ନ୍ୟୁଜର୍ସି: ଆମେରିକାରେ କରୋନାରେ ପ୍ରଥମ ଓଡ଼ିଆଙ୍କ ମୃତ୍ୟୁ ଘଟିଛି l ତେବେ ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ଡେଇଁଥିବା ବେଳେ ୧୦,୩୦୦ରୁ ଅଧିକ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଲାଣି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଓଡ଼ିଆ ବ୍ୟକ୍ତି ଆଜି ସେଠାରେ ପ୍ରାଣ ହରାଇଛନ୍ତି l
ସେ ନ୍ୟୁଜର୍ସିରେ ରହୁଥିବା ସୁନୀଲ ପଣ୍ଡାଙ୍କ ପତ୍ନୀ ସୁନନ୍ଦା ପଣ୍ଡା ବୋଲି ଜଣାଯାଇଛି l
ମୃତ ମହିଳାଙ୍କ ବୟସ ୫୦ ବର୍ଷ। ସେ ନ୍ୟୁଜର୍ସିର ଇଷ୍ଟ ବ୍ରନ୍ସଓ୍ବିକ୍ ଅଞ୍ଚଳରେ ସ୍ବାମୀ ଓ କନ୍ୟାଙ୍କ ସହ ରହୁଥିଲେ। ତାଙ୍କ ଦେହରେ ପୂର୍ବରୁ କରୋନା ଭୂତାଣୁ ଜନିତ କୌଣସି ଲକ୍ଷଣ ଦେଖାଯାଇ ନଥିଲା। ହଠାତ ଗତ ରାତିରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପରୀକ୍ଷା ପରେ ତାଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ମିଳିଥିଲା। ଡାକ୍ତରଖାନାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥିଲା। ୪ ଘଣ୍ଟା ପରେ ତାଙ୍କର ଦେହାନ୍ତ ହୋଇଥିଲା।