ଭୁବନେଶ୍ୱର : ଲକଡାଉନ ସମୟରେ ଗୁଜରାଟର ଅହମଦାବାଦ ଓ ବରୋଦାର ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ବହୁଳତା ଯୋଗୁ ସେଠାରୁ ସଂଖ୍ୟାଧିକ ଟ୍ରେନ ଚଳାଚଳ ହେଇ ଓଡ଼ିଆ ଶ୍ରମିକ ଓଡିଶା ଫେରୁଥିବା ସମୟରେ ଗୁଜରାଟର ଅନ୍ୟାନ୍ୟ ଅଞ୍ଚଳରେ ରହିଯାଇଥିବା ପ୍ରବାସୀ ଶ୍ରମିକମାନେ ଏହି ସୁଯୋଗରୁ ବଞ୍ଚିତ ଥିଲେ | ସେଥିରୁ ଅଧିକାଂଶ ଅସଂଗଠିତ କ୍ଷେତ୍ରରେ, ଛୋଟ ଛୋଟ କମ୍ପାନୀରେ ବା କନ୍ସଟ୍ରକସନ ସାଇଟରେ ଏମିତିକି ଚାଷ ଜମିରେ ଦିନ ମଜୁରିଆ ବା ସାପ୍ତାହିକ ମଜୁରିଆ ଭାବେ କାମ କରୁଥିଲେ | କରୋନା ଯୋଗୁ ଠିକାଦାର ସେମାନଙ୍କୁ କାମ ଓ ପଇସା ଦେବା ବନ୍ଦ କରିଦେଇଥିଲା | ଯାହା ଫଳରେ ସେମାନେ ଆର୍ଥିକ, ଶାରୀରିକ, ମାନସିକ ଅଶାନ୍ତି, କୋରନାର ଭୟ, ଭ୍ରମ ଓ ଭ୍ରାନ୍ତି ଭିତରେ ଜୀବନ ଅତିବାହିତ କରୁଥିଲେ | ଘରକୁ ଫେରିବାକୁ ଚାହିଁଲେ ମଧ୍ୟ ପ୍ରଥମେ ଲକଡାଉନ ଓ ପରେ ସରକାରଙ୍କ ଗାଇଡଲାଇନ ଅନୁସରଣ କରି ରେଜିଷ୍ଟ୍ରେସନ ଆଦି କରିବାକୁ ତନ୍ମଧ୍ୟରୁ ଅଧିକାଂଶ ଲୋକ ଅନଭିଜ୍ଞ ଥିଲେ |
ଏଭଳି ପରିସ୍ଥିତିରେ ସେମାନଙ୍କ ଅବସ୍ଥା ଦେଖି ବିଗତ ଚାଳିଶ ବର୍ଷ ଧରି ବରୋଦାରେ ଥିବା ଓଡ଼ିଆ ସଙ୍ଗଠନ, “ଉତ୍କଳିକା ଓଡିଶା ସେବା ଟ୍ରଷ୍ଟ, ବରୋଦା ” ସାହାଯ୍ୟର ହାତ ବଢ଼ାଇଥିଲା | ଏଥିପାଇଁ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ଗୁଜୁରାଟ ଓ ଓଡ଼ିଶାର ଉପଯୁକ୍ତ ସରକାରୀ କତ୍ତୃପକ୍ଷଙ୍କ ସହିତ ଆଲୋଚନା ଓ ଅନୁରୋଧ ଫଳରେ ବରୋଦାରୁ ଓଡିଶା ପାଇଁ ସ୍ପେଶାଲ ଶ୍ରମିକ ଟ୍ରେନ ପଠାଇବାର ବନ୍ଦୋବସ୍ତ ହୋଇପାରିଥିଲା | ଗୁଜରାଟର ଅମୋଦ, ଆନନ୍ଦ, ଅଙ୍କଲେଶ୍ଵର, ଭରୁଚୁ, ଦହେଜ, ଜମ୍ବୁସର, ଦବୋଇ, ଝାଗଡ଼ିଆ, ପାଦ୍ର|, ବରୋଦା, ପଞ୍ଚମହଲ, ଶାୱଲି, ଭଗ୍ରା, ଗୋଧରା, ଆଦି ପନ୍ଦରଟି ଦୂର ଦୂରାନ୍ତ ସ୍ଥଳରୁ ପ୍ରବାସୀ ଓ଼ଡିଆ ଶ୍ରମିକଙ୍କୁ ଏକାଠି କରି, ସେଠିକାର ସ୍ଥାନୀୟ ନେତା, ତହସିଲଦାରଙ୍କ ସହ କଥାବାର୍ତ୍ତା କରି, ସେମାନଙ୍କ ରେଜିଷ୍ଟ୍ରେସନ, ମେଡିକାଲ ଟେଷ୍ଟ ଆଦି କରାଇଥିଲେ | ଶ୍ରମିକଙ୍କୁ ଛୋଟ ଛୋଟ ହ୍ଵାଟ୍ସଆପ ଗ୍ରୁପରେ ବିଭକ୍ତକରି ସେମାନଙ୍କ ସହ ସମନ୍ଵୟ ରକ୍ଷା କରି ପ୍ରତ୍ୟେକ ଅସୁବିଧାରେ ସେମାନଙ୍କୁ ସାହାଯ୍ୟ କରିଥିଲେ | ଓଡ଼ିଶାର ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ବରହମପୁର,ବରଗଡ଼, ଭବାନୀପାଟଣା, ବାଲିକୁଦା, ଭୂବନେଶ୍ଵର, ବଲାଙ୍ଗୀର, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି, କେଉଁଝର, କେନ୍ଦ୍ରାପଡା, ମୟୁରଭଞ୍ଜ, ନବରଙ୍ଗପୁର, ନୂଆପଡା, ସୁନ୍ଦରଗଡ଼ ଆଦି ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳର ଲୋକ ଏହାଦ୍ଵାରା ଲାଭାନ୍ଵିତ ହେଇଥିଲେ | “ଉତ୍କଳିକା ଓଡିଶା ସେବା ଟ୍ରଷ୍ଟ, ବରୋଦା “ର ସଦସ୍ୟମାନଙ୍କ ଅନୁଦାନରେ ଅମ୍ପନ ବାତ୍ୟା ପାଇଁ ଦୁଇ ଦୁଇ ଥର ଟ୍ରେନ ବାତିଲ ହେବା ସମୟରେ ସେମାନଙ୍କୁ ଅବଶକୀୟ ସାମଗ୍ରୀ ପ୍ରଦାନ କରାଯାଇଥିଲା | ଶେଷରେ ବରୋଦାରୁ ପ୍ରଥମ ଶ୍ରମିକ ଟ୍ରେନ ୨୭. ୫. ୨0୨0 ଦିନ ୧୩0୫ ଜଣ ଶ୍ରମିକଙ୍କୁ ନେଇ ବାଲେଶ୍ଵର ଅଭିମୁଖେ ଯାତ୍ରା ଆରମ୍ଭ କରି ୨୯. ୫. ୨0୨0 ଦିନ ବରହମପୁର, ଖୋର୍ଦ୍ଧା, ଯାଜପୁର ହେଇ ବାଲେଶ୍ଵରରେ ପହଞ୍ଚିଲା | ସେଠାରୁ ସମସ୍ତ ଯାତ୍ରୀ ସେଠିକାର ସ୍ଥାନୀୟ କତ୍ତୃପକ୍ଷଙ୍କ ତଦାରଖରେ ନିଜ ନିଜ କ୍ଵାରେଣ୍ଟିନ ସେଣ୍ଟରକୁ ସ୍ଥାନାନ୍ତରିତ ହେଲେ | ସମସ୍ତ ଯାତ୍ରୀଙ୍କ ଟିକେଟ ଓଡିଶା ସରକାର ବହନ କରିବା ପାଇଁ ରାଜି ହେଲାପରେ, ଯାତ୍ରାର ସୁଗମତା ପାଇଁ “ଉତ୍କଳିକା ଓଡିଶା ସେବା ଟ୍ରଷ୍ଟ, ବରୋଦା ” ସେମାନଙ୍କୁ ଯିବା ସମୟରେ ପାଣି ବୋତଲ, ପାଉଁରୁଟି, ବିସ୍କୁଟ, ସସ, ମାସ୍କ ଆଦି ପ୍ରଦାନ କରିବା ସହ ରାସ୍ତାରେ ପାଣିର ଅସୁବିଧା ହେବାରୁ ସମ୍ପୃକ୍ତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରି ପାଣି ଆଦି ଯୋଗାଇ ଦେଇଥିଲା |
“ଉତ୍କଳିକା ଓଡିଶା ସେବା ଟ୍ରଷ୍ଟ, ବରୋଦା “ର କର୍ମକର୍ତ୍ତାମାନଙ୍କ ଅକ୍ଲାନ୍ତ ପରିଶ୍ରମ, ଗୁଜରାଟ ଓ ଓଡିଶା ସରକାରଙ୍କ ସସମୟ ସାହାଯ୍ୟ ଓ ସହଯୋଗ, ବରୋଦାର କଲେକ୍ଟର, ଡେପୁଟି କଲେକ୍ଟର, ନୋଡାଲ ଅଫିସର, ମୁନିସପାଲଟି କମିଶନର, ବରୋଦା ପୋଲିସ, ଆରଟିଓ, ଗୁଜରାଟ ରାଜ୍ୟ ପରିବହନ ନିଗମ , ରେଲୱେ ଅଫିସର, ତଥା ଓଡିଶା ଓ ଗୁଜରାଟର ସମସ୍ତ ଜିଲ୍ଲାର ତହସିଲଦାରଙ୍କ ସାହାଯ୍ୟ ଓ ସହଯୋଗ ଦ୍ଵାରା ଏହି ମହତ ଓ କଷ୍ଟସାଧ୍ୟ କାମଟି ସମ୍ଭବ ହୋଇଥିଲା | ଏହି ଅବସରରେ “ଉତ୍କଳିକା ଓଡିଶା ସେବା ଟ୍ରଷ୍ଟ , ବରୋଦା “ ଉପରୋକ୍ତ ସମସ୍ତ ଅଧିକାରୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି | ଓଡ଼ିଶାର ଭାଇଭଉଣୀଙ୍କ ମୁହଁରେ ଓଡିଶା ଫେରିବାର ଖୁସି ଦେଖିଲାପରେ ଦୀର୍ଘ ଦେଢ଼ମାସ ଧରି ଏ କାମରେ ଲାଗିଥିବା କର୍ମକର୍ତ୍ତା ଏକ ଅପୂର୍ବ ଆତ୍ମସନ୍ତୋଷ ଲାଭ କରିଛନ୍ତି |