କୁଳମଣି ଷଡ଼ଙ୍ଗୀ
………
“ସାବିତ୍ରୀ’ଏକ ଭାବନା
ନାରୀ ମାନସର,
ସୀମନ୍ତିନୀ ଆଉ
ସ୍ବାମୀପ୍ରେମୀ ଲଳନାର।
ନୁହେଁ ସେ ସାମାନ୍ୟ ନାରୀ,
ଶଂଖା,ଶାଢି,ସିନ୍ଦୁରରେ
ଶୋଭିତା ସେ ନୂଆ ଏକ
ସଂକଳ୍ପନା ଧାରୀ।
ସ୍ବାମୀର ଦୀର୍ଘ ଜୀବନ
ପାଇଁ ନାଇ ମଥାରେ ସିନ୍ଦୁର,
ନୂଆ,ଶାଢି, ଚୁଡି ପିନ୍ଧେ
ଦେଖିବାକୁ ନୂଆ ସ୍ବପ୍ନ
ଆଖିରେ ସ୍ବାମୀର।
ମଥାଟେକେ ପାଦତଳେ
ଗୁରୁଜନଙ୍କର,ଘେନିବାକୁ
ଆଶୀର୍ବାଦ ସଭିଙ୍କର,
“ହାତକାଚ ବଜ୍ରହେଉ,
ଅଇ ସୁଲକ୍ଷଣୀ ରହ,
ଦାଉ ଦାଉ ହେଉ ଥାଉ
ମଥାରେ ସିନ୍ଦୁର।”
ସାବିତ୍ରୀ ବ୍ରତ ନୁହଇ
ସାମାନ୍ୟ ପୂଜନ,
ଅନାବିଳ ଦାମ୍ପତ୍ୟ ପ୍ରେମର
ଏକ ନିଦର୍ଶନ
ସାଂସ୍କୃତିକ ଏକ ଅନୁଷ୍ଠାନ।
ଦୁହିତା ନାମଟି ନୁହେଁ
ତିନୋଟି ବର୍ଣ୍ଣରେ ଗଢା ଶବ୍ଦଟିଏ,
ଦୁଇ କୁଳ ହିତ ସମ୍ପାଦନା କରେ,
କନ୍ୟା ସିଏ ପୁତ୍ର ମଧ୍ୟ ସିଏ।
ମୃତ୍ୟୁର ପଞ୍ଝାରୁ ସିଏ
ଟାଣି ଆଣିପାରେ ସ୍ୱାମୀର ଜୀବନ,
ଅପୁତ୍ରିକ ପିତାମାତାଙ୍କୁ ସେ
ଦେଇ ପାରେ ପୁତ୍ରଲାଭ ସନମାନ।
ଅସହାୟ ଅନ୍ଧ ଶାଶୁ ଶଶୁରଙ୍କ ପାଇଁ
ନେତ୍ରଦାନ ଆଣି ପାରେ ସେହି,
ବୁଦ୍ଧିମତୀ କୌଶଳରେ
ପାରେ ସିଏ ଯମକୁ ହରାଇ।
ସାଙ୍କେତିକ ସାବିତ୍ରୀର କଥା,
ଯୁଗେ ଯୁଗେ ନାରୀ ଶକ୍ତି ଆଗେ
ନଇଁ ଯାଏ ମହାକାଳ ମଥା।
ଅବସରପ୍ରାପ୍ତ ମହାପ୍ରବନ୍ଧକ, ନାବାର୍ଡ, ଭୁବନେଶ୍ୱର