ତିର୍ଲୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଠାରେ ବାଲିଯାତ୍ରାର ପ୍ରଥମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ଚେଳିତୋଳ ବାଲିଯାତ୍ରାକୁ ପ୍ରାତଃରେ ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦ୍ଘାଟନ କରିବାପାଇଁ ନିମନ୍ତ୍ରଣ ପତ୍ରରେ ନାମ ଥିଲେ ମଧ୍ୟ ସେ ଯୋଗ ଦେଇନଥିଲେ । ସନ୍ଧ୍ୟା ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକଙ୍କ ନାମ ମଧ୍ୟ ନିମନ୍ତ୍ରଣ କାଡର଼୍ରେ ରହିଥିବାବେଳେ ସେ ମଧ୍ୟ ସନ୍ଧ୍ୟା ଅଧିବେଶନରେ ଯୋଗଦେଇନଥିବାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଥିଲା । ପୂର୍ବରୁ ୫ ବର୍ଷ ଧରି ତିର୍ତୋଲ ବିଧାୟିକା ଭାବେ ଡ଼. ମଲ୍ଲିକ ରହି ବାଲିଯାତ୍ରା କରିଆସୁଥିଲେ । କିନ୍ତୁ ସାଂସଦ ହେବାପରେ ଚେଳିତୋଳ ବାଲିଯାତ୍ରାର ସଭାପତି ତଥା ତିର୍ତୋଲର ବିଧାୟକ ବିଷ୍ଣୁ ଦାସ ତାଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ସେ ବାଲିଯାତ୍ରାରେ ଯୋଗଦେଇନଥିଲେ । ଏହି ପ୍ରଥମ ସନ୍ଧ୍ୟାରେ ଚେଳିତୋଳ ବାଲିଯାତ୍ରାର ସଭାପତି ବିଷ୍ଣୁ ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ମୁଖ୍ୟବକ୍ତା ଓଡ଼ିଶା ମହିଳା କମିଶନର ଅଧକ୍ଷ୍ୟା ଡ଼. ମିନତି ବେହେରା, ସମ୍ମାନୀତ ଅତିଥି ତିର୍ତୋଲ ବ୍ଲକ ପଂଚାୟତ ସମିତିଅଧ୍ୟକ୍ଷା ସୁଜାତା ମହାନ୍ତି, ରଘୁନାଥପୁର ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ, ତିର୍ତୋଲ ପଂଚାୟତ ସମିତି ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର କୁମାର ରାୟ, ସଭ୍ୟା ଲିପାଲି ରାଉଳ, ଡ଼. ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ଚେଳିତୋଳ ବନ୍ଦର ପ୍ରାଚୀନ ନୌବାଣିଜ୍ୟର ବାର୍ତାବହ ଥିବା ମତ ପ୍ରକାଶ କରିଥିଲେ । ପ୍ରଚୀନ ଚେଳିତୋଳ ପରିବର୍ତନ ହୋଇ ଆଧୁନିକ ତିର୍ତୋଲରେ ରୂପାନ୍ତରିତ ହୋଇଅଛି । ତିର୍ତୋଲ ମାଟି କେବଳ ନୌବାଣିଜ୍ୟ ପାଇଁ ନୁହେଁ ବରଂ ଦେବୀ ଶାରଳା ଓ କବି ସାରଳାଙ୍କ ପାଇଁ ଏହି ମାଟି ପବିତ୍ର ହୋଇଛି । କଳା ସାହିତ୍ୟ ସଂସ୍କୃତି ରାଜନିତୀ ତଥା ନୌବାଣିଜ୍ୟ ପାଇଁ ତିର୍ତୋଲ ଅଂଚଳ ସମଗ୍ର ଓଡ଼ିଶାରେ ସୁଖ୍ୟାତି ଲାଭ କରିଛି ବୋଲି ବକ୍ତାମାନେ କହିଥିଲେ । ସଂସ୍କୃତି ସଂଗଠକ ଅମରଜ୍ୟୋତି ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ପରିଶେଷରେ ପ୍ରଦୀପ୍ତ କୁମାର ମହାପାତ୍ର (ପଠାଣୀ) ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବାଲିଯାତ୍ରାକୁ ବସନ୍ତ କୁମାର ମହାପାତ୍ର, ତପନ କୁମାର ମହାନ୍ତି, ବିମଳ ମହାପାତ୍ର, ବିନୟ ମହାପାତ୍ର, ଲିଟୁ ସ୍ୱାଇଁ, ଅଶ୍ୱିନ କୁମାର ଦାସ, ପ୍ରଭୂତି ଭୂଷଣ ମହାପାତ୍ର, ରଶ୍ମି ରଞ୍ଜନ ଚୌଧୂରୀ, ମଳୟ ବାରିକ, ଅମୁଲ୍ୟ ଦାସ, ଦେବୀ ପ୍ରସାଦ ମହାପାତ୍ର, ତନ୍ମୟ ଦାସ ସମେତ ପରିଷଦର ସମସ୍ତ ସଭ୍ୟ ପରିଚାଳନା କରିଥିଲେ । ସାଂସ୍କୃତିକ ସଭାପରେ କନକପୁର ଗ୍ରାମର ମା ଶାରଳାଙ୍କ ସେବାୟତମାନଙ୍କଦ୍ୱାରା ମା ଶାରଳା ଘଂଟ ନୃତ୍ୟ, ବାଲିକୁଦା ଡେ଼ଙ୍ଗାପୋଲର ସାଇ କୃପା ବିକାଶ କେନ୍ଦ୍ର କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ, ଭୁବନେଶ୍ୱର ଶିଳ୍ପିକା ଆର୍ଟ ଆଣ୍ଡ କଲ୍ଚର କଳାକାର ମାନଙ୍କ ଦ୍ୱାରା ମଡ଼ର୍ନ ଡ଼୍ୟାନ୍ସ ପରିବେଷଣ କରାଯାଇଥିଲା । ଉପସ୍ଥିତ ଥିବା ଦର୍ଶକମାନେ ଏହି ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରିଥିଲେ । ଏହା ସହିତ ବାଲିଯାତ୍ରା ପଡ଼ିଆରେ ରାମଦୋଳି, ଡ଼୍ରାଗନ ଟ୍ରେନ୍, ମିକି ମାଉସ, ପାଣିବୋଟ୍ ସହିତ ମୀନା ବଜାରର ଦର୍ଶକମାନେ ମଜା ଉଠାଇଥିଲେ । ଏହି ବାଲିଯାତ୍ରାରେ କୃଷି, ଉଦ୍ୟାନ କୃଷି, ଓ ଚେଳିତୋଳ ବାଲିଯାତ୍ରାର ଐତିହ୍ୟ ଓ ପରମ୍ପରାର ନକ୍ସା, ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ହାତତିଆରି ସାମଗ୍ରୀ ବାଲିଯାତ୍ରାରେ ଆର୍ଷଣ କେନ୍ଦ୍ରବିନ୍ଦୁ ପାଲିଟିଛି । ଠୁଙ୍କାପୁରୀ, ଚାର୍ଟ, ବାରମଜା, ଫାଷ୍ଟଫୁଡ଼, ଶିମଲାଚପ୍, ଗୁପୁଚୁପ୍ ବ୍ୟବସାୟୀମାନଙ୍କରେ ଗ୍ରାହକ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ ମିନାବଜାରରେ ମହିଳାମାନଙ୍କର ମଧ୍ୟ ବିଭିନ୍ନ କିସମର ସାମଗ୍ରୀ କିଣାକିଣି କରିବାରେ ଭିଡ଼ ଜମିଛି । ଏହା ସହିତ ବିଭିନ୍ନ ଆଲୋକମାଳାରେ ବାଲିଯାତ୍ରା ପଡ଼ିଆଟି ଝଲୁସ୍ ଥିବାବେଳେ ଦୁଇଗୋଟି ତୋରଣ ବାଲିଯାତ୍ରାକୁ ଆକର୍ଷଣ କରୁଥିବା ଦେଖିବାକୁ ମିଳିଛି ।