ଭୁବନେଶ୍ୱର : ପ୍ରିୟ ଭାଇ ଓ ଭଉଣୀମାନେ ମୁଁ ଆଜି ଆପଣଙ୍କ ପାଖକୁ ଆସିଛି, ଆପଣମାନେ ଖୁସି ତ! ଗତ ସାଧାରଣ ନିର୍ବାଚନରେ ଯେମିତି ହାଇଟେକ୍ ବସ୍ରେ ବୁଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୋଟର୍ଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିଥିଲେ, ଠିକ୍ ସେହି ଅନ୍ଦାଜ୍ରେ ବିଜେପୁରରେ ପ୍ରଚାର ମୈଦାନ୍କୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ।
ବିଜେପୁର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ସୁପ୍ରିମୋ । ହାଇଟେକ୍ ବସ୍ରେ ରୋଡ୍ ସୋ’ ମାଧ୍ୟମରେ ନବୀନ ବିଜେପୁର ଓ ବରପାଲିରେ ପ୍ରଚାର କରିଛନ୍ତି । ଉପ-ନିର୍ବାଚନ ସକାଶେ ଦୁଇଦିନ ବିଜେପୁର ମୈଦାନ୍କୁ ଓହ୍ଲାଇଥିବା ନବୀନ ଗାଇସିଲେଟ୍ ବ୍ଲକ୍ରେ ପ୍ରଚାର କରିଛନ୍ତି ।
ବରଗଡ଼ ଲାଉମୁଣ୍ଡାରେ ହେଲିକପ୍ଟରରେ ପହଞ୍ଚିବା ପରେ ହାଇଟେକ୍ ବସ୍ରେ ପ୍ରଚାର ଆରମ୍ଭ କରିଥିଲେ ନବୀନ । ପ୍ରଥମେ ବିଜେପୁରର ବିଭିନ୍ନ ସ୍ଥାନରେ ରୋଡ୍ ସୋ’ ପରେ ବରପାଲି ଯାଇଥିଲେ ନବୀନ । ଲୋକଙ୍କୁ ସମ୍ବୋଧିତ କରିବା ସହ ‘ଆପଣମାନେ ଖସି ତ!’ ବୋଲି ପଚାରି ବୁଝିଥିଲେ । ଲୋକେ ମଧ୍ୟ ବେଶ୍ ଖୁସି ବୋଲି ନବୀନଙ୍କ ପ୍ରଶ୍ନର ପ୍ରତି ଜବାବ୍ରେ କହିଥିଲେ । ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନିଜେ ସେଠାରୁ ପ୍ରାର୍ଥୀ ହୋଇ ବିପୁଳ ଭୋଟ୍ରେ ବିଜୟ ହାସଲ କରିଥିବାରୁ ତାଙ୍କୁ ଦେଖିବା ପାଇଁ ଜନସାଧାରଣଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପାଖାପାଖି ୪୩ଟି ସ୍ଥାନରେ ଅଟକି ନବୀନ ଲୋକଙ୍କୁ ସମ୍ବୋଧିତ କରିବା ସହ ରୀତାଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ । ଏହାସହ ମନ୍ତ୍ରୀ ଟୁକୁନି ସାହୁ, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଶାନ୍ତ ସିଂହ, ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ତୁଙ୍ଗ ନେତା ମଧ୍ୟ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପାଇଁ ଜୋର୍ଦାର୍ କ୍ୟାମ୍ପେନିଂ ଚଳାଇଛନ୍ତି ।
ଆସନ୍ତା ୨୧ ତାରିଖରେ ବିଜେପୁର ଆସନ ପାଇଁ ଭୋଟ୍ ଗ୍ରହଣ ହେବ ଏବଂ ୨୪ ତାରିଖରେ ଫଳ ପ୍ରକାଶ ପାଇବ । ବରଗଡ଼ ଜିଲ୍ଲାର ଏହି ଚର୍ଚ୍ଚିତ ବିଧାନସଭା କ୍ଷେତ୍ରକୁ ହାତେଇବା ପାଇଁ ତିନିଦଳ ଉଦ୍ୟମ ଜାରି ରଖିଛନ୍ତି ।