ଲୋକଙ୍କ ନାଲିଆଖି : ହରଡ଼ ଘଣାରେ ବିଦ୍ୟୁତ କର୍ମଚାରୀ

0 785

ତିର୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ): ସେସୁ ସିଇଓ ନାଲିଆଖି ଦେଖାଇ ଲାଇନ୍‍ କାଟିବାକୁ ସଜବାଜ ହେଉଥିବାବେଳେ ସେସୁ ଅଧିନରେ କାର୍ଯ୍ୟରତ କିନ୍ତୁ ମାଡ ଭୟରେ ଥରିଲେଣି । ଗାଁକୁ ଯାଇ ଖୁଣ୍ଟରେ ଚଢି ଲାଇନ୍‍ କାଟିଲେ କି ଅବସ୍ଥା ହେବ ତାହା କେବଳ ସେମାନେ
ଜାଣିଛନ୍ତି । କେହି ପିଠିରେ ପଡିବେନି । ପୁଲିସ୍‍ ଠିଆକରି ଲାଇନ୍‍ କାଟିଲେ ଲୋକେ ସିନା କିଛି କହିବେନି, ହେଲେ ପରେ କିନ୍ତୁ ଛାଡିବେନି । କିଛି ଲାଇନ୍‍ କର୍ମଚାରୀଙ୍କ କହିବାକଥା ଯେ ଅତୀତରେ ଏଭଳି ଘଟଣା ଘଟିଛି । ବହୁ ସ୍ଥାନରେ ଲାଇନ୍‍ କାଟିବାକୁ ଯାଇ କର୍ମଚାରୀ ନିର୍ଧୁମ ମାଡି ଖାଇଛନ୍ତି । ପୁରୀ ଜିଲ୍ଲାରେ ତ ଗୋଟିଏ ସ୍ଥାନରେ ଲାଇନ୍‍ମ୍ୟାନ ଖୁଣ୍ଟରେ ଚଢି ତାର କାଟୁଥିବାବେଳେ ଲୋକେ ତଳେ ନଡା ଗଦାକରି ନିଆଁ ଲଗାଇ ଦେଇଥିଲେ । ସେତେବେଳେ କେହି ପିଠିରେ ପଡିଲେନି । ବାବୁମାନେ ସିନା ଅଫିସରେ ବସି ଅର୍ଡର ମାରୁଛନ୍ତି ହେଲେ ଗାଁରେ ମାଡ ଖାଇବ କିଏ ବୋଲି ଓଲଟା କର୍ମଚାରୀମାନେ ପ୍ରଶ୍ନ କଲେଣି । ଗାଁ ଗହଳର ପୁରୁଷ ତ ଦୂରରକଥା ଲାଇନ୍‍ କାଟିବାକୁ ଗଲେ ସ୍ତ୍ରୀ ଲୋକ ବି ପନିକି, ଝାଡୁ ଧରି ଗୋଡାଇବେ ବୋଲି କହୁଛନ୍ତି । କର୍ମଚାରୀଙ୍କ ମତରେ ଅଳ୍ପ ବାକିଆ ଥିଲାବେଳେ ଶୋଇଥିଲେ, ଏବେ ଉଠିପଡି ବିଳିବିଳଉଛନ୍ତି ।
ତା ସାଙ୍ଗକୁ ଟାଟା ସେସୁକୁ କିଣିନେବା କଥା ପ୍ରଘଟ ହେଲାପରେ ଲୋକେ କହୁଛନ୍ତି ଆଉ ତୁମକୁ ନୁହେଁ ଟାଟାକୁ ଦେବୁ । ତୁମେ ପଇସା ନେଇ ଗଲାପରେ ଟାଟା ପୁଣି ମାଗିବ । ଆଉ କିଏ କିଏ ଘନ ଘନ ଲାଇନ୍‍ କାଟ୍‍ କଥା ବି କହି ମାରି ଗୋଡାଇବାପାଇଁ ସଜବାଜ ହେଲେଣି । ଗାଁ ଗାଁ ରେ ରାଜନୀତିରେ ଫାଟ ଥିବାବେଳେ ଲାଇନ୍‍ କାଟ୍‍ ଓ ସେଥିପାଇଁ ଆକ୍ରମଣ ପାଇଁ କିନ୍ତୁ ଏକାଠି ହୋଇ ଗୋଡେଇବାଟା ଥୟ । ତେଣୁ ଲାଇନ୍‍ କାଟିବ ଯିଏ ମାଡି ଖାଇବ ସିଏ । ଏହା ହିଁ ସତ୍ୟ । ତେଣୁ ତଳ ସ୍ତରରେ ଥିବା ଅନେକ କର୍ମଚାରୀ ଉପର ଅଫିସରଙ୍କ ଚାପ ଓ ତଳେ ଗାଁ ଲୋକଙ୍କ ମାଡ ଭୟରେ ଆଉ ରାତିରେ ଶୋଉ ନାହାନ୍ତି ।

Leave A Reply

Your email address will not be published.

four × one =