ନୟାଗଡକୁ ଗଡ଼ିଲା ‘ସେବା ସର୍ଭିସ୍ ଟ୍ରେନ’

0 260

ଭୁବନେଶ୍ୱର : ନୟାଗଡକୁ ସିଧାସଳଖ ରେଳ ଚଳାଚଳ ଆରମ୍ଭ ହୋଇଛି l କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଆଜି ନୂଆଦିଲ୍ଲୀ ଠାରୁ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ସ୍ଥାନରେ ସେବା ଟ୍ରେନ ଗୁଡିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି I   ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ପୃଥିବୀ ବିଜ୍ଞାନ ମନ୍ତ୍ରୀ ଡ଼. ହର୍ଷ ବର୍ଦ୍ଧନ; କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗIଡ଼ି ନୂଆଦିଲ୍ଲୀ ଠାରେ ଉପସ୍ଥିତ ଥିବା ବେଳେ ଭୁବନେଶ୍ୱର ଠାରେ ରାଜ୍ୟ ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି, ସାର୍ବଜନିକ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶାସ୍ତ୍ରୀକରଣ ରାଷ୍ଟ୍ର  ମନ୍ତ୍ରୀ (ସ୍ୱାଧୀନ) ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପିନାକୀ ମିଶ୍ର ଏବଂ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ I    
ଆଜି ଭୁବନେଶ୍ୱର ଠାରୁ ସେବା ଏକ୍ସପ୍ରେସର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଥିବା ବେଳେ ଆସନ୍ତା କଲି (୧୬ ତାରିଖ) ଠାରୁ ଏହି ଟ୍ରେନ ଏହାର ସମୟ ସାରଣୀ ଅନୁଯାଇ ଚଳାଚଳ କରିବ I ୧୮୪୨୩/୧୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସେବା ଏକ୍ସପ୍ରେସ ପ୍ରତିଦିନ ସନ୍ଧ୍ୟା ୬ଘ.୪୦ମି.ରେ ଭୁବନେଶ୍ୱର ଠାରୁ ଛାଡି ନୟାଗଡ଼ ଟାଉନ ଠାରେ ରାତ୍ର ୮ଘ.୪୫ମି.ରେ ପହଞ୍ଚିବାକୁ ଥିବା ବେଳେ ଫେରିବା ପଥରେ ଏହା ନୟାଗଡ଼ ଟାଉନ ଠାରୁ ପ୍ରତ୍ୟହ ସକାଳ ୬ଘ.୩୦ମି.ରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୯ ଘଟିକାରେ ପହଞ୍ଚିବ I       ଭୁବନେଶ୍ୱର ଠାରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ପଣ୍ଡା, ସାଂସଦ ଶ୍ରୀ ମିଶ୍ର ଓ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପୂର୍ବତଟ ରେଳପଥ ସହିତ ଭାରତୀୟ ରେଳବାଇର ଉଦ୍ୟମକୁ ପ୍ରଶଂସା କରିବା ସହିତ ନୟାଗଡ଼ ଠାରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ ସଂଯୋଗ ପାଇଁ ଜନସାଧାରଣଙ୍କ ବହୁ ଦିନର ଦାବିକୁ ପୁରାଣ କରିଥିବାରୁ ରେଳବାଇକୁ ଧନ୍ୟବାଦ ଜଣାଇଥିଲେ I  
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ତାଙ୍କର ସ୍ୱାଗତ ଅଭିଭାଷଣରେ ଉଭୟ ଉନ୍ନୟନ କାର୍ଯ୍ୟ ଓ ଜନମଙ୍ଗଳ କାର୍ଯ୍ୟପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗକୁ ପ୍ରଶଂସା କରିଥିବାବେଳେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ I

ଏହି ଟ୍ରେନକୁ ଭୁବନେଶ୍ୱର-ନୟାଗଡ ସହର ସହ ଯୋଡିବା ପାଇଁ ପିୟୂଷ ଗୋଏଲଜୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି l ଏହା ଶେଷ ମାଇଲ ସଂଯୋଗ ସ୍ଥାପନ କରିବା ସହ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି l ଭୁବନେଶ୍ୱରରୁ ନୟାଗଡ ଟାଉନ ପର୍ଯ୍ୟନ୍ତ ପ୍ରତିଦିନ ‘ସେବା ସର୍ଭିସ ଟ୍ରେନ୍’ ଚଳାଚଳ କରିବ। ଏହି ରେଳ ସଂଯୋଗ ଓଡିଶାର ସାଧାରଣ ଲୋକ ତଥା ଖୋର୍ଦ୍ଧା ରୋଡ଼, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଏବଂ ବୋଲଗଡର ଯାତ୍ରୀ ମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାରେ ରେଳର ବିକାଶକୁ ସର୍ବଦା ପ୍ରଧାନ୍ୟ ଦେଉଛନ୍ତି । ରେଳ ସଂଯୋଗକୁ ସୁନିଶ୍ଚିତ କରିବାରେ ସେବା ସର୍ଭିସ୍ ଟ୍ରେନ୍ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଯାହା ଓଡିଶାରେ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ ଓ ଯାତାୟତକୁ ସହଜ ଓ ସୁଗମ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି l

Leave A Reply

Your email address will not be published.

twelve + eight =