘଟିଥିବା ଦୁଇଟି ଘଟଣାରୁ ଏହ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି । ଗତ କିଛି ଦିନ ତଳେ ଜଗତସିଂହପୁରରେ ସହରରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ମାତ୍ର ଏଥିରେ ଜଗତସିଂହପୁରର ବର୍ତମାନର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ପୂର୍ବର ବିଧାୟକ ବିଷ୍ଣୁ ଦାସଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ତଥା କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ତରଫରୁ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ମାତ୍ର ଜଗତସିଂହପୁର ବିଧାୟକ ଟିକେଟରୁ ବଂଚିତ ହେବା ପରେ ଅମରେନ୍ଦ୍ରଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଯୋଗୁଁ ପ୍ରଶାନ୍ତ ସେହି ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇନଥିଲେ ବୋଲି କୁହାଯାଉଛି । ଜଗତସିଂହପୁର ସହରର ସମ୍ବର୍ଦ୍ଧନା ସଭାରେ ଜଗତସିଂହପୁର ବିଧାୟକ ଉପସ୍ଥିତ ନରହିବା ଘଟଣାକୁ ନେଇ ଜିଲ୍ଲା ରାଜନୀତିରେ ସରଗରମ ଚର୍ଚ୍ଚା ହୋଇଥିଲା ।
ସେହିପରି ଅନ୍ୟ ଏକ ଘଟଣା ହେଉଛି ତିର୍ତୋଲ କୁମାର ଉତ୍ସବ ସମିତିର ସଭା । ଏଥିରେ ପ୍ରଶାନ୍ତଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଯୋଗ ଦେଇଥିଲେ । ସ୍ଥାନୀୟ ବିଧାୟକ ଭାବେ ବିଷ୍ଣୁ ଦାସ ଉପସ୍ଥିତ ଥିଲା ବେଳେ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ଯୋଗ ଦେଇଥିଲେ । ରଘୁନନ୍ଦନ, ସମ୍ବିତ ଓ ରାଜଶ୍ରୀଙ୍କ ମିଳିତ ସଙ୍ଗୀତ ପରିବେଷଣ ମଧ୍ୟ ତିର୍ତୋଲ ସଭାକୁ ଆହୁରି ରଙ୍ଗୀନ କରି ଦେଇଥିଲା । ମାତ୍ର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସମସ୍ତେ ଭୁଲିଗଲେ । ଜିଲ୍ଲାର ଏକମାତ୍ର ମନ୍ତ୍ରୀ ରଘୁନନ୍ଦନଙ୍କ ସହ ପ୍ରଶାନ୍ତଙ୍କର ସମ୍ପର୍କ ସେତେ ଭଲ ନଥିବା କୁହାଯାଉଛି । କାରଣ ପ୍ରଶାନ୍ତଙ୍କ ପାଇଁ ବାଲିକୁଦା-ଏରସମାରୁ ବିଧାୟକ ଭାବେ ରଘୁନନ୍ଦନ ଟିକେଟ ପାଇବାରୁ ଦୁଇ ଦୁଇ ଥର ବଂଚିତ ହୋଇଥିଲେ । ସେହି ପୁରୁଣା ଦୁଃଖକୁ ରଘୁନନ୍ଦନ ଭୁଲି ପାରିନଥିବା କୁହାଯାଉଛି । ଅନ୍ୟପକ୍ଷରେ ପ୍ରଶାନ୍ତଙ୍କ ଉପରେ ପାରାଦୀପର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଡା. ଦାମୋଦର ରାଉତଙ୍କର ମଧ୍ୟ ରାଗ ରହିଛି । ଦାମଙ୍କୁ ଦଳରୁ ବାହାର କରିବା ପାଇଁ ପ୍ରଶାନ୍ତ ଦଳବଳ ଧରି ନବୀନ ନିବାସ ଆସି ଫେରାଦ ହୋଇଥିଲେ । ଅବଶ୍ୟ ପରେ ରାଜଶ୍ରୀ ମଧ୍ୟ ପଶାନ୍ତଙ୍କ ସହ ଯୋଗ ଦେଇଥିଲେ । ମାତ୍ର ଜିଲ୍ଲାରୁ କର୍ମୀଙ୍କୁ ଆଣି ନବୀନନିବାସରେ ପହଂଚାଇ ଦାମଙ୍କ ବିରୋଧରେ ଫେରାଦ ହେବାରେ ପ୍ରଶାନ୍ତ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେଣୁ ଦାମଙ୍କ ପୁଅ ସମ୍ବିତ ମଧ୍ୟ ପ୍ରଶାନ୍ତଙ୍କ ଅତୀତର କାର୍ଯ୍ୟକଳାପକୁ ଭୁଲି ପାରିନଥିବା କୁହାଯାଉଛି । ଫଳରେ ସମ୍ବିତଙ୍କ ସହିତ ପ୍ରଶାନ୍ତଙ୍କର ସମ୍ପର୍କ ସେତେ ଭଲ ନଥିବା ଆଲୋଚନା ହେଉଛି । ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ସହ ପ୍ରଶାନ୍ତଙ୍କ ସମ୍ପର୍କ ମଧ୍ୟ ସେତେ ଭଲ ନୁହେଁ । ଗତ ଉକ୍ରଳ ଦିବସର ଜିଲ୍ଲା ମହୋତ୍ସବ ଭାଷଣରେ ଏହା ସ୍ପଷ୍ଟ ଭାବେ ବାରି ହୋଇଥିଲା ବେଳେ ବିଧାୟକ ନିର୍ବାଚନ ସମୟରେ ଏହା ଉଗ୍ର ରୂପ ଧାରଣ କରିଥିଲା ବୋଲି ଜିଲ୍ଲା ସାରା ଚର୍ଚ୍ଚା ହୋଇଥିଲା । ପ୍ରଶାନ୍ତଙ୍କର ଜଗତସିଂହପୁରରୁ ବିଧାୟକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଷ୍ଣୁ କୁଆଡେ଼ ସହ୍ୟ କରିପାରିନଥିଲେ ବୋଲି ଆଲୋଚନା ହୋଇଥିଲା ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ବିଧାୟକ ଭାବେ ପ୍ରଶାନ୍ତଙ୍କର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ । ପ୍ରଶାନ୍ତ ଭାବେ ବିଧାୟକ ଜିତିଲା ପରେ ସାରା ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ଅମରେନ୍ଦ୍ର ଜିଲ୍ଲା ସଭାପତି ପଦରୁ ବିଦା ହେବେ । ଏ ଚର୍ଚ୍ଚାକୁ ଯିଏ ଖୋରାକ ଯୋଗାଇଥାଉ ନା କାହିଁକି, ଏହା ଖୁବ୍ଶୀଘ୍ର ଭୁଲ୍ ପ୍ରମାଣିତ ହେଲା ଏବଂ ଅମରେନ୍ଦ୍ରଙ୍କୁ କାଜୁ ନିଗମ ଅଧ୍ୟକ୍ଷ ପଦ ମିଳିଲା । ଫଳରେ ଅମରେନ୍ଦ୍ର ଆହୁରି ଶକ୍ତିଶାଳୀ ହୋଇପଡ଼ିଲେ । ଜିଲ୍ଲା ସଭାପତି ଓ ନିଗମ ଅଧ୍ୟକ୍ଷ ପଦବୀ ପାଇ ଅମରେନ୍ଦ୍ର ଭବିଷ୍ୟତରେ ଯେ ବିଧାୟକ ପାଇଁ ସ୍ୱପ୍ନ ନ ଦେଖିବେ, ଏକଥା କହିବା ଭୁଲ ହେବ । ତେଣୁ ଅମରେନ୍ଦ୍ରଙ୍କ ଉଚ୍ଚାକାଂକ୍ଷା, ରଘୁନନ୍ଦନଙ୍କ ପୁରୁଣା ରାଗ ଓ ସମ୍ବିତଙ୍କ ମନର ବିଦ୍ୱେଷ ଯୋଗୁଁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଜିଲ୍ଲା ରାଜନୀତିରେ ଦିନକୁ ଦିନ ଗୁରୁତ୍ୱ ହରାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।